Unknown

 

 

 

 

 

 

 

 

 

 

 

ବାଟ ବଣା ନଈ ଓ ସମୁଦ୍ର

ମହାପାତ୍ର ଭାସ୍କର ଗନ୍ତାଏତ୍

 

ଗୌରଚନ୍ଦ୍ରିକା

 

କାଗଜର ଆକାଶ ଛୁଆଁ ଦରବୃଦ୍ଧି, ଘନ ଘନ ପ୍ରେସ୍ ଧର୍ମଘଟ ବେଳେ….ପ୍ରାଣଶକ୍ତି ସଂପନ୍ନ, ମୋ ରାଜ୍ୟର ନୀରବ ସାଧକମାନଙ୍କ ମୂଲ୍ୟବାନ କୃତିମାନକୁ ପାଦରେ ଦଳିଦେଇ ଏ ସଙ୍କଳନ ପରି ଅନେକ ପୁସ୍ତକ ବଜାରରେ ଚେହେର ଦେଖାଉଛନ୍ତି–‘‘ଆମେ ଆସିଲୁ ହୋ...ଦେଖ ଆମ ଗୋଦର ଗୋଡ଼ କେଡ଼େ ସୁନ୍ଦର…”

 

“ଆଚ୍ଛା ଭାସକର ଗନ୍ତାଏତ୍ ! ୧୯୭୦ରେ…ନୂଆଁ ନୂଆଁ ରେ ନିଶ ଗଜୁରୁଥିଲା ବେଳେ ତମେ ଗଳ୍ପଲେଖା ଆରମ୍ଭ କଲ ପୁଣି ହଠାତ୍ ଚୁପ୍ ହୋଇଗଲ ୧୯୭୬ରେ । ୭୦ ରୁ ୭୬ ଛଅଟି ବର୍ଷ । ଏଇ ଛଅଟି ବର୍ଷରେ ଯେଉଁ ୪୦/୫୦ଟା ଗଳ୍ପ ଲେଖିଥିଲ, ଭଲ ସଂକଳନଟିଏ ହେବା ଉଚିତ୍‌ ବୋଲି କେତେଜଣ ବନ୍ଧୁ ମତେଇ ଦେଲେବୋଲି ହାତରେ ଯାହା ପଡ଼ିଲା ନଳିନୀକାନ୍ତଙ୍କୁ ଆଣି ଧରେଇ ଦେଲ । ତମ ଗଳ୍ପର ଚରିତ୍ରମାନେ ନିଜ ନିଜ କଥା କହିବେ...ପୁଣି ତମର ଏ ଗୌରଚନ୍ଦ୍ରିକା କାହିଁକି ? ଓଃ…ତମର ପ୍ରକାଶକ ବନ୍ଧୁ ଲେଖକୀୟ ଭୂମିକାଟିଏ ଲେଖିବା ଉଚିତ ବୋଲି ବାଧ୍ୟ କରୁଛନ୍ତି ବୋଲିତ ?’’

 

କଲମ ପଜେଇବା ଭିତରେ ଏମିତି ଗୋଟେ ମୋର ଗଳ୍ପ ସଂକଳନ ଜୀବନକାଳ ଭିତରେ ହେବା ଉଚିତ ବୋଲି ମୁଁ ଚିନ୍ତା ବା ଆଶା କରିନଥିଲି । ଇଛା କରିଥିଲେ ଅନେକ ବର୍ଷତଳୁ ହେଇପାରିଥାନ୍ତା, କିନ୍ତୁ ଆବଶ୍ୟକତା ଅନୁଭବ କରିନଥିଲି । ଗୋପାଳ ଆତ୍ରେୟ, ବ୍ରଜଦାସ ଅରିନ୍ଦମ୍, କୃଷ୍ଣଦାସର (ଯେଉଁମାନେ କବିପରି ବଞ୍ଚନ୍ତି ଏବଂ କବିତାର ନଈଟିଏ ପରି ବହି ବହି ଯାଆନ୍ତି) ବହିଟିଏ ଆଜିଯାଏ ପ୍ରକାଶ ପାଇ ପାରିଲାନି...ମୋର କାହିଁକି ବାହାରିବ : ମୁଁ କିଏ କି ? ଏଇ ଗୁମାନ ମତେ ଗ୍ରାସ କରିଥିଲା ।

 

କିନ୍ତୁ ମୁକ୍ତି ମିଳିଲାନି...ମୋଠୁ ବୟସରେ ଦି’ମାସ ବଡ଼ ନଳିନୀକାନ୍ତ ନନ୍ଦ ଓ ପାଞ୍ଚସାତ ବର୍ଷ ବୟସରେ କନିଷ୍ଠ ଦୁର୍ବଳ ମୁହୂର୍ତ୍ତରେ ଫସେଇ ଦେଲେ । ଦେଖିତ ନାହିଁ, ଯାହା ରାମାୟଣରେ ପଢ଼ିଛି ରାମ ଲକ୍ଷ୍ମଣଙ୍କ କଥା, କିନ୍ତୁ ଏଇ ରାମ-ଲକ୍ଷ୍ମଣ ଯୋଡ଼ି ମତେ କେଜାଣେ କାହିଁକି ମୁଗ୍‍ଧ କଲେ...ଶ୍ରଦ୍ଧାରେ, ଆତ୍ମୀୟତାରେ । ବଣିକ ବୁଦ୍ଧି ଅପେକ୍ଷା ସେ ଦୁହିଁଙ୍କ ସାହିତ୍ୟପ୍ରୀତି ସେମାନଙ୍କୁ ଦୀର୍ଘାୟୁ କରିବ । ପ୍ରକାଶନ ଶିଳ୍ପ ସହିତ ସେମାନେ କେତେଦିନ ଜଡ଼ିତ ରହିବେ...ସେ କଥା ଠାକୁରାଣୀର ଆର୍ଶିବାଦ ଉପରେ ।

 

ଏଇ ସଂକଳନର ପ୍ରକାଶନ କାଳରେ ଅତୀତର ସେଇ ଶୁଭେଚ୍ଛୁ, ସାଥୀ ଓ ସତୀର୍ଥମାନେ ଆଖି ଆଗରେ ନାଚି ଉଠୁଛନ୍ତି...ସେମାନଙ୍କ ନାମ ଏଠାରେ ଉଲ୍ଲେଖ କଲେ ଏକ ବିରାଟ ତାଲିକା ହେବ । ତେବେ ଅଗ୍ରଜ ଚିତ୍ତରଂଜନ ମିଶ୍ର, ଶ୍ରୀଯୁକ୍ତ କୀର୍ତ୍ତନ ବିହାରୀ ଲେଙ୍କା (ଆଇ.ପି.ଏସ୍.), ସାଥୀ ହୁସେନ୍ ରବିଗାନ୍ଧୀ, ବନ୍ଧୁ ପ୍ରସନ୍ନ କୁମାର ପାଟଶାଣୀ, ଶ୍ରୀ ରାମଚନ୍ଦ୍ର ରଥ (ଏମ୍. ପି.) ଅଧ୍ୟାପକ ନୃସିଂହ ଷଢ଼ଙ୍ଗୀ, ଡକ୍ଟର କୃଷ୍ଣଚନ୍ଦ୍ର ଜେନା, ଡକ୍ଟର କୃଷ୍ଣ ଚରଣ ବେହେର, ଡକ୍ଟର ହରିହର ଦାସ, ପ୍ରକାଶକ ଶ୍ରୀଯୁକ୍ତ ଗୋବିନ୍ଦ ଚରଣ ପାତ୍ର, ପ୍ରମୁଖଙ୍କୁ ଯଦି ସ୍ମରଣ ନ କରେ...ଘୋର କୃତଘ୍ନତା ହେବ । ଏମାନେ ମୋର ସେଇ ଅସହାୟ କୈଶୋର ଓ କ୍ଷତାକ୍ତ ଯୌବନ ବେଳାରେ ଆଶ୍ୱସନା ଓ ପ୍ରେରଣାର ଉତ୍ସ । ସୁବି ପ୍ରିଣ୍ଟର୍ସର କର୍ମଚାରୀ ଭାଇମାନେ ଯଥାଶୀଘ୍ର ଓ ଯଥାସମ୍ଭବ ସର୍ବାଙ୍ଗ ସୁନ୍ଦର ଭାବେ ମୁଦ୍ରଣ କାର୍ଯ୍ୟକୁ ତ୍ୱରାନ୍ଵିତ କରିଥିବାରୁ ସେମାନଙ୍କ ବଡ଼ଭାଇ ମନମୋହନ ଜେନାଙ୍କୁ କୃତଜ୍ଞତା ଜ୍ଞାପନ କରୁଛି !

 

ଆଉ ମୋ ଗଳ୍ପର ନାୟକମାନେ ? ସେମାନଙ୍କ ବିଷୟରେ ମୋର କିଛି କହିବାର ନାହିଁ- । ତେବେ, ସେମାନେ ସ୍ଵର୍ଗର ବୃଦ୍ଧ ପକ୍ଷୀହେବା ଅପେକ୍ଷା ନର୍କର ଯୌବନ ମାଦକତାପୂର୍ଣ୍ଣ ଛାରପୋକ ହେବାରେ ବିଶ୍ଵାସୀ ।

 

ବୁଦ୍ଧ ପୂର୍ଣିମା

 

କଟକ ୧୯୮୧

ମହାପାତ୍ର ଭାସ୍କର ଗନ୍ତାଏତ୍

Image

 

ବିଚିତ୍ରବର୍ଣ୍ଣା

 

(ମୁଁ ପଞ୍ଚମ ଶ୍ରେଣୀରେ ପଢ଼ିଲାବେଳେ ଅନେକବାର ସେ ତା’ର ଆଂଗୁଠିର ନଖରେ ଆଂପୁଡ଼ି ମୋ କପାଳକୁ, ଛାତିକୁ ରକ୍ତାକ୍ତ କରିଛି । ତା’ ନଖର ଅନେକ କ୍ଷତ ଏ ଯାବତ୍ ମୋ ଅଙ୍ଗରେ ସ୍ଵାକ୍ଷର ବହନ କରି ରହିଛନ୍ତି । ସଂଳାପ ଆରମ୍ଭ ହେବାପୂର୍ବରୁ ତା’ ନାମଟା କହିଦେଇଥାଏ: ସୋନା-ସୋନାଲି । ବର୍ତ୍ତମାନ ଆରମ୍ଭ ହେଉ–ତା’ ସହିତ କୌଣସି ଏକ ଖରା ଛୁଟିରେ ଘଟିଥିବା ବାକ୍ୟ ବିନିମୟର କିଂଚିତ୍ ଆଭାସ ଏବଂ ସଂଳାପ ଆରମ୍ଭ ହେଉ...)

 

: ସୋନା !

 

: କହୁନୁ ।

 

: ଗୋଟେ ମଜା ଗପ କହିବି ?

 

: କି ଗପ ?

 

: ରଜାପୁଅ, ରଜା ଝିଅ ଆଉ...

 

: ଆଉ ?

 

: ତୋ କଥା ମୋ କଥାକୁ ନେଇ ଗୋଟେ ମଜା ଗପ...

 

: ଇସ୍…

 

(ଅଷ୍ଟମ ଶ୍ରେଣୀ ବେଳକୁ ରୁଷିକୁଲ୍ୟା କିନାରେ ତା’ ସହିତ ଘଟିଥିବା କେତୋଟି ମୁହୂର୍ତ୍ତର ଆଭାସ ଦେଲେ ମଂଦ ହୁଅଂତାନି । ସଂଳାପ ଆରମ୍ଭ–)

 

: କୁନୁଭାଇ !

 

: ହୁଁ

 

: ଆମେ ବର୍ତ୍ତମାନ କେଉଁଠି ?

 

: ଋଷିକୂଲ୍ୟା ଛାତିରେ ।

 

: ରୁଷିକୁଲ୍ୟା କ’ଣ ?

 

: ପିଲାଖିଆ ଡାହାଣୀଟିଏ ।

 

: ନା’ ତୁ ସେମିତି ହ–ନା...

 

: ରୁଷିକୂଲ୍ୟା ଆମ ଗାଁ ନଦୀର ନାଁ...

 

: ଇଏ କୋଠୁଁ ଆସିଛି ?

 

: ରୁଷି ମାଳରୁ ।

 

: ଯିବ କୁଆଡ଼େ ?

 

: ସମୁଦ୍ରକୁ...

 

: ତାପରେ ?

 

: ତାପରେ ? ତାପରେ...

 

(ଶୁଣ୍ୱଂତୁ ସର୍ବେ–ସେଇ ବୟସରେ ବି ଆମେ ଆଦମ–ଇଭ୍ ଭଳି ଏମିତି ଜୀବନ ଜିଜ୍ଞାସା କରି ପାରୁଥିଲୁ)

 

(ତା’ପରେ ଦଶମଶ୍ରେଣୀ ବେଳର କଥା ଶୁଣଂତୁ । ସେତେବେଳକୁ ସୋନାର କାଖରେ ନୁଆଁ ନୂଆଁ ବାଳ ଗଜରୁଥାଏ । ତା’ କାଖ ସନ୍ଧିର ବାଳ ହଠାତ୍ କୌଣସି ଏକ ସଂଧ୍ୟାରେ ଆବିଷ୍କାର କଲାପରେ ତା’ ସହିତ ମୋର ଘଟିଥିବା ଆଲୋଚନାର କେତୋଟି ସଂଳାପ–)

 

: ସୋନା !

 

: କହ ।

 

: ବୟସଟା କ’ଣ ?

 

: ଗୋଟାଏ ବଲ ହୋଇପାରେ ।

 

: ଖେଳାଳୀ କିଏ ?

 

: ସମୟ ।

 

: ଖେଳପଡ଼ିଆ ।

 

: ଆମ ଦେହଟା ହୁଏତ.....

 

: ଆମ ଦେହଟା ଛଡ଼ା ଅନ୍ୟ କେଉଁଠି ଖେଳ ଖେଳା ଯାଇପାରେନା ?

 

: ସେକଥା ଜାଣେନା…

 

(ଏକାଦଶ ଶ୍ରେଣୀରେ ସୋନାଲି ଜ୍ଞାନ ପାଇଲା । ତା’ ଓଠଟା ଠିକ୍ ଏକ ପଳାଶର ପାଖୁଡ଼ାଟିଏ । ପିଠି ଆଉ ଛାତି ବର୍ଷାପର ଅପରାହ୍ନର ସୂର୍ଯ୍ୟରଶ୍ମି ପରି । ଲୁଚି ଲୁଚି ସୋନାଲିକୁ ଦେଖିବାକୁ ଇଚ୍ଛାହୁଏ । କୌଣସି ଗୋଟେ ସକାଳେ ଅର୍ଥାତ୍ ଦୀର୍ଘ ନଅଦିନର ବ୍ୟବଧାନ ପରେ ତାଙ୍କ ବାଡ଼ିପଟ ପାଚେରୀରେ ଚଢ଼ି ଗାଧୁଆ ଘରୁ ସୋନାଲିର ଆଖିରେ ଧରା ପଡ଼ିବା ପରେ ତା’ ସହିତ ଘଟିଥିବା କେତୋଟି ଗରମାଗରମ ସଂଳାପର କିଂଚିତ୍ ଆଭାସ ଦିଆଯାଉ ଏବଂ ସଂଳାପ ଆରମ୍ଭ ହେଉ...)

: ତମେ ଏଠି ?

: ହଠାତ୍ ‘ତୁ’ ରୁ ‘ତମେ’ ?

: ସ୍ଵାଭାବିକ୍ ।

: କ’ଣ କରୁଚୁ ?

: କିଛି ନାଇଁ ।

(ନୀରବ ସିଏ; ନିରୁତ୍ତର ମୁଁ)

: ବାହାରେ କିଏ ?

: ଛେଳି !

: କା’ର ?

: ମୋର ।

ଛେଳି ତୁଂଡ଼ ଶୁଣି ମା’ ଆସିବ ଯେ...

: ନା...

: ତାକୁ ଏଠିକି ଆଣିଲ କାହିଁକି ?

 

: ଛେଳି ଶୁଭ !

 

: ବଦ୍‌ମାସ...ଚୁପ୍ ।

 

(ଏଥୁଅନ୍ତେ, ଦୀର୍ଘ ଆଠ-ଦଶ ବର୍ଷ ଧରି ହା’ହୁତାଶ, ଜ୍ଵାଳା ଯନ୍ତ୍ରଣା ଭୁଲିଯିବା ପରେ ଆଜି ସକାଳେ ହଠାତ୍ ବସ୍‌ଷ୍ଟା°ଡରେ ସ୍ଵର୍ଣ୍ଣ । ମହାତିଂକ ସହ ବାର୍ତ୍ତାଳାପର ଆଲୋଚନା ହେଉ ଏବଂ ସଂଳାପ ଆରମ୍ଭ କରାଯାଉ–)

 

: ନମସ୍କାର !

 

: ନମସ୍‌କାର…

 

: ବର୍ତ୍ତମାନ କେଉଁଠି ?

 

: କେଉଁଠି….କେଉଁଠି, ଆରେ ସୋନା ତମେ ? ତମେ ବର୍ତ୍ତମାନ କେଉଁଠି ?

 

: ଏଠି ଅର୍ଥାତ୍ ବର୍ତ୍ତମାନ...ତମର ଏଇ ସହରରେ ଆସି ପହଂଚିଛି, ମୋତେ ମୋ ସ୍ୱାମୀ ଡାଇଭର୍ସ କରିଦେବା ପରେ ଗାଁକୁ ଚାଲି ଯାଇଥିଲି ଏବଂ ଏଇ ଦଶଦିନ ତଳେ ଏଠିକାର ବାଳିକା ବିଦ୍ୟାଳୟରେ ଶିକ୍ଷୟତ୍ରୀ ଭାବେ ନିଯୁକ୍ତି ପତ୍ର ପାଇଲା ପରେ, ଏଠିକି ଆସିଛି ।

 

: ଭଲକଥା ।

 

କୁନୁଭାଇ ! ମୁଁ ଏ ସହରରେ ଏକୁଟିଆ, ମୋତେ ଟିକେ ସାହାଯ୍ୟ କରିବନି ?

 

: ଏ ସହରରେ ଯଦିଓ ଷଣ୍ଢ ଉପଦ୍ରବ ଖୁବ୍ ବେଶୀ ତଥାପି ଚେଷ୍ଟା କରିବି !

 

ସଂକଳ୍ପ : ଅଗଷ୍ଟ–୧୯୭୧

Image

 

ଈର୍ଷା

 

ଏ ଗପର ନାୟକ ଶୁଭଂକର ଅର୍ଥାତ୍ ମୁଁ…..‘ପ୍ରିୟା’ର ସୋ ରୁମ୍‌ରେ ଆଡ଼୍‌ଡା ଜମେଇ ଥିବା ନାଲି ନେଳି ପଣତ ମାନଂକ ରଙ୍ଗରେ ମସ୍‌ଗୁଲ୍ ହୋଇ ଅନ୍ୟ ମନସ୍କ ଥିଲାବେଳେ ଅନେକ ହସକାନ୍ଦ ସୁଖ-ଦୁଃଖ ସଂଘର୍ଷର ନୀରବ ଦର୍ଶକ ମୋର ସେଇ ବଂଧୁ-ଯା’ର ନାମ ସିଦ୍ଧାର୍ଥ, ଆସି କହିଲା–“ଏଃ ଶୁଭଂକର, ମୁଁ ତୁମକୁ ସପ୍ତାହେ ହେଲା ଖୋଜୁଛି, ତମେ କୁଆଡ଼େ ହଜି ଯାଇଥିଲ ଅନେକ ଦିନ ଦିନ ଧରି ? ତମ ସହିତ ମୋର ଏକ ଜରୁରୀ କାମ ଥିଲା...କାଲି ମୋ ପାଇଁ ତିନି ଘଣ୍ଟା ସମୟ ଦାନ କରି ପାରିବ ?”

 

ହସିଲା ଶୁଭଂକର–‘‘ତିନି ଘଣ୍ଟା ? ତିନି ଦିନ୍‍ ଏପରିକି ତିନି ବର୍ଷ କାହିଁକି ତିନୋଟି ଜନମ ବି ଦାନ/ବିନିଯୋଗ କରିପାରେ ତୁମପାଇଁ, କିନ୍ତୁ କଥା କ’ଣ ?”

 

କହିଲା ସିଦ୍ଧାର୍ଥ–“ତୁମକୁ ଗୋଟାଏ କାମକରିବାକୁ ପଡ଼ିବ...ଦେଖ ମୁଁ ଯାହା କହିବି, ତୁମେ ପ୍ରତିବାଦ ନକରି ମାନିବାକୁ ବାଧ୍ୟ...”

 

ହସିଲା ଶୁଭଂକର–‘‘କ’ଣ ଏମିତି ଏକ ଜରୁରୀ କାମ...ଯେଉଁଥି ପାଇଁ ମୋତେ ପ୍ରତିବାଦ ବି କରିବାକୁ ପଡ଼ିପାରେ...ଏ ଆଶଂକା ତୁମେ କରିପାରୁଚ ?”

 

କହିଲା ସିଦ୍ଧାର୍ଥ–‘‘ତୁମେ ଅଭିନୟଟିଏ କରିବାକୁ ପଡ଼ିବ, କେବଳ ଅଭିନୟ ନୁହେଁ ଅଭିନୟ ବ୍ୟତୀତ କିଛି ତଥ୍ୟ ବି ସଂଗ୍ରହ କରିବାକୁ….”

 

ହସିଲା ଶୁଭଂକର–‘‘ବୁଝି ପାରିଲିନି…ମୁଁ ତ ଅଭିନେତା ନୁହେଁ...ମନସ୍ତତ୍ଵବିତ୍ ବି ନୁହେଁ...”

 

କହିଲା ସିଦ୍ଧାର୍ଥ–‘‘ଛାଡ଼ । କାଲିର କାମ ଆଜିହିଁ କରିବାକୁ ପଡ଼ିବ...କ’ଣ ରାଜିତ ?’’

 

କହିଲା ଶୁଭଂକର–“(ହାତ ଘଡ଼ିକି ଚାହିଁ) ଏବେତ ରାତି ସାତ୍ ହେଲାଣି...ତମେ ପୁଣି ତିନିଘଣ୍ଟା ସମୟ ନେବ...ମୁଁ ଆଜି କ୍ଳାନ୍ତ...ସାରା ଗତ କାଲି ଅନିଦ୍ରା...ବରଂ...” ସିଦ୍ଧାର୍ଥ କହିଲା– ‘‘ନା-। ବର୍ତ୍ତମାନ । ସେମିତି କିଛି ଜରୁରୀ କାମ ନାଇଁ । ତେବେ ଗୁରୁତ୍ଵପୂର୍ଣ୍ଣ ମାନେ ମୋର ଜଣେ ସାହିତ୍ୟିକ୍ ବନ୍ଧୁଙ୍କପାଇଁ ବନ୍ଧନର ସୁତ୍ରପାତ...ତୁମେ ବି ତ ଜଣେ ସାହିତ୍ୟିକ...ତମେ ଝିଅଟିକୁ ଦେଖିବ, ମାନେ…" ଶୁଭଂକର ପ୍ରଶ୍ନକଲା–”ମାନେ ? ତମର ଜଣେ ସାହିତ୍ୟିକ୍ ବନ୍ଧୁ ବାହାହେବେ ଆଉ ମୁଁ ଯାଇ ଝିଅଟିକୁ ଦେଖିବି ?”

 

ସଦ୍ଧାର୍ଥ କହିଲା–“ବୁଝି ପାରିଲନି ? ମାନେ ସେଇ ଝିଅଟି ଅର୍ଥାତ୍ ମୋର ଦୂର ସଂପର୍କୀୟା ଭଉଣୀଟି ମୋର ସେଇ ସାହିତ୍ୟିକ୍ ବନ୍ଧୁଟିର ଦେଖା ସାକ୍ଷାତ୍‌ ନ ପାଇ, ବାର୍ତ୍ତାଳାପ ନ କରିବି କ୍ରମଶଃ…"

 

ହସିଲା ଶୁଭ°କର–“କ୍ରମଶଃ ସେ ଶଳା ଲେଖକର ପ୍ରେମରେ ପଡ଼ିଯାଇଚି ତ ?” କହିଲା ସିଦ୍ଧାର୍ଥ–‘‘ଠିକ୍ ଧରିଚ ।”

 

ଶୁଭଂକର ପ୍ରଶ୍ନକଲା–“ତେବେ ସେଇଠି ମୋର ଭୂମିକା ?”

 

କହିଲା ସିଦ୍ଧାର୍ଥ–‘‘ତମେ ମୋର ସେଇ ବନ୍ଧୁଟିର ଭୂମିକାରେ ଅଭିନୟ କରିବ । ଆଉ ଝିଅଟିର ଚରିତ୍ର ଅନୁଧ୍ୟାନ କରିବ...’’

 

ହସିଲା ଶୁଭଂକର–ଚରିତ୍ର ? ଅଧ୍ୟୟନ ? ତମେ ତମର ସେଇ ଭଉଣୀଟିର ଚରିତ୍ର କ'ଣ ଜାଣିନ ଯେ ମୋତେ ତିନି ଘଣ୍ଟା ଭିତରେ ତା ଚରିତ୍ର ସମ୍ପର୍କରେ ମତାମତ...ଜଣାଇବାକୁ ଟାଣି ନେଇଚ ?”

 

ସିଦ୍ଧାର୍ଥ କହିଲା–‘ଦେଖ, ଝିଅଟି ମୋର ଭଉଣୀ...ମୁଁ କେଭେହେଲେ ତାକୁ ସନ୍ଦେହ କରି ନପାରେ, ଚରିତ୍ର ସମ୍ପର୍କରେ ଏପରି କି ତା ଚରିତ୍ର ଉପରେ କୌଣସି ମନ୍ତବ୍ୟ ଦେଇପାରିବି ନା ଶୁଣିପାରିବି ? ଝିଅଟି ଭଉଣୀ ବୋଲି ଯେମିତି ନିଜର, ବଂଧୁଟି ବି ମୋର ତତୋଧିକ ଏକାଂତ ଆପଣାର...ଅତଏବ‌ ତମେ ତୃତୀୟ ପୁରୁଷ । ଝିଅଟି କେଉଁ ଧରଣର ତମେ ତୃତୀୟ ନୟନ ନେଇ ଅନୁଧ୍ୟାନ କରିବ ଆଉ ମତାମତ ଦେବ । ତା’ ପରେ ମୁଁ ମୋ ବଂଧୁ ନିକଟରେ ଝିଅଟିର ବିବାହ ପ୍ରସ୍ତାବ ବାଢ଼ିବି...”

 

ଏମିତି ବାର୍ତାଳାପ ଭିତରେ ମୁଁ ଓ ସିଦ୍ଧାର୍ଥ କେତେବେଳେ ଯେ ରିକ୍‌ସାରେ ଚଢ଼ିଲୁ, କେଉଁ ଗଳି ଦେଇ କେତେବେଳେ ଯେ ସେ ଝିଅଟିର ଘର ସାମ୍ନାରେ ପହଞ୍ଚି ସାରିଲୁଣି ସେ କଥା ମୋର ଖିଆଲ ନଥିଲା ।

 

ସିଦ୍ଧାର୍ଥ ସତର୍କ କରାଇ ଦେଲା–‘ଦେଖ । ସାମ୍ନାରେ ରଙ୍ଗମଞ୍ଚ, ଅଭିନୟ ଆରମ୍ଭର ବେଳେ ହୋଇଗଲା...”

 

ହସିଲା ଶୁଭ°କର–“ଆଚ୍ଛା, ଠିକ ଅଛି ।”

 

କହିଲା ସିଦ୍ଧାର୍ଥ “ଏ ଅପୂର୍ବା । ହେଇ ଦେଖ ମୁଁ ତୋ ପାଇଁ କ’ଣ ଆଣିଚି ।’

 

ପ୍ରଶ୍ନକଲା ଅପୂର୍ବା–(ଗମ୍ଭୀର ହୋଇ ପାଖକୁ ଆସି) । “କ’ଣ ଆଣିଚ...”

 

କହିଲା ସିଦ୍ଧାର୍ଥ–“ତୋର ସେଇ ପ୍ରିୟ ଗାଳ୍ପିକକୁ, ଯା’ର ଗଳ୍ପଗୁଡ଼ିକ ତ ବେଶ୍ ମନୋଜ୍ଞ ଆଉ ଲେଖକଟି ଦେଖିବାକୁ କେମିତି, ଏୟା ତୁ ଜାଣିବାକୁ ଚାହୁଁଥିଲୁ ନା ?”

 

ଆସିଲା ଅପୂର୍ବ । –“(ଲଜ୍ୟା ସଂବରଣ କରି) ନମସ୍କାର...”

 

ଶୁଭ°କର–“ନମସ୍କାର…”

 

ସିଦ୍ଧାର୍ଥ–(ଆଖି ମିଟିକା ମାରି) “ତମେ ଦୁହେଁ ଗପସପ କରୁଥା...ମୁଁ ଟିକେ ବାଥ୍‌ରୁମ୍‌ରୁ ଆସୁଚି ।”

 

ଅପୂର୍ବା–(ନୀରବ) ।

 

ଶୁଭ°କର–(ହସି) ଠିକ୍ ଅଛି...

 

“ସିଦ୍ଧାର୍ଥ ଚାଲିଗଲା ପରେ ଶୁଭ°କର ଓ ଅପୂର୍ବା କ’ଣ ଯେ କଥାବାର୍ତା ହେଲେ ସେ ସଂପର୍କରେ କୌଣସି ସୂଚନା ଦିଆଯିବା ଉଚିତ୍ ମନେ କରଯାଉନି ।

ସିଦ୍ଧାର୍ଥ–“ନୀରବ କାହିଁକି ? (ବାହାରକୁ ଆସି) ଅପୂର୍ବା କେମିତିକା ଝିଅ ?”

ଶୁଭ°କର–“ଝିଅଟିର ବୟସ କେତେ ?”

ସିଦ୍ଧାର୍ଥ–“ଏଇ ଧରିନିଅ ସତର...ସତର…”

ଶୁଭ°କର–“କ’ଣ ପଢ଼ୁଚି ?”

ସିଦ୍ଧାର୍ଥ–“ବି. ଏ. ଫାଷ୍ଟ ଇଅର ।”

କହିଲା ଶୁଭଙ୍କର–“ବୁଝିଲି, ଝିଅଟି ଦେଖିବାକୁ ବେଶ୍ ସୁଂଦରୀ...ମୋତେ ମୁଗ୍‌ଧ କରିବି ତା’ର ରୂପ, ବୁଦ୍ଧିମତୀ ନିଶ୍ଚୟ କିନ୍ତୁ ଯେତେ ଦୂର ସଂଭବ ଝିଅଟି ପ୍ରେମ ଫ୍ରେମ ବ୍ୟାପାରରେ ବେଶ୍‌ ପୋଖତମାନେ ସପ୍ତମ ଶ୍ରେଣୀରୁ ହିଁ ଇଏ ପ୍ରେମ କରିବା ଆରମ୍ଭ କରିଚି...ମୁଁ ଏଇ ଝିଅଟିକୁ ଜାଣେ…”

ସିଦ୍ଧାର୍ଥ–(ଆକାଶରୁ ସୂର୍ଯ୍ୟଟିଏ ଖସିପଡ଼ିଲା ପରି, କ୍ରୋଧରେ) ଶୁଭଂକର !

ପ୍ରଶ୍ନକଲା ଶୁଭ°କର–‘‘ତମେ ତୁମର କେଉଁ ସାହିତ୍ୟିକ ବଂଧୁକ ପାଇଁ ଏ କନ୍ୟା ପ୍ରସଙ୍ଗର ଆୟୋଜନ କରିଛ ?”

ସିଦ୍ଧାର୍ଥ ବ୍ୟସ୍ତ ଓ ବିବ୍ରତ ହୋଇ କହିଲା–‘‘ତା’ ମାନେ ତମେ କହିବାକୁ ଚାହିଁ ଅପୂର୍ବା ଚରିତ୍ରହୀନା ?”

 

କହିଲା ଶୁଭ°କର–“ଚରିତ୍ରର ମାନେ କ’ଣ ମୁଁ ଜାଣେନା...ତେବେ ମୁଁ ଜାଣି ପାରେ କି ତମର ସେଇ ସାହିତ୍ୟିକ ସଂଧୁ°କ ନାମ, ଯିଏ ସତର...ସତର ବସୟୀ ବାଳା ଅପୂର୍ବ ପ୍ରାପ୍ତିରେ ?”

 

ସିଦ୍ଧାର୍ଥ–“ନା । ବନ୍ଧୁଙ୍କର ନାମ ନ କହିଲେ ଚଳିବ ।”

 

ପ୍ରଶ୍ନକଲା ଶୁଭ°କର–‘ଆରେ ତମେ ମୋ ଉପରେ କ୍ଷୁବ୍‌ଧ କାହିଁକି ? ମୋର ବା ଦୋଷ କ’ଣ ? ମୁଁ ଯାହା ଅନୁଭବ କଲି ତାହାହିଁ ବଖାଣିଲି ।’

 

କହିଲା ସିଦ୍ଧାର୍ଥ–“ବନ୍ଧୁଟିର ନାଁ କହିବି ?”

 

ହସିଲ ଶୁଭ°କର–(କ୍ରୋଧ/ଅଭିମାନରେ) “କହି ପାର...ନ କହି ପାର ବି !”

 

ସିଦ୍ଧାର୍ଥ–“ଶୁଣ ! ବଂଧୁଟିର ନାମ...”

 

ଶୁଭ°କର–ନୀରବ

 

ସିଦ୍ଧାର୍ଥ–“ଶୁଭ°କର, ମୋର ସେହି ବଂଧୁଟିର ନାମ ଶୁଭ°କର ଆଚାର୍ଯ୍ୟ ।”

 

ଶୁଭ°କର–“ସିଦ୍ଧାର୍ଥ ! ଅପୂର୍ବା !!”

 

ବୈଶାଖୀପତ୍ର : ଅକ୍ଟୋବର–୧୯୭୫

Image

 

ଜେମାଂକ ବରଣମାଳା

 

କେତେ ନଗ୍ର-ଜନପଦ, କେତେ ଗଳି-ଉପଗଳି, କ୍ଲବ ଓ କାବାରେ; ସମୁଦ୍ର କିନାରେ ଘୂରି ଘୂରି ଖୋଜିଛି ସେଇ ଚିହ୍ନା ମୁହଁକୁ, କଜ୍ଜ୍ଵଳ ଭରା ସେଇ ମୃଗୁଣୀ ଆକ୍ଷି ଦୁଇଟିକୁ ।

 

କେତେ ଯେ କବିତା, କେତେ ଯେ କାହାଣୀରେ ତାକୁ ଆଉ ମୋତେ ନେଇ ସୃଷ୍ଟି କରିଚି ଅନେକ ସ୍ମୃତିମୟ, ଯନ୍ତ୍ରଣା କାତର ଅଥଚ ମଧୁମୟ ଚରିତ୍ର । କେତେ ଯେ ଶାଣିତ ଶବ୍ଦ, ଦର୍ଶନ ଭଗ ସଂଳାପ ଲେଖି (ଖୋଦ୍ ଚା’ ନିକଟରୁ ଆତ୍ମ ସମର୍ପଣର ପଛଟିଏ ପାଇବାକୁ...ପୁଣି ସବୁ ମାନ ଅଭିମାନ ଭୁଲିଯାଇ ତା’ ସହିତ ନିଜକୁ ହଜେଇ ଦେବାକୁ) ଫର୍ଦ ଫର୍ଦ କାଗଜ, ବୋତଲ ବୋତଲ କାଳି ନଷ୍ଟ କରିଚି, ପୁଣି କେତେ ଯେ ପତ୍ର-ପତ୍ରିକାର ପୃଷ୍ଠାରେ ନିଜ ଆସ୍ଥାନ ଜମେଇବି, ଆତ୍ମପ୍ରଚାର ଅଯଥା ଚଲେଇଛି; ଆ–କେତେ ଯେ ରାତ୍ରି ଉଜାଗରରେ ବିତେଇ ଦେଇଚି...

 

କିନ୍ତୁ ହାଏ ! କାହିଁ ଭଲ ସିଏ ଅନ୍ତତଃ ଟିକେ ହେଲେ ତରଳି ଯାଆନ୍ତା ।

 

ନାଇଁ । ହେଲାନି ।

 

ଇଂଦ୍ରାଣୀ । ଇଂଦ୍ରାଣୀ ଚୌଧୁରୀ ।

 

ଶଚ୍ଚା, ଟୋକୀ ସତେ ଯେମିତି ପଦ୍ମିନୀଟିଏ । ସତୀ କୁମାରୀ କନ୍ୟାଟିଏ । ମେନକା ପରି...

 

ଆଉ ତାକୁ ଏତେ ଖୋଜି ଲାଭ କ’ଣ ? ଅତୀତର ସେଇ ଚିହ୍ନା ମୁହଁ ଇନ୍ଦ୍ରାଣୀ ବର୍ତ୍ତମାନ କେଉଁ ଆଇ. ଏ. ଏସ୍ କିମ୍ବା ଆଇ.ପି.ଏସ୍ ବାଲାର ଗ୍ରୀବାରେ ହାତଛନ୍ଦି କହୁଥିବ...ହେ ପ୍ରିୟେ ! ତୁମେ ହିଁ ମୋ କୁମାରୀ ଜୀବନର ଏକମାତ୍ର ସ୍ଵପ୍ନର ସୁପୁରୁଷ ଆଉ ମୋ ଅନାଗତ ନିଖୁଣ ସନ୍ତାନ ଶିଳ୍ପମାନଙ୍କର ସୁଯୋଗ୍ୟ ଶିଳ୍ପୀ...କଳାକାର !!’

 

ବେଳେ ବେଳେ ଇଂଦ୍ରାଣୀ ଉପରେ କ୍ରୋଧ ହୁଏ...ପୁଣି ଦୁର୍ବଳତାର ଦୁଇଟି ଲ°ବାହାତ ମାଡ଼ି ଆସି ମୋ କଂଠରୋଧ କରେ । ଭୁଲି ଯିବାକୁ ଚେଷ୍ଟା କଲେ ବି ଭୁଲି ପାରେନା ଯେମିତି ଅନେକ କଥା ମନେ ରଖିବାକୁ ହେଉ ବା ମନେ ପକାଇବାକୁ ଚେଷ୍ଟା କଲେ ମନେ ରହେନା, ମନେ ପଡ଼େନା ! !

 

ଇଂଦ୍ରାଣୀ । ଇଂଦ୍ରାଣୀ । ନୁହେଁ ସିଏ ଚଂଦ୍ରାକାଣୀ । ମୋ ପ୍ରୀତିରାଣୀ । ଇଂଦ୍ରାଣୀ ! ଇଂଦ୍ରାଣୀ !!

 

ବେଳେବେଳେ–ଜାଗ୍ରତରେ, ସୁସୁପ୍ତିରେ, ମୂର୍ଚ୍ଛାହତ ସ୍ଵପ୍ନରେ…ସ୍ଵପ୍ନରେ ଭାସିଆସେ ଇଂଦ୍ରାଣୀ...ଆଉ କହେ...

 

ଛାଡ଼ । ରହନେ ଦେ ଛୋଡ଼ୋ : ଜାନେ ଦୋ ୟାର, ହମ୍ ନ କରଂଗେ ପ୍ୟାର…

 

ଅତଏବ, ମୁଁ ଓରଫ ଉଦୟଭାନୁ ମହାପାତ୍ର ଆଜିକାଲି କବିତା/କାହାଣୀ ଚାଷ ଛାଡ଼ିଦେଇ ଦଲାଲି ରାଜନୀତିକୁ ଜୀବନ ଓ ଜୀବିକା କରି ନେଇଚି ଏବଂ ଶିକ୍ଷା ଓ ସାଂସ୍କୃତିକ ବିଭାଗ ମଂତ୍ରୀ°କ ଅତି ନିକଟତମ ବ୍ୟକ୍ତି ହିସାବରେ ପର୍ସନାଲ୍ ଆସିଷ୍ଟାଂଟ୍ ପଦବୀଟିଏ ଯେନତେନ ପ୍ରକାରେଣ ଅର୍ଥାତ୍ ବହୁ ଚକ୍ରା°ତ ତଥା ପ୍ରତିଦ୍ୱ°ଦିତା ସତ୍ଵେ ଯୋଗାଡ଼ କରିପାରିଛି ।

 

...ଯେହେତୁ ଇଂଦ୍ରାଣୀ ଏକଦା ଅଭିମାନରେ କହୁଥିଲା–‘‘ତୁମ କବିତା ଗପ ପଢ଼ି ପାଠକ ଗୋଷ୍ଠୀ ହୁଏତ୍ ତୁମ ପ୍ରତିଭାର ଭୁରି ଭୁରି ପ୍ରସଂଶା କରିବେ, ବେଶୀ ଯଦି ତୁମ କ୍ରିଏଟିଭିଟି ସେମାନଙ୍କୁ ପ୍ରଭାବିତ କରେ ତେବେ ହଠାତ୍ ଦେଖା ହେଲେ ସଲାମ ମାରିବେ; ଚିଠିରେ ମତାମତ ଜଣାଇବେ, ଅଥଚ ଉଦୟ ।

 

ମନେରଖ–ତମେ ଭୋକରେ ଜଳିଗଲାବେଳେ କିମ୍ବା ଔଷଧ ଟୋପାଏ ନପାଇ ମଲାବେଳେ...ତୁମପାଇଁ କେହିବି ଆସିବେନି ! ଅଥଚ ଉଦୟ ତୁମେ ଯଦି ଅଂତତଃ ଗ୍ରଂଥକୀଟ ହୋଇ ବଡ଼ ଉଚ୍ଚପଦସ୍ଥ ଅଫିସର ହୁଅ କିଂବା ଭାଷଣ ଦେଇ, ବ୍ଳାକ୍‌ମେଲିଂ କରି ନେତାରୁ ମନ୍ତ୍ରୀ ହୁଅ ତେବେ ତୁମ ପଛେ ପଛେ ଜନତାର ସ୍ରୋତ ଲଂବି ଯିବ କାହିଁ କେତେଦୂର ! ଆଗକୁ ଆଗକୁ । ପଛକୁ । ପଛକୁ ।

 

ପ୍ରତିଭା ଓ ପ୍ରଭାବ ।

 

ଇଂଦ୍ରାଣୀ ଠିକ କହିଚି–ଏ ଦେଶରେ ପ୍ରତିଭା ଅପେକ୍ଷା ପ୍ରଭାବର ଆଧିପତ୍ୟ ବେଶୀ...ମୂଲ୍ୟବାନ...

 

ଏଠି ସ୍ପଷ୍ଟ କରି କହିଦିଏଁ : ହେ ମୋର ଦରଦୀପାଠକେ ! ଯେତେସବୁ ଆବୁରୁ ଜାବୁରୁ ବକ୍ତବ୍ୟ ହୀନ ବକ୍ତବ୍ୟ ଯେଉଁଠି ମୁଁ ଉଚ୍ଚାରଣ କରୁଚି ସେ ସ୍ଥାନଟି ହେଉଚି ଏ ରାଜ୍ୟର କେଉଁ ଏକ ସରକାର ମହିଳା ମହାବିଦ୍ୟାଳୟର ସୁସଜ୍ଜିତ ବିରାଟ ଏକ ଷ୍ଟେଜ୍ । ଏଇ ଷ୍ଟେଜ୍ ଉପରେ ଯେତେସବୁ ଚରିତ୍ର ଗ୍ରେଟ୍‌ମ୍ୟାନ୍‌ ଓ ଜନତାର ଜନାର୍ଦନ ସମ ସମ୍ମାନୀତ–ସେମାନଂକ ଭିତରୁ ମୁଁ ବି ଜଣେ...

 

ଚରିତ୍ରମାନଂକ ପରିଚୟ ପ୍ରଦାନ କରିଦେଲେ ମଂଦ ହୁଅଂତା ନାଇଁ । ବାମରୁ ଡାହାଣକୁ–ପ୍ରଥମ ଚରିତ୍ର କ୍ଷେତ୍ର ପ୍ରଚାର ସଂସ୍ଥାର ଅଧ୍ୟକ୍ଷ ମଃ ମହା°ତି । ଦ୍ଵିତୀୟ ଚରିତ୍ର ଜିଲ୍ଲାପାଳ ଶ୍ରୀଯୁକ୍ତ ସିହ୍ନା । ତୃତୀୟ ଚରିତ୍ର ମୁଁ ଓରଫ୍ ଉଦୟ ଭାନୁ ମହାପାତ୍ର । ଚତୁର୍ଥ ଚରିତ୍ର ମ୍ୟାନବର ମଂତ୍ରୀ ଶ୍ରୀଯୁକ୍ତ ଅରକ୍ଷିତ ଭୂୟାଁ । ଷଷ୍ଠ ଚରିତ୍ର ଏ ସହର ଏକ ପୁରୁଖା ନେତା ତଥା ଆମ ଦଳର କର୍ମୀ ଶ୍ରୀଯୁକ୍ତ ପଟ୍ଟନାୟକ ଓ ସପ୍ତମ ଚରିତ୍ର ହେଉଛ°ତି ମିସେସ୍ ମାଲହୋତ୍ରା ଅର୍ଥାତ୍ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ।

 

ମୋତେ ବାଦ ଦେଇ ଯେତେଦୂର ସଂଭବ ଅନ୍ୟମାନେ କେମିତି ଏକ ମିଠା ମିଠା ଗର୍ବ ଓ ଗୌରବ ଅନୁଭବ କରୁଥିବେ ନିଶ୍ଚୟ ।

 

କିଂତୁ, କେଜାଣେ କାହିଁକି ମୁଁ କେଉଁ ଏକ ନଗ୍ନପଦ ଜିଦ୍‌ଖୋର ବାଳକ ପରି ଅନେକ ଅଚିହ୍ନା ଅଜଣା କଂଟା ଖୁଂଟର ଦୁର୍ଗମ ରାସ୍ତାରେ ଦୌଡ଼ି ଦୌଡ଼ି କ୍ଲା°ତ ହୋଇ ପଡ଼ିବା ସତ୍ତ୍ଵ ଛି°ଡ଼ା ସୂତାର ସେଇ ପୁଣି ନିଜ ଅକ୍ତିଆରରକୁ ଆଣିବାକୁ ଚେଷ୍ଟା କରୁଛି ।

 

ଓଃ...ପୁଣି କେତେଦିନ ବା କେଉଁ ଏକ ସରଳ ବିଶ୍ଵାସୀ ଗୁଣ୍ଡା ପରି ସେଇ ଚିହ୍ନା ମୁହଁକୁ ଖୋଜୁଥିବି ଅନେକ ଅଚିହ୍ନା ମୁହଁଙ୍କ ଶୋଭାଯାତ୍ରା ଭିତରେ ପଶି, ଭିଡ଼ ଭିତରେ ନିଜକୁ ହଜେଇ ଦେଇ ।

 

ଆମ୍ଭମାନଂକ ପାଂଚ ଫୁଟ ଦୂରରେ ଅନେକ ବିପରୀତ ଲିଂଗୀ ମୁହଁମାନଂକ ଭୀତ । ସେଇ ମୁହଁମାନଂକ ଭିଡ଼ ଭିତରେ ଶାଣିତ ଅଥଚ ଜାଗ୍ରତ ମୋର ଦୁଇଟି ଆକ୍ଷି ପୁଅ ଭିଡ଼ ଠେଲି ଖୋଜୁଚି ସେଇ ଚିହ୍ନା ମୁହଁକୁ ।

 

ଅଡ଼ିଟୋରିଏମ୍ ପ୍ରଥମ ଧାଡ଼ିର ଡାହାଣପଟ ଶେଷ ଚେୟାର ଉପରେ ବସିଥିବା ସେଇ ନାଲିଶାଢ଼ି ପିଂଧା ଝିଅଟି । ଆଃ କି ସୁଂଦରୀ ! ଦେଖିବାକୁ ଠିକ୍ ଇଂଦ୍ରାଣୀ ପରି ।

 

ଆରେ, ହଁ ତ ଇଂଦ୍ରାଣୀ ନାଲିଶାଢ଼ି ପିଂଧିବାକୁ ଭଲପାଏ । ଏକଦା ବର୍ଷଣ ମୁଖୀ ଏକ ବୈଶାଖୀ ସଂଧ୍ୟାରେ ନାଲିଶାଢ଼ିଟିଏ ପିଂଧି ମୋ ବସାକୁ ଆସିଥିଲା ଆଉ ମୋ କୋଠରୀ ଭିତରେ ପଶି କହିଥିଲା…‘‘କହିଲ ଦେଖି ଏ ଶାଢ଼ିଟା ପିଂଧିଲେ ମୁଁ କେମିତି ଦିଶୁଛି ?”

 

ମୁଁ ହସିଥିଲି ଓ କହିଥିଲି...‘‘ଆଃ–ତମେ କି ସୁଂଦର ଦିଶୁଚ ଇଂଦ୍ରାଣୀ ! ସତେ ଯେମିତି ତ ତୁମେ ଦେଖିବାକୁ ଆମ ଗାଁ କଂଧୁଣୀଦେଇ ମଂଦିରର କାଳିସି ଇଂଦୁ ନାଇକାଣି ପରି, ଠିକ୍.....

 

ସେ ଖୁବ୍ ଜୋର୍‌ରେ ରାଗି ଯାଇଥିଲା । ଅନେକ ବେଳ ଯାଏଁ କଥା ନ କହି କ୍ରୋଧରେ ଜଳୁଥିଲା ।

 

ନୀରବତା ଅସହ୍ୟ ହେବାରୁ ମୁଁ କହିଥିଲି...‘‘ଭୋ ଦେବୀ ! ଦୋଷଥିଲେ ଦୟାକର : ଭୁଲ୍‍ଥିଲେ ମାଫ୍ କର ।”

 

ତଥାପି ସେ ନୀରବ ।

 

ମୁଁ ବି ପ୍ରତିଶୋଧରେ ଇଂଦ୍ର ସପତ ଦିନ ବୃଷ୍ଟି କଲା ପରି ସାତ ଘଂଟା ଯାଏ ମୌନବ୍ରତ ପାଳନ କରଂତେ ସେ ନିଜର ସମସ୍ତ କ୍ରୋଧକୁ ଅଚାନକ୍ ହସର ଜୁଆରରେ ଫୋପାଡ଼ି ଦେଇ ମୋ ମୁ°ଡ଼ର ଲ°ବା ବାଳମାନଂକରେ ହସ୍ତ ସ°ଚାଳନ କରୁ କରୁ କହିଲା...ତମେ କେଡ଼େ ଛତରାଟେ ମ-! ତମର ଏମିତି ପିଲାଳଆମୀ ସବୁ କେବେ ଯିବ କେଜାଣି !”

 

ତଥାପି ମୁଁ ମୋ ମୌନବ୍ରତ ଭ°ଗ କରିବାକୁ ସତେ ଯେପରି ନାରାଜ୍‌ । ତା’ପରେ ସେ ଉର୍ବଶୀର ରୂପ ନେଲା ଓ ମୋର ବ୍ରତ ଭଙ୍ଗ କଲା ।

 

ସେତିକି ବେଳକୁ ରାତି ନିଶ୍ଚୟ ଏଗାରଟାରୁ କମ୍ ହୋଇ ନଥାଇପାରେ ।

 

ଭୋକରେ ପେଟ ଆଉଟୁ ପାଉଟୁ...

 

ମୁଁ ତାକୁ କୋଳାଗ୍ରତ କରି ପଚାରିଲି… “କ’ଣ ଖାଇବ ? ଘରେ ତ କିଛି ନାଇଁ । ଚାଲ୍ ହୋଟଲ୍ ଯିବା ।”

 

ସେ କହିଲା... “ବାପ୍‌ରେ ବାପ୍‌, ଏତେ ରାତିରେ ? ନାଇଁ, ଥାଉ । ଆଜି ଏକାଦଶୀ ପାଳନ ହେଉ ।”

 

ମୁଁ ପ୍ରତିବାଦ କଲି–“ଅନାହାର ଓ ଉପବାସ ଏକା କଥା ନୁହେଁ ! କ’ଣ, ଭୋକରେ ଶୋଇବ ? ଚାଲ ଜଲ୍‌ଦି, ହୋଟଲ ସବୁ ବନ୍ଦ ହେବା ବେଳ ହେଲଣି ।”

 

ସେ ହସିଲା–“ନା ଥାଉ । ସହରରେ ଷଣ୍ଢ ଉପଦ୍ରବ । ଏତେ ରାତିରେ ବାହାରକୁ ଯିବା ମୋଟେ ନିରାପଦ ନୁହେଁ ।”

 

ମୋର ସମସ୍ତ ପ୍ରତିବାଦ ଓ ଅନୁରୋଧ ତାର ପଦିଏ ପଦିଏ କଥାରେ ହାର୍ ମାନିବା ପରେ କହିଲି–‘‘ଆଚ୍ଛା ମୁଁ ଯାଏ, କିଛି ହେଲେ ରୁଟି ଓ ମାଂସ ନେଇ ଆସେ ।”

 

ସେ କହିଲା–“ନା । ମାଂସ ଓ ରୁଟି ଲୋଡ଼ା ନାଇଁ । ଆଜି ରାତିଟା ଭେକରେ କଟେଇ ଦେଲେ କେମିତି ଲାଗିବ ସକାଳେ ଜଣା ପଡ଼ିବତ । ଅଂତତଃ ଆମ ଜୀବନ ପାଇଁ ଇଏ ଗୋଟାଏ ସ୍ମୃତି ହୋଇ ରହିବତ ।”

 

କେଉଁ ତିନି ମାସ ହେଲା ମୋ ଖଟ ତଳେ ଥିବା ଟିଣର ସେରେ ଚୁଡ଼ାକୁ ପିମ୍ପୁଡ଼ି ଘେରା ଚିନି ସହ ବତୁରେଇ ସେ ରାତିରେ କ୍ଷୁଧାକୁ ଅନ୍ତତଃ ନିବାରଣ କରିବାର ଆପ୍ରାଣ ଉଦ୍ୟମ କରାଯାଇଥିଲା । କିନ୍ତୁ କ୍ଷୁଧା ହ୍ରାସ ହେବା ବଦଳରେ ବେଳକୁ ବେଳ ଚକ୍ରବୃଦ୍ଧି ସୁଧ ପରି ବୃଦ୍ଧି ପାଉଥିଲା । ପେଟ ତଳର କ୍ଷୁଧା…

 

ଓଃ–ହସ ଓ ତାଳି ମାଡ଼ର କି ସମିଶ୍ରଣ ଧ୍ଵନି । ବୋଧେ ସ୍ଵାଗତ୍ ସଂବର୍ଦ୍ଧନା ଆରମ୍ଭ ହେଲାଣି ।

 

କାହିଁଗଲା ସେଇ ଚିହ୍ନା ମୁହଁ ? କେତେ ବା ଖୋଜିବିରେ କାଳିଆ । ମୋ ଆରାଧ୍ୟ ଦେବତା ଜଗନ୍ନାଥ !! ମୋତେ ଏ ଜଂଜାଳ ଭିତରୁ ଅନ୍ତତଃ ମୁକ୍ତି ଦେ ! ମୋ ଚିହ୍ନା ମୁହଁ କୁ ମୋତେ ଫେରେଇ ଦେ !!

 

ସେ ସବୁଜ ଶାଢ଼ୀ ପିନ୍ଧା ଝିଅଟି ଏମିତି ହସୁଛି କାହିଁକି ?

 

ଓଠ ଦେଇ ହିଁ ହସର ଜାତ, ହେଲେ ହସିବାର କଳା କ’ଣ ସମସ୍ତଙ୍କ ନିକଟରେ ଥାଏ ?

 

ଝିଅଟିର ହସ ଠିକ୍ ଇଂଦ୍ରାଣୀର ହସ ପରି । …ଆରେ, ଝିଅଟା ପୁଣି ଏମିତି ଗମ୍ଭୀର ହୋଇ ପଡ଼ିଲା କାହିଁକି ? ଇଂଦ୍ରାଣୀ ବି ବେଳେ ବେଳେ ଏମିତି ଗମ୍ଭୀର ହୋଇପଡ଼େ ।

 

ହଁ, ଠିକ୍ ମନେପଡ଼ୁଛି–ଲାଷ୍ଟ ଡିସେମ୍ବରର ଏକ ଉଦାସ ମଧ୍ୟାହ୍ନରେ କଲେଜ ଯିବା ବାହାନାରେ ତା’ ଭାଉଜକୁ ଫାଙ୍କି ଦେଇ ସେ ମୋ ବସାକୁ ଚାଲି ଆସିଥିଲା । ମୋତେ ସେତେବେଳେ ଖୁବ୍ ଜୋର୍‌ରେ ନିଦ ଘାରିଥିଲା । ଖଟ୍ ଖଟ୍ ଆବାଜ ଅନେକ ବାର କବାଟର ଛାତିରେ ବାଜିବା ପରେ ନିଦ ବାଉଳାରେ ପଚାରିଥିଲି “କିଏ ?”

 

: ମୁଁ ।

 

: ମୁଁ ? କିଏ ତୁମେ ‘ମୁଁ’ ?

 

: ଭୂତ…ଡାହାଣୀ ?

 

: ଓଃ... ଇଂଦ୍ରାଣୀ ଡାହାଣୀ ?

ଝଡ଼ ପରି ମୋ ବେଡ଼୍‌ରୁମ ଭିତରେ ପଶି ଇଂଦ୍ରାଣୀ କହିଥିଲା–‘‘ରାତିସାରା ଚେଇଁ-ରହି ଅକ୍ଷରର ମାଳା ଗୁଂଥୁଥାଅ ଆଉ ଦିନ ଦିପହର ଯାଏ ଶୋଇଥାଅ । ଏ ସାହିତ୍ୟ ଫାଇତ୍ୟରୁ କ’ଣ ମିଳିବ କେଜାଣେ ନା ।”

–“ଆଉ କ’ଣ ଭାଟ କବି ପାଲଟି ରାଜନୈତିକ ପାର୍ଟି ପାଇଁ ସଂଗୀତ ଲେଖିବି ନା ଆମ୍ବ ପଣସ ଧରି ବେପାର କରିବି ? ...ମୁଁ କହିଥିଲି ଭାବଗମ୍ଭୀର କଣ୍ଠରେ । ସେ ମଧ୍ୟ ଗମ୍ଭୀର ହୋଇ କହିଥିଲା”… “କାହିଁକି, ଏ ସବୁ କରିବାକୁ ତୁମକୁ କିଏ କହିଲା ? ଏମ୍ପ୍ଲୟମ୍ୟାଣ୍ଟ୍ ଏକ୍‌ସଚେଞ୍ଜରେ ଅନ୍ତତଃ ଦି’ ଚାରିଟା ଦୋସ୍ତ ଜମେଇ ଚାକିରୀଟିଏ ଯୋଗାଡ଼ କରିପାରନ୍ତ ତ ।”

–“ଚାକିରୀ ? ମୁଁ କାହାରି ଗୋଲାମ୍ ହେବାକୁ ଚାହେଁ ନା ।”

–“ନନ୍‌ସେନ୍‌ସ । ବେକାରୀ ଭିତରେ ସଢ଼ି ସଢ଼ି ଅନେକ ସାମାନ୍ୟ ଚାକିରୀଟିଏ ପାଇଁ ଅର୍ଥ ଶ୍ରାଦ୍ଧ କରି ସୁଦ୍ଧା ପାଉ ନାହାଂତି ଅଥଚ ତୁମେ ସେଇ ଚାକିରୀକୁ ଘୃଣା କରୁଚ ?”

–“ଇଂଦ୍ରାଣୀ ତୁମେ କ’ଣ କହିବାକୁ ଚାହଁ ?”

–“ତୁମେ ଗୋଲାମ ହେବାକୁ ପଡ଼ିବ ।”

–“କାହିଁକି ? କାହା ନିକଟରେ ? କାହା ପାଇଁ ?”

–“ବଂଚିବା ପାଇଁ, ସରକାର ନିକଟରେ, ମୋ ପାଇଁ, ତୁମ ପାଇଁ, ଆମ ଅନାଗତ...”

–“ଇଂଦ୍ରାଣୀ ! ମୁଁ ପାରିବିନି…”

–“ବାସ୍, ତେବେ ଠିକ୍ ଅଛି !”

ବାସ୍‌, ସେତିକି ମାତ୍ର କଥାବାର୍ତ୍ତା । ତା’ପରେ ଦୁଇମାସ ପର୍ଯ୍ୟନ୍ତ ତା’ ସହିତ ମୋର ସାକ୍ଷାତ୍ ହେଲାନି କିନ୍ତୁ ଦିନେ ଖଣ୍ଡିଏ ଚିଠି ପାଇଥିଲି ଯେଉଁଥିରେ ତା’ର ଅନେକ କ୍ରୋଧ ଓ ଅଭିମାନର ସ୍ଵର ଲିପିବଦ୍ଧ ଥିଲା....“ତୁମେ ଯେତେଦିନ ପର୍ଯ୍ୟନ୍ତ ପିତୃ ଅର୍ଥକୁ ଶ୍ରାଦ୍ଧ ନକରି ସ୍ଵାବଲମ୍ବୀ ନ ହୋଇଚ ସେତେଦିନ ପର୍ଯ୍ୟନ୍ତ ମୋତେ ଅନ୍ତତଃ ଭୁଲି ଯିବାକୁ ପଡ଼ିବ-।” ରୋକ୍‌ଠୋକ୍...ସିଧାକଥା ।

ତା’ପରେ ତାକୁ ମୁଁ ବହୁତ ଖୋଜିଛି ଓ ୟା’ ଭିତରେ ଅନ୍ୟୁନ ଦୁଇଟି ବର୍ଷ ବିତି ଯାଇଛି ।

ଅନେକ କିଛି ଓଲଟ ପାଲଟ ହୋଇଯାଇଛି ।

ଆରେ, ବହୁ ଚେଷ୍ଟା ସତ୍ତ୍ଵେ ବି ମୁଁ ଏମିତି ବାରଂବାର ଅନ୍ୟମନସ୍କ ହୋଇ ପଡ଼ୁଛି କାହିଁକି ?

ମୋତେ ନିଷ୍ଠୁର ହେବାକୁ ପଡ଼ିବ । କଠୋର ହେବାକୁ ପଡ଼ିବ । ଇର୍ଷା ମୁଖର ଚକ୍ରାନ୍ତକାରୀ ଓ ଛଳନାର ସୂତ୍ରଧର ହେବାକୁ ପଡ଼ିବ । ନହେଲେ କୋଉ କୂଳର ହୋଇପାରିବିନି । ତ୍ରିଶଂକୁ ଅବସ୍ଥା ଭୋଗ କରିବି । ବାୟା ହୋଇଯିବି ।

 

ଆରେ, ଆମ ସାମ୍ନାରେ ଏତେ ଅଚିହ୍ନା ତରୁଣୀ, ଅପରିଚିତ ମୁହଁ ମାନଙ୍କ ସମାବେଶ କାହିଁକି ? କ’ଣ ଆମକୁ ଗୋଟା ଗୋଟା ଉଠାଇ ନେଇ ଯିବେକି କାଉଁରୀ ଦେଶକୁ ।

 

ମିସେସ୍ ମାଲହୋତ୍ରା ସ୍ଵାଗତ୍ ଅଭିଭାଷଣ ଆରମ୍ଭ କରି ମାନ୍ୟବର ମଂତ୍ରୀଙ୍କ ଭୁରିଭୁରି ପ୍ରଶଂସା ଆରମ୍ଭ କଲେଣି । ଆଉ ଏ ମଞ୍ଚର ସାତୋଟି ଚରିତ୍ରଙ୍କ ଭିତରୁ ତିନୋଟି ଚରିତ୍ରଙ୍କୁ ବାଦ୍ ଦେଲେ ଅନ୍ୟ ଚାରିଜଣଙ୍କ ପାଇଁ ବରଣମାଳା ଧରି ଠିଆ ହୋଇଛନ୍ତି ଆଠୋଟି ଜେମା ।

 

ଶଃ–ଆମେ ଚାରିଜଣ କ’ଣ ଯୁବ–ଜରଦ୍‌ଗବ ନିର୍ବିଶେଷରେ ଗୋଟିଏ ଗୋଟିଏ ରାଜକୁମାର କି ?

 

ହଠାତ୍ ଇଂଦ୍ରାଣୀ କଥା ମନେ ପଡ଼ିଲା । ଠିକ୍ ମନେ ପଢ଼ୁଛି–ମୋର ବିଂଶତମ ଜନ୍‌ମ ବାର୍ଷିକୀରେ ସେ ମୋ ଗଳାରେ ଏକ ମଲ୍ଲୀଚମ୍ପା ଓ ରଜନୀଗନ୍ଧାର ମାଳା ଫିଧାଇ କହିଥିଲା...“ପ୍ରତିଜ୍ଞା କର । ମୁଁ ତୁମ ଜୀବନ ଜୀବନର ସାଥୀ ହୋଇ ରହିଲି...ଆଉ କେଉଁ ପିଶାଚିନୀ ତୁମ ଗଳାରେ ଯଦି କେବେ ଫୁଲର ମାଳା ପିନ୍ଧାଏ ତେବେ ମୁଁ ଆତ୍ମହତ୍ୟା କରିବି ।”

 

ମୁଁ ମଂଚ ଉପରୁ ଡେଇ ପଡ଼ିବି କି ?

 

ଫୁଲମାଳା ଦେଖି ମଂତ୍ରୀଙ୍କ ବେକ ଲମ୍ବି ଆସିଲାଣି ।

 

ତା’ପରେ ମୋ ପାଳି । ସତେ ଯେମିତି ମୁଁ ଗୋଟେ ବୋଦା । ସୁନ୍ଦରୀ ଠାକୁରଣୀ ହାତରେ ଏବେ ହାଣ ଖାଇବି ।

 

କିନ୍ତୁ ଏ’କି କଥା ! ଏମ୍‌ତି କାଣ୍ଡ ପୁଣି କେମିତି ହେଲ ! ମୋତେ ଦେଖି ଝିଅଟିର ହାତ ଏମିତି ଥରି ଉଠିଲା କାହିଁକି ? ମଂତ୍ରୀକୁ ପିଂଧାଇବା ଫୁଲମାଳ ମୋତେ ପିନ୍ଧାଇ ଦେଇ ଏମିତି ଦୌଡ଼ି ପଳାଇଲା କାହିଁକି ?

 

ମଂତ୍ରୀ ମହୋଦୟ କ୍ଷୁବ୍‌ଧ । କ୍ରୁଧ । ଅଧ୍ୟକ୍ଷା ଆତଂକିତା ।

 

ମୁଁ ସଂବିତ୍ ଫେରିପାଇ ଚିତ୍କାର କଲି : ଇନ୍ଦ୍ରାଣୀ, ଆଗୋ, ଇନ୍ଦ୍ରାଣୀ...ରୁହ । ସେ ଦୌଡ଼ୁଥିଲା ଓ ମୁଁ ଦୁଇଧାଡ଼ିରେ ଲେଖା ମୋ ଇସ୍ତଫା ପତ୍ର ମଂତ୍ରୀ ମହୋଦୟଙ୍କ ହାତରେ ଗୁଂଜି ଦେଇ ଦୌଡ଼ୁଥିଲି ଆଉ ଚିତ୍ରକାର କରୁଥିଲି:–”ଇନ୍ଦ୍ରାଣୀ ରହ । ଆରେ ଶୁଣ୍‌ନା...”

 

ଏ କାହାଣୀ ଆପଣମାନଙ୍କ ନିକଟରେ ନିହାତି ଏକ ଗାଲୁ ଗପ ବା ଶସ୍ତା କାହାଣୀ ହୋଇପାରେ ମାତ୍ର ଅଧ୍ୟାପିକା ଇନ୍ଦ୍ରାଣୀ ଚୌଧୁରୀ ଓ ଉଦୟଭାନୁ ମହାପାତ୍ରଙ୍କ ପାଇଁ ଇଏ ଏକ ଜୀବନ ସଙ୍ଗୀତର ମୂଲ୍ୟବାନ ସ୍ଵରଲିପି ।

 

ତା’ପରେ କଥା କ’ଣ ହେଲା, ସେ କଥା । ଏ ଅର୍ବାଚୀନ କାହାଣୀ ଲେଖାଳିକୁ ମାଲୁମ ନାଇଁ ।

Image

 

Unknown

ଅରଣ୍ୟରୁ ସମୁଦ୍ରକୁ

 

ବର୍ଷା ।

ଅନେକ ଦିନପରେ ଏ ସହରକୁ ବର୍ଷା ଆସିଚି ।

ଏବଂ ଏ ସହରର ଉପକଣ୍ଠର ଯେଉଁ କୋଠାରେ ମୁଁ ଦିନ ଆଉ ରାତି ବିତାଏ–ସେଇ କୋଠାର ଛାତର ପିଠିରେ, ଝର୍କା ସେପଟ ପିଚୁ ରାସ୍ତାର ଛାତିରେ ବର୍ଷା ନାଚୁଛି । ଛଉ ନାଚ । ନାଚୁ-। ତାକୁ ନାଚିବାକୁ ସୁଯୋଗ ଦିଆଯିବା ଉଚିତ । ବର୍ତ୍ତମାନ ରାତି ବାରଟା ହୋଇପାରେ-। ମୋ ଚାରିପଟେ ଗଦା ଗଦା ଚିତ୍ର ବିଚିତ୍ର ବହି । ମାର୍କସ, ସାତ୍ରେ, ମାଓ, କାଫ୍‌କା ଓ ବାଲ୍‌ଜାକ୍ ପ୍ରମୁଖ ଚିତ୍କାର କରୁଛନ୍ତି । ମୁଁ ପ୍ରତିବାଦ କରୁଛି : କୌଣସି ବାଦ-ବିବାଦ ଶୁଣିବା ମୋର ଆବଶ୍ୟକ ନାଇଁ-। ମୁଁ ଜାଣେ ନିଜ ସ୍ୱାର୍ଥ, ନିଜବାଦ ଠୁଁ ବଳି ଆଉ କିଛି ସେବା–ବାଦ ନାହିଁ । ଅତଏବ ମୁଁ ମୋ କୋଠରୀର କାନ୍ଥ ଦେହରୁ ମାଓଙ୍କ ଫଟକୁ ଟାଣି ଆଣି ପୋଡ଼ା ସିଗାରେଟ୍‌କୁ ଫୋପାଡ଼ିଲା ପରି ଝର୍କା ସେପଟ ବୁଦା ଭିତରକୁ ଫୋପାଡ଼ିବାକୁ ଚେଷ୍ଟା କରୁଛି । ଅର୍ଚ୍ଚନାର ଯୁକ୍ତି ସହ ଏକମତ ହୋଇ ମନେ ମନେ ମାର୍କସ୍‌ଙ୍କୁ ପ୍ରଶ୍ନ କରୁଛି–ମାର୍କସ୍ ତାଙ୍କ ସାମ୍ୟବାଦ ଇସ୍ତାହାର ଲେଖିବା ପୂର୍ବରୁ ଗୀତା, ଭଞ୍ଜ ସାହିତ୍ୟିକୁ ନକଲ କରିଛନ୍ତି କି ନା ? ସାତ୍ରେ କାହିଁକି ନୋବେଲ ପ୍ରାଇଜ୍‌ ଭଳି ଏକ ବିଶ୍ୱଖ୍ୟାତ ପୁରସ୍କାରକୁ ପ୍ରତ୍ୟାଖ୍ୟାନ କରି ନିଜ ବର୍ଦ୍ଧିତ ବ୍ୟକ୍ତିତ୍ୱର ଫାଇଦା ଉଠେଇବାକୁ ଚେଷ୍ଟା କରିଛନ୍ତି ଏବଂ ସର୍ବୋପରି ବାଲ୍‌ଜାକ୍‌କୁ ପ୍ରଶ୍ନ କରିବାକୁ ଚାହେଁ–ତା’ଭଳି ଏକ କାଳିଆ ନାଗର ଏକାଧିକ ଭଦ୍ରମହିଳାଙ୍କୁ ନିଜ ଉପନ୍ୟାସ ପଢ଼େଇ ପ୍ରେମରେ ଫସେଇ ପରିଶେଷରେ ନିଜ ବିକୃତ ଚେହେରା ଦେଖାଇ ହତାଶ କଲା ।

ମୋ ଚାରିପଟେ ଗଦା ଗଦା, କୁଢ଼ କୁଢ଼ ବହି ।

କ୍ରମଶଃ ମୁଁ ଅନୁଭବ କରୁଛି ମୋ କଣ୍ଠନଳୀରେ କଣ୍ଡୁ । ପିଲା ବୟସରେ ଅର୍ଚ୍ଚନାଠୁ ଶୁଣିଥିଲି ଦୂର ସହରରେ କିଏ ମନେ ପକାଇଲେ ଏମିତି କଣ୍ଡୁର ସଂକ୍ରମଣ ହୁଏ । କ୍ରେପ୍‌ସିଲ୍‌ସ ଗିଳିଲେ ମନ୍ଦ ହୁଅନ୍ତାନି । ହେଲେ ସେଇ ପିଲା ବୟସର କଥା ମନେ ପଡ଼ୁଛି ।

ଅର୍ଚ୍ଚନା...ଅର୍ଚ୍ଚନାର କଥା ।

ହୁଏତ କିଏ ମନେ ପକାଉଥିବ ।

ବର୍ଷା ଋତୁଟା ରୋମାଣ୍ଟିକ୍...ସ୍ମୃତିର ଋତୁ କି ନା

କିଏ ? କିଏ ମନେ ପକାଉଥିବ ?

ଅର୍ଚ୍ଚନା ?

ନା । ସିଏ ପାଞ୍ଚବର୍ଷ ହେଲା ବାହାହୋଇ ଚାଲିଗଲାଣି । ତା’ ସ୍ଵାମୀ ଆଇ.ଏ.ଏସ୍.ଅଫିସର । ମଶୋରୀରେ ରହୁଚି । ଦୁଇଟି ଛୁଆର ମା’ ହେଲାଣି । ଗତ ମାସରେ ମୋ ଜନ୍ମଦିନ ଉପଲକ୍ଷେ ମୋ ଜୀବନର ସଫଳତା କାମନା କରି (ମିଛ କାମନା ହୋଇପାରେ । ବିବାହିତ ଝିଅମାନଙ୍କୁ ବିଶ୍ଵାସ ନାଇଁ) ଫ୍ରାଞ୍ଜ କାଫ୍‌କାର ‘ମେଟାମରଫସିସ’ ଆଉ ଜନ୍ ବୁନିୟାନର ‘ପିଲ୍‌ଗ୍ରିମ୍‍ସ ପ୍ରୋଗ୍ରେସ୍’ ଉପହାର ସ୍ଵରୂପ ପଠାଇ ତା’ ଚିଠିରେ ଲେଖିଛି–“କିଶୋରୀ ଜୀବନରେ ଝିଅମାନେ ଯେଉଁ କଥା ଦେଇଥାନ୍ତି–ସେ ସବୁ ବାଲିଘର ପରି ମଜଭୂତ । ତମେ ପୁଣି ମଶୋରୀ ଆସ କ୍ରିସ୍ ମାସରେ...ମୋ ସାନପୁଅ କଥା କହିବା ଆରମ୍ଭ କଲାଣି । ତା’ ଓଠଟା ଠିକ୍ ତମ ଓଠ ପରି ।

 

ଆଃ କି ପ୍ରେମବାର୍ତ୍ତା !

 

ଆଉ କିଏ ଯଶୋଧାରା ?

 

ବିଗତ କାଲି ତା’ ଚିଠି ପାଇଚି । ନେଳି ଲଫାପା ଭିତରେ ଗୋଲପୀ ଚିଠି । କୁନି କୁନି ଅକ୍ଷରମାଳାର ଗୀତଟିଏ– ‘‘ଶୁଣିବାକୁ ପାଉଛି ତମେ କୁଆଡ଼େ ପ୍ରେମ କଲାବେଳେ ଦାଢ଼ି ବଢ଼ାଅ ଆଉ ବିରହରେ ଜଳିଲାବେଳେ ଦିନରେ ଦୁଇଥର-ସକାଳେ, ସନ୍ଧ୍ୟାରେ ଦାଢ଼ି ସଫା କର । ମାଫ୍ କରିବ, ତୁମକୁ ଛାଡ଼ି ଆସିଲା ପରେ ଏଠି-ଠିକ୍ ତମ ପରି ପୁରୁଷଟିଏ ପାଇଚି । ତମଠୁଁ ବଳି ନମ୍ର ଓ ଭଦ୍ର...ଯଦିଓ ତମପରି ସେତେଟା ଇମୋସନ୍ ବା ସେଣ୍ଟିମେଣ୍ଟ ତାଙ୍କରି ନାହିଁ ।

 

ଶେଷ ତାଲିକାରେ ବଳକା ରହିଲା କିଏ ?

 

ଅମିତାଭ, କମ୍ରେଡ଼ ଅମିତାଭ ମହାନ୍ତି !

 

ତା’ ପଛରେ ପୁଲିସ୍‌ର ସବୁବେଳେ ନାଲି ଆଖି ଘୁରୁଛି । ଦଶ ଦଶଟା କେଶ୍ । ତା’ କକେଇକୁ ମାରି ଫେରାର । ଅନ୍ୟମାନଙ୍କ ପରି ହୁଏତ୍ ସେ ବି କେଉଁ ନିର୍ଜନ ପରିବେଶରେ ବସି ମନେ ପକାଉଥିବ–ଶଳା ବିପ୍ଲବ କରିବ ! ଛାତିରେ ଦମ୍ ନାଇଁ ପୁଲିସର ମୁକାବିଲା କରିବାକୁ, ଅଥଚ ରାତାରାତି ବିଦ୍ରୋହୀ କବି ପାଲଟି ଯିବାର ଉପକ୍ରମ କରୁଛି...ସ୍ଵପ୍ନ ଦେଖୁଛି । ବାଷ୍ଟାର୍ଡ଼–ପ୍ରବଞ୍ଚକ ଏବଂ ମୋ ଭଳି ଅନେକଙ୍କ ଉଦ୍ଦେଶ୍ୟରେ ଆହ୍ଵାନ ଜଣାଉଥିବ, ହେ ମୋ ଦେଶର ବିଦ୍ରୋହୀ କବି ବୃନ୍ଦ ! ତୁମେ ଯଦି ଏଇ ପଙ୍ଗୁ...ଅଥର୍ବ ସମାଜକୁ ଧ୍ଵଂସ କରି ଏ ଦେଶପାଇଁ ମୁକ୍ତିର ସମାଜବାଦ ଆଣିବାକୁ ଚାହଁ ତେବେ କାନ୍ଧରେ ବନ୍ଧୁକ ଝୁଲାଇ ବାହାରି ଆସ ଫୁଟ୍‌ପାଥ୍‌କୁ ଏବଂ କାଗଜ ଛାତିରେ କଲମ ନଚଳେଇ ଓଠରେ ତୁମ କବିତାର ପ୍ରଚାର କରି... ।

 

ମୁଁ ଅନୁଭବ କରୁଛି–ମୋ ଅଜାଣତରେ ଧାରେ ଫିକା ହସ ସହ ବାକ୍ୟଟିଏ ବାରମ୍ବାର ବୋମା ପରି ବିସ୍ଫୋରଣ ସୃଷ୍ଟି କରୁଛି ବାଃ ଫଟାଫଟ୍ ନଜରୁଲ୍…ରାତା ରାତ୍ ଲମ୍ବେ ଦାଢ଼ି ! ଆଶ୍ଚର୍ଯ୍ୟ…

 

ବାହାରେ ବର୍ଷା ନାଚୁଛି । ଓଡ଼ିଶୀ ନତୁବା ମଣିପୁରୀନାଚ । ନାଚୁ ।

 

ସାର ଲେନ୍‌ଟାରେ ନିର୍ଜନ ଆଉ ନିଶବ୍ଦର ରାଜୁତି ଏବଂ ଅନ୍ଧାର ଡେଣା ଝାଡ଼ୁଛି । ରାସ୍ତାକଡ଼ର ବତୀ ଖୁଣ୍ଟସବୁ ବୋଧେ ବର୍ଷା ସହିତ ରତିକ୍ରୀଡ଼ାରେ ମତ୍ତ, ନଚେତ୍ ଏ ଲେନ୍‌ର ବାଳୁଙ୍ଗା ଟୋକାଏ ଟେକ ଫୋପାଡ଼ି ସେମାନଙ୍କ ଆଖି ସବୁ ଫୁଟାଇ ଦେଇଥିବେ ।

 

ବର୍ତ୍ତମାନ ଛାତ ଉପରକୁ ଯାଇ ବର୍ଷା ସହିତ ନାଚିବାକୁ ଭୀଷଣ ଇଛା ହେଉଛି । ବେଳେବେଳେ ବର୍ଷାରେ ନାଚିବାକୁ ଇଚ୍ଛା ହୁଏ । ଭିଜିବାକୁ ଭଲ ଲାଗେ ।

 

ଏକା ନାଚିବା ଅପେକ୍ଷା ସାଥିଟିଏ...ଆଣି ନାଚିଲେ ଚମତ୍‌କାର ହୁଅନ୍ତା ! କିଏ ଆସିବ ଏଇ ବର୍ଷଣମୁଖୀ ନିଷିଦ୍ଧ ରାତ୍ରିରେ । ମୁଁ ଜାଣେ ସାରା ପୃଥିବୀଟା ସ୍ଵାର୍ଥର ଚାରିକାନ୍ଥରେ ବନ୍ଦୀ ହୋଇପଡ଼ିଛି ।

 

କେମିତି, କେଜାଣେ କାହିଁକି ଏଇ କେତେଦିନ ହେଲା ମୁଁ ଅନୁଭବ କରୁଛି ମୋ କପାଳର ଡାହାଣ ପଟେ କିଏ ଜଣେ ହାତୁଡ଼ିରେ ପିଟିବାରେ ବ୍ୟସ୍ତ । ହୁଏତ କପାଳ ଫାଟିଯିବ । ଦହି ବାହାରି ପଡ଼ିବ । ଫାଟିଯାଉ, ଦହି ବାହାରି ପଡ଼ୁ । ବୋଉ ଚିଠି ଦେଇଚି–‘‘ଏମିତି କେତେଦିନ ପାଗଳଟେ ପରି ବୁଲିବୁ । ପାଠ ପଢ଼ିଲୁ, ମଣିଷ ହେଲୁ ହେଲେ ଚାକିରୀ ବାକିରୀ କଲୁନି । ଜମିବାଡ଼ି ସବୁ ଲୋକେ ମାଡ଼ି ବସିଲେଣି । ସୁନାନାକୀ ବୋହୂ ମୋର କେତେଦିନ ଯାଏଁ ତା’ ବାପ ଘରେ ରହିବ । କେତେଦିନ ଯାଏ ତୁ ଏମିତି ବାୟାବଗଡ଼ଙ୍କ ପରି ଏଣେ ତେଣେ ବୁଲିବୁ !”

 

କ୍ରମଶଃ ମୁଁ ଅନୁଭବ କରୁଛି–ମୋ ଭିତରେ ଏକ ଅସହାୟ ତରୁଣୀର କରୁଣ ବିଳାପ–ହଂସଧ୍ଵନି । ସେଇ ସ୍ଵର ବେଳେ ବେଳେ କର୍କଶ ହୋଇ ମୋ ପୌରୁଷକୁ ଅବମାନନା, ଧିକ୍‌କାର କରୁଛି । ସିଏ ସୁନା, ସ୍ଵର୍ଣ୍ଣଲତା । ମୋ ସ୍ତ୍ରୀ ।

 

ଜାଣେ, ମୋତେ ଦତ୍ତପୁତ୍ର ରୂପେ ଗ୍ରହଣ କରିଥିବା ମୋ ବଜାତ୍ ବାପା ମୋର ଦୀର୍ଘଦିନର ଅନୁପସ୍ଥିତି... ଉଦାସୀନତାର ଫାଇଦା ଉଠେଇ–ମୋ ସ୍ତ୍ରୀକୁ ସାନ୍ତ୍ୱନା ଦେବା ଛଳରେ ଗୋଡ଼ ଚିପିବାକୁ ଡାକି ଆଣି ତାକୁ ଅନ୍ଧାର କୋଠରୀ ଭିତରେ କୋଳାଗ୍ରତ କରି ଗେଲ କରିବାର ଉପକ୍ରମ କରିଥିବା ଯୋଗୁଁ ସୁନା ତା’ ପରଦିନ ଘରର ଚାକର ସାଥିରେ ତା’ ବାପଘରକୁ ଚାଲିଯାଇଛି ।

 

ଏବଂ ମୋ ସାନଶଳା ମୋ ବିରୁଦ୍ଧରେ ମୋକଦ୍ଦମା କରିବାର ଧମକ୍ ଚମକ୍ ମୋ ବନ୍ଧୁମାନଙ୍କ ମାଧ୍ୟମରେ ଶୁଣାଇଲାଣି ।

 

ବର୍ଷା ନାଚୁଛି । ତାଣ୍ଡବ ନୃତ୍ୟ । ପ୍ରଳୟ ହୋଇପାରେ ।

 

ଅନୁଭବ କରୁଛି–ମୁଁ ସମସ୍ତଙ୍କର ବିରକ୍ତି, ଘୃଣା ଓ ପ୍ରତ୍ୟାଖ୍ୟାନର ପାତ୍ର । ଏକ ଗଳଗ୍ରହ-। ତ୍ରିଶଙ୍କୁ ।

 

ଅତଏବ ମୁଁ ଏକ ପୃଥକ ପୃଥିବୀର ଅନ୍ୱେଷଣରେ । ମୁଁ ଏମିତି ଏକ ପୃଥିବୀ ଖୋଜୁଛି ଯେଉଁ ମଣିଷମାନେ ପାଦରେ ନ ଚାଲି ଶୂନ୍ୟରେ ଉଡ଼ୁଥିବେ, ସେମାନଙ୍କ ପାଇଁ ଯୋତା, ସାର୍ଟ, ପ୍ୟାଣ୍ଟର ଜରୁରୀ ନଥିବ କିମ୍ବା ରୁଟି ଓ ମାଂସର ଲୋଭ ନଥିବ ।

 

ମୋତେ ବଞ୍ଚିବା ପାଇଁ ଅନ୍ୱେଷଣ କରିବାକୁ ପଡ଼ିବ ହିଁ ପଡ଼ିବ ଆଉ ଏକ ପୃଥିବୀକୁ ।

 

ମୁଁ ଏ ପୃଥିବୀକୁ ଘୃଣା କରେ କାରଣ ଏ ପୃଥିବୀରେ ବଞ୍ଚିବା ପାଇଁ ସତ୍ୟ କହିଲେ ଦୈତ୍ୟ ହେବାକୁ ପଡ଼େ ଓ ମିଥ୍ୟା କହିଲେ ଦେବତାର ଆସନ ଆପେ ଆପେ ମିଳିଯାଏ । ମୁଁ ଦୈତ୍ୟ ହେବାକୁ ଚାହେଁନା–ଦେବତା ବି ନୁହେଁ ।

Image

 

ସ୍ମୃତି: ସାଂତ୍ଵନା ଓ ଶୂନ୍ୟତା

॥ ଏକ ॥

 

ପୁନଶ୍ଚ ଏବେ ବି ମୋ ନିକଟରେ ସ୍ମୃତି ଏକ ପ୍ରଶ୍ନବାଚୀ !

 

ବିସ୍ମୃତିର କବର ଖୋଳି ସ୍ମୃତିର ରାଜଜେମାଙ୍କୁ କୋଳାଗ୍ରତ କରି ବାରମ୍ବାର ଚୁମ୍ବନଦେବାର ମାନେ କ’ଣ ? ଅବଶ୍ୟ ଲାଭ ଓ କ୍ଷତିକୁ ସ୍ଵାର୍ଥର ତରାଜୁରେ ଓଜନ କରି ଅଯଥା ହତାଶ ଓ ଯନ୍ତ୍ରଣାରେ ଦଗ୍‌ଧିଭୁତ ହେବାରେ ମୁଁ କେବେହେଲେ ପକ୍ଷପାତୀ ନୁହେଁ...କିନ୍ତୁ…

 

କିନ୍ତୁ...ତଥାପି ସେଇ ଗୋଟିଏ ପ୍ରଶ୍ନବାଚୀର ଷ୍ଟିଲ୍ ଛୁରୀ ଚକ୍‌ଚକ୍‌ କରି ବେଳେବେଳେ ମୋ ଉପରକୁ ମାଡ଼ିଆସେ ଓ ମୋ ଶରୀରର ମାଂସକୁ ଖଣ୍ଡ ଖଣ୍ଡ କରିଦେବାର ଭୟ ଦେଖାଏ !

 

ସ୍ମୃତି । ସ୍ମୃତି ।

 

ଆମ ଗାଁର ସେଇ ଅନାମିକା ନଇର ପଠା, ସୋରିଷକିଆରୀର ଫୁଲର ରଙ୍ଗ ଓ ବାସ୍ନା...କାଶତଣ୍ଡି ଫୁଲର କଣ...ଏବେ ବି ମୋତେ ସ୍ଵପ୍ନରେ...ସ୍ଵପ୍ନରେ ଟାଣିନିଏ–ବିସ୍ମୃତିରେ ଏକାନ୍ତ ଆପଣାର କରିପକାଏ ।

 

ଦୂର ସୁଦୂରର ସ୍ମୃତି ।

 

ଏଇ ଗଳ୍ପର ନାୟକ ଅର୍ଥାତ୍ ମୁଁ ସେ ବୟସରେ କବିତା କ’ଣ…ପ୍ରେମ କ’ଣ ଜାଣିନଥିଲି-

 

ହେଡ଼ମାଷ୍ଟ୍ରଙ୍କ ଝିଅ ସ୍ମୃତି କିଏ..ସିଏ ମୋତେ ଦଣ୍ଡେ ନ ଦେଖିଲେ ଅସ୍ଥିର ହୋଇଉଠେ କାହିଁକି...ସିଏ ମୋତେ ବା ମୁଁ ତାକୁ ଛାଡ଼ି ଚାଲିଗଲେ–ଆମ ଉଭୟଙ୍କ ଅବସ୍ଥା କ’ଣ ହେବ–ସେତେବେଳେ...ସେ ବୟସରେ ଚିନ୍ତା କରିନଥିଲି ।

 

ସ୍ମୃତି ଓ ମୁଁ ।

 

ମୁଁ ଓ ସ୍ମୃତି…ଧରିନିଅନ୍ତୁ–ସେ ବୟସର କେଉଁ ଏକ ପୋଖରୀ କୂଳିଆ କାଠଚମ୍ପା ଗଛ ଡାଳରେ ନିୟମିତ ଆଳାପରତ ଦୁଇଟି ନିରୀହ ଚଢ଼େଇ…

 

ବୋଧହୁଏ ମୁଁ ଦଶମ ଶ୍ରେଣୀରେ ପଢ଼ିଲାବେଳେ ସ୍ମୃତି ଜ୍ଞାନ ପାଇଲା ଏବଂ କ୍ରମଶଃ ମୋ ନିକଟରୁ ଦୂରେଇ ରହିବାକୁ ଚେଷ୍ଟା କଲା ।

 

ମୁଁ ତା’ ବିହୁନେ କଲବଲ...ନିସଂଗ ଯନ୍ତ୍ରଣାରେ ଛଟପଟ ହେଲି । ଦିନେ ତାକୁ ତାଙ୍କ ଘରେ ପ୍ରଶ୍ନ କଲି : କିଲୋ ତୁ ସ୍କୁଲକୁ ଆସୁନୁ ? ଆସନ୍ତକାଲି ସରକାରୀ ପରୀକ୍ଷାଟି ! ଯିବୁଲେ ମା’ ଚିତ୍‌ପଟାଙ୍ଗ୍ ଏକାଥରକେ !’

 

ସେ ମୋ ପ୍ରଶ୍ନ ଓ ଜିଜ୍ଞାସାରେ ହସି ହସି କହିଥିଲା : ‘ଭଲକଥା । ମୁଁ ତ ପରୀକ୍ଷା ଦେବିନି । ଫେଲ ହେବି ବା କୁଆଡ଼ୁ ?’

 

ବାସ୍, ସେଇଟା ମୋର ଶେଷ ସାକ୍ଷାତ୍ ।

 

ଯେହେତୁ–ଦାରିଦ୍ର୍ୟ, ଆର୍ଥିକ ଅନାଟନ ଏବଂ ଅଚାନକ ଉତ୍କଟ କ୍ୟାନ୍ସରରେ ହେଡ଼ମାଷ୍ଟ୍ରଙ୍କ ଦେହାନ୍ତ ହୋଇଗଲାପରେ...କେତେକ ପାରିବାରିକ କାରଣରୁ ତା ବୋଉ, ସାନଭାଇ ସହିତ ସେ ତାର ମାମୁଁ ଘରକୁ କେବେ ଯେ ଚାଲିଗଲେ ।

 

ମୁଁ ତାର ଖବର ରଖିପାରିନଥିଲି ।

 

ସ୍ମୃତି ଚାଲିଯାଇଥିଲା ତୋଡ଼ାଏ ମଲ୍ଲୀ ଚମ୍ପାର ବାସ୍ନା ଆଉ ଆଞ୍ଜୁଳାଏ ନିଆଁର ଦହନ ବିଞ୍ଚିଦେଇ ।

 

ସ୍ମୃତିର ପ୍ରସ୍ଥାନ, ଅନୁପସ୍ଥିତି ଓ ଦହନ ମୋର ସେଇ କୈଶୋରକୁ ଦଗ୍‌ଧିଭୂତ କରି ଦେଇଥିଲା ଯା’ ଫଳରେ ମୁଁ କୁମଶଃ ଗମ୍ଭୀର ହୋଇପଡ଼ୁଥିଲି ।

 

ସ୍ମୃତି : ସାଂତ୍ୱନା ଓ ଶୂନ୍ୟତା

 

ଏବଂ ସେଇ ସ୍ମୃତିର ଦହନରୁ ମୁକ୍ତି ପାଇବାକୁ...ସ୍ମୃତିକୁ ଭୁଲିଯାଇ ପୁଣି ମନେରଖି ସ୍ଵପ୍ନ ଦେଖିବାକୁ ‘ଚିତ୍ରଲେଖା’ ଠୁଁ ‘ଦେବଦାସ’ ଏମିତି ଯେତେସବୁ ‘ଚଲାବାଟ’ ପରି ଉପନ୍ୟାସ ଅଛି ସେସବୁ ପଢ଼ି ପଢ଼ି ମନକୁ ହାଲକା ପୁଣି ଓଜନ କରିବାକୁ ଲାଗିଲି l

 

ତଥାପି ମୁକ୍ତି କାହିଁ ?

 

ଅଥଚ ସ୍ମୃତିର ଦହନ ବେଳେବେଳେ ତୀବ୍ରମାନସିକ ଯନ୍ତ୍ରଣାର ଅଗ୍ନିକୁଣ୍ଡ ଭିତରକୁ ମୋତେ ଠେଲିଦିଏ । କ୍ରମଶଃ ସେଇ ଯନ୍ତ୍ରଣାରୁ…ବେଦନାରୁ ମୁକ୍ତି ପାଇବାକୁ ମୁଁ କବିତା ଲେଖିଲି । ଅସଂଖ୍ୟ କବିତା ।

 

ମୁଁ ସ୍ମୃତିର କବି ହେଲି I ସ୍ମୃତି ହେଲା ମୋର କବିତା ।

 

॥ ଦୁଇ ॥

 

ସଂପ୍ରତି ମୁଁ ଏମିତି ଏକ ସମାଜରେ ବାସ କରୁଛି–ଯେଉଁଠି ମିଥ୍ୟା...ହିପୋକ୍ରିସି ଜୀବାଣୁମାନଙ୍କର ଚାରିଆଡ଼େ ସଂକ୍ରମଣ…ଆଡ଼୍‌ଡ଼ା । ପଛରେ ମୋର ମାଇଲ ମାଇଲ ବ୍ୟାପୀ ଅନେକ ବତୀଖୁଣ୍ଟ । ବତୀଖୁଣ୍ଟ ସବୁ ଜଳୁଛନ୍ତି ଅଥବ ସାରା ଲମ୍ବା ରାସ୍ତାଟରେ ଅନ୍ଧାରର ରାଜୁତି ।

 

ଏବଂ ଯନ୍ତ୍ରଣାର ଚାରିକାନ୍ଥଘେରl ଏମିତି ଏକ କୋଠରୀ ଭିତରେ ମୁଁ ଏବେ ବନ୍ଦୀ ହୋଇପଡ଼ିଛି–ଯେଉଁଠି ମହଣ ମହଣ ଚମ୍ପା ଓ ବସ୍ତା ବସ୍ତା ମାଂସ ଫୁଲର ବାସ୍ନା...ଗନ୍ଧ ।

 

ଅନ୍ଧାର ଭିତରେ ଯୀଶୁ, ଶ୍ରୀମା ପୁଣି ବୁଦ୍ଧଙ୍କୁ ପ୍ରାର୍ଥନା ସ୍ମରଣ କରାଯାଇପାରେ ଓ ସତୀକୁ ରେପ୍‌କରି ଅସତୀ ବି କରିଦିଆ ଯାଇପାରେ !

 

କ୍ରମଶଃ ମୁଁ ଜାନୁଆର ହୋଇପଡ଼ୁଥିଲି ।

 

ଅତୀତ କୈଶୋରର ସେଇ ସ୍ମୃତି ଓ ଚଳନ୍ତି ବର୍ତ୍ତମାନ ଯୌବନର ମୌକ୍ଷଦା–ପ୍ରତ୍ୟେକଙ୍କୁ ଭୁଲିଯିବାକୁ ଚେଷ୍ଟାକରି ଏଇ ନିରୀହ ତରୁଣୀଟିକୁ ମାତ୍ର ତିରିଶିଟି ଟଙ୍କା ବିନିମୟରେ ଦଳିଚକଟି ଏକ ମାଂସ ପିଣ୍ଡୁଳା କରିଦେବାକୁ ଉଦ୍ୟମ କରୁଥିଲି ।

 

କ୍ଷୁଧା ମୋର ଦୂରହେଲା...ତୃଷ୍ଣl ମୋର ମେଣ୍ଟି ଗଲ ।

 

ସାମୟିକ କ୍ଷୁଧା ଓ ତୃଷ୍ଣା ।

 

ମୁଁ କହିଛି–“ଲଜିଂ ବାହାରେ ମୋ ଗାଡ଼ି ପାର୍କ କରିଛି...ଗାଡ଼ି ଭିତରେ ବନ୍ଧୁଟି ମୋର ମନେ ମନେ ବିରକ୍ତ ହେଉଥିବ...ରାତି ଅନେକ ହେଲାଣି । ତମ ନାଁ କ’ଣ ? ପୁଣି କେବେ ଦେଖାହେବ ?”

 

ସେ କହିଲା–“ଶୁଭରାତ୍ରି”…ବିଦାୟ !

 

ମୁଁ କହିଲି–“ଗୁଡ଼ ନାଇଟ୍ !”

 

ସେ କହିଲା–“ଆପଣଙ୍କ ପୌରୁଷ ନିକଟରେ ମୋ ନାରୀତ୍ଵ କୃତଜ୍ଞତା ଜ୍ଞାପନ କରୁଚି-।”

 

ମୁଁ ଭାବବିହ୍ୱଳ ହୋଇ ଉତ୍ତର ଦେଲି–“ନା, ନା ବରଂ ତୁମ ନାରୀତ୍ଵ ପାଖରେ ମୋ ପୌରୁଷ ଚିରଋଣୀ !”

 

ସେ ପ୍ରଶ୍ନ କଲା–“ଆପଣ ଆଜି ଏ ସହର ଛାଡ଼ି ଭୁଲିଯିବେ ?”

 

ମୁଁ କହିଲି–“ହଁ, କ’ଣ ହେଲା ?”

 

ସେ କହିଲା ଧୀର କଣ୍ଠରେ: “କିଛି ସ୍ମୃତି ଅନ୍ତତଃ ମୋ ପାଇଁ ଛାଡ଼ିଦେଇ ଯାଆନ୍ତୁ ଯାହା ମୋ ପାଇଁ ସାନ୍ତ୍ୱନା ହେବ ।”

 

ମୁଁ ହସି ହସି କହିଲି–“ବାଃ ତମେ ଫିଲୋସଫର୍ ମନେ ହେଉଚ...ତମ ନାଁ ଟାତ କହିଲନି...କ’ଣ ପଢ଼ିଚ ?

 

ତା’ର କଣ୍ଠରେ କୋହ–“ନା, ଦେହ ବିକ୍ରିକରି ଗର୍ଭର କ୍ଷୁଧା ମେଣ୍ଟାଇବା ମୋର ବେଉଷା । ଜୀବନ–ଯୌବନର ଆଶା ଓ କ୍ଷୁଧା ମେଣ୍ଟାଇବାକୁ ପାଠ ପଢ଼ିପାରିନି ଯେତେବେଳେ....ଫିଲେସଫର ହୁଅନ୍ତି ବା କେମିତି...କେତେବେଳେ ?”

 

ଅନ୍ଧାର ଭିତରେ ଆମେ ଦୁହେଁ ହସୁଥିଲୁ ।

 

ପକେଟ ପର୍ସରୁ ଆଉ ଦଶଟଙ୍କା ସହ ମୋ ନିଜର ଫଟୋଟି ବାହାର କରି ତା’ ହାତକୁ ବଢ଼ାଇ ଦେଇ ତାକୁ କୋଳାଗ୍ରତ କରି ଚୁମ୍ବନ ବର୍ଷା କଲାବେଳକୁ କ୍ରମଶଃ ମୁଁ ତା’ର ପ୍ରେମ ଓ ମୈତ୍ରୀର ବନ୍ଧନ ଭିତରେ ବନ୍ଦୀ ହୋଇ ପଡ଼ୁଥିଲି ।

 

ସିଏ ମୋ ହାତରୁ ସେଇ ନିଷିଦ୍ଧ ଅନ୍ଧାର ଭିତରେ ଟଙ୍କା ଓ ଫଟୋ ନେଲାବେଳେ, ମୁଁ କହିଲି : ‘ଇଏ ତୁମ ପାଇଁ ମୋର ସ୍ମୃତି ଓ ସାଂତ୍ୱନା...ଆଉ ତମର ମୋ ପାଇଁ ।”

 

–‘ସ୍ମୃତି ? ସାନ୍ତ୍ୱନା ପାଇଁ ସ୍ମୃତି ନା ସ୍ମୃତି ପାଇଁ ସାନ୍ତ୍ୱନା ? ସେ ଥର ଥର କଣ୍ଠରେ ପ୍ରଶ୍ନକଲା ଓ ମିନିଟିଏ ପାଇଁ ମୋ ବାହୁ ବନ୍ଧନରୁ ନିଜକୁ ମୁକ୍ତ କରି ପୁଣି ମୋ ନିକଟକୁ ଚାଲିଆସି ବିଦାୟକାଳୀନ ଶେଷ ଚୁମ୍ବନଟିଏ ମୋ କପାଳ ଉପରେ ଆଙ୍କିଦେଇ ମୋ କୋଟ୍ ପକେଟ୍‌ରେ ଏନ୍‍ଭଲପଟିଏ ପୂରେଇଦେଲା ।

 

॥ ତିନି ॥

 

ଜୟପୁର ଛାଡ଼ି ମୁଁ ପୁଣି ମୋ ସହରକୁ ଫେରି ଆସିବାର ପାଞ୍ଚଦିନ ବିତିଗଲାଣି । ଅଥଚ ଅନ୍ୟମନସ୍କ ହେଉ ବା ଅବହେଲା କ୍ରମେ...ମୁଁ ଏନ୍‌ଭଲପ୍‌ଟା ଖୋଲିନଥିଲି ।

 

ମୋକ୍ଷଦା–(ମୋର ପତ୍ନୀ ବା ପ୍ରେମିକା ନୁହେଁ–ଏକରକମ ରକ୍ଷିତା) ନିୟୁଲୁକ ଡ୍ରାଇ କ୍ଲିନସ୍‍କୁ ମୋର କୋଟ୍ ଓ ପ୍ୟାଣ୍ଟ୍ ସବୁ ପଠାଇବା ପୂର୍ବରୁ ପକେଟ୍ ସବୁ ଚେକ୍ କଲାବେଳେ ସେଇ ଏନ୍‌ଭଲପ୍‌ଟା ଆବିଷ୍କାର କରିବା ଲକ୍ଷ୍ୟକରି ମୁଁ ତା’ ହାତରୁ ଖପ୍‌କିନା ଛଡ଼େଇଆଣି ଖୋଲି ଦେଖେତ ତାରି ଭିତରେ ସମୁଦାୟ ଚାଳିଶ୍ ଟଙ୍କା ଏବଂ ଫଟଟିଏ । ଫଟଟି ଦେଖି ବିସ୍ମୟ ଓ ଆଶ୍ଚର୍ଯ୍ୟରେ ମୁଁ ଚିତ୍କାର କଲି : ‘ସ୍ମୃତି ! ସ୍ମୃତି ! !’

 

ମୋକ୍ଷଦା ମୋ ହାତରୁ ଫଟଟି ଟାଣିନେଇ ଇର୍ଷାରେ...ଗୋପନ କ୍ରୋଧରେ ଚିତ୍କାର କରି ଉଠିଲା : ‘ନା, ସ୍ମୃତି ନୁହେଁ–ସାନ୍ତ୍ୱନା !”

 

ଆରେ ସତେତ ଫଟ ପଛ ପଟେ ଲେଖା ଅଛି–‘ମିସ୍ ସାତ୍ୱନା ସନାତନ୍ ।”

 

ମୁଁ ରହୁଥିବା ସହରଠୁଁ ଅନ୍ୟୁନ ଚାରିଶହ ମାଇଲ ଦୂରବର୍ତ୍ତୀ ଜୟପୁର ସହରକୁ ଷାଠିଏମାଇଲ ଦ୍ରୁତ ଗତିରେ ମୋର କାର, ଦୌଡ଼ୁଥିଲା ଅତଏବ ସ୍ଥଳ ବିଶେଷରେ ଦୁର୍ଘଟଣା ଘଟିବା ସ୍ଵାଭାବିକ ।

 

ଏବଂ ଦୁର୍ଭାଗ୍ୟବଶତଃ ତା’ର ନଗରୀର ଉପକଣ୍ଠରେ ମୋ କାରଟି ରିକ୍‌ସାଟି ଉପରେ ମାଡ଼ିଗଲା l

 

ରିକ୍‌ସାରେ ବସିଥିବା ଯାତ୍ରୀଟି ସହ ରିକ୍ସାବlଲା ମୋ କାର୍‌ର ଚକାତଳେ ଚାପି ହୋଇଯିବା ଲକ୍ଷ୍ୟକରି ମୁଁ ତତ୍‌କ୍ଷଣାତ୍‌ କାର୍‌ର ଷ୍ଟାର୍ଟ ବନ୍ଦ କରି ବାହାରକୁ ଆସି ବ୍ୟାକୁଳ ଯନ୍ତ୍ରଣାରେ ଚିତ୍କାର କଲି : ସ୍ମୃତି : ସ୍ମୃତି ! ! ସାନ୍ତ୍ୱନା ! ସାନ୍ତ୍ୱନା ! ! ହେ ଭଗବାନ ମୋ ସ୍ମୃତିକୁ ମୋ ସାନ୍ତ୍ୱନାକୁ ବଞ୍ଚାଇଦିଅ......”

 

ଜୟପୁର ସହରକୁ ଅନ୍ଧାର କ୍ରମଶଃ ବହଳ ହୋଇ ମାଡ଼ି ଆସୁଥିଲା ।

 

ସ୍ମୃତିକୁ କାର ଭିତରକୁ ଉଠେଇ ଆଣି ହସ୍‍ପିଟାଲକୁ ଗାଡ଼ି ନେଲାବେଳେ ସେ ମୋ କୋଳରେ ମଥାରଖି ଯାହା କହୁଥିଲା ସେସବୁ ଏବେ ବି ମୋର ମନେ ପଡ଼ିଯାଉଛି–‘‘ମୁଁ ସ୍ମୃତି ନୁହେଁ, ସାନ୍ତ୍ୱନା ବି ନୁହେଁ କୁନୁଭାଇ–ମୁଁ ଶୂନ୍ୟତା ! ଶୂନ୍ୟତା !!’’

 

ଗିରଶିଖ : ଏପ୍ରିଲ ୧୯୭୨, ରବିବାର ପ୍ରଜାତନ୍ତ୍ର, ମେ ୧୯୭୨

Image

 

ପ୍ରଜାପତିର ଡେଣା

 

୧. ପ୍ରଥମ ଅଙ୍କ

 

ଅଚାନକ୍‌ ମୋ ସହିତ ତା’ର ଯେ ଏମିତି ମୁଲାକାତ୍ ହୋଇଯିବ ଏ ଧାରଣା ତା’ର ବା ମୋର–ଆମ ଉଭୟଙ୍କର ନ ଥିଲା । ମୋର ଘୁମନ୍ତ ଆଖି ଦୁଇଟାର ସ୍ଵଭାବ ଯେ ଭଲଭାବେ ଜାଣେ । ତା’ ଆଖି ସହିତ ମୋ ଆଖିର ମିଳନ ନ ଘଟିଥିଲେ ସେ ନିଶ୍ଚୟ ନିଜକୁ ଲୁଚେଇ ନେଇଥାନ୍ତି ବା ଛତ୍ରଭଙ୍ଗ ଦେଇଥାନ୍ତା । କିନ୍ତୁ ପାରିଲାନି । ବୋଧହୁଏ ସେ ମୋତେ ଦେଖି ଦ୍ଵନ୍ଦରେ ପଡ଼ିଗଲା । କାରଣ ସେ ଭଲଭାବେ ଜାଣେ–ମୁଁ ବର୍ତ୍ତମାନ ତା’ ସାମ୍ନାରେ ପିଲାମାନଙ୍କ କଥା ଉଠାଇବି ଏବଂ ଘର ପର୍ଯ୍ୟନ୍ତ ଯିବାକୁ ଅନୁରୋଧ କରିବି ।

 

ତା’ ଭାବଭଙ୍ଗୀରୁ ମନେ ହେଉଥିଲା–ସେ ନିଜକୁ ଖାପଛଡ଼ା ଅନୁଭବ କରୁଚି ।

 

କିନ୍ତୁ ଠିକ୍ ସେୟା ନ ହୋଇ ବରଂ ମୋର ବ୍ୟବହାର ତାକୁ ବିସ୍ମିତ କରିଦେଲା

 

ପ୍ରେମ୍‌କା ଏଣ୍ଟର୍‍ପ୍ରାଇଜର୍ସର କାଉଣ୍ଟରରେ ଉପସ୍ଥିତ ନାରୀ ଓ ପୁରୁଷମାନଙ୍କ ଭିତରୁ କେହି ବି ମୋର କଣ୍ଠ ସ୍ଵରରୁ ଏତେ ଟିକିଏ ବି ଧାରଣା କରି ପାରି ନଥିବେ ଯେ–ମୁଁ ମୋ ସ୍ତ୍ରୀ ସହ କଥାବାର୍ତ୍ତା କରୁଚି, ଯିଏ ମତେ ଦିନେ ଜୀବନର ମରୁଭୂମିରେ ଛାଡ଼ି ଦେଇ ମୋର ବନ୍ଧୁ ଅଶୋକ ଦାସ ସହ ଦିନରlତି ବିତେଇବାକୁ ଘରୁ ପାଦ କାଢ଼ିଥିଲା ଓ ପରେ ପରେ ଅଶୋକ ଦାସକୁ ବି ପ୍ରତ୍ୟାଖ୍ୟାନ କରି ଆଜିକାଲି ଜନୈକ ଏଫ୍. ସି. ଆଇ. (ସାର) ବେପାରୀ କମ୍ ଫିଲମ୍ ପ୍ରଡ଼୍ୟୁସର ଅକ୍ଷୟ ମହାପାତ୍ର ସହ ମଧୁର ସମ୍ପର୍କ ସ୍ଥାପନ କରି ନିକଟ ଭବିଷ୍ୟତରେ ବିବାହ କରିବାକୁ ମନସ୍ଥ କରିଛି ।

 

ହଁ..ସେ ତା’ ଜୀବନର ମାନଚିତ୍ର ନିଜେ ଅଙ୍କନ କରିଛି, ଓ ନିଜ ଜୀବନ ତରୀକୁ ମଝି ଦରିଆରେ ଦିଗହୀନ କରି ଭସେଇ ଦେଇଚି–ଏଇଥିପାଇଁ, ତା’ର ଯୋଜନା ଓ ପରିକଳ୍ପନାକୁ ପରିବର୍ତ୍ତନ କରିବାକୁ ବିଶିଷ୍ଟ ଆଇନଜୀବୀ ତା’ର ବାବା, ବିଶିଷ୍ଟ ନାରୀନେତ୍ରୀ ତା’ର ମାମି ବା ତା’ର ପୁଲିସ୍ ସୁପରିଟେଣ୍ଡଣ୍ଟ୍ ବଡ଼ ଭାଇ...ଏପରିକି ମୁଁ–କେହି ବି ସାହସ କରି ପାରୁନୁ ।

 

ମୋତେ ବି ବେଳେ-ବେଳେ ଆଶ୍ଚର୍ଯ୍ୟ ଲାଗେ, ଏଇ ଆଠମାସ ଭିତରେ–ଯେଉଁଦିନୁ ସେ ମୋ ଅଜାଣତରେ, ଅନୁପସ୍ଥିତିରେ ଘରୁ ପାଦ କାଢ଼ି ଚାଲିଯାଇଚି...ମୁଁ କେବେ ଭୁଲରେ ସୁଦ୍ଧା ତାକୁ ପଛରୁ ଡାକିନାହିଁ କିମ୍ବା ମୋତେ ପରିତ୍ୟାଗ କରି ଚାଲିଯିବାର କାରଣ ଟିକକ ମଧ୍ୟ ପଚାରି ନାହିଁ । ଯଦି କେବେ କେଉଁଠି ହଠାତ୍ ତା’ ସହିତ ମୋର ମୁଲାକାତ୍ ହୋଇଯାଏ...ମୋ ନିଜ ଅଜାଣତରେ କେବଳ ଓଠ ଦୁଇଟି ଥରିଉଠେ–‘ଅର୍ଚ୍ଚନା !’ ପୁଣି ପ୍ରଶ୍ନ କରେ “ତମର କ’ଣ ପିଲାମାନଙ୍କୁ ଦେଖିବାକୁ ଇଛା ହୁଏନା ?”

 

ମାତ୍ର ଏକଥାସତ...ଯେତେବେଳେ ଆମ ଦୁହିଁକ ଭିତରେ ରାସ୍ତl ଉପରେ କଥା ପଡ଼େ ସେତେବେଳେ ସେ ପିଲାମାନଙ୍କ ଉପରେ ତା’ର ମାତୃସୁଲଭ ଅଧିକାର ବାଢ଼ି ବସେ । ତା’ର ଓ ମୋର ମିଶ୍ରିତ ରକ୍ତର ସନ୍ତକ–ରବି ଓ ଶିଖା...ଦୁହିଁଙ୍କୁ ସେ ଯେତେବେଳେ ମୋ ହାତରୁ ଛଡ଼େଇ ନେବାକୁ ଯୁକ୍ତି କରେ–ସେତେବେଳେ ମୁଁ ତୀକ୍ଷଣ ଦୃଷ୍ଟିରେ ଚାହିଁ ରହେ ଏବଂ ସ୍ପଷ୍ଟ ଭାବରେ ଜଣେଇଦିଏ–‘‘ଅର୍ଚ୍ଚନା, ତମେ ଚାଲିଗଲେ ମଧ୍ୟ ସେମାନେ ମୋର ! ମୋ ଜୀବନର ଶେଷ ସୂର୍ଯ୍ୟାସ୍ତ ଯାଏଁ...ମୋର ଶେଷ ନିଃଶ୍ଵାସ ଥିବା ପର୍ଯ୍ୟନ୍ତ କେହି ସେମାନଙ୍କୁ ମୋ ପାଖରୁ ଛଡ଼େଇ ନେଇ ପାରିବେ ନାହିଁ !”

 

ମୁଁ ଶୀଘ୍ର ଶୀଘ୍ର ଦୁଇଟି ଲିରିଲ୍, ଗୋଟାଏ ଭୃଙ୍ଗରାଜ ବୋତଲ ଓ କିଛି ଟଫି କିଣିନେଲି । ଅର୍ଚ୍ଚନା ବୋଧେ ଅନୁଭବ କଲା ମୁଁ ତା’ ପାଇଁ ବ୍ୟସ୍ତ ହୋଇଉଠୁଛି । ପ୍ରେମ୍‌କାର ସେଇ ଟୋକା ସେଲସ୍‌ବୟ ହାତକୁ ଗୋଟାଏ କୋଡ଼ିଏଟଙ୍କିଆ ନୋଟ ମୁଁ ବଢ଼େଇ ଦେଲାବେଳେ...ଅଚ୍ଛନା ଚଟ୍‌କିନି ପଚାଶ ଟଙ୍କିଆ ନୋଟ ଖଣ୍ଡେ ସେଇ ସେଲସ୍‌ବୟ ହାତକୁ ବଢ଼େଇ ଦେଇ କହିଲ–‘‘ତା’ ସହିତ ଦୁଇଟି ପ୍ୟାକେଟ ବିସ୍କୁଟ୍ ମଧ୍ୟ ଦେବ ।” ମୁଁ ତାକୁ ପ୍ରତିବାଦ କରି କିଛି କହିବାକୁ ନୀରବତା ଭାଙ୍ଗି ଓଠ ଖୋଲିଲାବେଳକୁ ସେ ତା’ର ସେଇ ଆକର୍ଷଣୀୟ ସ୍ମିତ ହସ କିଛି ମୋ ଉପରକୁ ଫୋପାଡ଼ି ଦେଇ ମୋତେ ଚୁପ୍ କରେଇଦେଲା–‘‘ବିସ୍କୁଟ ରବି ଆଉ ଶିଖା ପାଇଁ...ଏବଂ ମୁଁ ତମ ସହିତ ଘରକୁ ଯିବ, ସେମାନଙ୍କୁ ଦେଖା କରିବାକୁ ।”

 

…“ତମେ କ’ଣ କିଛି ଖାସ୍ କାମରେ ବଜାରକୁ ଆସିଥିଲ ?” ମୁଁ ପ୍ରଶ୍ନ କଲି ।

 

ସେ ଉତ୍ତର ଦେଲା–“ନା, ଏମିତି ଗୋଟାଏ ପିକ୍‌ଚର ଦେଖିବାକୁ ଆସିଥିଲି ।” କିଛିକ୍ଷଣ ନୀରବ ରହି ପୁଣି କହିଲା–“ଉପରବେଳା ଘରେ ଏକୁଟିଆ ବୋର୍ ହେଉଥିଲି । ଅକ୍ଷୟ ମଧ୍ୟ ଆସନ୍ତା କାଲି ସୁଦ୍ଧା ଫେରିବାର କୌଣସି ସମ୍ଭାବନା ନାହିଁ । ତମ ସହିତ ଯେତେବେଳେ ସାକ୍ଷାତ୍ ହୋଇଗଲା–ଇଚ୍ଛା ହେଉଛି କିଛି ସମୟ ତମ ସହିତ କଟିଗଲେ କେମିତି ହୁଅନ୍ତା !”

 

ଏହା କହୁ କହୁ ଅର୍ଚ୍ଚନା ମୋ ସହିତ ପ୍ରେମକାର କାଉଣ୍ଟର୍‌ରୁ ବାହାରି ଆସିଲା ଓ ତା’ର ସଂରକ୍ଷିତ ରିକ୍ସାବାଲକୁ କହିଲା–‘‘ଚାଲ୍, ଆମକୁ କ୍ୟାଣ୍ଟନ୍‌ମେଣ୍ଟ ରୋଡ଼କୁ ନେଇଚାଲ ।”

 

ମୁଁ ତାକୁ ଅଧ୍ୟୟନ...ନିରୀକ୍ଷଣ କରୁଥିଲି । ସେ ପିନ୍ଧିଥିଲା ବ୍ଲାଉଜ୍ ଏବଂ ବ୍ରା’କଟ୍ ଚକୋଲେଟ ରଙ୍ଗର କାଂଜିବରମ୍ ଶାଢ଼ୀ । ଆଠଟି ଲେଖାଏଁ ଗାଢ଼ ନୀଳ ରଙ୍ଗର ଚୁଡ଼ି ସହ ମାର୍‌ଓ୍ୟାଡ୍‍ ଶଙ୍ଖା ପିନ୍ଧିବାର ସଉକ୍ ଟିକକ ମଧ୍ୟ ସେ ଏବେ ଛାଡ଼ିନାହିଁ । ଲିପ୍‌ଷ୍ଟିକ ବିହୀନ ତା’ ଓଠର ନାଲି ଏବେ ବି ଠିକ୍ ସେମିତି ଅଛି–କିନ୍ତୁ ସାଧାରଣତଃ ଦୁଇଟି ସନ୍ତାନ ପ୍ରସବ କରିଥିବା ମା’ ମାନଙ୍କର ଏମିତି ନଥାଏ…

 

–“ଶିଖା ଚାଲିବାକୁ ଆରମ୍ଭ କଲାଣି...” ମୁଁ ନୀରବତାଭଙ୍ଗ କଲି–“ସେ ଦେଖିବାକୁ ଠିକ୍ ତମଭଳି ହୋଇଚି...ତେଣୁ ତା’ ନାଁ ଦେଲି ଶିଖା !”

 

ତା’ ମନର ଅବସ୍ଥା ଖୁବ୍ ସତେଜ ଥିବା ଲକ୍ଷ୍ୟ କରି ମୁଁ ପୁଣି ଆରମ୍ଭ କଲି–ସତ କହୁଚି ଅର୍ଚ୍ଚନା–ବିଚ୍ଛେଦ ପରେ ତମେ ବର୍ତ୍ତମାନ ଯଦିଓ ବାନ୍ଧବୀଟିଏ ପରି ମୋ ପାଖେ ଏକା ରିକ୍ସାରେ ବସିବ, ତଥାପି ମୋର କେଜାଣି କାହିଁକି ଆଦୌ ମନେ ହେଉନାଇଁ...ଯେ ତୁମେ ମୋର ନୁହେଁ ବୋଲି । ଅବଶ୍ୟ ମୁଁ ଖୁବ୍ ଭଲ ଭାବେ ଜାଣେ..ତୁମ ଭଳି ଜଣେ ନାରୀ ପାଇଁ ମୋର ଏ ଶରୀର ଆଉ କେବେହେଲେ ଯୌବନ ମାଦକତାପୂର୍ଣ୍ଣ ଚଉଠି ରାତିର ମଳୟ ଆଣିପାରିବ ନାହିଁ । ବା ତୁମପରି ବଦ୍‌ଖର୍ଚ୍ଚି ନାରୀକୁ ଆଦୌ ବରଦାସ୍ତ କରିପାରିବିନାଇଁ...ତଥାପି…

 

–‘‘ଅତୀତକୁ ସ୍ମରଣ କରି ନିଜ ସହ ଅନ୍ୟକୁ ଯନ୍ତ୍ରଣା କାତର କରିବାର ଆଉ କୌଣସି ଆବଶ୍ୟକତା ନାହିଁ ଶୁଭଙ୍କର !” ଅର୍ଚ୍ଚନା କହିଲା–‘‘ତା’ ଛଡ଼ା ଅକ୍ଷୟ ମହାପାତ୍ର ମତେ କଥା ଦେଇଚି ଆସନ୍ତା ଏପ୍ରିଲ୍‌ରେ ବିବାହ କରିବ ବୋଲି । ତା’ ସ୍ତ୍ରୀ ଏବେ ଜୟପୁରର କୋଉ ଗୋଟାଏ ଗାର୍ଲସ ହାଇସ୍କୁଲରେ ହେଡ଼୍ ମିଷ୍ଟ୍ରେସ ଓ କୋଉ ଗୋଟାଏ ଟୋକା ଅଧ୍ୟାପକ ସହିତ ଭାବ ରଖିଚି–ଏଠି ଅକ୍ଷୟ ପାଇଁ ସେ କୌଣସି ଦରକାରରେ ଆସୁ ନାହିଁ ।”

 

ଆମେ ଦୁହେଁ ଯେତେବେଳେ ଘରେ ପହଂଚିଲୁ–ମୁଁ ସାଙ୍ଗେ ସାଙ୍ଗେ ଆଲମିରାରୁ ଗୋଟାଏ ବୋତଲ ଓ ଦୁଇଟି ଗ୍ଲାସ୍ ବାହାର କରି ଆଣିଲି । ଗୋଟାଏ ପ୍ୟାକେଟ୍‌କୁ ଛିଣ୍ଡାଇ କିଛି ଲୁଣି ବିସ୍କୁଟ ବାହାର କଲି ଏବଂ ବିଶୁକୁ ନିର୍ଦ୍ଦେଶ ଦେଲି ପାଖ ପାନ ଦୋକାନରୁ କିଛି ମିକ୍ସଚର ଆଣିବାକୁ ।

 

–“ନିଅ...ପିଅ !” ଗୋଟାଏ ଗ୍ଲାସରେ କିଛି ପାନୀୟ ଢାଳି ଅର୍ଚ୍ଚନା ହାତକୁ ବଢ଼ାଇ ଦେଇ ଓ କହିଲି “ହଁ”, ପିଅ ! ଏହା ତମ ମନ ଓ ଦେହକୁ ସୁସ୍ଥ କରି ଦେବ । ମୁଁ ଆଜିକାଲି ମନକୁ ହାଲୁକା କରିବାକୁ କିଛି କିଛି ପିଇଦିଏ ।”

 

ଚୁପ୍‌ଚାପ୍‌, ନୀରବରେ.ମୋ ଗତିବିଧିକୁ ଅର୍ଚ୍ଚନା ଲକ୍ଷ୍ୟ କରୁଥିଲ ।

 

ତା’ର ନୀରବତା ଭାଙ୍ଗିବାକୁ ମୁଁ ପୁଣି ଆରମ୍ଭ କଲି–‘‘ଆଉ କିଛିବର୍ଷ ଗଲା ପରେ ତମର ମୁଣ୍ଡ ବାଳ ପାଚିଯିବ ଯଦିଓ ତଥାପି ତୁମେ ଆହୁରି ପାଞ୍ଚୋଟି ସନ୍ତାନ ପ୍ରସବ କରିବା ପାଇଁ ଖୁବ୍ ସ୍ପଷ୍ଟ ଅବସ୍ଥାରେ ଅଛ । ଆଚ୍ଛା, ଅର୍ଚ୍ଚନା ! ତୁମ ପାଇଁ, ମୁଁ ତମ ଗ୍ଲାସରେ କିଛି ପାଣି ମିଶେଇ ଦେଉଚି...କିନ୍ତୁ ମୋର ସେମିତି ଚଳିଯିବ । ଏଇ କିଛି ଲୁଣି ବିସ୍କୁଟ୍ ତମେ ନିଅ । ମୋ ପରି ଅନେକ ପୁରୁଣା କ୍ଷତକୁ ଏଇ ଲୁଣି ବିସ୍କୁଟ ଭଳି ଚାଖି ଚାଖି ଜୀବନକୁ ଉପଭୋଗ କରିଥାନ୍ତି…କିନ୍ତୁ ତୁମଠାରେ ତ ହିଁ କେବଳ ମଧୁ ଭରି ରହିଚି ଗୋ...କ’ଣ ମୁଁ ମିଛ କଥା କହୁଚି, ଅର୍ଚ୍ଚନା ?”

 

ଅର୍ଚ୍ଚନାର ଦୁଇ ହାତର ସେଇ ଗାଢ଼ ରଙ୍ଗର ଚାରି ପୁଞ୍ଜା ଚୁଡ଼ି ଗମ୍ଭୀର ଝଙ୍କାର ସୃଷ୍ଟି କରି ତା’ର ସୌନ୍ଦର୍ଯ୍ୟବୋଧ ଓ ନାରୀତ୍ଵର ସତେ ଯେମିତି ଜୟଗାନ କରୁଥିଲେ l ଓ ଅର୍ଚ୍ଚନା ନିଜେ ସେ ସ୍ଵରରେ, ମୂର୍ଚ୍ଛନାରେ ମୁଗ୍‌ଧ–ତନ୍ମୟ ହୋଇଉଠୁଥିଲା ।

 

–“ତମେ ମତେ ମାଲ ପିଇବାକୁ କହିପାରିଲ, ଶୁଭଙ୍କର !” ଅର୍ଚ୍ଚନା ଅନେକ ସମୟ ପରେ ମୁହଁ ଖୋଲିଲା ଏବଂ ଫିକାଳିଆ ହସ ହସିଲା । ମନ, ଆତ୍ମା ତା’ର ସତେ ଯେମିତି ଯନ୍ତ୍ରଣାରେ ଜଳୁଥିଲା । ଦିନେ ସେ ଏଠି ଦିନରାତି ବିତାଉଥିଲା ମୋର ସ୍ତ୍ରୀ ଓ ମୋ ରକ୍ତର ଦୁଇଟି ସନ୍ତାନଙ୍କ ଜନନୀ ରୂପେ । କିନ୍ତୁ ବର୍ତ୍ତମାନ ସେ ଖୁବ୍ ଖାପଛଡ଼ା ଭାବ ଅନୁଭବ କରୁଚି ଓ ଭାବୁଚି ବୋଧେ–ଗତ ଜୀବନଟା ସତେ ଯେମିତି ଗୋଟାଏ ସ୍ଵପ୍ନ ।

 

ଏବଂ ମୁଁ ମଧ୍ୟ ଅନେକ ବେଳଯାଏଁ ସେହି ଲୁଣି ବିସ୍କୁଟ୍ ଓ ମିକ୍‍ଶ୍ଚର ପୁଡ଼ିଆକୁଚାହିଁ ରହି–ବିଗତ ସ୍ଵପ୍ନକୁ ମନେ ପକେଇବାକୁ ଚେଷ୍ଟା କରୁଥିଲି ।

 

ଏମିତି ଅନେକ ସମୟ ନୀରବତା ମଧ୍ୟରେ କଟିଯିବା ପରେ ଅଧାଗ୍ଲାସ୍‌ରୁ ବେଶି କିଛି ମୁଁ କଣ୍ଠସ୍ଥ କରିନେଲି । ଅର୍ଚ୍ଚନା ମଧ୍ୟ ସେତିକିବେଳକୁ ନିଜ ଗ୍ଲାସ୍‌ଟି ପରିଷ୍କାର କରି ନେଇଥାଏ ।

 

ତl’ର ଶୂନ୍ୟ ଗ୍ଲାସ୍‌କୁ ପୂର୍ଣ୍ଣ କରିବାକୁ ବୋତଲଟି ଉଠେଇଲାବେଳକୁ ଗ୍ଲାସ୍‌ଟିକୁ ଟାଣି ନେଇ ଅର୍ଚ୍ଚନା କହିଲ–‘‘ନା, ନା...ବାସ୍‌ । ଯଥେଷ୍ଟ ହେଇଚି ।”

 

–“ଆଉ ଟିକେ”...ମୁଁ ନିବେଦନ କଲି–‘‘ଆଜି ତମେ ମୋର ଆଉ ପତ୍ନୀ ନୁହଁ–ବାନ୍ଧବୀ ! ବାଧ୍ୟ କରିବାର ଅଧିକାର ମୋର ଅଛି–ଆଦେଶ ବା ଅନୁରୋଧ ନୁହେଁ ।”

 

–“ଠିକ୍ ଅଛି, ଟିକେ ବିଅ । କିନ୍ତୁ ପାଣି ଆଦୌ ନୁହେଁ । ଦେଶି ସହ ସୋଢ଼ା ମିଶିଲେ ମୋତେ ଭଲ ଲାଗେ, କିନ୍ତୁ ବିଦେଶୀରେ ଆଦୌ ମଜା ଲାଗେନା ।” ମୁଁ ଅବାକ୍, ନିର୍ବାକ୍ । ଅଦ୍ଭୁତ ରୁଚି ।

 

ପ୍ରଶ୍ନ କଲି–“ଅର୍ଚ୍ଚନା, ତମେ ୟା’ ଭିତରେ ବେଶ୍ କିଛି ପୋଖତ ହୋଇଗଲାଣି ତ ।”

 

–“ହଁ, ମୁଁ ଏ ଅଭ୍ୟାସ...ତମର ବନ୍ଧୁ ଅଶୋକ ଦାସ ପାଖରୁ ଲାଭ କରିଚି ।” ଅର୍ଚ୍ଚନା ଦମ୍ଭର ସହ କହିଲା–‘‘କିନ୍ତୁ ଅକ୍ଷୟଟା ନିଜେ ଦେଶୀ ପିଏ ଏବଂ ଅନ୍ୟମାନଙ୍କୁ ବିଦେଶୀ ପିଆଏ । ବଡ଼ ଅଦ୍‌ଭୂତ ଲୋକଟାଏ ସେ । ମୁଁ ଯେତେବେଳେ ଯାହା ଚିହିଁଚି–ସିଏ ମତେ ସବୁ କିଛି ଯୋଗେଇ ଦେଇଚି । କିନ୍ତୁ କେଜାଣେ କାହିଁକି ଶୁଭଙ୍କର, ବେଳେବେଳେ ମତେ ବଡ଼ ଖାଲି ଖାଲି ଲାଗେ । ତମେ ଭାବନାଇଁ ଯେ ମଦ ନିଶା ଏବେ ମୋ ମୁଣ୍ଡକୁ ଚଢ଼ିଗଲାଣି ବୋଲି । ମୁଁ ବେଶ୍ ହୋସ୍‌ରେ ଅଛି । କିଂତୁ ଶୁଭଙ୍କର, ମୁଁ କ’ଣ କରିବି କ’ଣ କହିବି...ମୁଁ କାହିଁକି ତୁମ ସହିତ ରହି ପାରିଲି ନାହିଁ ?

 

ଅର୍ଚ୍ଚନାର ସ୍ୱର ନରମ ହୋଇଆସିଲା–‘‘ମୁଁ ଜାଣେ ଶୁଭଙ୍କର । ତମେ ମତେ କେତେ ଭଲପାଅ..... ।” ସେ ଗପି ଚାଲିଲା ଶ୍ଵାସରୁଦ୍ଧ କଣ୍ଠରେ–‘‘ମୁଁ ତୁମଠୁଁ ଯେତିକି କିଛି ଆଶା କରୁଥିଲି...ତା’ଠୁଁ ଅଧିକ ତମେ ମତେ ଭଲ ପାଉଥିଲ...ଭଲ ପାଇବାର….ଭଲ ପାଇ ପାଇ ନିଃଶେଷ ହୋଇ ଯିବାର ଶେଷ ସୀମାରେ ପହଂଚି ମତେ ଖୁସି କରିବାକୁ...ଆହ୍ଲାଦିନୀ କରିବାକୁ ଚେଷ୍ଟା କରିଥିଲି । ହୁଏତ ବର୍ତ୍ତମାନ ମଧ୍ୟ ଠିକ୍ ସେତିକି...ପୂର୍ବପରି ଭଲ ପାଉଚ...ପ୍ରେମୁଚ । କିନ୍ତୁ ଶୁଭଙ୍କର, ଏମିତି ବଂଚିବାର କୌଣସି ମାନେ ହୁଏନା । ଏହା କାଦୁଅ ପଙ୍କ ଭିତରେ ଘାଣ୍ଟି ହେଉଥିବା ଗୋଟାଏ ସଦ୍ୟଜାତ ବାଛୁରୀର ବିଳାପ ମାତ୍ର । ତମେ ନିଷ୍ଠୁର ହୁଅ...ମୋ ଉପରେ ପ୍ରତିଶୋଧ ନେବାକୁ ପୁଣି ବିବାହ କର ଶୁଭଙ୍କର…ମୋର ଏ ପ୍ରସ୍ତାବଟା ତମ ପାଇଁ ଖୁବ୍ ମଙ୍ଗଳକର ହେବ ।”

 

ମୋ ଭିତରେ ବହୁଦିନୁ ଜମାଟ ବାନ୍ଧି, ବିକ୍ଷିପ୍ତ ଭାବରେ ରହିଥିବା ଭାବନାକୁ ଏକତ୍ରିତ କରି କିଛି କହିବାକୁ ଗଲାବେଳେ–ମୋ ଆବେଗରେ ବାଧା ଆଣି ଅର୍ଚ୍ଛନା ପୁଣି ଆରମ୍ଭ କଲା–‘‘ଶୁଭଙ୍କର ! ମୋର ସେମିତି କିଛି ଅଭାବ ନାଇଁ । ମୁଁ ଯାହା ଓ ଯେତିକି ଚାହେଁ–ତାହା ପାଇଯାଏ ଓ ଉପଭୋଗ କରେ । କିନ୍ତୁ ମୋ ଭିତରେ ଥାଇ କିଏ ଜଣେ ସବୁବେଳେ ଯେମିତି ଧମକ୍ ଦିଏ–‘‘ଅର୍ଚ୍ଚନା ! ତୁ ଗୋଟିଏ ବନ୍ୟାର ପ୍ରଖର ସ୍ରୋତରେ ଶିକାର ହୋଇ ଯାଇଚୁ–ଯା’ର କୌଣସି କୂଳ କିନାରା ନାଇଁ ଦୃଷ୍ଟିର ଅନ୍ଧ ଦିଗନ୍ତରେ । ଅକ୍ଷୟ ମହାପାତ୍ର ମତେ ବିବାହ କରିବା ପୂର୍ବରୁ ତା’ର ସ୍ତ୍ରୀକୁ ଡାଇଭର୍ସ କରିବା ସମୟଟିକୁ ମୁଁ ଅପେକ୍ଷା କରିଚି । କିନ୍ତୁ ଅନେକ ସମୟରେ ତା’ର ଆଖି ଦୁଇଟା ମତେ ମିଛ ମିଛ ମନେହୁଏ । ମାତ୍ର ତୁମ କଥା ଶୁଭଙ୍କର ! ଯଦିଓ ସେମାନେ ତୁମକୁ କୁତ୍ସିତ ବିକଳାଙ୍ଗ କହନ୍ତି...ତଥାପି ତୁମ ଆଖିରେ ସତ୍ୟତା ଓ ବିଶ୍ୱାସ ଭରି ରହିଚି ।

 

ଅର୍ଚ୍ଚନାର ଗଳାରେ ନିଜ ଲମା ଦୁଇ ବାହୁକୁ ଗୁଡ଼ାଇ ଦେଇ ଆଲିଙ୍ଗନ କରି କହିଲି–‘‘ଅର୍ଚ୍ଚନା । କିନ୍ତୁ ତମେ, ମୋର ଏଇ ଭଙ୍ଗା କୋଠାରୁ ଚାଲିଗଲା ପରେ ତୁମର ଯୌବନ ତ ନବବସନ୍ତରେ ବେଶ୍ ପଲ୍ଲବିତ ହୋଇଉଠିଛି ।

 

ମୁଁ ଅର୍ଚ୍ଚନାକୁ ଏକରକମ ଛାତିରେ ମିଶାଇ ନେବାକୁ ଚେଷ୍ଟା କଲାବେଳେ କିଛିକ୍ଷଣ ସେ ମୋତେ ତୀକ୍ଷ୍‌ଣ ଦୃଷ୍ଟିରେ ନିରୀକ୍ଷଣ କଲା ଏବଂ ପରେ ପରେ ଦୂରକୁ ଠେଲି ଦେଇ କହିଲା–‘‘କୌତୂହଳରେ ସୀମାକୁ ଟପି ଯାଅନା ଶୁଭଂକର । ମୁଁ ଜାଣେ, କ’ଣ ହେବାକୁ ଥିଲା–ଯେତେବେଳେ ତମେ ଆଲମିଗ ଭିତରୁ ବୋତଲ ବାହାର କଲ । ଏଇଟା ତମର ଗୋଟେ ପୁରୁଣା, ଅଭ୍ୟାସ । ଶୁଭଙ୍କର ! ମୁଁ ହୁଏତ ମାତ୍ରାଧିକ ପିଇଦେଇ ଥାଇପାରେ; ମାତ୍ର ଯେଉଁ ମୁହୂର୍ତ୍ତରେ ଜଣେ ପୁରୁଷ ମୋର ଅଙ୍ଗଲତାକୁ ସ୍ପର୍ଶ କରେ...ସେତେବେଳେ ମୁଁ ବେଶ୍ ଭଲଭାବେ ଅନୁଭବ କରିନିଏ–ଏଇ ସ୍ପର୍ଶର ମାନେ କ’ଣ । ଠିକ୍ ସେତିକିବେଳେ ମୋର ନିଶା ଆପେ ଆପେ ମିଳାଇଯାଏ...ଯେମିତି ଗୋଟେ କୁକୁର ସାମନାରେ ବିରାଡ଼ିର ଚେହେରା ଓ ପ୍ରକୃତି...ସେ ଯାହାହେଉ, ତମ ଚାକର ବିଶୁକୁ ଡାକ ଓ କୁହ–ମତେ ଘରେ ଛାଡ଼ିଦେଇ ଆସିବ ।” ତା’ର ସ୍ୱର ହଠାତ୍ ଯେମିତି କଠୋର ହୋଇଗଲା !

 

“ମୋର ଭୁଲ୍‍ ହୋଇଯାଇଚି ଅର୍ଚ୍ଚନା ।” ବୋକାଙ୍କ ଭଳି ମୁଣ୍ଡକୁ ଏପାଖ ସେପାଖ କରି ମୁଁ କହିଲି–”ଅର୍ଚ୍ଚନା ! ତୁମକୁ ଅତି ନିକଟରେ ପାଇ ମୁଁ ସବୁକିଛି ଭୁଲି ଯାଇଥିଲି । ହେଲେ ତମେ ଯେ ଏମିତି ମୋ ଉପରେ କ୍ଷୁବ୍‌ଧ ହେବ ଏ ଧାରଣା ମୋର ନ ଥିଲା ତୁମକୁ ଏମିତି ଗଗିବା ଅବସ୍ଥାରେ ଏଠୁ ବିଦାୟ ଦେବାକୁ ଚାହୁଁନି । ମତେ କ୍ଷମାକର...ଯିବା ପୂର୍ବରୁ ଅନ୍ତତଃ କିଛି ଖାଇ ସାରି ତମେ ଯିବ ।”

 

–“ତମେ ସବୁବେଳେ ଏମିତି ସରଳ...ଅଜବ ମଣିଷଟିଏ ଶୁଭଙ୍କର । ତମର ଏମିତି ପିଲାଳିଆମୀ ମୋତେ ଖୁବ୍ ଦୁର୍ବଳ କରିଦିଏ ।” ସତେଯେମିତି ଅର୍ଚ୍ଚନା ଆତ୍ମବିଭୋର ହୋଇଉଠିଲା; କିନ୍ତୁ ସେଇ ଭାବପ୍ରବଣତା କ୍ଷଣିକର–‘‘କେବଳ ଗୋଟିଏ କଥାକୁ ମୋର ଭୟ...ଅକ୍ଷୟ ଯଦି ଆଜି ଫେରିଆସେ ଏବଂ ଘରେ ମତେ ନ ପାଏ...ମୁଁ ମୋର ସମସ୍ତ ସଂଚିତ ବିଶ୍ଵାସକୁ ହରେଇ ବସିବି । ମୁଁ ଯାହା କହୁଚି ତମେ ବୁଝି ପାରୁଚ ତ ? ନା, ମତେ ବିଶୁ ସହିତ ଘରକୁ ଯିବାକୁ ଦିଅ । ଅକ୍ଷୟ ମହାପାତ୍ର ଗୋଟାଏ ସାଧାସିଧା ମଣିଷ ଭଳି ଜଣାପଡ଼େ ସିନାହେଲେ ମନରେ ତା’ର ସଂସାର ଯାକର ନିଆଁ ଭରି ରହିଚି । ସେ ହୁଏତ ସନ୍ଦେହ କରିପାରେ ଯେ ମୁଁ ବର୍ତ୍ତମାନ ସୁଦ୍ଧା ତୁମ ସହିତ ସମ୍ପର୍କ ରଖିଚି.... ।”

 

୨. ନାୟିକାର ପ୍ରତ୍ୟାବର୍ତ୍ତନ

 

ଗତି ପ୍ରାୟ ଏଗାରଟା ।

 

ଏତେ ସମୟ ଧରି କେମିତି ଯେ ସେ ଘରୁ ବାହାରେ ଥିଲା...ନିଜକୁ ନିଜେ ପ୍ରଶ୍ନକଲା ଅର୍ଚ୍ଚନା । ଘର ଭିତରେ ଆଲୁଅ ଜଳୁଥିବାର ଦେଖି ସେ ହଠାତ୍ ଆଶ୍ଚର୍ଯ୍ୟ ହୋଇଗଲା ।

 

ସେ ଯେମିତି ଘର ଭିତରେ ପଶିଚି, ତା’ର ଆକ୍ଷି କାର୍‌ପେଟ୍ ଉପରେ ବସିଥିବା ସେଇ ଦୁଇଜଣ ଅଚିହ୍ନା ଲୋକଙ୍କ ଉପରେ ପଡ଼ିଲା । ସେଇଠି ଠିଆ ଠିଆରେ ସେମାନଙ୍କୁ ସନ୍ଦେହ ଦୃଷ୍ଟିରେ ଚାହିଁ ରହିଲା ଓ ଭାବିଲା...ବିନା ଆଶଙ୍କା ସତ୍ତ୍ୱେ ଅଚାନକ୍ ନାଇଟ୍ ଏକ୍‌ସପ୍ରେସ୍‌ରେ ଅକ୍ଷୟ କଲିକତାରୁ ଫେରି ଆସିଚି । ଘରେ ଅନୁପସ୍ଥିତ ରହିବାର କାରଣ ଓ ତା’ର କୈଫିୟତ ଦେବା ନିମନ୍ତେ ଅର୍ଚ୍ଚନା ମନେ ମନେ ଏକ ମିଚ୍ଛ ସଫେଇ ଉଦ୍‌ଭାବନ କରୁଥିଲା ବେଳେ ଅକ୍ଷୟ ମହାପାତ୍ରର କ୍ରୋଧ ଜର୍ଜରିତ ପ୍ରଶ୍ନରେ ତା’ର ଓଠ ଦୁଇଟି କେବଳ ଥରି ଉଠିଲ–“କ୍ୟାଣ୍ଟନ୍...କ୍ୟାଣ୍ଟନ୍‌ମ୍ୟାଣ୍ଟ ରୋଡ଼୍... । କ’ଣ ଚଣ୍ଡିମନ୍ଦିରକୁ ନା ସ୍ୱାମୀ ଦେବତାଙ୍କ ଦର୍ଶନକୁ ଯାଇଥିଲ ! ମୁଁ ଠିକ୍ ଜାଣେ । କିଛି ଚିନ୍ତା କରିବାର ନାଇଁ । ଆସ ଏଇଠି ବସ । ବିଛଣାରେ ଟିକେ ଆରାମ କର । ଆମେ ତୁମକୁ ଅନେକ ବେଳ ଅପେକ୍ଷା କଲୁ ଅଥଚ ତୁମର ଦେଖାଦର୍ଶନ ନ ପାଇ ପରେ ହୋଟେଲରେ ଯାଇ ଖାଇ ଆସିଲୁ । ତୁମେ ତମର ସେଇ ପୁରୁଣା ଘରେ ଖାଇ ଆସିଥିବ ନିଶ୍ଚେ...ନୁହେଁ ?”

 

ଅକ୍ଷୟ ମହାପାତ୍ର, ଆକ୍ଷେପମୂଳକ...ଶ୍ଳେଷଭାଗ କଣ୍ଠରେ ବକ୍ତବ୍ୟ ଆରମ୍ଭ କଲା ଏବଂ ଶୁଖିଲା ହସଟିଏ ଅର୍ଚ୍ଚନା ଉପରକୁ ସିଧା ଫୋପାଡ଼ି ଦେଇ କଥା ଶେଷ କଲା । ଅର୍ଚ୍ଚନା ଚୁପ୍‌ଚାପ୍ ସେଠି ଛିଡ଼ା ହୋଇଥାଏ । ମନରେ ଭୟ ହେଉଥାଏ ଏବଂ କାରଣଟା ସେ ଭଲଭାବେ ଜାଣେ–ମୁହଁ ଖୋଲି କଥା ହେବା ମାତ୍ରେ ମୁହଁରୁ ମଦର ଗନ୍ଧ ମହକି ଉଠିବ । ତଳେ କାର୍‌ପେଟ୍ ଉପରେ ବସିଥିବା ଦୁଇଟି ଅଚିହ୍ନା ଲୋକ ତାକୁ ଚାହିଁ ରହିଥାନ୍ତି । ଅର୍ଚ୍ଚନା ନିଜକୁ ବଡ଼ ଅଣନିଃଶ୍ଵାସୀ ମନେକଲା । ସେଠି ବିଛଣାରେ ନ ବସି ସେ ସିଧା ରୋଷେଇ ଘରଆଡ଼େ ଚାଲିଆସିଲା ।

 

ଠିକ୍ ରୋଷେଇ ଘର ଭିତରେ ପହଂଚିଚିକି ନାଇଁ ଅକ୍ଷୟ...ତା’ ପଛେ ପଛେ ଅନୁସରଣ କରି ଆସି ପଛପଟୁ ତା’ର ଦୁଇ ବାହୁକୁ ଏକରକମ୍ ଭିଡ଼ି ଧରିଲା । ମଦର କଡ଼ା ବାସ୍ନା ତା’ ମୁହଁରୁ ବାହାରି ଅର୍ଚ୍ଚନାର ମୁହଁରେ ଅଜାଡ଼ି ହୋଇଗଲା । ଅର୍ଚ୍ଚନା ବିକଳରେ କହୁଥାଏ–‘‘ମତେ ଦୟା କରି ଛାଡ଼ିଦିଅ...ମୁଁ ବଡ଼ କ୍ଳାନ୍ତ, ମୋର ଟିକେ ବିଶ୍ରାମ ଦରକାର ।”

 

–“ପୂର୍ବତନ ସ୍ଵାମୀଙ୍କ ସହିତ ମଉଜ ମଜଲିସ୍ କରି ନିଶ୍ଚୟ କ୍ଳାନ୍ତ ହୋଇପଡ଼ିଚ ।” ଅକ୍ଷୟ ମହାପାତ୍ର କହିଲା ଏବଂ ଖୁବ ଜୋର୍‌ରେ ବିକଟାଳ ହସ ହସିଲା–‘‘କିନ୍ତୁ ଆମ କଥା କ’ଣ କରାଯିବ...ଆମେ ପ୍ରେମ କାଙ୍ଗାଳ ଦଳ, ତୁମ ଅନୁପସ୍ଥିତିରେ ଚାରି ଘଣ୍ଟାକାଳ ଏଠି ବସି ପହଡ଼ ଗଣୁଛୁ । ଏ ବିଚାର ଦୁଇଜଣ ସୁଦୂର ବ୍ରହ୍ମପୁରରୁ ଆସିଚନ୍ତି କେବଳ ତୁମର ଟିକେ ସାନିଧ୍ୟ ପାଇବାକୁ । ଉତ୍କଣ୍ଠାର ସହିତ ଚାହିଁ ରହିଛନ୍ତି ତାଙ୍କର ଭାବିଭାଉଜଙ୍କୁ, ତାଙ୍କର ସ୍ୱରୂପ ଦେଖିବାକୁ...-।” ଅକ୍ଷୟ ମହାପାତ୍ରର କଣ୍ଠସ୍ଵର ଓ କଟାକ୍ଷପାତ ଶୁଣି ଅର୍ଚ୍ଚନା ପ୍ରଚଣ୍ଡ ଦୁର୍ବଳତାରେ ଭାଙ୍ଗି ପଡ଼ିଲା ଓ କହିଲା–‘‘ଦୟାକରି ମୋତେ ଛାଡ଼ିଦିଅ ବରଂ ମୋତେ ସେମାନେ ଆସନ୍ତା କାଲି ଦେଖିବେ-।” ଅକ୍ଷୟର ବାହୁବନ୍ଧନୀରୁ ନିଜକୁ ମୁକ୍ତ କରିବାକୁ ଅର୍ଚ୍ଚନା ଚେଷ୍ଟା କଲା ।

ଅକ୍ଷୟ ମହାପାତ୍ର ଏକରକମ ବଳପୂର୍ବକ ନିଜ ଦୁଇବାହୁରେ ଅର୍ଚ୍ଚନାକୁ ରୋଷେଇ ଘରୁ ଉଠେଇ ଆଣି ବେଡ଼୍‌ରୁମ୍ ବିଛଣା ଉପରେ କଚାଡ଼ି ଦେଲା ଓ ଗର୍ଜନ କରି ଉଠିଲା–”ବସନ୍ତ ବାବୁ ! ଆପଣଙ୍କୁ ଏ ସୁନ୍ଦରୀ ରମଣୀ କେମିତି ପସନ୍ଦ ହେଉଚି...ଆମ ସୁନ୍ଦରୀ ଗୋଟାଏ ଛେନା ପିଣ୍ଡୁଳି...ରତ୍ନ ଖଣ୍ଡେ, ନୁହେଁ କୋଟିଏରେ ଗୋଟିଏ । ସ୍ଵର୍ଗରୁ ଭୁଲ୍‌ବଶତଃ ଗଳି ପଡ଼ିଚି...ଦେବସଭାରୁ !

ନିଜର ଅସଯତ୍ନ ଶାଢ଼ିକୁ ନେଇ ଅର୍ଚ୍ଚନା ଉଠି ବସିବାକୁ ଚେଷ୍ଟାକଲା । ଏଇ ଅଜଟୋପାଶ...ପିଶାଚଙ୍କ କବଳରୁ ମୁକ୍ତି ପାଇବାକୁ...ଉପସ୍ଥିତ ପରିସ୍ଥିତିର ମୁକାବିଲା କରିବାକୁ, ଚିନ୍ତା କରିବାକୁ ସୁଯୋଗ ପାଉ ନ ଥିଲା । ସେ ବେଶ୍ ଭଲ ଭାବେ ଦେଖିନେଲା–କାର୍‌ପେଟ୍ ଉପରେ ବସିଥିବା ଅଚିହ୍ନା ଦୁଇଟି ଲୋକ କ୍ଷୁଧାର୍ତ୍ତ କୁକୁର ଭଳି ତାକୁ ଚାହିଁ ରହିଛନ୍ତି ଓ ଓଠରେ ଜିଭ ଚାଟୁଛନ୍ତି ।

ଅକ୍ଷୟ ମହାପାତ୍ର ଗେହ୍ଲାଳିଆ ଭଙ୍ଗିରେ ନିଜ ଦୁଇ ପାପୁଲିରେ ଅର୍ଚ୍ଚନାର ଗାଲକୁ ଆଉଁସିବାକୁ ଲାଗିଲା ଓ କହିଲା–‘‘ତମେ ବୋଧେ ଭାବୁଚ ମୋର ଟିକେ ହେଲେ ମାନ–ସମ୍ମାନ ନାହିଁ ?” ଅର୍ଚ୍ଚନା କ୍ରୋଧରେ ପଞ୍ଚମ ହୋଇ ଅକ୍ଷୟର ହାତ ପାପୁଲିକୁ ଦୂରକୁ ଛିଞ୍ଚାଡ଼ି ଦେଇ କହିଲା–“ଛି, ଛି...ମତେ ଏଇ ଲୋକଙ୍କ ସାମ୍ନାରେ ତମେ ଯେମିତି ବ୍ୟବହାର କରୁଚ, ସେଥିପାଇଁ ତୁମକୁ ଲାଜ ମାଡ଼ୁନି ?”

–“ବାଃ–କି ଚମତ୍କାର କଥା ପଦେ ଶୁଣେଇଲ ଦେବୀ । ମାନମହତ ଇଜ୍ଜତ୍ ନାଇଁ ବୋଲି କିଏ କହିଲା ? ଆଚ୍ଛା, ବସନ୍ତବାବୁ ଆପଣ କୁହନ୍ତୁ–ଜଣେ ସ୍ତ୍ରୀଲୋକ, ଯିଏ କି ଶହେଥରରୁ ବେଶୀ ମୋ ସହିତ ସମ୍ଭୋଗରେ ମାତି ରତିସୁଖୀ ଅନୁଭବ କରି ସାରିଲାଣି ଏବଂ ଯିଏ ନିଜ ଦେହରେ ଆଜି ପର ଲଗେଇ ଉଡ଼ି ବୁଲୁଚି–ସେ କ’ଣ ମୋ ନିକଟରେ ଅତି ଆପଣାର ଏବଂ ଅତି ସୁନ୍ଦରୀ ନୁହେଁ ? ତେବେ ମୋ ନିକଟରେ ତା’ର ଏବଂ ତା’ ନିକଟରେ ମୋର ଲଜ୍ଜ୍ୟା ବା ସଙ୍କୋଚ କ’ଣ ଥାଇପାରେ ?”

ବସନ୍ତ...ଚର୍ବିବହୁଳ କୃଷ୍ଣକାୟ ସେଇ ବ୍ୟକ୍ତିଟି ସିଗାରେଟ୍‌ରୁ ପୁଳାଏ ଧୂଆଁ ଏକା ନିଃଶ୍ଵାସକେ ଟାଣିନେଇ ଅର୍ଦ୍ଧଦଗ୍‌ଧ ସିଗାରେଟ୍‌କୁ ଚଟାଣ ଉପରେ ଫୋପାଡ଼ି–ଯୋତାରେ ଦଳି କହିଲା–‘‘ଆମ ଦେବୀ ଅତି ସୁନ୍ଦରୀ...ଅପ୍‌ସରୀ ! ମିଃ ମହାପାତ୍ର, ସତରେ ଆପଣ ଖୁବ୍ ଭାଗ୍ୟବାନ !”

–“ଆପଣ ମଧ୍ୟ ମଧୁବତୀ, ଏଇ ସୁନ୍ଦରୀ ଅପ୍‌ସରୀଙ୍କର ଟିକେ ମଧୁପାନ କରନ୍ତୁ ।” ଅକ୍ଷୟ ହସି ହସି କହିଲା ଓ ଅର୍ଚ୍ଚନାର ହାତ, ପାପୁଲି, ପିଠିରେ ହାତ ବୁଲାଇ ବସନ୍ତ ଆଡ଼କୁ ତାକୁ ଠେଲିଦେଲା । ଅର୍ଚ୍ଚନା କ୍ରୋଧରେ ଜଳି ଉଠିଲା ଓ ଅକ୍ଷୟର ଧକ୍‌କା ସମ୍ଭାଳି ନେଇ ବିଛଣା ଉପରେ ଲୋଟି ପଡ଼ିଲା । ବସନ୍ତ, ଅକ୍ଷୟ ସମେତ ତଳେ ବସିଥିବା ସେଇ ଲୋକ ଦୁଇଜଣ ଖୁବ୍ ଜୋର୍‌ରେ ନାଟକୀୟ ଭଙ୍ଗିରେ ହସିଉଠିଲେ ସେମାନଙ୍କ ଆଖିଟିମାନ ସତେ ଯେମିତି କାମନାରେ ଜଳୁଥିଲା ।

 

ଅକ୍ଷୟ ସହିତ ନିଷିଦ୍ଧ ସମ୍ପର୍କ ବଢ଼ିବା ଦିନୁ ତା’ର ବ୍ୟବହାର, ହାବଭାବରୁ ଏମିତି କିଛିଟା ନୃଶଂସ ପ୍ରକୃତି ଅବଶ୍ୟ ଲକ୍ଷ୍ୟ କରିଥିଲା ଅର୍ଚ୍ଚନା । ଅନେକ ସମୟରେ ବିଛଣା ଛାଡ଼ିବା ପୂର୍ବରୁ ଅର୍ଚ୍ଚନା ଉପରକୁ ପଚାଶ ବା ଶହେଟଙ୍କିଆ ନୋଟ୍ ଫୋପାଡ଼ି ଦିଏ ଏବଂ ଅର୍ଚ୍ଚନା ଯେତେବେଳେ ତା’ ହାତରୁ ଟଙ୍କା, ନିଏ ନାହିଁ ବରଂ ଓଲଟି ଏଇ ଦାନ ପାଇଁ ପ୍ରତିବାଦ କରେ ସେତେବେଳେ ଅକ୍ଷୟ କେବଳ ହସିଦିଏ ଓ ତାକୁ ଜଣାଇଦିଏ ଆଖିର ଭାଷାରେ “ମୁଁ ଜଣେ ବ୍ୟବସାୟୀ, ମୁଁ ଯାହା ନିଏ ତା’ର ଉଚିତ ପ୍ରାପ୍ୟ ମୂଲ୍ୟ ଦେଇଥାଏ ।” ଅକ୍ଷୟର ଏଇ ନୀରବତା ଅର୍ଚ୍ଚନା ସେଇ ଦିନମାନଙ୍କରେ ଅତି ହାଲୁକା ଭାବରେ ଗ୍ରହଣ କରି ନେଇଥିଲା; କିନ୍ତୁ ଆଜି ଏ ସମସ୍ତ କଥା ଦେଖୁଚି ଭିନ୍ନ ଏକ ପରିବେଶରେ– ।

 

ଅର୍ଚ୍ଚନା ଲଜ୍ଜା, ଭୟ ଓ କ୍ରୋଧରେ ଜଳୁଥିଲା ।

 

–“ମତେ ତମେ କ’ଣ ବୋଲି ଭାବିଚ ? ମୁଁ କ’ଣ ଗୋଟେ ବେଶ୍ୟା ?”

 

–“ୟେସ୍ ଦେବୀ । ଠିକ୍ ସେୟା–ବେଶ୍ୟା ନୁହେଁ ତ କ’ଣ ସତୀ ? ଏଥିରେ ସନ୍ଦେହ କରିବାର ଅବକାଶ ବା ରହିଲା କେଉଁଠି ? ଅଭିନୟର ପ୍ରଶ୍ନ ତ ଏଠି ଉଠୁନାହିଁ । ତୁମ ମଥାରେ ପୁଣି ସିନ୍ଦୂର ପିନ୍ଧାଇ ବିବାହ କରିବାର ଆଶା ମୋର ସେତିକିବେଳୁ ମଉଳିଗଲାଣି ଯେତେବେଳେ ତମେ କ୍ୟାଣ୍ଟନ୍‌ମ୍ୟାଣ୍ଟ୍...ତମର ସେଇ କାୱାର୍ଡ଼...କବି ସ୍ଵାମୀ ଶୁଭଙ୍କର ପାଖକୁ ପୁଣି ଯେତେବେଳେ ୟାତାୟତ କଲାଣି । ତମେ ଖୋଦ୍ ଚିନ୍ତାକର...ଜଣେ ମଣିଷ ଦୁଇଟି ନାଆରେ ପାଦ ଦେଇ କେତେଦୂର ବା ଯାତ୍ରା କରିପାରେ । ଅତଏବ ମୁଁ ସ୍ପଷ୍ଟଭାବେ ତୁମକୁ ଲକ୍ଷ୍ୟ କରି ବୁଝି ପାରିଚି...କୌଣସି ଜଣକର କାନ୍ଧରେ ତୁମର ମଥାକୁ ଆଶ୍ରୟ ଦେଇ ବଞ୍ଚିରହିବା ତୁମଦ୍ଵାରା କେବେହେଲେ ସମ୍ଭବ ନୁହେଁ ।

 

ଅର୍ଚ୍ଚନା କଇଁ କଇଁ ହୋଇ, ଦୁଇ ଆଣ୍ଠୁ ସନ୍ଧିରେ ମୁହଁ ଗୁଞ୍ଜି କାନ୍ଦିବାକୁ ଲାଗିଲା ।

 

ଅଚାନକ ଅର୍ଚ୍ଚନା ଅନୁଭବ କଲା ଏକ ବଳିଷ୍ଠ ହାତ ତା’ ପିଠିପଟୁ ବ୍ଲାଉଜ୍‌ର ବୋତାମକୁ ଛିଣ୍ଡାଇ ବ୍ରା’ ଭିତରେ ହାତ ପୂରେଇବାକୁ ଚେଷ୍ଟା କରୁଚି ।

 

ଅର୍ଚ୍ଚନା ନିଜର ବିକ୍ଷିପ୍ତ ସକଳ ଶକ୍ତିକୁ ଏକତ୍ରିତ କରି ଚଟକିନି ଠିଆ ହୋଇପଡ଼ିଲା ଓ ବୁଲି ପଡ଼ି ସେଇ ପିଶାଚ ବସନ୍ତର ହାତକୁ ଖୁବ୍ ଜୋର୍‌ରେ କାମୁଡ଼ି ଦେଲା ଏବଂ ପାଦରୁ ଚପଲ ବାହାର କରି ମୁହଁକୁ ଗୋଟାଏ ଚଟକଣା ଦେଲା । ‘ଆରେ ବାପ୍‌ରେ...ମରିଗଲି’ ବୋଲି ଚିତ୍କାର କରି ବସନ୍ତ ଆଘାତରେ ବିଚଳିତ ହୋଇଉଠିଲା । ବିନ୍ଦୁ ବିନ୍ଦୁ ରକ୍ତ ଚଟାଣ ଉପରେ ପଡ଼ୁଥିବା ଲକ୍ଷ୍ୟ କରି ଅକ୍ଷୟ–ଅର୍ଚ୍ଚନାକୁ ଜବତ୍ କରିବାକୁ ଗଲାବେଳେ ନର ମାଂସ ଲୋଭୀ ବାଘୁଣୀ ପରି ଅର୍ଚ୍ଚନା ତା’ ଉପରକୁ ଜମ୍ଫ୍ ମାରି କ୍ଷତାକ୍ତ କଲା ଓ ଚିତ୍କାର କଲା–”ଯାଅ, ଚାଲିଯାଅ–ନ ହେଲେ ମୁଁ ପୁଲିସରେ ଯାଇ ଖବର ଦେବି.... ।”

 

ଅର୍ଚ୍ଚନାର ରଣଚଣ୍ଡୀ ରୂପ ଆହୁରି ଭୟଙ୍କର ହେଲା ଓ ସେ କ୍ରମାଗତ ଭାବରେ ତା’ର ଚପଲରେ, କାଠଫାଳିଆରେ ବସନ୍ତ ଓ ଅକ୍ଷୟକୁ ବାଡ଼େଇବାକୁ ଲାଗିଲା । ଆଃ ସାମାନ୍ୟ ଜଣେ ନାରୀର ଅଙ୍ଗରେ ଏତେ ଶକ୍ତି ଥାଇପାରେ....

 

ଚେଷ୍ଟା କରିଥିଲେ ଅବଶ୍ୟ ସେମାନେ ତାକୁ ଧର୍ଷଣ କରି ପାରିଥାନ୍ତେ କିନ୍ତୁ ମଦନିଶା ସେମାନଙ୍କୁ ଏପରି ଭାବରେ ଗ୍ରାସ କରି କ୍ଲୀବ ଓ ଭୟାର୍ତ୍ତ କରିଦେଇଥିଲା ଯେ ଅଚାନକ୍ ଅର୍ଚ୍ଚନାର ଏଇ ସିଂହବାହିନୀ ଅଭିନୟରେ ସେଇ ଦୁଇ ନର ପିଶାଚ–ଅକ୍ଷୟ ଓ ବସନ୍ତ ସହ ଅନ୍ୟ ଦୁଇ ଜଣ ପ୍ରାଣ ବିକଳରେ ବେଡ଼୍‌ରୁମରୁ କେବଳ ନୁହେଁ–ଘରୁ ବାହାରକୁ ଚାଲିଗଲେ ।

 

ନାରୀ ମାଂସଲୋଭୀ ପିଶାଚମାନେ ସେଠୁ ଅନ୍ତର୍ଦ୍ଧାନ ହେଲା ପରେ ଘରର ଭିତରପଟୁ ସବୁ କବାଟ କିଳି ଦେଇ, ଘର ଭିତରର ସମସ୍ତ ଆଲୁଅ ଲିଭାଇ ଦେଲା ଏବଂ ଚଟାଣ ଉପରେ ବସି ପଡ଼ି ଅନେକ ବେଳଯାଏ ଅର୍ଚ୍ଚନା କାନ୍ଦିବାକୁ ଲାଗିଲା ଏବଂ କାନ୍ଦୁ କାନ୍ଦୁ କେତେବେଳେ ଯେ ସେଇ ଚଟାଣ ଉପରେ ଶୋଇ ପଡ଼ିଥିଲା...ସେ ଦିଗରେ ତା’ର ହୋସ୍ ନ ଥିଲା ।

 

ଯେତେବେଳେ ତା’ର ନିଦ ଭାଜିଲା–ସେ ଲକ୍ଷ କଲା ଝର୍କା ସେପଟ ଆକାଶରେ ସୂର୍ଯ୍ୟ ଜଳିବା ଆରମ୍ଭ ହେଲାଣି ଏବଂ ନରମ ସୂର୍ଯ୍ୟାଲୋକ କିଛି ଝର୍କାବାଟେ ଗଳି ଆସି କୋଠରୀ ଭିତରେ ବିଛାଡ଼ି ହୋଇପଡ଼ିଚି । ଚଟାଣ ଉପରୁ ଚଟାପଟ୍ ଉଠି ବାଥ୍ ରୁମ ଭିତରେ ଅର୍ଚ୍ଚନା ପଶିଗଲା ଓ ମୁହଁ ହାତ ଧୋଇ ନେଲା । ଘର ବନ୍ଦ କରି ଚାବିଟିକୁ ଝର୍କା କଣ୍ଟାରେ ଝୁଲାଇ ଦେଇ ବାହାରକୁ ବାହାରି ଆସିଲା । ଦିଗହୀନ ଯାତ୍ରା ପଥରେ ଅଚାନକ ଅର୍ଚ୍ଚନାର ପାଦ ଦୁଇଟି ସ୍ଥିର ହୋଇଗଲା ଚଣ୍ଡି ମନ୍ଦିର ଛକରେ ଓ ମନେ ମନେ ସେ ଭାବିବାକୁ ଲାଗିଲା, ଆଶ୍ଚର୍ଯ୍ୟ ହେଲା–ଏତେ ରାସ୍ତା, ଏତେ ଶୀଘ୍ର ଏକାକିନୀ ଚାଲି ଆସିବାକୁ ପାଦ ଦୁଇଟି ତା’ର କେମିତି ଯେ ଶକ୍ତି ପାଇଲା । ସେ ଚିନ୍ତାକରି ମଧ୍ୟ ପାରିଲା ନାହିଁ ।

 

ନିକଟ ଗୀର୍ଜାରୁ ଘଣ୍ଟାର ଧ୍ଵନି ଭାସି ଆସି...ସମୟ ସକାଳ ସାତଟାର ସୂଚନା ଦେଉଥିଲା । କିଛି ସମୟ ସେଇ ଛକର ଟ୍ରାଫିକ୍ ଷ୍ଟାଣ୍ଡ ଉପରେ ଠିଆ ହୋଇ କେଉଁ ଦିଗରେ ଯିବ ବୋଲି କିଛି ଠିକ୍ କରିପାରୁ ନ ଥିଲା ଅର୍ଚ୍ଚନା ।

 

ତଥାପି ସେ ଅନ୍ୟମନସ୍କ ଭାବରେ ପାଦ ବଜାଇଲା ।

 

ସେ ବେଶ୍ କିଛି ବାଟ ଆଗେଇ ଯାଇଚି କି ନାଇ ଦେଖିଲା ଗୋଟାଏ କାଲି ଗାଈ–ଖୁବ୍‌ ବଡ଼ ବଡ଼ ଦୁଇଟି ଶିଙ୍ଗ–ନଚାଇ–ତା’ଆଡ଼େ ମାଡ଼ି ଆସୁଚି । କିନ୍ତୁ ଗାଈଟି ତାକୁ ଅତିକ୍ରମ କରି ଗୋଟାଏ ପରିବା ଦୋକାନ ସାମନାରେ ଛିଡ଼ା ହେଲା ଏବଂ ଛଞ୍ଚାଣ ପରି ଶାଗ ଗଦା ଉପରେ ମୁହଁ ମାଡ଼ି ଦି’ବିଡ଼ା ଟାଣିନେଲା । କିନ୍ତୁ ହଠାତ୍ ତା’ ପିଠିରେ ଶକ୍ତ ପାହାରଟେ ଗୋଟାଏ ଲମ୍ବା ଲାଠିରେ ଦେଇ ତା’ ମୁହଁରୁ ଶାଗ ବିଡ଼ାଏ ଛଡ଼ାଇ ଆଣି ଦୋକାନୀଟି ତାକୁ ବହୁତ ଦୂର ଯାଏ ତଡ଼ି ଦେଲା ।

 

ଗୋଟିଏ ମୁହୂର୍ତ୍ତ ଭିତରେ କେତେ କଥା ଘଟିଗଲା !

 

–“ଦେଖ ହୋ, ଓଲେଇ ଗାଈଟିର କି’ ପାଲା ଲାଗିଚି ପ୍ରତିଦିନ ।” ପରିବା ଦୋକାନୀଟି ପାଖ ପଡ଼ିଶା ମିଠେଇ ଦୋନାନୀଟିକୁ କହିଲା–ଯିଏ ସକାଳୁ ଗୋଟେ ବଡ଼ କଡ଼େଇରେ କିଛି ଜିଲିପି ଛାଣୁଥିଲା ।

 

–“ସତେ ହୋ ଶାଳୀ ଉଦଣ୍ଡୀକୁ ଗୋରୁ ଖୁଆଡ଼ରେ ପୂରେଇ ଦେବା ଉଚିତ । ସେୟା କଲେ ହିଁ ଯାଇ ଇଏ ଆଉ ଏମିତି ବାରବୁଲି–ଉଦଣ୍ଡୀ ହୋଇ ୟାଡ଼େ ସ୍ୟାଡ଼େ ୟା’ ତା’ ଦୋକାନ ବାଡ଼ିରେ ମୁହଁ ମାଡ଼ିବନି । ଠିକଣା ବାଟକୁ ଚାଲିଆସିବ ।’

 

ଗାଈଟିର କାର୍ଯ୍ୟକଳାପ ଅର୍ଚ୍ଚନା ଦେଖୁଥିଲା ଓ ସେଇ ପ୍ରତିବେଶୀ ଦୋକାନୀ ଦୁଇ ଜଣଙ୍କ ବାର୍ତ୍ତାଳାପ ଶୁଣୁଥିଲା ।

 

ହଁ, ଗାଈଟିର ବେକରେ ଗୋଟାଏ ଲମ୍ବା ଦଉଡ଼ି ଏବଂ ଦଉଡ଼ିର ଶେଷ ମୁଣ୍ଡକୁ ଗୋଟାଏ କାଠ ଖୁଣ୍ଟ ମଧ୍ୟ ଅଛି ଯାହାକୁ ଗସ୍ତାରେ ଘୋଷାରି ଘୋଷାରି ଗାଈଟି ଦୌଡ଼ୁଛି । ଗାଈଟି ବୋଧେ ତା’ ମାଲିକର ଗୁହାଳ ଘରୁ ଖୁଣ୍ଟ ଉପାଡ଼ି‌ ପଳେଇ ଆସିଚି । ଗାଈଟିକୁ ନିରୀକ୍ଷଣ କରୁ କରୁ ନିଜ ଅଜାଣତରେ ଅର୍ଚ୍ଚନାର ଆଖିରେ ବହିଗଲ ଅଶ୍ରୁନଦୀର ବନ୍ୟା । ପଣତ କାନିରେ ମୁହଁ ଲୁଚାଇ ନେଇ ଲୁହକୁ ଅର୍ଚ୍ଚନା ପୋଛି ନେଲା । ମନରେ ଭୟ ହେଉଥାଏ–ରାସ୍ତାରେ ଯାତାୟତ କରୁଥିବା କେହି ମଣିଷ ତାକୁ ନିରୀକ୍ଷଣ କରୁ ନାହାନ୍ତି ତ ।

 

ଭ୍ୟାନିଟ୍‌ ବ୍ୟାଗରୁ ଖଣ୍ଡିଏ ଦଶ ଟଙ୍କିଆ ନୋଟ ବାହାର କରି ମିଠେଇ ଦୋକାନ ଭିତରେ ପଶି ଅର୍ଚ୍ଚନା ଦୋକାନୀ ମାଲିକକୁ କହିଲା–“ଗୋଟେ କିଲୋ ଜିଲାପି ଦେବ ତ ।”

 

ଗୋଟାଏ ଫିକା ହସର ଢେଉ ତା’ ମୁହଁରେ ଖେଳିଗଲା ଦୋକାନରୁ ବାହାରି ଆସିଲାବେଳେ । ଆକ୍ଷିରୁ ଲୁହ ପୋଛି, ବଜାର ଛକରେ ଗୋଟାଏ ରିକ୍‌ସାରେ ଚଢ଼ି–ରିକ୍‌ସାବାଲାକୁ ଆଦେଶ ଦେଲା–’’ଚାଲ୍,, ଏଇ ସିଧା ରାସ୍ତାରେ ଚାଲ୍‌–କ୍ୟାଣ୍ଟନ୍‌ମେଣ୍ଟ ରୋଡ଼ ।”

 

ରଚନାକାଳ: ଏପ୍ରିଲ୍ ୧୯୭୫ ଏବଂ ପ୍ରଥମ ପ୍ରକାଶ ‘ବର୍ଷା’ (ପୂଜା ସଂଖ୍ୟା ୧୮୭୮) (କୃତଜ୍ଞତା ଜ୍ଞାପନ–ଜୟ ରତନ୍)

Image

 

Unknown

ବାଟବଣା ନଈ ଓ ସମୁଦ୍ର

 

ସବୁ ଜନ୍ମ ଜନ୍ମର ଫଳ.....

 

ଭାଗ୍ୟରେ ନଥିଲେ ଏପରି ସମ୍ମାନ...କେତେ ଜଣଙ୍କ ଜୀବନରେ ଘଟେ ? ଏ ରାଜ୍ୟରେ ଏମିତି କେତେ ଜଣ ବା ନାରୀ ଅଛନ୍ତି…ଏପରି ସୌଭାଗ୍ୟର ଅଧିକାରିଣୀ ହେବାରେ ?

 

ବାଉଳା ପବନ ମାଡ଼ରେ ଛାତି ଉପରୁ ବାରଂବାର ଖସି ପଡ଼ୁଥିବା ଶାଢ଼ୀକୁ ସଜାଡ଼ି ମିସେସ୍ ଅଳକା ଚୌଧୁରୀ ମନେ ମନେ ଉନ୍ମାଦିତ ହୋଇଉଠୁଥିଲେ । ସତେ ଯେମିତି ସେ’ତ କାର୍‌ରେ ଯାତ୍ରା କରୁ ନାହାନ୍ତି...ପକ୍ଷୀରାଜ ଘୋଡ଼ାରେ ଚଢ଼ି କେଉଁ ଏକ ରୂପକଥାର ରାଜକନ୍ୟା ‘ପରି’ ମେଘମୁକ୍ତ ନୀଳ ଆକାଶରେ ଉଡ଼ି ବୁଲୁଛନ୍ତି–ଯେଉଁ ଆକାଶର ସାମ୍ରାଜ୍ୟଟା ଉନ୍ମାଦମୟ ବୈଭବ, ସ୍ତବଗାନ ଓ ଅପୂର୍ବ ପ୍ରଶାନ୍ତିର ବାୟୁମଣ୍ଡଳରେ ସୁରଭିତ…

 

ଅଙ୍ଗଲତାର ପ୍ରତିଟି ରକ୍ତକଣିକା ଆହ୍ଲାଦରେ ତରଙ୍ଗାୟିତ । ଗୋଟେ କଳା ରିବନ୍ ପରି ସର୍ପିଳ ଗତିରେ ମାଡ଼ିଯାଇଥିବା ପିଚୁରାସ୍ତା ଉପରେ ଗଜହଂସ, ପରି ନାଚି ନାଚି ଦୌଡ଼ୁଥିବା କାରକୁ ନିଜେ ଡ୍ରାଇଭ୍ କରୁଥିଲେ ମିସେସ ଚୌଧୁରୀ । ଓଠରେ ଷ୍ଟେଟ୍ ଏକସ୍‌ପ୍ରେସ୍ ଜଳୁଛି ।

 

‘ଆନ୍ତର୍ଜାତିକ ମହିଳା ସଂବତ୍ସର’ ଅବସରରେ ଅନୁଷ୍ଠିତ ‘ଶିଶୁ ବିକାଶରେ ଆଜିର ସମସ୍ୟା ଓ ସମାଧାନ ଏବଂ ତହିଁରେ ନାରୀ ଜାତିର ଭୂମିକା’ ସାଧାରଣ ସଭାର ପରିସମାପ୍ତିପରେ ମିଃ ଚକ୍ରବର୍ତ୍ତୀ ଏଇ ବିଦେଶୀ ସିଗାରେଟ୍ ଖଣ୍ଡିକ ଆଗ୍ରହରେ ଯେତେବେଳେ ବତାଇ ଦେଲେ...ଏଇ ପ୍ରୀତି ଉପହାରଟିକୁ ମିସେସ୍ ଚୌଧୁରୀ କେମିତି ବା ଅସ୍ଵୀକାର କରିପାରିଥାନ୍ତେ !

 

ସାଧାରଣ ସଭାରେ ଅଧ୍ୟକ୍ଷତା କରିଥିଲେ ସ୍ୱଂୟ ଶିକ୍ଷା ଓ ସାଂସ୍କୃତିକ ବିଭାଗମନ୍ତ୍ରୀ ମିଃ ଚକ୍ରବର୍ତ୍ତୀ ଏବଂ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ ଲାବଣ୍ୟବତୀ...ସୁନ୍ଦରୀ ନାରୀନେତ୍ରୀ ଶ୍ରୀମତୀ ଅଳକା ଚୌଧୁରୀ

 

ଶ୍ରୀମତୀ ଚୌଧୁରୀଙ୍କ ଭାଷଣ ଆରମ୍ଭ ପୂର୍ବରୁ ସାଧାରଣ ସଭାର ଉଦ୍ୟୋକ୍ତା ଡକ୍ଟର ଅପର୍ଣ୍ଣା ରାୟ ମୁଖ୍ୟ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ ଏପରି ଭାବରେ...‘‘ଶ୍ରୀମତୀ ଅଳକା ଚୌଧୁରୀ ଆମ ରାଜ୍ୟର ଜଣେ ପ୍ରଖ୍ୟାତ ସମାଜ ସେବିକା । ତାଙ୍କ ସ୍ଵାମୀ ଜଣେ ବିଖ୍ୟାତ ବ୍ୟବସାୟୀ । ଶ୍ରୀମତୀ ଚୌଧୁରୀ । ଜମିଦାର ପ୍ରାସାଦର କନ୍ୟା ଏବଂ ସମ୍ଭ୍ରାନ୍ତ ପରିବାରର କୂଳବଧୂ-। ଦୁଇଟି ସନ୍ତାନର ଜନନୀ ଶ୍ରୀମତୀ ଚୌଧୁରୀ ଯେପରି ଜଣେ ଆଦର୍ଶ ଗୃହିଣୀ, ସେହିପରି...ସମାଜ ସେବା, ଶିଶୁ ବିକାଶ ଓ ନାରୀମୁକ୍ତି ଆନ୍ଦୋଳନର ଜଣେ ସଫଳ ଅଗ୍ରଣୀ ମହିଳା । ଜଣେ ସଫଳ ଗୃହିଣୀ ଓ କର୍ମଠ ସମାଜ ସେବିକାର ଭୂମିକାରେ ଶ୍ରୀମତୀ ଚୌଧୁରୀ ଯେଉଁ ଅଦ୍ୱିତୀୟ ସମନ୍ୱୟ ରକ୍ଷା କରି ପାରିଛନ୍ତି–ତାହା ଆମ ନାରୀସମାଜ ପକ୍ଷରେ ଗର୍ବ ଓ ଗୌରବର କଥା । ଶ୍ରୀମତୀ ଚୌଧୁରୀ ଉଚ୍ଚ ଶିକ୍ଷିତା...‘ସମାଜ ମଙ୍ଗଳ’ ଓ ‘ମନୋବିଜ୍ଞାନ’ରେ ଡିଗ୍ରୀ ଧାରିଣୀ । ଡବଲ ଏମ. ଏ । ଆପଣମାନଙ୍କ ସମ୍ମୁଖରେ ଉଦ୍‌ଭାସିତା...ଶ୍ରୀମତୀ ଚୌଧୁରୀ ଏପରି ଜଣେ ନାରୀ–ଯିଏ ନାରୀତ୍ଵର ଏକ ନୂତନ ମାପଦଣ୍ଡ ସ୍ଥାପିତ କରିପାରିଛନ୍ତି । ଆଜିର ଶିଶୁ ଏବଂ ଆସନ୍ତା କାଲିର ନାଗରିକ–ପୁରୁଷ ଜାତିର ଜନନୀ ଭଗିନୀ–ଜାୟା ରୂପେ ଅନେକ ଦାୟିତ୍ଵର ସଂପାଦନାକାରିଣୀ ନାରୀ ଜାତିର ଉତ୍‌ଥାନ ପାଇଁ ଭରି ରହିଚି ତାଙ୍କ ଆଖିରେ ଅନେକ ସ୍ଵପ୍ନ ଏବଂ ଓଠରୁ ଝରି ଆସୁଚି ସଫଳ ସୁଖୀ ବୈବାହିକ ଜୀବନରୁ ଜାତ ମଧୁର ସ୍ମିତ ହସର ତରଙ୍ଗ...”

 

ଏପରି ଜୋରଦାର ନିନ୍ଦା ପ୍ରଶଂସା ଶୁଣି ଶ୍ରୀମତୀ ଚୌଧୁରୀ ମନେ ମନେ ଗଦ୍‍ଗଦ୍ ହୋଇ ପଡ଼ିଥିଲେ । ପରିଚୟ ପ୍ରଦାନ ପର୍ବରେ ସ୍ୱୟଂ ଶିକ୍ଷା, ସଂସ୍କୃତି ଓ ସମାଜ କଲ୍ୟାଣ ମନ୍ତ୍ରୀ ମିଃ ଚକ୍ରବର୍ତ୍ତୀ ମଧ୍ୟ ସମବେତ ଶ୍ରୋତା ମଣ୍ଡଳୀ ସହିତ କରତାଳି ମାରିଥିଲେ । ଶିଷ୍ଟ ଓ ବିଶିଷ୍ଟ ତଦ୍‌ବିଦ ମଣ୍ଡଳୀରେ ଏପରି ତାଳିମାଡ଼ର ମଧୁର ଝକାର ଶ୍ରୀମତୀ ଚୌଧୁରୀଙ୍କୁ କେତେ ପ୍ରେରଣା ଯୋଗାଇ ନଥିଲ ସତେ…

 

ଶ୍ରୀମତୀ ଚୌଧୁରୀ ମଧ୍ୟ ମନ୍ଦିରକୁ ମୁଖଶାଳା ବଳିପଡ଼ିଲାପରି ଗୋଟାଏ ଜବରଦସ୍ତ ଭାଷଣ ଦେଇ ଶ୍ରୋତାମଣ୍ଡଳୀକୁ ମନ୍ତ୍ରମୁଗ୍ଧ କରି ପକେଇଥିଲେ । ବକ୍ତବ୍ୟର ଅନ୍ତିମପର୍ବରେ ନାରୀଜାତିକୁ ଆହ୍ଵାନ ଦେଇ କହିଥିଲେ...‘‘ନାରୀ ଆଜି ଆଉ ରୋଷେଇଶାଳାର ପୋଇଲାଣୀ ନୁହେଁ ବା ପୁରୁଷ ଜାତି ପାଇଁ ମଧ୍ୟରାତ୍ରିର ମାଂସ କଣ୍ଢେଇ ନୁହେଁ । ନାରୀ ଯୁଗେ ଯୁଗେ ଦେବୀ । ସେ ସୃଜନୀ…ଏବଂ ଆପଣାର କଳାତ୍ମକ ପ୍ରତିଭା ବଳରେ ଏଇ ମଣିଷ ସମାଜର ନିର୍ମାଣରେ ତାର ଅବଦାନ କିଛି କମ୍ ନୁହେଁ । ଯେ କୌଣସି ବିଶ୍ଵବିଖ୍ୟାତ ପୁରୁଷ ପାଇଁ ପ୍ରେରଣାର ଉତ୍ସ ଭାବରେ ରହିଚି ଜଣେ ନାରୀ ଆଉ ଯେ କୌଣସି ସାଧୁ ସନ୍ଥ ବା ରାଷ୍ଟ୍ରନିର୍ମାତାର ଜନ୍ମଦାତ୍ରୀ ନିଶ୍ଚୟ ଜଣେ ନାରୀ...”

 

ଓଃ...କି ଅସମ୍ଭବ ତାଳିମାଡ଼ !

 

ତିନିହଜାର ଶ୍ରୋତାଙ୍କ ପାଇଁ ଉଦ୍ଦିଷ୍ଟ ଏୟାର୍‍କୁଲଡ଼୍ ଅଡ଼ିଟୋରିଏମ୍‌ଟା ଅନେକ ବେଳଯାଏଁ ତାଳିମାଡ଼ର ଅପୂର୍ବ ଝଙ୍କାରରେ ଗୁଞ୍ଜରିତ ହୋଇଉଠିଥିଲା । ଅସଂଖ୍ୟ ଫ୍ଲାସ୍‌କ୍ୟାମେରା ବିଜୁଳିପରି ଚମକି ଉଠୁଥିଲେ । ପ୍ରେସ୍‌ବାଲାଏ ଅତି ଆଗ୍ରହର ସହିତ ନିଉସନୋଟ୍ କରିଯାଉଥିଲେ ଆସନ୍ତା କାଲିର ସଂବାଦ ପତ୍ରର ପୃଷ୍ଠା ମଣ୍ଡନ କରିବା ପାଇଁ...

 

ଶିକ୍ଷା, ସଂସ୍କୃତି ଓ ସମାଜ କଲ୍ୟାଣମନ୍ତ୍ରୀ ଚାଲିଗଲାପରେ ଶ୍ରୀମତୀ ଚୌଧୁରୀ ହାତଘଡ଼ିକୁ ଚାହିଁଲେ । ସାଢ଼େ ଆଠଟା । ମଞ୍ଚରୁ ବିଦାୟ ନେଇ ନିଜର କାର୍ ଆଡ଼କୁ ଅଗ୍ରସର ହେଲାବେଳେ କେତେକ ମନ୍ତ୍ରମୁଗ୍‌ଧ ଶ୍ରୋତା ଓ ପ୍ରଶଂସକ ତାଙ୍କୁ ବାହାରେ ଘେରିଗଲେ । ଶ୍ରୀମତୀ ଅର୍ଚ୍ଚନାସେନ୍‌ ତ ତାଙ୍କୁ କାର୍ ଯାଏଁ ବିଦାୟ ଦେବାକୁ ଆସିଥିଲେ । ଶ୍ରୀମତୀ ସେନ୍ ଶିକ୍ଷାମନ୍ତ୍ରୀଙ୍କ ଅତି ପାଖଲୋକ । ମଧୁର ସଂପର୍କରେ...ନିକଟ ସଂପର୍କୀୟା ଶାଳୀ । କଥା ନହସରେ ସେ କହି ପକେଇଲେ...‘‘ଅଳି ଅପା, ତମର ଯଦି ? ଏମିତି ପରଫୋର୍ମେସ୍ ରହେ ତ ଦେଖିବ ଦିନେ ନା ଦିନେ ତୁମକୁ ନିଶ୍ଚୟ ରାଜ୍ୟ ସଭାପାଇଁ, ଟିକେଟ୍ ମିଳିଯିବ । ଥରେ ଯଦି ତମେ ପାର୍ଲାମେଣ୍ଟ ହାଉସରେ ପାଦ ଥୋଇଲ କେତୁଟାଦିନ ଭିତରେ ଚୁଟ୍‌କିମାରି ମନ୍ତ୍ରୀତ୍ୱ ହାସଲ କରିନେବ !”

 

ଏ କଥା ଆଉ କିଏ କହିଥିଲେ, ଅଳକାଦେବୀ ଏଇ କଥାକୁ ହସରେ ଉଡ଼େଇ ଦେଇଥାନ୍ତେ ବା ଶିରି ଦେଖିପାରୁନିଥିବା ଉଦଣ୍ଡୀଙ୍କ ବିଦ୍ରୁପ ବୋଲି ମନେ ମନେ କ୍ରୋଧରେ ଜଳି ଉଠନ୍ତେ କିନ୍ତୁ…ଅର୍ଚ୍ଚନା ସେନ୍‌ର କଥାକୁ ଅସ୍ୱୀକାର କରା ଯାଇପାରେନା । ଅର୍ଚ୍ଚନାର ଏହା ‘ଦାୟିତ୍ଵହୀନ ମନ୍ତବ୍ୟ ନୁହେଁ ବା ମିଛ ସାଂତ୍ୱନା ନୁହେଁ–ଜଣେ ସମାଜ ସେବିକାର ଆଗାମୀ କାଳ ପ୍ରତି ଅନୁଧ୍ୟାନ ! ଆଜିର ଯେ କୌଣସି ସମାଜ ସେବିକାର ପୂଣ୍ୟତୀର୍ଥତ ହେଉଛି–ମନ୍ତ୍ରୀପଦ ପ୍ରାପ୍ତି-। ସେଇ ଦାୟିତ୍ଵ ପାଇଁ ତ ମୁଁ ନିଶ୍ଚିତ ଭାବେ ଯୋଗ୍ୟ ବୋଲି ପ୍ରମାଣିତ ହୋଇ ସାରିଛି...ମନେ ମନେ ଉଲ୍ଲସିତ...ଉଦ୍‌ବୁଦ୍ଧ ହୋଇ ଉଠୁଥିଲେ ଶ୍ରୀମତୀ ଅଳକା ଚୌଧୁରୀ !

 

ଭୁବନେଶ୍ଵରରୁ କଟକ କେତେବା ବାଟ ?

 

ସପନ ରାଇଏରେ ଘୂରି ଘୂରି କେତେବେଳେ ଯେ ପୋଟିକୋ ତଳେ ଚୌଧୁରୀ ପରିବାରର ସଦ୍ୟ ନୀତ ଆମ୍ବାସାଡ଼ାରଟା ପାର୍କକଲା, ଗାଡ଼ି ନିଜେ ଡ୍ରାଇଭ୍ କରି ମଧ୍ୟ, ଜାଣିପାରିନଥିଲେ ଅଳକା ଚୌଧୁରୀ । ଘରେ ପହଞ୍ଚିବାପରେ ଶ୍ରୀମତୀ ଚୌଧୁରୀ ସାଙ୍ଗେ ସାଙ୍ଗେ ସମାଜ ସେବିକାର ମୁଖା ଉତାରି ଦେଇ ଗୃହିଣୀ ପାଲଟିବାରେ ଲାଗିଗଲେ ।

 

ଅପରାହ୍ନର ପଡ଼ନ୍ତବେଳାରେ ଅଳକା ଦେବୀ ଫଙ୍କସନ୍‌ ଉଦ୍ଦେଶ୍ୟରେ ଯାତ୍ରା ଆରମ୍ଭ କଲାବେଳେ ମଥାଟା କେମିତି ଭାରି ଭାରି ଲାଗି ଯନ୍ତ୍ରଣାଦାୟକ ମନେ ହେଉଥିଲା...ଏବେ କିନ୍ତୁ ଫଙ୍କସନ୍‌ରୁ ଫେରିଲା ପରଠୁ ସେଇ ଯନ୍ତ୍ରଣା କାହିଁ କୁଆଡ଼େ ଉଭେଇ ଗଲଣି...ତାର ଚିହ୍ନବର୍ଣ୍ଣ ସୁଦ୍ଧା ନାଇଁ ବରଂ ଛାଇ ଯାଇଚି–କୋଣେ–ପ୍ରତିକୋଣେ ଆହ୍ଲାଦମୟ ଉନ୍ମାଦନା...

 

ତରବରରେ ଫକଂସନକୁ ଗଲାବେବେଳେ ଘରେ ଚାକରାଣୀଟିକୁ ଛାଡ଼ିଦେଲେ ଆଉ କେହି ନଥିଲେ । ଅପରାହ୍ନର ଫ୍ଲାଇଟ୍‌ରେ ମିଃ ଚୌଧୁରୀ ନିଜ ବ୍ୟବସାୟ ସଂକ୍ରାନ୍ତରେ ଦିଲ୍ଲୀ ଯିବାର ଥିଲା । ବର୍ତ୍ତମାନ ଯେତେଦୂର ସମ୍ଭବ କଲିକତାରୁ ଫ୍ଲାଇଟ୍ ଚେଞ୍ଜକରି ସେ ଦିଲ୍ଲୀରେ ପହଞ୍ଚି ସାରିବେଣି ! ପଦ୍ମାତ କଲେଜରୁ ଫେରିନଥିଲା ଓ କମଳ ତାର ସାଙ୍ଗମାନଙ୍କ ସହିତ ବୋଧେ କ୍ରିକେଟ୍ ପ୍ରାକ୍‌ଟିସ କରିବାକୁ ଷ୍ଟାଡ଼ିଏମକୁ ଚାଲି ଯାଇଥିଲା ।

 

କାରରୁ ଓହ୍ଲାଇ ଚଟାଣ ଉପରେ ପାଦ ଦେଲାକ୍ଷଣି ଅଚାନକ୍ କେଉଁ ଏକ ଭାବନାରେ ଚମକି ଉଠିଲେ ଅଳକା ଦେବୀ । ଆରେ ହଁ, ତ...ଗୋଟିଏ ଘରେ ପୁତ୍ରକନ୍ୟା ସ୍ୱାମୀଙ୍କ ସହିତ ଦିନ ଯାପନ କରି ମଧ୍ୟ ସେ ଏତେ ବ୍ୟସ୍ତ ଯେ ସ୍ଵାମୀ ପ୍ରଣବ ଓ ଦୁଇ ଛୁଆଙ୍କ ସହିତ ଦୁଇଦିନ ଧରି ଭେଟ ବି ହୋଇନାଇଁ । ରାତିରେ ଅବଶ୍ୟ ପଲଙ୍କ ଉପରେ ତାଙ୍କ ନିଦ୍ରାଗ୍ରସ୍ତ ଶରୀର ପାଖରେ ପ୍ରଣବ ନିଜର ନିଶାଗ୍ରସ୍ତ ଚର୍ବିବହୁଳ ଦେହଟାକୁ ଭେଟାଇ ଦିଅନ୍ତି କିନ୍ତୁ ବାର୍ତ୍ତାଳାପ ପାଇଁ ସୁଯୋଗ ମିଳିନାଇଁ ଦି’ତିନି–ଦିନଧରି । ପୁଣି ସକାଳୁ ଉଠିଲାକ୍ଷଣି ଅଳକାଦେବୀ ଛୁଟି ଚାଲନ୍ତି ନିଜର ସମାଜ ସେବା କାର୍ଯ୍ୟରେ ଆଉ ପ୍ରଣବ ଚୌଧୁରୀ ନିଜର ବ୍ୟବସାୟରେ । ଦୁଇ ସନ୍ତାନଙ୍କର ତ ନିଜ ନିଜର ସ୍ୱତନ୍ତ୍ର ପୃଥିବୀ...କଲେଜ, ସାଥୀ ସହୋଦର ଏବଂ ପାଠପଢ଼ା ।

 

ମୋଜାଇକ୍ ସିଡ଼ି ଉପରେ ପାଦ ବଢ଼ାଇଲେ ଅଳକା ଦେବୀ । ହାତ ଘଣ୍ଟାରେ ଦଶ ବାଜିଲାଣି । ବାହାରେ ବହଳ ଅନ୍ଧାରର ରାତି । ପାହାଚ ପରେ ପାହାଚ ଅତିକ୍ରମ କରି ଉପର ମହଲାରେ ପହଞ୍ଚିଲାକ୍ଷଣି ଅଳକା ଦେବୀ ଲକ୍ଷ୍ୟ କଲେ...ପ୍ରଣବଙ୍କ କୋଠରୀରେ ଆଲୁଅ ଜଳୁଚି, ଓ ସେ କାହାକୁ କେଜାଣି କାହିଁକି ଖୁବ୍ ଯୋର୍ ରେ ଭର୍ତ୍ସନା କରୁଛନ୍ତି...

 

ତେବେ ପ୍ରଣବ କ’ଣ ଦିଲ୍ଲୀ ଯାଇନାହାନ୍ତି ? କାହା ଉପରେ କ୍ରୋଧାନ୍ୱିତ ହେଇ ସେ ଏମିତି ଭର୍ତ୍ସନା କରୁଛନ୍ତି ? ଇଏତ ଅତି ବିଚିତ୍ର...ଅପ୍ରତ୍ୟାଶିତ କଥା । ଧୀର ସ୍ଥିର ସଦା ଗମ୍ଭୀର ପ୍ରଣବ କେବେହେଲେ କାହାରିକୁ କଡ଼ା ଗଳାରେ ଭର୍ତ୍ସନା କରିବା ସେ ଆଜିଯାଏଁ ଶୁଣି ନାହାନ୍ତି । ଏପରିକି କୌଣସି ଚାକର ବାକରଙ୍କୁ ମଧ୍ୟ । ତେବେ ଆଜି ଘରଟା ଭିତରେ ଏମିତି କି’ ଗୋଟାଏ କାଣ୍ଡ ଘଟିଯାଇଚି ? ମନେ ମନେ ଆତଙ୍କିତ ହୋଇଉଠିଲେ ଅଳକା ଦେବୀ ଓ ଧୀରେ ଧୀରେ ପାଦ ବଢ଼ାଇଲେ ପ୍ରଣବଙ୍କ କୋଠରୀ ଆଡ଼କୁ । ନିଶ୍ଚୟ କିଛି ଗୋଟେ ଅଘଟଣ ଘଟିଯାଇଚି ଘର ଭିତରେ । ହଠାତ୍ ପ୍ରଣବ କୋଠରୀ ଭିତରେ କାହାକୁ ଭର୍ତ୍ସନା କରି ଗର୍ଜନ କରୁଛନ୍ତି...‘‘ଚଣ୍ଡାଳ ମିଛ ପୁଣି କହୁଛୁ ମତେ, ତତେ ଲାଜ ମାଡ଼ୁନି ? ସତ କହ, ଏ ଘରୁ ତୁ ନଚେତ୍ ମୁଁ ସବୁଦିନ ପାଇଁ ବିଦାୟ ନେବାକୁ ପଡ଼ିବ !”

 

ପ୍ରଣବଙ୍କ ଗର୍ଜନ ତର୍ଜନ ସହ ଆଉ କେଉଁ ଏକ ବିକଳ କଣ୍ଠସ୍ୱର ଓ କିଏ ଜଣେ ସୋଫା ଉପରେ କଚାଡ଼ି ହୋଇ ପଡ଼ିବାର ଶବ୍ଦ । ଘରଟା ଭିତରେ ଏ’କି ପାଲା ଲାଗିଛି ?

 

ଅସ୍ଥିର ହୃଦୟ ଓ ଧୀର ପଦକ୍ଷେପରେ ଅଳକାଦେବୀ ରୁଦ୍ଧ ଦରଜା ଠେଲି ଦେଲାପରେ କୋଠରୀ ଭିତରେ ଯେଉଁ ଦୃଶ୍ୟ ଦେଖିଲେ ସେଥିରେ ଚମକି ପଡ଼ି ସେ ସ୍ତବଧ...ବିବ୍ରତ ହୋଇଉଠିଲେ ।

 

ପ୍ରଣବ କ୍ରୋଧରେ ଥର ଥର ହୋଇ କମ୍ପୁଛନ୍ତି । ସ୍ୱାମୀଙ୍କ ରୁଦ୍ର ରୂପ ଦେଖି ଅଳକା ଦେବୀ ଅବାକ୍ ହୋଇଗଲେ । ସୋଫା ଉପରକୁ ଝୁଙ୍କିପଡ଼ି ସେ ହାତ ଉଠାଇ ଠିଆ ହୋଇଛନ୍ତି ଏବଂ ସୋଫା ଉପରେ ବସିଛି ତାଙ୍କର ଏକମାତ୍ର...ସତର ବର୍ଷୀୟପୁତ୍ର କମଳ । ବିଚାରା ଆତ୍ମରକ୍ଷା ପାଇଁ ଦୁଇ ହାତରେ ମୁହଁ ଲୁଚାଇ ନେଇଛି । ଏବଂ ବାପାଙ୍କ ଆଖିବୁଜା ମାଡ଼ରେ ତାର ଓଠ ଓ କାନରୁ ରକ୍ତ ଝରୁଚି ।

 

ଏପରି ବିଚିତ୍ର କରୁଣ ଦୃଶ୍ୟ ଦେଖି ଅଳକା ଦେବୀଙ୍କ ସମସ୍ତ ଗର୍ବ ଓ ଆହ୍ଲାଦ କ୍ଷଣିକ ଭିତରେ କାହିଁ କୁଆଡ଼େ ମିଳେଇଗଲା । ତୀବ୍ର ଗତିରେ ଦୌଡ଼ିଯାଇ ସେ ପ୍ରଣବଙ୍କ ପାଖରେ ପହଞ୍ଚିଗଲେ ଓ ତାଙ୍କର ଡେଣାଧରି ପଛକୁ ଟାଣି ଆଣି ପଚାରିଲେ–‘‘ଏସବୁ କ’ଣ ଚାଲିଚି, କଥା କ’ଣ ?”

 

–“ମୋତେ ସେକଥା ପଚାରିବା ପୂର୍ବରୁ ତୁମର ଏଇ କୁଲାଗାଁର ପୁତ୍ରକୁ ପଚାର !’’ ପ୍ରଣବାନନ୍ଦ ଚୌଧୁରୀ ଗର୍ଜି ଉଠିଲେ ।

 

–“ମୋ ଧନ କମଳ...କ’ଣ ହେଲା, ତୁ କ’ଣ କରିଛୁ ?” ସୋଫା ଉପରେ ବସିପଡ଼ି ଅଳକା ଦେବୀ କମଳକୁ କୋଳକୁ ଟାଣି ଆଣିଲେ ।

 

କମଳ କିଛି କହିଲା ନାଇଁ । କେବଳ ମା’ କୋଳରେ ମୁହଁ ଗୁଞ୍ଜି କଇଁ କଇଁ ହୋଇ କାନ୍ଦିବାକୁ ଲାଗିଲା ।

 

–“କ’ଣ ହେଲା, ଅନ୍ତତଃ ମତେ ବି କହିବୁ–ନାଇଁ କମଳ ?” ଅଳକାଦେବୀ ଅଧୀର ଭାବରେ ପୁଅର ମୁଣ୍ଡବାଳ ଆଉଁସି ଦେଉ ଦେଉ ପୁଣି ପଚାରିଲେ ।

 

ତଥାପି କମଳ ନିରୁତ୍ତର...ଖାଲି ଯାହା କଇଁ କଇଁ ହୋଇ କାନ୍ଦୁଥାଏ ।

 

–“କ’ଣ ବା ସିଏ ଉତ୍ତର ଦେବ ? କୁଳାଙ୍ଗାର ଆମର ଇଜ୍ଜତ ମହତ ମାଟିରେ ମିଶେଇ ଦେଇଚି । ଆସନ୍ତାକାଲିର ଖବର କାଗଜରେ... । ଓଃ ଗଡ଼୍ । ମୁଁ କେମିତି ଯେ ବାହାରେ ମୁହଁ ଦେଖାଇବି !” ପ୍ରଣବାନନ୍ଦଙ୍କ କ୍ରୋଧାନ୍ୱିତ କଣ୍ଠସ୍ୱର କ୍ରମଶଃ କରୁଣ ହୋଇ ଉଠୁଥିଲ ।

 

–“କିନ୍ତୁ କଥା କ’ଣ ?” ଅଳକା ଦେବୀଙ୍କ ଧୈର୍ଯ୍ୟର ସେତୁବନ୍ଧ ଭୁଷୁଡ଼ି ପଡ଼ୁଥିଲା ।

 

–“ତୁମର ଏଇ ସୁପୁତ୍ର ଚୋରି ମାମଲାରେ ସଂପୃକ୍ତ । ପୁତ୍ରମଣି ତାଙ୍କର ଦୁଇଜଣ ସାଥୀଙ୍କ ସହିତ କାର୍ ଚୋରି କରି ଭ୍ରମଣ କରୁଥିଲା ବେଳେ ପୁଲିସ୍ ହାତରେ ଧରାପଡ଼ିଛନ୍ତି ଓ ବର୍ତ୍ତମାନ...”

 

–“ଓଃ...ହେ ଭଗବାନ !” ଅଳକା ଦେବୀ ନିଜ କାନକୁ ମଧ୍ୟ ବିଶ୍ୱାସ କରି ପାରିଲେନି ।

 

–“ଏଥିପାଇଁ ମତେ ମୋର ଦିଲ୍ଲୀ ଯାତ୍ରା ବାତିଲ୍‌ କରିବାକୁ ପଡ଼ିଲା । ଭାଗ୍ୟଭଲ, ଏରୋଡ଼୍ରମ୍‌କୁ ବାହାରିବାକୁ ଦଶମିନିଟ୍ ପୂର୍ବରୁ ଫୋନଯୋଗେ ଖବର ଆସିଲା...ଆମର ଏଇ କୂଳରତ୍ନ ପୁଲିସ୍‌ ଫାଣ୍ଡିରେ ଅଛନ୍ତି । ମୁଁ ସାଙ୍ଗେ ସାଙ୍ଗେ ଦୌଡ଼ିଯାଇ ଜାମିନ୍‌ରେ ଖଲାସ କରି ଆଣିଲି । ନହେଲେ ମୁଁ ଦିଲ୍ଲୀରେ ଆଉ ତୁମେ ତୁମର ଭାଷଣ କାର୍ଯ୍ୟରେ ବ୍ୟସ୍ତ ଥିଲାବେଳେ–ଆମ ପୁତ୍ରମଣି ରହିଥାନ୍ତେ ସାରାରାତି ପୁଲିସ ଫାଣ୍ଡିରେ...

 

ଅଳକାଦେବୀଙ୍କ ଅନ୍ତର ଭିତରଟା ଆତ୍ମଗ୍ଲାନି ଓ କ୍ରୋଧରେ ଜଳି ଉଠୁଥିଲା । ମାତୃ ସୁଲଭ ମାୟାମମତା ନ ଦେଖାଇ କମଳର ଦୁଇବାହୁକୁ ଭିଡ଼ିଧରି ପ୍ରଶ୍ନ–କଲେ ଚଢ଼ା ଗଳାରେ–‘‘ଏ କଥା କ’ଣ ସତ୍ୟ ?”

 

–“ଆମେ ଚୋରି କରୁ ନାହୁଁ ।”

 

–“ପୁଣି ମିଛ କହୁଛି...” ଗର୍ଜିଉଠି ହାତ ଉଠାଇଲେ ପ୍ରଣବାନନ୍ଦ !

 

–“ନା, ମମ୍ମି, ରବି ଆଉ ଅକ୍ଷୟ ଏମିତି ମଜାରେ ବୁଲିବାପାଇଁ ସେଇ କାରଟା ଆଣିଥିଲେ । ଗୋଟାଏ ଘଣ୍ଟା ଏଣେ ତେଣେ ଘୂରିବା ପରେ ଆମେ କାର୍‌ଟିକୁ ଯଥା ସ୍ଥାନରେ ପାର୍କ କରିଦେଇଥିଲୁ ।”

 

ଅଳକାଦେବୀ ଏଥର ବୁଝିଗଲେ ଏଇ ବିଚିତ୍ର ଚୋରିର ରହସ୍ୟ । ଆଜିର ସମ୍ଭ୍ରାନ୍ତ... ଆଭିଜାତ୍ୟ ପରିବାରର କିଶୋରମାନଙ୍କ କୌତୁକପୂର୍ଣ୍ଣ ସାହସିକତା । ବାସ୍, ୟା’ଠୁଁ ଆଉ ତ ସେମିତି ବିଶେଷ କିଛି ନୁହେଁ ।

ଗୋଟେ ଦୀର୍ଘଶ୍ଵାସ ଟାଣି ଅଳକାଦେବୀ କହିଲେ–‘‘ଛାଡ଼, ଯାହା ହେବାର ହେଲାଣି । ଟିକେ ଶାନ୍ତ ଭାବରେ...”

–“କ’ଣ କହିଲ ? ଲଜ୍ଜା ଓ ଅପମାନରେ ମୋ ଦେହ ଜଳିଯାଉଚି ଆଉ ତୁମେ କହୁଚ…”

“କିନ୍ତୁ ରାଗିଲେ ବା ଆଉ ହେବ କ’ଣ ? ଦେଖୁଚ, କ୍ରୋଧରେ ଅନ୍ଧ ହୋଇ ତମେ କେମିତି ବିଚରାଟିକୁ ମାଡ଼ ମାରିଚ ଯେ ଓଠରୁ ତାର ରକ୍ତ...”

ପତ୍ନୀଙ୍କ ଏଇ ବକ୍ତବ୍ୟ ପ୍ରଣବାନନ୍ଦଙ୍କୁ ଶାନ୍ତ କରିବା ବଦଳରେ ଆହୁରି ଦ୍ୱିଗୁଣିତ ଭାବରେ କ୍ରୋଧାନ୍ୱିତ କରିଦେଲା । ସେ ଉତ୍ତେଜିତ ହୋଇ ବ୍ୟଙ୍ଗଭରା କଣ୍ଠରେ କହିଲେ...‘‘ଆଉ ପୁତ୍ର ସ୍ନେହର ପ୍ରଦର୍ଶନୀ ଦେଖାଅ ନାଇଁ । ଏ ଦୃଶ୍ୟ ତୁମକୁ ଶୋଭା ପାଏନା ।”

ଓଃ କି ବିଷାକ୍ତ ବ୍ୟଙ୍ଗବାଣୀ । ତଥାପି ଚୁପ୍ ରହିଲେ ଅଳକାଦେବୀ । କ୍ରୋଧାନ୍ୱିତ ହେବାର ଏଇଟା ବେଳ ନୁହେଁ । ଶାନ୍ତ କଣ୍ଠରେ ତଥାପି ଅଳକାଦେବୀ କହିଲେ–‘‘ହିଂସା ତଥା କ୍ରୋଧ ମାଧ୍ୟମରେ କିଶୋର ମନକୁ ଆୟତ୍ତ କରାଯାଇ ପାରେନା । ୟା’ ଫଳରେ ବିଦ୍ରୋହ ଜାତ ହୋଇଥାଏ…”

–“ଅଳକା ! ଏଇଟା ତୁମର ଆନ୍ତର୍ଜାତିକ ମହିଳା ସମ୍ୱସ୍ରରର ସେମିନାର କୋଠରୀ ନୁହେଁ । ତୁମ ଭାଷଣ ବନ୍ଦ କର । ଘର ଓ ମଞ୍ଚ ମଧ୍ୟରେ କିଛି ପ୍ରଭେଦ ରହିବା ଉଚିତ ।”

ଅଳକାଦେବୀ ଅବାକ୍, ସ୍ତବ୍‌ଧ । କୋଡ଼ିଏ ବର୍ଷର ବୈବାହିକ ଜୀବନ ମଧ୍ୟରେ ପ୍ରଣବାନନ୍ଦଙ୍କ ଏପରି ରୁଦ୍ରମୂର୍ତ୍ତି କେବେ ସେ ଦେଖିନଥିଲେ ।

ପତିପତ୍ନୀଙ୍କ ଏହି ଯୁକ୍ତିତର୍କରେ ହଠାତ୍ ପୂର୍ଣ୍ଣଛେଦ ଟାଣିଲା କୁନ୍ତି...ଘରର ଚାକରାଣୀ ।

–“କ’ଣ ହେଲା କୁନ୍ତି ?” କୁନ୍ତିର ଚିନ୍ତାପୂର୍ଣ୍ଣ ମୁଖର ଭାବ ଲକ୍ଷ୍ୟ କରି ପ୍ରଶ୍ନକଲେ ଅଳକାଦେବୀ ।

–“ମା’ ପଦ୍ମା ଦେଇ ଏ’ଯାଏ ଫେରିଲେ ନାଇଁ…”

–“ତେବେ ସେ ଘରେ ନାଇଁ ? କୁଆଡ଼େ ଯାଇଚି ସେ ?” ହଠାତ୍ ଅଳକାଦେବୀ ଚିନ୍ତିତ ହୋଇପଡ଼ିଲେ ।

–“ଆଜି ସକାଳେ କଲେଜକୁ ସେ ଯାହା ଯାଇଥିଲେ ଯେ ଏ ଯାଏଁ ଆହୁରି ଫେରି ନାହାନ୍ତି ।”

–“କୁଆଡ଼େ ସେ ଯାଇଚି, ଫୋନ କରି ଜଣେଇଥିବ ନିଶ୍ଚୟ...”

–“ନାଇଁ, ମା...”

 

ପୁଣି ଆଉ ଗୋଟେ ବଜ୍ରପାତ...ଚିନ୍ତାଜନକ ସମ୍ବାଦ । ଅଳକାଦେବୀ ହାତ ଘଡ଼ିକୁ ଚାହିଁଲେ–ସାଢ଼େ ଦଶ ବାଜିଲାଣି ।

 

ପଦ୍ମା ତାଙ୍କର ଆଜ୍ଞାବତୀ କନ୍ୟା । ଠିକ୍ ସମୟରେ ସେ ସବୁବେଳେ ଘରକୁ ଫେରେ । ଯଦି କାହା ସାଙ୍ଗରେ କୁଆଡ଼େ ବୁଲି ଯିବାର ଥାଏ ତେବେ ଫୋନ କରି ଜଣେଇ ଦିଏ । କିନ୍ତୁ ବିନା ସୂଚନାରେ ଏତେ ରାତିଯାଏଁ ବାହାରେ ରହିବା ଆଜି ଏଇ ପ୍ରଥମ !

 

ପ୍ରଶ୍ନିଳ ଦୃଷ୍ଟିରେ ପ୍ରଣବାନନ୍ଦଙ୍କୁ ଚାହିଁ ରହିଲେ ଅଳକା ଦେବୀ ।

 

କୁନ୍ତିକୁ ଅନ୍ୟତ୍ର ଚାଲିଯିବାକୁ ନିର୍ଦ୍ଦେଶ ଦେଇ ପତ୍ନୀଙ୍କୁ ଅପଲକ ନେତ୍ରରେ ଚାହିଁରହିଲେ ପ୍ରଣବାନନ୍ଦ । ସେଇ ଅପଲକ ଦୃଷ୍ଟିରେ ଭରି ରହିଥିଲା ଉପେକ୍ଷା, କ୍ରୋଧ ଓ ତାତ୍ସଲ୍ୟ ଭାବ ।

 

–“ପଦ୍ମା କୁଆଡ଼େ ଯାଇଚି, ତମେ କିଛି ଜାଣିଛ ?”

 

–“ଝିଅ କୁଆଡ଼େ ଯାଏ, କେତେବେଳେ ଫେରେ...ସେଇ ଖବର ମା’ମାନେ ରଖିବା ଉଚିତ । ତେବେ ତମେ କ’ଣ ଚାହୁଁ ଚ ମୁଁ...ମୋର ସମସ୍ତ ବ୍ୟବସାୟ ଛାଡ଼ିଛୁଡ଼ି ପୁତ୍ର କନ୍ୟାଙ୍କ ଗତିବିଧି ଉପରେ ଯେପରି ଦୃଷ୍ଟି ରଖେ ?’’ ପ୍ରଣବାନନ୍ଦଙ୍କ ଏଇ ଆକ୍ଷେପ ଅଳକା ଦେବୀଙ୍କୁ ଅସହ୍ୟ କଲେ ମଧ୍ୟ ସେ ଚୁପ୍ ରହିଲେ, କାରଣ ପଦ୍ମାର ଚିନ୍ତା ତାଙ୍କୁ ବ୍ୟତିବ୍ୟସ୍ତ କରି ଦେଇଥିଲା । ଉଣେଇଶ ବର୍ଷ ବୟସର ଏର ସନ୍ଧିଲଗ୍ନ ଝିଅମାନଙ୍କ ପାଇଁ ସତର୍କ ଘଣ୍ଟିର ବେଳ । ଏଇ ବୟସରେ ଝିଅମାନେ କୁସଙ୍ଗରେ ପଡ଼ି ବାଟବଣା ହୋଇଯିବାର ଯଥେଷ୍ଟ ସମ୍ଭାବନା ରହିଥାଏ ।

 

ଅଳକାଦେବୀ ବିବ୍ରତ ଓ ଆତଙ୍କିତ ଭାବରେ ପଦ୍ମାର କୋଠରୀ ଆଡ଼କୁ ଦୌଡ଼ିଗଲେ । ଟେବୁଲ୍ ଉପରୁ ତାର ଡାଏରୀ ଖୋଲି ଝିଅର ବନ୍ଧୁ ବାନ୍ଧବୀମାନଙ୍କ ଫୋନ୍ ନମ୍ବର ଖୋଜି ସମସ୍ତଙ୍କ ପାଖକୁ ଟେଲିଫୋନ୍ କଲେ । ଯେତେ ଯାହାକୁ ପଚାରିଲେ ମଧ୍ୟ କେହି ହେଲେ ପଦ୍ମାର ଖବର ଦେଇ ପାରିଲେ ନାଇଁ । ଅଳକାଦେବୀ ବ୍ୟତିବ୍ୟସ୍ତ ହୋଇପଡ଼ି ମୁଣ୍ଡରେ ହାତ ଦେଇ ଟେଲିଫୋନ୍ ପାଖରେ ବସି ପଡ଼ିଲା ପରେ ହଠାତ୍‌ ଟେଲିଫୋନ୍ ଗର୍ଜି ଉଠିଲା...

 

“ମାଉସୀ ପଦ୍ମାକୁ ଖୋଜୁଛନ୍ତି ?”

 

–“ହଁ, କୁଆଡ଼େ ଯାଇଚି ସିଏ ? ତମେ କିଏ କହୁଚ ?”

 

–“ମାଉସୀ ମୁଁ ରୁବି, ନମସ୍କାର ।”

 

–“ନମସ୍କାର, ତୁ ଜାଣିଚୁ ମା’ ପଦ୍ମା କୁଆଡ଼େ ଯାଇଚି, ତମ ଘରେ ଅଛି ?”

 

–“ନା, ମାଉସୀ...ପଦ୍ମାତ ଆଜି ଲାଷ୍ଟ ପରିଅଡ୍‌ ଯାଏଁ କ୍ଲାସରେ ଥିଲା । ପାଞ୍ଚଟାବେଳେ ପ୍ରତିମା ଗୋସ୍ଵାମୀ ଓ ଗୋଟେ ଆମେରିକାନ ଟୁରିଷ୍ଟ ସାଙ୍ଗରେ ସେକେଣ୍ଡ ହଷ୍ଟେଲ ଆଡ଼େ ଯିବାର ମୁଁ ଯାହା ଦେଖିଚି କିନ୍ତୁ ଆଶ୍ଚର୍ଯ୍ୟ ସେ ଏଯାଏଁ ଘରକୁ ଫେରିନି ।”

 

ଶ୍ରୀମତୀ ଅଳକା ଚୌଧୁରୀ କ୍ରୋଧ ଓ ଆତ୍ମଗ୍ଲାନିରେ ରିସିଭରଟାକୁ କ୍ରେଡ଼ଲ୍ ଉପରେ କଚାଡ଼ି ଥୋଇଦେଲେ ।

 

ପାହାଡ଼ୀ ନଈର ପ୍ରଖର ସ୍ରୋତ ପରି ସମୟ କାହିଁ କୁଆଡ଼େ ମିଳେଇ ଯାଉଚି । ରାତି ଅନେକ ହେଲାଣି ।

 

ଖୁବ୍ ବ୍ୟତିବ୍ୟସ୍ତ ଓ ଆତଙ୍କିତ ହୋଇଉଠିଲେ ଅଳକାଦେବୀ...ଯେତେବଳେ କାନ୍ଥ ଘଣ୍ଟାରେ ବାଜିଲା ଟଂ ଟଂ ହୋଇ ଏଗାରଟା ଶବ୍ଦ ।

 

କୁନ୍ତି ବାରମ୍ବାର ଆସି ଡାକି ଗଲାଣି ଖାଇବା ପାଇଁ । କିନ୍ତୁ କାହାକୁ ବା ଭୋକ ? ଟେବୁଲରେ ଥୁଆ ହୋଇଥିବା ଖାଦ୍ୟ ଥଣ୍ଡା ହେବାକୁ ଲାଗିଲା ।

 

କମଳ ନିଜ କୋଠରୀ ଭିତରେ ବିଛଣା ଉପରେ ମୁହଁ ମାଡ଼ି ଶୋଇଥିଲେ । ଅଳକା ଦେବୀ ତା’ ପାଖକୁ ଯାଇ ବ୍ୟତିବ୍ୟସ୍ତ ଭାବରେ ପଦ୍ମାର ସଂପର୍କରେ ପଚାରିଲେ କିନ୍ତୁ ତାର କ୍ଷୀଣ ସଂକ୍ଷିପ୍ତ ଉତ୍ତର–“ମୁଁ କିଛି ଜାଣିନି ।”

 

ପଦ୍ମା ନିଶ୍ଚୟ କେଉଁ ଗୋଟେ ସଂକଟରେ ଛନ୍ଦି ହୋଇପଡ଼ିଚି । ଏବେ କ’ଣ କରାଯାଏ-? କେଉଁ ଏକ ଅନିର୍ଦ୍ଦିଷ୍ଟ ଅନିଷ୍ଟର ଆଶଂକା ତାଙ୍କୁ ମନେ ମନେ ଆତଙ୍କିତ କରିଦେଲା ।

 

ଅଳକାଦେବୀ ପାଦ ଚିପି ଚିପି ସ୍ଵାମୀଙ୍କ କୋଠରୀ ଆଡ଼କୁ ପାଦ ବଢ଼ାଇ ଦେଖିଲେ ପ୍ରଣବାନନ୍ଦ ଆକଣ୍ଠ ପାନ କରିବାରେ ଲାଗିଛନ୍ତି । ଶ୍ରୀମତୀ ଚୌଧୁରୀ ସ୍ଵାମୀଙ୍କ ହାତରୁ ଗ୍ଲାସ ଛଡ଼ାଇ ଆଣି କହିଲେ–“ପଦ୍ମା ! କୁଆଡ଼େ ଯାଇଚି...ଏତେବେଳ ଯାଏଁ ସେ କୁଆଡ଼େ ରହିଲା, ଅଥଚ ତମେ...”

 

–“ମୁଁ କ’ଣ ସର୍ବଜାଣ ? କେମିତି ଜାଣିବି ମୁଁ–ସେ କୁଆଡ଼େ ଯାଇଚି ।”

 

–“ଦେଖ, ଏଇଟା ଯୁକ୍ତିତର୍କ...ହଟ୍ଟଗୋଳର ବେଳ ନୁହେଁ–ନିଜ ପରିବାର ପ୍ରତି ଏଇ ଯେଉଁ ସଂକଟ; ସେଥିରୁ ଆମେ ପ୍ରଥମେ ମୁକୁଳିବା ଉଚିତ ।”

 

–“ହଁ ନିଶ୍ଚୟ, କିନ୍ତୁ ତମେ ଯଦି ପ୍ରଥମରୁ ନିଜ ପରିବାର ପ୍ରତି ଆସକ୍ତ ରହିଥାନ୍ତ ତେବେ ଏପରି ସଂକଟ କେବେହେଲେ ସୃଷ୍ଟି ହୋଇନଥାନ୍ତା ।”

 

–“କିନ୍ତୁ ତମେ କେବେ ନିଜ ଜୀବନରେ ନିଜ ବ୍ୟବସାୟ ଛଡ଼ା ଅନ୍ୟ କୌଣସି ପାରିବାରିକ କାର୍ଯ୍ୟପ୍ରତି ଆଗ୍ରହ ନେଇଚ ?”

 

–“ନିଜ ଘରେ ସବୁ ଥାଇ ମଧ୍ୟ ଯେଉଁ ଗୃହସ୍ୱାମୀ କିଛି ବୋଲି କିଛି ପାଏନା ସେ ଏମିତି ଉଦାସୀନ...ଦିଗହୀନ ହୋଇ ପଡ଼ିବା ସ୍ଵାଭାବିକ ।”

 

ତୃଷାର୍ତ୍ତ ସମୁଦ୍ର !

 

ଅଳକାଦେବୀ ଗର୍ଜି ଉଠିଲେ–’’ମାନେ...ନିଜ ଘରେ ସବୁ ଥାଇ ମଧ୍ୟ ତମେ କିଛି ପାଅନା ?”

 

ପ୍ରଣବାନନ୍ଦଙ୍କ ନୀରବ ଉତ୍ତର–‘ହଁ ମିଳେ, ଅନେକ କିଛି ମିଳେ...ଉପେକ୍ଷା, ନିଃସଂଗତା-। କିନ୍ତୁ ଏଥିରେ ତୁମକୁ ଦୋଷ ଦେଇ କିଛି ଲାଭ ନାଇଁ ଅଳକା । ଗୋଟେ ରଙ୍ଗୀନ ପ୍ରଜାପତି ସମ ସମାଜ-ସେବିକା ପତ୍ନୀ ଓ ପରିବାର ପାଇଁ ଉତ୍ସର୍ଗିତା ଜଣେ କୁଳବଧୂ ମଧ୍ୟରେ ଥିବା ପ୍ରଭେଦକୁ ବିବାହ ପୂର୍ବରୁ ଯଦି ମୁଁ ଅନ୍ତତଃ ଜାଣିଥାନ୍ତି ତେବେ ଆଜି ମତେ ଏମିତି ଘର ନିଆଁରେ ଜଳିବାକୁ ପଡ଼ିନଥାନ୍ତା । ।”

 

–“ଠିକ୍ ଅଛି । ନିଜର ସବୁ ଦୋଷତ୍ରୁଟିକୁ ତୁମେ ମୋ ଉପରେ ନଦି ଦେଇ ସାଧୁ ପାଲଟି ଯିବାକୁ ଚାହୁଁଚ...କିନ୍ତୁ ତମେ ଅନ୍ତତଃ ଚିନ୍ତା କରିବା ଉଚିତ ତୁମର ପ୍ରତିଷ୍ଠା କାହାଲାଗି ଏବଂ ସମାଜ ସେବା ପାଇଁ ମୋର ଦାନ ଓ ତ୍ୟାଗ କେତେ !”

 

ପ୍ରଣବାନନ୍ଦ ଏଥର ହସିଲେ ଖୁବ୍ ଜୋର୍‌ରେ...ବ୍ୟଙ୍ଗ ବିଦ୍ରୁପଭରା ହସ ଏବଂ କହିଲେ...‘‘କିନ୍ତୁ ତୁମ ସମାଜ ସେବା କାର୍ଯ୍ୟଟା ନିଜ ଘରଭିତରୁ ସର୍ବପ୍ରଥମେ ଆରମ୍ଭ ହୋଇ ସମାଜ, ରାଜ୍ୟ ଓ ରାଷ୍ଟ୍ର ଆଡ଼କୁ ମାଡ଼ିଯିବା ଉଚିତ୍ । କିନ୍ତୁ ଘରକୁ ଭୁଲିଯାଇ ଦେଶ ସେବା କରିବା...ତମର ସେଇ ଓଡ଼ିଶୀ ଢଗଟା ମନେଥିବ...ବାପ ପୁଅ ରାତି ଅନିଦ୍ରା କିନ୍ତୁ ମୁଗୁରା ଗାଣ୍ଡି ମେଲା...”

 

ଅଭଦ୍ର...ଅସଭ୍ୟ ! ଅଳକା ଦେବୀ ଅପମାନ ଓ କ୍ରୋଧରେ ଅସ୍ଥିର ହୋଇ ଉଠୁଥିଲେ ଯଦିଓ...କିନ୍ତୁ ଦାନ୍ତ ଚିପି ସବୁ ସହି ନେଉଥିଲେ ।

 

ପତ୍ନୀଙ୍କର କୌଣସି ପ୍ରତିକ୍ରିୟାକୁ ଅପେକ୍ଷା ନକରି ପ୍ରଣବାନନ୍ଦ ଚେୟାର ଛାଡ଼ି ଉଠି ଠିଆ ହେଲେ ଓ କହିଲେ–‘‘ଠିକ୍ ଅଛି, ତମେ ଅଯଥା ଆଉ ଆତଙ୍କିତ ହୁଅନାଇଁ । ମୁଁ ଚାଲିଲି, ପଦ୍ମା କେଉଁଠି ଅଛି ତାକୁ ଖୋଜି ଆଣେ...”

 

–“ମୁଁ ବି ତମ ସାଙ୍ଗରେ ଯିବି, ରୁହ...” କିନ୍ତୁ ଓଠର ଗୁଣୁ ଗୁଣୁ ସ୍ଵର ଅଳକା ଦେବୀଙ୍କ ଓଠରେ ହିଁ ରହିଗଲା ।

ପ୍ରଣବାନନ୍ଦ ଝଡ଼ ବେଗରେ ଚାଲିଗଲେ ଗାଡ଼ିରେ ଷ୍ଟାର୍ଟ ଦେଇ ।

ଅସହାୟ ଭାବରେ ଅଳକାଦେବୀ ଡ୍ରଇଁରୁମର ଝର୍କା ପାଖରେ ଯାଇ ଠିଆ ହେଲେ ଅନେକ ବେଳଯାଏଁ ।

ମନ ଅଶାନ୍ତ, କ୍ଷୁଧା ମରିଯାଇଚି । ସଂଧ୍ୟାବେଳେ ମନ୍ତ୍ରୀ ଓ ସଭାସଦ୍‍ଙ୍କ‌ ଗହଣରେ ମିଳିଥିବା ସମ୍ମାନ ଓ ପ୍ରଶଂସାର ନିଶା କାହିଁ କୁଆଡ଼େ ଉଡ଼ିଯାଇଥିଲା ? ଅଳକା ଦେବୀ ଝର୍କା ପାଖରୁ ଫେରିଆସି ମୁଭିଂବୁକ୍ ସେଲ୍‌ଫରୁ ଖଣ୍ଡେ ଏକ ଚିତ୍ରିତ ପୁସ୍ତକ ଟାଣି ଆଣି ପୃଷ୍ଠାପରେ ପୃଷ୍ଠା ଓଲଟାଇବାକୁ ଲାଗିଲେ ଓ ମନ ଦେଇ ପଢ଼ିବାକୁ ଚେଷ୍ଟା କଲେ କିନ୍ତୁ ସବୁ ବ୍ୟର୍ଥ ।

ଅସ୍ଥିର, ଅଶାନ୍ତ ମନରେ ଆତଙ୍କର ଝଡ଼ ତୁହାକୁ ତୁହା ଉଠୁଚି ।

ଅଳକା ଦେବୀ ଚିନ୍ତାଗ୍ରସ୍ତ ଭାବରେ, କୋଠରୀ ଭିତରେ କେବଳ ପଦଚାରଣା କରିବାକୁ ଲାଗିଲେ । ଝର୍କାପାଖକୁ ଯାଇ ଦଶ ବାରଥର ଠିଆ ହେଲେଣି…ଫେରନ୍ତା କାର୍‌ର ହର୍ଣ୍ଣ ଓ ଷ୍ଟିଲଗେଟ୍‌ର ଝଣ ଝାଣ ଶବ୍ଦ ଶୁଣିବା ପାଇଁ କାନ ଦୁଇଟି ଆତୁର ହୋଇରହିଚି ।

ନିଶାର୍ଦ୍ଧ କ୍ରମଶଃ ଅତିକ୍ରାନ୍ତ । ବେଳକୁବେଳ ଆହୁରି ଆତଙ୍କିତ ହୋଇ ଉଠିଲେ ଅଳକାଦେବୀ...ପଦ୍ମାର ତାହାହେଲେ କ’ଣ ହେଲା ? କେଉଁ ଟୋକା ସହିତ ସିଏ କୁଆଡ଼େ ଫେରାର୍ ହୋଇ ଯାଇନାଇଁ ତ ।

“ନା, ଏହା କେବେ ସମ୍ଭବ ନୁହେଁ । ସିଏ ମୋ ଝିଅ । କିନ୍ତୁ ମୋ ଝିଅ ବୋଲି ସେ କ’ଣ କାହାକୁ ପ୍ରେମ କରୁନଥିବ ? କରୁଥାଇପାରେ–ସେ କଥା ମୁଁ କେମିତି ଜାଣିବି ? ମୁଁ ତ ଏଇ କେତେମାସ ହେଲା ଆନ୍ତର୍ଜାତିକ ମହିଳା ସମତ୍ସର କାର୍ଯ୍ୟକ୍ରମରେ ଏତେ ବ୍ୟସ୍ତ ରହୁଚି ଯେ ଯୌବନର ସନ୍ଧି ଲଗ୍ନରେ ଠିଆ ହୋଇଥିବା ମୋର ଏକମାତ୍ର କନ୍ୟାର ସମସ୍ୟା ସମାଧାନ ପ୍ରତି ସଚେତନ ରହିବାକୁ ମୋଟେ ସମୟ ବା ସୁଯୋଗ ହିଁ ପାଇନାଇଁ…

...ତେବେ କାହିଁ କୁଆଡ଼େ କିଛି ଦୁର୍ଘଟଣା ଘଟି ଯାଇନାଇଁ ତ । ଏମିତି ବି ହୋଇଥାଇପାରେ...ସିଏ ହଷ୍ଟେଲରୁ କୌଣସି ବାନ୍ଧବୀ ସହିତ ପିକ୍‌ନିକ୍ ବା ପାର୍ଟିରେ ସହର ବାହାରକୁ ବି ଚାଲି ଯାଇଥାଇପାରେ ଓ ଫେରିବାର ଡେରି ହୋଇ ଯିବାଫଳରେ କେଉଁ ବାନ୍ଧବୀ ଘରେ ରହି ଯାଇଥାଇପାରେ । କିନ୍ତୁ ତାକୁ ଫୋନ୍ ନ କରିବାରେ ଅସୁବିଧା ବା କ’ଣ ? ହୁଏତ ଆଖ ପାଖରେ କେଉଁଠୁଁ ତାକୁ ଫୋନ୍ ମିଳି ନଥାଇ ପାରେ...

ଅବକାଦେବୀ ନିଜ ମନକୁ ସାନ୍ତ୍ଵନା ଦେବା ପାଇଁ ନନା ଅସଫଳ ଉଦ୍ୟମ କରିବାକୁ ଲାଗିଲେ ସତ କିନ୍ତୁ ଭିତରେ ଭିତରେ ଖୁବ୍ ଅସ୍ଥିର…ସହାୟ ହୋଇଉଠୁଥିଲେ । ଏପରିକି ଅନିଶ୍ଚିତ ଆଶଂକା ଭିତରେ ଛନ୍ଦି ହୋଇପଡ଼ି ଆତଙ୍କିତ ହୋଇ ଉଠୁଥିଲେ–‘‘ପଦ୍ମା ସବୁଦିନ ପାଇଁ ମୋ ହାତରୁ ଖସି ଯାଇନାଇଁ ତ ! ...କିନ୍ତୁ କମଳ ଓ ପଦ୍ମାକୁ ହାତ ମୁଠାରୁ ହରେଇ ବସିବାରେ ଦାୟୀ କିଏ...ମୁଁ ନା ପ୍ରଣବ ?’’ ଅଳକାଦେବୀ ଉଦାସ ହୋଇ ଉଠିଲେ ।

ଆତ୍ମଗ୍ଲାନି ଭିତରେ ଆତ୍ମବିଶ୍ଳେଷଣ କରିବା ସତେରେ କେତେ ଯନ୍ତ୍ରଣା ଦାୟକ ! ଦୁଶ୍ଚିତା ଜର୍ଜରିତ ଭାବରେ ଅଳକା ଚୌଧୁରୀ କୋଠରୀ ଭିତରେ କେବଳ ପଦଚାରଣା କରିବାକୁ ଲାଗିଲେ ସିନା କୌଣସି ସିଦ୍ଧାନ୍ତରେ ପହଞ୍ଚି ନିଶ୍ଚିନ୍ତ ହୋଇ ପାରିଲେ ନାଇଁ...

 

ଚିନ୍ତିତ ପଦଚାରଣା ମଧ୍ୟରେ ଅଚାନକ ଏକ ବିଚିତ୍ର ଅନୁଭୂତିରେ ତାଙ୍କର ମନପ୍ରାଣ ଉଦ୍‌ବେଳିତ ଭଳିତ ହୋଇ ଉଠିଲା । ସେ ଏକଦା ମନୋବିଜ୍ଞାନର ଅଧ୍ୟାପିକା । ଜମିଦାର ପରିବାରର ଉଚ୍ଚ ଶିକ୍ଷିତା କନ୍ୟା ପୁଞ୍ଜି ପତି ସ୍ଵାମୀ ପାଇଲା ପରେ ଅଧ୍ୟାପିକା ଚାକିରୀ ଛାଡ଼ି ଶିଶୁ ଜାତିର ବିକାଶ ଓ ନାରୀ ଜାଗରଣ ଆଦି ସମାଜ ସେବା କାର୍ଯ୍ୟରେ ସିଦ୍ଧି ଓ ସ୍ଵୀକୃତି ପ୍ରାପ୍ତା ସେ...କିନ୍ତୁ ତାଙ୍କରି ଘର ଭିତରେ ଆଜି ଏପରି ଦୁର୍ଘଟଣା ସବୁ ଘଟି ଯାଉଚି କାହିଁକି ?

 

…“ତେବେ ମୁଁ କ’ଣ ଆତ୍ମରତିମତା...ସମାଜ ସେବିକା ରୂପେ ଅଭିନୟ କରୁଥିବା ଗୋଟେ ରଙ୍ଗୀନ ପ୍ରଜାପତି ମାତ୍ର ? ପ୍ରଣବଙ୍କ ଆକ୍ଷେପର ଯଥାର୍ଥତା ନିଶ୍ଚୟ ରହିଚି !”

 

ପୁଣି ଆତ୍ମବିଶ୍ଳେଷଣ ଅନ୍ୟମନସ୍କ ହୋଇ ଚମକି ପଡ଼ିଲେ ଶ୍ରୀମତୀ ଚୌଧୁରୀ....‘‘ସୁଖୀ ଶୃଙ୍ଖଳିତ ଦାମ୍ପତ୍ୟ ଜୀବନର ଅଭାବରେ ଘରର ପିଲମାନଙ୍କ ବ୍ୟକ୍ତିତ୍ଵ ଓ ଚରିତ୍ରର ସର୍ବମୁଖୀ, ସର୍ବାଙ୍ଗୀନ ବିକାଶ କ’ଣ କେବେ ସମ୍ଭବ ?”

 

ଏହି ଜଟିଳ ଅନୁଧ୍ୟାନର ଅନେକ ବ୍ୟାଖ୍ୟାନ ପ୍ରଶ୍ନୋତ୍ତର ଓ ଭାଷଣ ପ୍ରସଙ୍ଗରେ ସେ ନିର୍ବିକାର...ଅନର୍ଗଳ ଭାବରେ ଅନେକ ସଭ୍ୟ ସମିତିରେ ଉପସ୍ଥାପିତ କରିଛନ୍ତି କିନ୍ତୁ ଆଜି ତାଙ୍କ ନିଜ ଘରେ ?

 

ନିଜ ବଂଲୋ ଭିତରକୁ ହଠାତ୍ କାର୍ ପ୍ରବେଶ କରିବା ଶବ୍ଦ ଅନ୍ୟମନସ୍କା ଅଳକାଦେବୀଙ୍କୁ ଜାଗ୍ରତ କରିଦେଇ । ବିଜୁଳି ବେଗରେ ସେ କୋଠା ଉପରୁ ତଳକୁ ଓହ୍ଲାଇ ଆସି କାର ପାଖକୁ ଦୌଡ଼ିଗଲେ ।

ପୋର୍ଟିକୋ ତଳେ କାର୍ ବ୍ରେକ୍ କଷିଲା ପରେ ଅଳକାଦେବୀ ଗାଡ଼ି ଭିତରେ ପଦ୍ମାକୁ ନଦେଖି ଚମକି ଉଠିଲେ । ସ୍ଵାମୀ ଗାଡ଼ି ଭିତରୁ ବାହାରି ଆସିଲା କ୍ଷଣି ବ୍ୟସ୍ତ ବିବ୍ରତ ପୁଣି ଆତୁର କଣ୍ଠରେ ପଚାରିଲେ...ପଦ୍ମାକୁ ପାଇଲ ନାଇଁ ?”

–“ପାଇଲି...” ପ୍ରଣବାନନ୍ଦଙ୍କ ନୀରବ ଉତ୍ତର

–“ତେବେ ସେ କେଉଁଠି ଅଛି ?’’ ଟିକେ ଆଶ୍ଵସ୍ତ ଅଥଚ ବ୍ୟଗ୍ରଭଗ କଣ୍ଠରେ ପ୍ରଶ୍ନ କଲେ ଶ୍ରୀମତୀ ଚୌଧୁରୀ !

–“ସେଇଠି ଶୋଇଚି... ‘ଆଣିଚିଆ ଆଲୁଅର ଅନ୍ଧାର ଭିତରେ କାର ର ପଛ ସିଟ୍ ଆଡ଼କୁ ଅଙ୍ଗୁଳି ନିର୍ଦେଶ କରି ଜଣାଇ ଦେଲେ ପ୍ରଣବାନନ୍ଦ ।

ବିଜୁଳୀ ବେଗରେ ଅଳକଦେବୀ କାର୍‌ର ପଛ ଗେଟ୍‌ ଖୋଲିଲେ । ସଂଜ୍ଞାହୀନା ଭବରେ କୁଣ୍ଡଳୀମୋଡ଼ି ପଛ ସିଟ୍‌ରେ ମୁହଁମାଡ଼ି ପଡ଼ିଥିଲା ବିଖ୍ୟାତ ଚୌଧୁରୀ ପରିବାରର ଏକମାତ୍ର କନ୍ୟା ପଦ୍ମଜା…..

–“କେଉଁଠୁ ପାଇଲ ୟାକୁ...କ’ଣ ହେଇଚି ୟା’ର ?”

–“ତା’ କଲେଜର ସେକେଣ୍ଡ ହଷ୍ଟେଲ୍‌ରେ ତାର କେଉଁ ବାନ୍ଧବୀ ଗୋସ୍ୱାମୀର କୋଠରୀ ଭିତରେ ସଂଜ୍ଞାହୀନା ହୋଇ ପଡ଼ିଥିଲା । ଆମ କନ୍ୟା ସୁନାଙ୍କ ସହିତ ଆଉ କେତୋଟି ଟୋକାଟୋକୀ ମଧ୍ୟ ଏବେ ସେଠି ପଡ଼ିଛନ୍ତି । କେଜାଣେ କ’ଣ ସବୁ ଖାଇଛନ୍ତି...”

 

–“ଝିଅମାନଙ୍କ ହଷ୍ଟେଲ୍‌ରେ ପୁଅମାନେ ?”

 

–“ତମେ ଖୁବ ପଛରେ ପଡ଼ିଯାଇଚନା ସବୁ ଜାଣି ମଧ୍ୟକିଛି ଜାଣୁନଥିବାର ଛଳନା କରୁଛ । ନାରୀ ଜାଗରଣ ଓ ଅବଳା ଉଦ୍ଧାର ମାଧ୍ୟମରେ ଦେଶସେବା ପାଇଁ କଣ୍ଟ୍ରାକ୍ଟ ନେଇଥିବା ତୁମପରି ନାରୀନେତ୍ରୀମାନେ ଅନ୍ତତଃ ଜାଣିବା ଉଚିତ ଆଜିର ଶିକ୍ଷାର ମାନଦଣ୍ଡ ଓ ହଷ୍ଟେଲ୍‌ମାନଙ୍କର ଶୃଙ୍ଖଳା କେତେ ଦୂର ଅଗ୍ରସର କରିପାରିଛି । ତେବେ ସେ କଥା ଥାଉ...ଏବେ ତୁମ କନ୍ୟାମଣିଙ୍କୁ କାର୍ ରୁ ଉଠାଇ ତାର କୋଠରୀକୁ ନେବାର ବ୍ୟବସ୍ଥା କରାଯାଉ...”

 

ପଦ୍ମାକୁ ଉଠାଇ ନେବାକୁ ପାଖକୁ ଗଲାକ୍ଷଣି ତାର ମୁହଁରୁ ଏକ ବିଚିତ୍ର ବାସ୍ନା ସହ ଫେଣ ବାହାରି ଆସି ଅଲକାଦେବୀଙ୍କୁ ଶ୍ଵାସରୁଦ୍ଧ କରିଦେଲା । ତଥାପି ପତିପତ୍ନୀ ଦୁହେଁ କନ୍ୟାକୁ କୌଣସି ମତେ ଗାଡ଼ି ଭିତରୁ ଟାଣି ଓଟାରି କୋଠରୀର ପଲଙ୍କ ଉପରେ ଶୁଆଇ ଦେଲେ ।

 

ଯା’ ହେଉ ସୌଭାଗ୍ୟର କଥା ସେତିକି ବେଳେ ଘରେ କେହି ଚାକର ପୁଜାରୀ ନଥିଲେ...ସମସ୍ତେ ଶୋଇପଡ଼ିଥିଲେ ନଚେତ୍ ଘରର ନାଟକଥା ହାଟ ଘାଟରେ ଘୂରନ୍ତା ।

 

–‘‘ଏଥର ମତେ ଖାଇବାକୁ ଦିଅ ଅକକା । ଭୋକରେ ମୋର ପେଟ ଜଳିଲାଣି ।” ସ୍ୱାମୀ ସ୍ତ୍ରୀ ନୁହେଁ ଡିନର୍ ଟେବୁଲ୍ ପାଖରେ ସାମ୍ନା ସାମ୍ନି ହୋଇ ବସିଲେ । ପ୍ରଣବ ନୀରବ...ନିର୍ବିକାର ଭାବରେ ଖାଇବାରେ ଲାଗିଥାନ୍ତି । ବୋଧହୁଏ ସେ ଏବେ ସମସ୍ତ ଝାମେଟରୁ ମୁକ୍ତ ପାଇ ନିଶ୍ଚିନ୍ତ ।

 

କିନ୍ତୁ ଅଳକାଦେବୀ ? କ୍ଷୁଧା ତାଙ୍କର ମରିସାରିଥିଲା ଆତ୍ମଗ୍ଲାନିରେ ! ନିଜ ଘରର ଦୀପ ତଳର ଅନ୍ଧାର ତାଙ୍କ ଆଖି ସାମ୍ନାରେ ବାରଂବାର ନାଚି ନାଚି ତାଙ୍କୁ ଅସହ୍ୟ କରି ଦେଇଥିଲା..ଆସନ୍ତା କାଲି ସଂଧ୍ୟାର ସଂବାଦ ପତ୍ର ପୃଷ୍ଠା ମାନଙ୍କରେ କଣ ସବୁ ପ୍ରକାଶ ପାଇବ ? ଗୋଟାଏ ଦିଗରେ ତାଙ୍କର ପ୍ରତିଛବି ସହିତ ଘଟଣାର ସାରାଂଶ ତ ଅନ୍ୟ ଦିଗରେ ନିଜ ପୁତ୍ରର କାର ଚୋରୀ ଜନିତ ଗିରିଫ ସମ୍ବାଦ !

 

ଆଜି କାଲି ସାମ୍ବାଦିକ ସବୁ ଯାହା ହେଇଛନ୍ତି ନା…

 

ହଠାତ୍ ଏତିକିବେଳେ ଗର୍ଜି ଉଠିଲା ଟେଲିଫୋନ । ମଃ–ରାତି ଗୋଟାଏ ବେଳେ ବି ମଣିଷକୁ ଖୁଆଇ ଦେବେ ନାଇଁ କ’ଣ ?

 

–“ହେଲୋ….”

 

–“ମାଡ଼ାମ୍ ମୁଁ ମିଃ ରାୟ କହୁଚି ମିନିଷ୍ଟର ଚକ୍ରବର୍ତୀଙ୍କ ପ୍ରାଇଭେଟ୍ ସେକ୍ରେଟାରୀ…”

 

–“କୁହନ୍ତୁ, ମୁଁ ଅଳକା ଚୌଧୁରୀ କହୁଛି ।”

 

–“ମାଡ଼ାମ ଆପଣ ଆସନ୍ତା କାଲି ସକାଳୁ ବାହାରୁଛନ୍ତିତ ବ୍ରହ୍ମପୁର କନ୍ଫେରେନ୍ସ ପାଇଁ ।”

 

–“ନା, ମିଃ ରାୟ ! ମିଃ ଚକ୍ରବର୍ତୀଙ୍କୁ କରିଦେବେ–ମୁଁ ଅସୁସ୍ଥ । ଡାକ୍ତରଙ୍କ ଆଦେଶ ଅନୁଯାୟୀ ମୁଁ ତିନିମାସ ପାଇଁ ସଭାସମିତିରୁ ଦୂରେଇ ରହିବା ଉଚିତ । ସକାଳୁ ମୁଁ ଉଇଥ୍ ଅଲ୍ ଫ୍ୟାମିଲି ମେମ୍ବର ଗୋପାଳ ପୁର ଘରକୁ ତିନିମାସ ପାଇଁ ଚାଲିଯାଉଚି । ସମୁଦ୍ରର ଲୁଣି ଝଡ଼ମାଡ଼ରେ ସେ ଘରଟାର ଅବସ୍ଥା ଯାହା ହେଲାଣି...ତାକୁ ଯଦି ମୁଁ ଏତିକିବେଳୁ ନ ସଜାଡ଼େ ତାହାହେଲେ ଘରଟା କେତେବେଳେ ଯେ ବାତ୍ୟାରେ ଭୂଷୁଡ଼ି ପଡ଼ିବ...”

 

ବ୍ରହ୍ମପୁର, ୧୯୬୩ : ଅଗଷ୍ଟ

Image

 

ଶେଷ ବିଂଶର ଯୀଶୁ

 

କେତେ ବାଟ ?

 

ଷାଠିଏ ମାଇଲ୍ ?

 

ବାସ୍ ଏତିକି ? ଜ୍ୟୋତିଷର ଗଣନା କ’ଣ ଠିକ୍ ଏତିକି !

 

ଏକ ନିର୍ଦ୍ଦିଷ୍ଟ ଲକ୍ଷ୍ୟରେ...ଏକମୁହାଁ ଲମ୍ବା ରାସ୍ତ ଉପରେ କ୍ଷିପ୍ର ପଦପାତରେ ଚାଲୁଥିବା ପଦାତିକଟି ଯେଉଁଦିନ ତା’ ଜନନୀର ଜଠରକୁ ଫାଡ଼ି ଏ ପୃଥ୍ଵୀରେ ସୂର୍ଯ୍ୟସ୍ନାନ କଲା (କୁଆଁ କୁଆଁ) କୋଽହମ୍–କୋଽହମ୍ ଧ୍ଵନିମାନଙ୍କୁ ନିଜ ଓଠରୁ ନିର୍ଗତ କରି ନିଜ କାନ ଦୁଇଟିକୁ ହେଉ ବା ତା’ ଜନମରେ ଆତ୍ମବିଭୋର ହୋଇ ହସୁଥିବା ଜନ୍ମଦାତ୍ରୀକୁ ଶୁଣାଇଥିଲା ଅବଶ୍ୟ ସେତେବେଳେ ସେ ପ୍ରଶ୍ନ କରିଥିବ...ମୁଁ କିଏ ? କେଉଁଠୁ ଆସିଲି, କୁଆଡ଼େ ? କାହିଁକି ?

 

ପୁନଃ ଶିଶୁଟିର...ଓଠରେ କିଛି ପ୍ରତ୍ୟୁତ୍ତରର ସ୍ୱର ଗୁଂଜିଦେଇ ଅସ୍ପଷ୍ଟ ଭାଷାରେ…ଶୂନ୍ୟରୁ କିଏ ଜଣେ ତାକୁ ନିଶ୍ଚୟ ଶୁଣାଇ ଦେଇଥିବ–କେତେ ବା ବାଟ ଜୀବନର...ତେବେ ଶୁଣ ଷାଠିଏ ମାଇଇ ହିଁ...ଏକ୍‌ରୁ ଗଣି ଗଣି ଗଲେ ଷାଠିଏରେ…ଆପାତତଃ ଷାଠିଏଟି ବର୍ଷହିଁ ଏବର ମଣିଷର ଜୀବନକାଳ...ତେବେ ହେଁ ମାନବ ଶିଶୁ I ଏଇ ବିଚିତ୍ର ବର୍ଣ୍ଣା ଧରିତ୍ରୀରେ ପାଦଦେବା ପୂର୍ବରୁ ତୁମେ ଏତିକି ତଥ୍ୟ ସଂଗ୍ରହ କରିପାରିନ ! !

 

ଷାଠିଏ ମାଇଇ ପୁର୍ବରୁ ରାସ୍ତା କେତେବେଳେ ଯେ ହଠାତ୍‌ ଶେଷ ହୋଇନଯିବ ସେ କଥା କିଏ ଜାଣେ ?

 

ତା’ପରେ ?

 

ତା’ପରେ, ଶିଶୁ ମାଟିରେ ନରମ ମାଂସର ନିଜ ଶରୀରଟିକୁ ଲେଟାଇ ଦେଇ; ଅଚେତନ ମନ ନେଇ ତା’ର ସେଇ ନୂତନ କୁନି ପୃଥ୍ଵୀକୁ ନିରୀକ୍ଷଣ କରିଥିବା ଓ ବେଳେବେଳେ ତା’ ପାଦ ଦୁଇଟିକୁ ମାଟିରେ କଚାଡ଼ି କାନ୍ଦିବା, ହସିବା ନାଟକ ସୃଷ୍ଟି କରିଥିବ ।

 

ତା’ ପରେ ?

 

ତାପରେ କ୍ରମଶଃ ଶିଶୁଟି ଆସ୍ତେ ଆସ୍ତେ ଚାଲିବା ଆରମ୍ଭ କରି ଦେଇଥିବ” । ଚାଲିବାକୁ, ପୃଥିବୀର ଅନେକ ଚିତ୍ରବିଚିତ୍ର ଦୃଶ୍ୟ ଦେଖିବାକୁ, ଅନେକ ସାନବଡ଼ ମଣିଷ ସାଥିଁଏ ସେଇ ଶିଶୁଟିର ହାତଧରି ଜୀବନର ଲମ୍ବା ଗସ୍ତାରେ ଛାଡ଼ି ଦେଇଥିବେ ଓ କୁକୁର–ମାଙ୍କଡ଼ ଗାଡ଼ି–ମୋଟର ବା ବାଘ–ଭାଲୁମାନଙ୍କ ନିକଟରୁ ଦୂରେଇ ରହିବାକୁ ପରାମର୍ଶ ଦେଇଥିବେ ।

 

ତା’ପରେ ?

 

କ୍ରମଶଃ...କ୍ରମଶଃ ଶିଶୁଟି ବାଲ୍ୟରୁ କିଶୋରରେ ପଦାର୍ପଣ କରିଥିବ ଓ ବାରଟି ମାଇଲ ରାସ୍ତା ଅତିକ୍ରମ କଲାପରେ ଅନୁଭବ କରିଥିବ : ସିଏ ବର୍ତ୍ତମାନ ଏକ ଲମ୍ୱା ରାସ୍ତାରେ ଚାଲିଛି...ରାସ୍ତା କଡ଼ରେ ଅନେକ ଚିହ୍ନା ଅଚିହ୍ନା ମୁହଁ, ଚିତ୍ର ବିଚିତ୍ର ଦୃଶ୍ୟ, ବିବିଧ ସ୍ଵର-ଧ୍ଵନି ଦେଖିବାକୁ...ଶୁଣିବାକୁ ପାଉଛି ।

 

ଏବଂ ତା’ପରେ କିଶୋରଟି ଦୌଡ଼ିବା ଆରମ୍ଭ କରିଥିବ ଆନନ୍ଦରେ, ଦୁଃଖରେ ଓ କ୍ଷୋଭରେ ।

 

ତା’ପରେ ?

 

ଅତିକ୍ରମ କରି ଯାଇଥିବ ଗୋଟଏ ପରେ ଗୋଟାଏ ମାଇଲ୍ ।

 

ଦୌଡ଼ୁଥିବା କିଶୋରଟି ହଠାତ୍‌ ଯେତେବେଳେ କୋଡ଼ିଏ ମାଇଲ୍ ରାସ୍ତା ଅତିକ୍ରମ କରିଥିବ ସେତେବେଳେ ସେ ଅନୁଭବ କରିଥିବ; ସେ ଆଉ କିଶୋର ନୁହେଁ : ତରୁଣ ! ତରୁଣ !! ଏକ ବୀର୍ଯବନ୍ତ ପୁରୁଷ...

 

ସେଇ ବୀର୍ଯ୍ୟବାନ୍ ପୁରୁଷଟି କିଏ ଜାଣନ୍ତି ?

 

ମୁଁ...ମୁଁ !

 

ମୁଁ ଆଚାର୍ଯ୍ୟ ସୂର୍ଯ୍ୟକାଂତ !!

 

ସେଇ ଲମ୍ବା ରାସ୍ତାରେ ଚାଲୁଥିବା ମୋର ଦୁଇଟି ପାଦ ହଠାତ୍ ଅଟକି ଯିବାକୁ ବାଧ୍ୟ ହେଲେ ।

 

କେମିତି ବା ସେମାନେ ଆଗକୁ ଆଗକୁ ମାଡ଼ି ଚାଲନ୍ତେ !

 

ସାମ୍ନା ଚାରିଛକର ବିଭିନ୍ନ ରାସ୍ତାରେ ଠିଆ ହୋଇ ଗୁଡ଼ାଏ ଭଗାବଂଡ଼ସ ପରସ୍ପର ମଧ୍ୟରେ ଗାଲି ଗୁଲଜ–ଏପରି ଚପଲ ଫୋପାଡ଼ା-ଫୋପାଡ଼ି ଠୁଁ ହାତାହାତି ଯାଏଁ କାମ ଚଳେଇଥିଲେ ।

 

ସେମାନେ ୟଙ୍ଗ୍ରୀ, ହାଙ୍ଗ୍ରୀ ମ୍ୟାନ ସତେ ଯେମିତି । ଭିନ୍ନ ଆଦର୍ଶ, ଭିନ୍ନ ମତବାଦ...ବିଭିନ୍ନ ଦଳର : ଗୋଷ୍ଠୀର ।

 

ପ୍ରତ୍ୟେକେ ନିଜ ଗୋଷ୍ଠୀର ଆଦର୍ଶ ଓ ମତବାଦକୁ ଅନ୍ୟମାନଂକ ଉପରେ ଜବରଦସ୍ତ ନଦି ଦେଇ ମନେମନେ ସମ୍ରାଟ ହେବାକୁ ସ୍ୱପ୍ନ ଦେଖୁଛନ୍ତି । ଯଦି ବିଫଳ ହେଉଛନ୍ତି ତେବେ ପିଟାପିଟି ଛେଚାଛେଚି ହେଉଛନ୍ତି । ସତେ ଯେମିତି ଏମାନେ ବାଲ୍ମିକୀ, ମାଓ, ଗାନ୍ଧୀ, ଫ୍ରୟଡ଼ ପୁଣି ବୁଦ୍ଧ ଓ ଶ୍ରୀ ଅରବିନ୍ଦଙ୍କ ଜଣେ ଜଣେ ଏକାନ୍ତ ବିଶ୍ଵସ୍ତ ଅନୁଚର... ଉତ୍ତରାଧିକାରୀ ।

 

କେତେବେଳୁ କେ ଜାଣେ ସେମାନଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ ଚାଲିଥିଲା । ଆହତ ରକ୍ତାକ୍ତ ହେବା ସତ୍ତ୍ଵେ ବି ବିଜୟର ଆଶାରଖି ସେମାନେ ନିଜ ଧନ୍ଦା ନିଜେ ଚଲେଇ ଥିଲେ ।

 

ଏ ନାରକୀୟ ଦୃଶ୍ୟ ମୋ ପକ୍ଷେ ଅସମ୍ଭାଳ ହୋଇପଡ଼ିଲା । କ୍ରୁଦ୍ଧ, ମାରାତ୍ମକ ହେଲେ ବି ସେମାନେ ଯେ ମୋର ନିଜ ଲୋକ । ସେମାନଙ୍କ ଭିତରେ ଅଛନ୍ତି ମୋର ଅନେକ ସାଥୀ, ମିତ୍ର ପୁଣି ଭ୍ରାତା-ସହୋଦର ।

 

ସେମାନେ ମୋର...ମୋ ମଣିଷ ଜାତିର ।

 

ମୋର ବିକ୍ଷିପ୍ତ ଧୈର୍ଯ୍ୟ, ସାହସ ଓ ଶକ୍ତିକୁ ଏକତ୍ରିତ କରି ସେମାନଙ୍କ ଗହଳି ଭିତରକୁ ପଶିଗଲି ଓ ଉଚ୍ଚ କଂଣ୍ଠରେ ଚିତ୍କାର କଲି–‘‘ରେ, ରେ, ଅଧମ–ମାନେ । ତୁମେ ପରସ୍ପର ପ୍ରତି ଏମିତି ଗାଳି ଗୁଲଜ, ଛୁରା ପେଲାପେଲି ଚଳେଇଛ କାହିଁକି ? ଏତେ ସବୁ ନିରର୍ଥକ ତାଣ୍ଡବ ନୃତ୍ୟରୁ ତୁମମାନଙ୍କୁ କ’ଣ ମିଳିବ ?” ଆପଣମାନେ ଶୁଣିଲେ ଆଶ୍ଚର୍ଯ୍ୟ ହେବେ, ମୁଁ ଏତିକି ମାତ୍ର ଉଚ୍ଚସ୍ଵରରେ ଚିତ୍କାର କରିବାକ୍ଷଣି ସେମାନେ ହଠାତ୍‌ କ୍ରମଶଃ ଚୁପ୍‌ଚାପ ହୋଇ ଠିଆ ହେଲେ । ସତେ ଯେମନ୍ତ ସେମାନେ ଗୋଟିଏ ଗୋଟିଏ ସ୍ଥିତପ୍ରଜ୍ଞ ମୁନି, ସଚେତନ ଭାବୁକରେ ପରିଣତ ହେଲେ ।

 

ସେମାନେ ସମସ୍ତେ ନୀରବ । ଚୁପ୍‌ଚାପ ! ଗୋଟିଏ ଗୋଟିଏ ସୁନାପିଲା ।

 

ମୁଁ ଖୁବ୍ ଜୋର୍‌ରେ ହସିଲି, କିନ୍ତୁ ହସରେ ମୋର ଅଣୁମାତ୍ର ଆନ୍ତରିକତା ନଥିଲେ । ଥିଲା କେବଳ ଅନେକ ଆଶଂକା ଓ ଅନାଗତ ଆକ୍ରମଣକୁ ମୁକାବିଲା କରିବାକୁ କିଛିଟା ଛଳନାର ଲିରିକ୍ ।

 

ହଜାର ହଜାର ଆଶିଂକ ଶାଣିତ ଶୋଣିତ ଚାହାଣୀ ଗୋଟିଏ ଗୋଟିଏ ନାଗ ପାଲଟି ସତେ ଯେମିତି ମୋ ଶରୀରକୁ ଦଂଶନ କରୁଥିଲେ । ଏବଂ ମୋର ଦୁଇଟି ଜାଗ୍ରତ ଚକ୍ଷୁ ସହସ୍ରାଧିକ ଆଖିଙ୍କୁ ପହରା ଦେବାକୁ ଅସମର୍ଥ ହେଲେ ବି ଅଭିନୟ କରିବାକୁ ମୁଁ ବାଧ୍ୟ ହେଉଥିଲି–ସତେ ଯେମିତି ମୁଁ ଭୀରୁ ନୁହେଁ : ନା କାପୁରୁଷ ।

 

ଭିନ୍ନ ମତ, ଭିନ୍ନ ବାଦ ଓ ଆଦର୍ଶର ପ୍ରତିଟି ମଣିଷ ନିଜ ନିଜର ସମସ୍ତ ବାଦବିବାଦ ଭୁଲି ହଠାତ୍‌ ଏକ ଗୋଷ୍ଠୀରେ ପରିଣତ ହେଲେ ଓ ସମସ୍ତରରେ ଚିତ୍କାର କଲେ–‘‘ହେଇ ! ମିଳିଗଲାରେ ଶଳାଟା...ଅନେକ ନବନାଟକର ଗୋବର୍ଦ୍ଧନ ଇଏ ! ଆସରେ ହେ ସଂଗ୍ରାମୀ ସାଥୀମାନେ...ଅନ୍ତତଃ ପକ୍ଷେ ବର୍ତ୍ତମାନ ଆମେ ସମସ୍ତେ ଆମ ଭିତରେ ଉପୁଜିଥିବା ସମସ୍ତ ବିଦ୍ୱେଷ ଓ ମତବାଦକୁ ଭୁଲିଯାଇ ୟାକୁ ପାନେଲେଖାଁଏ ଅବ୍ୟର୍ଥ ଔଷଧ ଦେବା ।”

 

ଖୁବ୍ ଜୋର୍‌ରେ ମୁଁ ହସିଲି ଓ ପ୍ରଶ୍ନ କଲି–‘‘କାହିଁକି ? ମୁଁ ତୁମମାନଙ୍କର କି ଅପରଧ କରିଛି ?’’ ସେମାନେ ସମସ୍ଵରରେ କହିଲେ–“ତୁମେ ଏକ ଅସାମାଜିକ, ଲଂପଟ : ଚରିତ୍ରହୀନ ! ଆମେ ତୁମକୁ ହତ୍ୟା କରିବୁ, ଏ ପୃଥିବୀରୁ ଅନ୍ୟ ପୃଥିବୀକୁ ବିଦାୟ ଦେବୁ !”

 

ସେମାନଙ୍କର ମୋ ପ୍ରତି ଆତଙ୍କିତ ଆକ୍ରମଣ ସତ୍ତ୍ୱେ ମୁଁ ହସିଲି ଏବଂ ବ୍ୟଙ୍ଗ କରି କହିଲି–“ହାୟରେ, ମୋ ପ୍ରତି ତୁମମାନଙ୍କର ଏତେ ଦୟା ଓ ସମ୍ମାନ କାହିଁକି ? ମୁଁ ଗାନ୍ଧୀ, ଯୀଶୁ, ମାଟିନ୍‍ଲୁଥର, ସିଗୁଏଭର-ଲୁମୁଂବା କିମ୍ୱା ! ସକ୍ରେଟିସ୍ ନୁହେଁ : ମୁଁ ଏକ ସାଧାରଣ ପେନ୍ ଡ୍ରଇଉର ମାତ୍ର..ଅଯଥା ହତ୍ୟା କରି ମୋତେ ଇତିହାସର ଏକ ନାୟକ କରିବ କାହିଁକି ?”

 

ସମସ୍ଵରରେ ସେମାନେ ଗର୍ଜନ କଲେ–‘‘ଶଃ-ବାଷ୍ଟାର୍ଡ଼ ! ସତେ ଯେମିତି ଭଦ୍ର ଲୋକଟିଏ !! ନିଜକୁ ମୁକ୍ତ କରିବାକୁ କେତେ ଫାର୍ସ ଚଳେଇଛି ଦେଖ…ମାର ଶଳାକୁ.... !!” ନିଜକୁ ଯଥା ସଂଭବ ସଂଯତ କରି ମୁଁ ପଚାରିଲି–‘‘ଘଟଣା କ’ଣ ? ଏଇ କିଛି ମିନିଟ୍ ପୂର୍ବେ ତୁମେ ସମସ୍ତେ ପରସ୍ପର ମଧ୍ୟରେ ଦଂଗା ସଂଗ୍ରାମ ଚଳେଇଥିଲ...ଆଉ ବର୍ତ୍ତମାନ ଏକା ମା’ ପେଟର ଛୁଆପରି ଏକତ୍ରିତ ହୋଇ ମୋତେ ଆକ୍ରମଣ କରୁଛ କାହିଁକି ??”

 

ସେମାନେ ପୁଚ୍ଛିଲେ–“ରେ କୁଳାଗାଂର, ତୁ କି ବାଳ ଲେଖା ଲେଖୁଛୁ ଯେ ଆମମାନଂଙ୍କ ଏମିତି ଚରିତ୍ରସଂହାର କରୁଛୁ କାହିଁକି ? କାହିଁକି ଲେଖୁ ? କାହାପାଇଁ ଲେଖୁ ? ତୋ ଲେଖା ଆମ ସମାଜର କି ହିତରେ ଆସେ ।” ବ୍ୟଂଗୋକ୍ତି ଭରା କଂଠରେ କହିଲି–‘‘ଯାହାଂକ ନାଇଁ ଅନ୍ୟ ଗତି ସେମାନେ କଲମ (ଲେଖକ ହୁଅନ୍ତି) ଚଳାଂତି”...

 

ସେମାନେ ହଲ୍ଲା କଲେ–‘‘ବାଃ...ବାଃ ଶଳା କବିଟିଏରେ... ଆଶୁ କବିଟିଏ ! !”

 

ସେମାନଙ୍କ ସମସ୍ତ ଆକ୍ଷେପକୁ ଭ୍ରୂକ୍ଷେପ ନକରି ଯଥାସମ୍ଭବ ଗମ୍ଭୀର ହେଲି ଓ କିଛିଟା ହସମିଶା ସ୍ଵରରେ କହିଲି–‘‘କ୍ରିୟା ନଥିଲେ ପ୍ରତିକ୍ରିୟା ନାଇଁ : ତେବେ ମୁଁ ଜାଣିପାରେ କି ମୋତେ କେନ୍ଦ୍ର କରି ତୁମେମାନଙ୍କ ଏତେ ପ୍ରତିକ୍ରିୟା କାହିଁକି ଓ କ୍ରିୟା ଟା କ’ଣ ହୋଇପାରେ ?”

 

ସେମାନଙ୍କ ଭିତରୁ ଚର୍ବିବହୁଳ ଏକ ମାଇଚିଆ ଟୋକା କ୍ରୋଧ ଜର୍ଜରିତ କଣ୍ଠରେ କହିଲା–‘‘ଶଃ । କିଛି ଜାଣିଥିବ କି ! ଖତମ୍ କର ଯାକୁ, ଇଏ ଆମ ସମାଜର ଏକ ଦୁଷ୍ଟବ୍ରଣ ! !”

 

ଘୁ’ଘା, ହୋ’-ହଲ୍ଲା, ବ୍ୟଙ୍ଗ-ବିଦ୍ରୁପଭରା କଣ୍ଠସ୍ୱରମାନଙ୍କ ଠେଲା ପେଲା…ଫେଣ୍ଟା ଫେଣ୍ଟି ଭିତରେ ଅବ୍ୟକ୍ତ ଯନ୍ତ୍ରଣା ଅଥଚ କେମିତି ମିଠା, ମିଠା ମୂର୍ଚ୍ଛନା ସୃଷ୍ଟି ହେଉଥିବା ମୁଁ ଅନୁଭବ କରୁଥିଲି ।

 

ଗଭୀର ଦୁଃଖର ସହ ମୁଁ ପଚାରିଲି–‘‘ଘଟଣା କ’ଣ ମୋଟେ ମୁଁ ବୁଝିପାରୁନି, ଯଦି ମୋର କେଉଁଠି କିଛି ଭୁଲ୍ ହୋଇଥାଏ ତେବେ ମୋ ନିକଟରୁ କୈଫିୟତ୍ ତଲବ କରାଯାଉ । ଯଦି ଦୋଷୀ ବୋଲି ମୁଁ ସାବ୍ୟସ୍ତ ହୁଏ ତେବେ ମୋ ପ୍ରତି ଉପଯୁକ୍ତ ଦଣ୍ଡ ବିଧାନ କରାଯାଉ, କିନ୍ତୁ କୌଣସି କାରଣ ନ ଜଣାଇ ଏମିତି ଅଭଦ୍ରଙ୍କ ପରି ହେଉଛ କାହିଁକି ?’’

 

‘ଯେ ଗାନେ ମୁକ୍ତିର ଯୁଦ୍ଧ: ସେ ଗାନେଇ କମ୍ରେଡ଼୍ ଲେନିନ୍’ ଲିଖିତ ଗୋଟିଏ ଲାଲ ପ୍ଲାକାର୍ଡ଼ ଧରିଥିବା ଜଣେ ପତଳା ଟୋକା (ଯିଏ ଦେଖିବାକୁ ଏକ ଦେଶୀ ବିଟିଲ୍‌ସ ପରି) ମୋ ଉପରକୁ ମାଡ଼ିଆସି, ଶଳା ବେହିପ, ହିପୋକ୍ରିଟ୍, କଂଟ୍ରୋମଭର୍ସିଆଲ ଇତ୍ୟାଦି ଏମିତି ଅନେକ ଦେଶୀ-ବିଦେଶୀ ଗାଳି ଉଚ୍ଚାରଣ କରି କହିଲା–‘‘ତୁ କ’ଣ ଭାବିଛୁ କି ସାତ ଆଠଟା ଗଳ୍ପ ବା ପିଞ୍ଚର ଆର୍ଟିକଲ୍ ଲେଖିଦେଇ ତୁ ଆମର ସମସ୍ତ ପ୍ରୋଗ୍ରାମ୍‌କୁ ବିଗାଡ଼ିଦେବୁ ? ଆବେ, ମନେରଖ, ଆଉ ପାଦେ ଯଦି ତୁ ଆଗେଇବୁ ତେବେ ମନେ ରଖିଥା...ଏଇ ବତୀଖୁଣ୍ଟରେହିଁ ଦିନେ ତୋତେ ଝୁଲିବାକୁ ପଡ଼ିବ ! !”

 

ଆଉ ଜଣେ ଦାଢ଼ିଆ ଟୋକା ନୀଳପ୍ଳାକାର୍ଡ଼ଟିଏ ଧରି କିଛି ମିନିଟ୍ ପୂର୍ବେ ଚିତ୍‌କାର କରୁଥିଲା–‘‘The world is preparing for a big change ! Every young man should join in our group” ...ସିଏ ମୋ ଉପରକୁ ମାଡ଼ିଆସି ମୋ ସାର୍ଟ କଲର୍‌କୁ ଧରି ପଚାରିଲା–‘‘ତମର କି ନୈତିକ ଅଧିକାର ଅଛି ଆମ ଗୋଷ୍ଠୀକୁ ଏକ ବିକୃତ କାମୁକ ଗୋଷ୍ଠୀ ବୋଲି ଚିତ୍ରଣ କରି ଆମ ଆଧ୍ୟାତ୍ମିକ କାର୍ଯ୍ୟପନ୍ଥାରେ କଣ୍ଟା ବିଛାଇବାକୁ ?”

 

ଜନସମୁଦ୍ର ଭିତରୁ ଆଉ ଜଣେ ଚନ୍ଦାମୁଣ୍ଡିଆ ପ୍ରୌଢ଼...ଯିଏ ଯୌବନକୁ ହଜେଇ ସାରିଲାପରେ ବି ନିଜ ପ୍ରୌଢ଼ତ୍ଵକୁ ଅସ୍ଵୀକାର କରି ଲମ୍ବା କଲି ରଖିଛନ୍ତି ଓ ଯେତେଦୂର ସମ୍ଭବ ନିଜକୁ ଅନ୍ୟମାନଙ୍କ ନିକଟରେ ଏକ ରୁଚିସଂପନ୍ନ ବ୍ୟକ୍ତି ବୋଲି ପରିଚୟ ଦେଲାକୁ ନିଜ ଥୋଡ଼ି ତଳ ଧଳା ଦାଢ଼ିରେ ସେଂଟ୍ ମାରନ୍ତି...ସିଏ ଯଥା ସମ୍ଭବ ନିଜ କ୍ରୋଧକୁ ସମ୍ବରଣ କରି ମୋ ନିକଟକୁ ଆସିଲେ ଓ ଚୁପି ଚୁପି କହିଲେ–‘‘ମିଃ ଆଚାର୍ଯ୍ୟ...ଆପଣଙ୍କର କ’ଣ ମା ଭଉଣୀ ନାହାଁନ୍ତି-? ଆପଣ ଜଣେ ତରୁଣତମ କୁଶଳୀ ଲେଖକ ବୋଲି ଆମ ସମାଜରେ ସମ୍ମାନୀତ ଅଥଚ ଆପଣ ଅଯଥା ଏ ସମାଜର ନାରୀ ଚରିତ୍ରକୁ ବିଶ୍ଳେଷଣ କରି ଆପଣଙ୍କ ମୂଲ୍ୟବାନ ସୃଜନୀଶକ୍ତିର ଅପବ୍ୟୟ କରୁଛନ୍ତି କାହିଁକି ?”

 

ମୋର ଚାରିଦିଗେ ଘେରି ରହିଥିବା ଜନଗହଳି ଭିତରୁ ଜଣେ ବୟସ୍କ, ଯାହାଙ୍କ ଡାହାଣ ହାତରେ ଏକ ଯଷ୍ଟି ଓ ବାଁ ହାତରେ ଗୋଟିଏ ଡାଇରୀ (ସେଥିରେ କବିତା ଓ ଗପ ଥାଇପାରେ) ଥିଲା-ସିଏ ନିଜ ଓଠର ଦର ଖଣ୍ଡିଆ ଜଳନ୍ତା ଚାର୍ ମିନାରଟିକୁ ରାଗରେ ଫୋପାଡ଼ିଦେଇ ମୋ ଆଡ଼କୁ ଆଗେଇ ଆସିଲେ ଓ ଫିସ୍ ଫିସ୍ କରି କହିଲେ–‘‘ନନ୍‌ସେନ୍‌ସ ! ତୁମକୁ ଟିକିଏ ବି ଲଜ୍ଜାନାଇଁ, ନିଜ ଲେଖକ ଜାତି ବିରୁଦ୍ଧରେ ଅନେକ ଜଘନ୍ୟ, ଲଜ୍ଜାହୀନ ମନ୍ତବ୍ୟ ଦେଇ ଗୋଷ୍ଠୀ ବିରୋଧୀ କାର୍ଯ୍ୟ କରୁଛ ? ଜାଣ, ପରିଣାମ କ’ଣ ହେବ ? ଏମିତି ହେଲେ ତୁମେ ବଞ୍ଚିପାରିବନି...ଆମେ ଇଛାକଲେ ତୁମର କୌଣସି ଗ୍ରନ୍ଥ କୌଣସି ପ୍ରକାଶକ ଛାପିବାକୁ ଇଚ୍ଛା କରିବେନି । ଏ ଅପ୍ରାପ୍ତ ବୟସରୁ ଯଦି ତୁମେ ସମାଲୋଚକରେ ପରିଣତ ହୁଅ ତେବେ ତୁମ ସାହିତ୍ୟିକ ଜୀବନରେ ମୃତ୍ୟୁ ଅନିବାର୍ଯ୍ୟ…”

 

ତା’ପରେ...ଜଣେ ଟୋକା ଓକିଲ ନିଜ କଳାକୋଟଟିକୁ ତା’ର ଜଣେ ବନ୍ଧୁଙ୍କ ହାତକୁ ବଢ଼େଇ ଦେଇ ମୋ ଉପରକୁ ଲମ୍ଫ ମାରି କହିଲା–‘‘ଆବେ, ବାସ୍‌ଟାର୍ଡ଼ ! ତମେ ଲେଖକ ଶଳେ ଅଭାବରେ ପଡ଼ି ମଲାବେଳେ ଆମପାଖକୁ ଦୌଡ଼ି ଆସି ସାହିତ୍ୟ ସମ୍ମେଳନପାଇଁ ଚାନ୍ଦା ନେବ, ମନ୍ତ୍ରୀକୁ କହି ଗ୍ରାଂଟ୍ କରେଇ ଦେବାକୁ ଅନୁରୋଧ କରିବ, ପୁଣି ଓଲଟି ଆମ ବିରୁଦ୍ଧରେ ଲେଖା ଲେଖି କରି ଆମ କ୍ଲାଁଏଂଟ୍‌ମାନଂକ ଭିତରେ ମତଭେଦ ସୃଷ୍ଟି କରିବ ? ରହରେ ଶଃ...ତୋ ଉପରେ ମୁଁ ଏମିତି ଦି’ଚାରିଟା କେଶ୍ ନଦି ଦେବିଯେ...ଶଳାର ଅବସ୍ଥା ଦି’ ଗଣ୍ଡା ଦି’ କଡ଼ା ହୋଇଯିବ…”

 

ପଛପଟୁ କାହାର ଗୋଟାଏ ଶକ୍ତ ଗଳା ଧକ୍‌କା ଖାଇ ରାସ୍ତାର ଚଟାଣ ଉପରେ ମୁଁ ମୁହଁମାଡ଼ି ପଡ଼ୁ ପଡ଼ୁ ନିଜକୁ ସମ୍ଭାଳି ନେଇ ପଛକୁ ଫେରି ଚାହିଁଲାବେଳକୁ ଦେଖେ–ମୋ ସାମ୍ନାରେ ଦୁଇଟି ଲାଲ୍ ଆଖି ଜଳୁଛି (ଯେତେଦୂର ସମ୍ଭବ ଯୁବକ ବନ୍ଧୁ ଜଣକ ଦି’ ତିନିଟା ମାଂଡ୍ରେକ୍‌ସା କିମ୍ବା ହିପଟୋଜାଇନ୍ ଗର୍ଭସ୍ଥ କରିଛନ୍ତି) ଏବଂ ମୋତେ ସେଇ ଦୁଇଟି ଆଖିର ଅଧିକାରୀ ତା’ ଓଠରେ ଅନେକ ଅଶ୍ଳୀଳ ଶବ୍ଦ ଉଚ୍ଚାରଣ କରି ପଚାରୁଛି–କୃତଘ୍ନ ହ୍ୟାପ, ତ କେବେ ରୋଗରେ ପଡ଼ିନୁ ? ହଉରେ ଶଳା, ତୁ ଯଦି କେବେ କେଉଁ ଏକ ଅଚିହ୍ନା ରୋଗରେ ପଡ଼ି ଆମ ମେଡ଼ିକେଲ୍‌କୁ ଆସୁ...ତୁ ଶଳାକୁ ପଏଜନ୍ ଇଂଜେକସନ୍ ମାଧ୍ୟମରେ ସୁସ୍ଥ କରିଦେବି ! !

 

ସେତେବେଳେ ମୋର ଯେମିତି ଦୟନୀୟ ଅବସ୍ଥା ମୁଁ ଖୁବ୍ ଯୋର୍‌ରେ କାନ୍ଦିବା ଉଚିତ୍ ଥିଲା, ଆତ୍ମରକ୍ଷା ପାଇଁ ସେମାନଙ୍କ ନିକଟରେ ଆତ୍ମସମର୍ପଣ କରି କ୍ଷମା ମାଗିବା କଥା ମାତ୍ର ଚୋରଙ୍କ ମୁହଁ ଟାଣପରି ମୁଁ କାନ୍ଦିବା ପରିବର୍ତ୍ତେ ସେମାନଙ୍କ ନିକଟରେ ହସର ତରଙ୍ଗ ସୃଷ୍ଟି କରୁଥିଲି ।

 

ଅନ୍ୟୁନ ଛଅ ହଜାର ମଣିଷ ମୁଣ୍ଡରେ ସମୁଦ୍ର ଭିତରୁ ଉପରୋକ୍ତ ଯେଉଁ ଛଅଟି ମୁଣ୍ଡ ବାରଟି ହାତ ଓ ଗୋଡ଼ ମୋ ଉପରକୁ ସ୍ପ୍ରିଙ୍ଗ୍ ପରି ମାଡ଼ିଆସି...ଅନେକ ଉଦ୍ଭଟ ନାଟକର ଖଳନାୟକ ପରି ମୋ ଉପରେ ଅତ୍ୟାଚାର ଆରମ୍ଭ କରି ଦେଲେ–ସେତିକି ବେଳେ ମୁଁ ମୋର ସମସ୍ତ ଚୈତନ୍ୟ ହରାଇ ବସିଲି ଓ ଅନୁଭବ କଲି–ସତେ ଯେପରି ଆକାଶର କାନ୍‌ଭାସରେ ଉଡ଼ି ବୁଲୁଥିବା ଷ୍ଟିଲ୍‌ ରଙ୍ଗର ଜହ୍ନଟା ହଠାତ୍ ଛିଟିକି ପଡ଼ି ମହାଶୂନ୍ୟରେ ଏକ ଗୋଲାକାର ଚଟାଣ ପାଲଟି ଝୁଲୁଚି... ।

 

ଏବଂ କୌଣସି ଏକ ଅନିନ୍ଦ୍ୟ ସୁନ୍ଦରୀ ନାରୀଟିଏ ମହାଶୂନ୍ୟରୁ ଉଡ଼ିଆସି ମୋତେ କୋଳାଗ୍ରତ କରି ପୁଣି ସେଇ ଜହ୍ନର ଚଟାଣ ଦିଗକୁ ଲକ୍ଷ୍ୟକରି ଉଡ଼ିଗଲାବେଳେ ଲାଲ୍‌ପ୍ଳାକାର୍ଡ଼ ବାଲା ବିଟିଲ୍‌ସ ରୂପୀ ସେଇ କ୍ରୁଧ ତରୁଣଟି ଚିତ୍କାର କଲା–‘‘ଉଡ଼ି ଗଲାରେ, ଉଡ଼ିଗଲା ! ...ଏଇ ବେଧେଇ ମାଇକିନିଆଟା ଏ ଶଳାର ପ୍ରେମିକା ହୋଇଥାଇପାରେ ...ଧର, ଧର...”

 

କେଉଁ ଏକ ରଜାରାଣୀ କାହାଣୀରେ ବର୍ଣ୍ଣିତ ପରୀଟିଏ ପରି ଦିଶୁଥିବା ସେଇ ଅନିନ୍ଦ୍ୟ ସୁନ୍ଦରୀ ନାରୀଟିର କୋଳରେ ରହି ମୁଁ ଶୂନ୍ୟରେ (କ୍ରମଶଃ ଭଡ଼ିଲାବେଳେ ସେଇ ଅଭିଯୋଗକାରୀମାନେ ମୋ ଗୋଡ଼କୁ କ୍ରମାନୁସାରେ ଜଣେ ଅନ୍ୟ ଜଣକ ଗୋଡ଼କୁ) ଭିଡ଼ି ଧରିଲେ...ଯେହେତୁ ସେମାନେ ମୋତେ ସତେ ଯେପରି ଛାଡ଼ିବାକୁ ନାରାଜ୍....

 

ଯାହେଉ ସୁଖର କଥା ଆମେ ସମସ୍ତେ ମହାଶୂନ୍ୟରେ ବାଦୁଡ଼ି ପରି ଝୁଲି ଝୁଲି ସେଇ ଗୋଲକାର ଜହ୍ନର ଚଟାଣରେ ପହଞ୍ଚିଲୁ ।

 

ଆପଣମାନେ ହୁଏତ ବିଶ୍ଵାସ କରିନପାରନ୍ତି କିନ୍ତୁ ମୁଁ ଜୋରଦେଇ କହିବି...ଆମେ ସାତଜଣ ସେଠି ପହଞ୍ଚିବା ପରେ କେମିତି ଏକ ଦିବ୍ୟ ପରିବର୍ତ୍ତନ ନିଜ ନିଜ ମଧ୍ୟରେ ଅନୁଭବ କଲୁ ଓ କ୍ରମଶଃ ଆମେ ସମସ୍ତେ ପରସ୍ପର ମଧ୍ୟରେ ଥିବା ଆକ୍ରୋଶ ଓ ଶତ୍ରୁତାକୁ ହଠାତ୍ ଭୁଲିଯାଇ ଗୋଟିଏ ଗୋଟିଏ ପରମ ବନ୍ଧୁରେ ପରିଣତ ହେଲୁ ।

 

ସେଇ ନାରୀଟି (ଯିଏ ସ୍ୱର୍ଗର ଏକ ଅପ୍‌ସରାଟିଏ ପରି ଦିଶୁଥିଲା) କହିଲା–‘‘ହେ ଅମୃତ ସନ୍ତାନମାନେ ! ସୁଚିନ୍ତିତ ବିଚାର ବୋଧନେଇ ତୁମେମାନେ ଏଠି ଯୁକ୍ତିତର୍କ କରିପାର...ପରସ୍ପର ମଧ୍ୟରେ ତୁମମାନଙ୍କ ଯାହା କିଛି ଅଭିଯୋଗ ଥିବ ସେସବୁର ସମାଧାନ କରିବ...ସିଦ୍ଧାନ୍ତ ନେବ...କିନ୍ତୁ ଯଦି କିଛି ତୁମେମାନେ ଏଠି ନିଜ ନିଜ ଭିତରେ ଗୋଲ୍ ମାଲ୍, ଉପଦ୍ରବ ସୃଷ୍ଟି କରିବ ତେବେ ମନେରଖ : ମୋର ଏଇ ବାରହାତି ଖଣ୍ଡାରେ ତୁମ ସମସ୍ତଙ୍କୁ ମୁଁ ଶେଷ କରିଦେବି ! !”

 

ମୁଁ ସେତିକିବେଳେ ସଂବିତ୍‌ ଫେରିପାଇଥିଲି, ଅତଏବ ସ୍ପଷ୍ଟ ଭାବରେ ଜଣାଇଦେଲି–‘‘ଭୋ ଦେବୀ ! ଆପଣ ବ୍ୟସ୍ତ ହେବାର କିଛି ନାଇଁ : ଆମେ ବର୍ତ୍ତମାନ ପରସ୍ପରର ବନ୍ଧୁ । ଆପଣଙ୍କ ପରାମର୍ଶ ଅନୁଯାୟୀ ଆମେ ଯାହାକିଛି ଯୁକ୍ତିତର୍କ ବା ଆଲୋଚନା କରିବୁ” ବେଶ୍ ସୁଚିନ୍ତିତ ଓ ବିଚାରବୋଧର ସହ କରିବୁ ।

 

ତା’ପରେ ଆମ୍ଭମାନଙ୍କ ଗହଣରୁ ଦେବୀ ବିଦାୟନେଲେ ଓ ମୁଁ ସେଇ ଛଅଜଣ ବ୍ୟକ୍ତିଙ୍କୁ...ମୋ ନିକଟରୁ ବାରଫୁଟ ଦୂରରେ ବସାଇ ଆଲୋଚନା ଆରମ୍ଭ କଲି । ପ୍ରଥମ ବିପ୍ଳବୀ ତରୁଣ ଜଣକ...ଯିଏ ଦେଖିବାକୁ ଏକ ବିଟ୍‌ଲସ୍ ପରି ସେ ପ୍ରଶ୍ନ କଲା; “ହେ ମହାଶୟ ଆପଣ କେଉଁ ନୈତିକ ଅଧିକାର ନେଇ ଆମ ପାର୍ଟି ଚେୟାରମ୍ୟାନ୍‌ଙ୍କ ବିରୁଦ୍ଧରେ ଏତେ ସବୁ କଥା ଲେଖିଲେ ବୁଝାଇପାରିବେକି ?” ମୁଁ ତାକୁ ମୋ ପାଖକୁ ଡାକିଲି ଓ ମୋ ନିକଟରେ ବସିବାକୁ ଅନୁରୋଧ କଲି । ସେ ମୋ ନିକଟକୁ ଆଗେଇ ଆସିଲାବେଳେ ମୁଁ ମୋ ଆଖିରୁ ଚଷମାଟିକୁ ବାହାରକରି ରୁମାଲରେ କାଚ ଦୁଇଟି ପୋଛୁ ପୋଛୁ ପ୍ରଶ୍ନ କଲି–‘‘ଆପଣଙ୍କ ନାମଟା କ’ଣ ଜାଣିପାରେକି ବନ୍ଧୁ ?”

 

ଘୁଷ୍ ଖାଇବା ଅପରାଧରେ ସଶ୍ରମ କାରଦଣ୍ଡ ଆଦେଶ ପାଇ ଜେଲ୍‍ ଯାଉଥିବା କେଉଁ ଏକ ଉଚ୍ଚପଦସ୍ଥ ଅଫିସର ପରି ମୁହଁଟିକୁ ଆମ୍ୱିଳିଆ କରି ସେ କହିଲା–“ନାମରୁ ମିଳିବ କିସ...ତେବେ କହିଦିଏ : ମୋ ନାମ କଣ୍ଡୁନାଥମ୍ !”

 

ମୁଁ କହିଲି–“କମ୍‌ରେଡ଼୍ କଣ୍ଡୁନାଥମ୍ ! ମୋ ନିକଟରୁ କୈଫିୟତ୍ ତଲବ କରିବା ପୂର୍ବରୁ ଆପଣ ଏଇ ଚଷମାଟା ନେଇ ପିନ୍ଧନ୍ତୁ ତ...”

 

ସେ କୁଣ୍ଠିତ ଭରା କଣ୍ଠରେ କହିଲା–“ଚଷମା ? ଆଚ୍ଛା ଦିଅନ୍ତୁ….”

 

କମ୍ରେଡ଼୍, କଣ୍ଡୁନାଥମ୍ ମୋ ହାତରୁ ଚଷମାଟା ନେଇ ପିନ୍ଧିଲାପରେ କହିଲା “ତାପରେ-?”

 

ମୁଁ କହିଲି–“ଆଚ୍ଛା କଣ୍ଡୁବାବୁ ବର୍ତ୍ତମାନ ଆପଣ ଚଷମା ପିନ୍ଧିଲାପରେ କ’ଣ ଅନୁଭବ କରୁଛନ୍ତି ?”

 

ସେ କହିଲା–“ମୁଁ ବର୍ତ୍ତମାନ କେମିତି ଏକ ବିଚିତ୍ରଭାବ ଅନୁଭବ କରୁଛି ଓ ଦେଖୁଛି ଏ ମହାଶୂନ୍ୟକୁ...ଆଃ କି ସୁନ୍ଦର...ଅମୃତମୟ…’’

 

–“ଆଉ ?”

 

–“ମୋତେ, ଏ ପରିବେଶ ବେଶ୍ ଭଲଲାଗୁଛି…”

 

–“ଆଉ ?”

 

–“ଉର୍ଦ୍ଧ୍ୱକୁ ଚାହିଁଲେ ପବିତ୍ର ପବିତ୍ର ଭାବ ଆଉ ନିମ୍ନକୁ ଚାହିଁଲେ ମାୟା ମାୟା ଭାବ ଅନୁଭବ କରୁଛି !”

 

ମୁଁ କହିଲି–“ଆଚ୍ଛା ନିମ୍ନ ଦେଶରେ କ’ଣ ଦେଖୁଛନ୍ତି ?”

 

ସେ କହିଲା–“ପୃଥିବୀ…”

 

ପଚାରିଲି–‘‘ପୃଥିବୀ ଦେଖିଲାପରେ ଆପଣ କଣ ଅନୁଭବ କରୁଛନ୍ତି ?”

 

ସେ ଉତ୍ତର ଦେବାକୁ ଯାଇ କହିଲା–‘‘ଦେଖୁଛି, ପୃଥିବୀର ଛାତିରେ ଅନେକ ବିଲ, ବଣ, ସହର, କୋଠାବାଡ଼ି...କାର୍, ବସ୍‌, ଟ୍ରେନ୍ ଆଉ ଶହ ଶହ ମଣିଷ ମାଳମାଳ...ପୋକ ମାଛିପରି–ମୋଟା ମୋଟି ଭାବେ ପୃଥିବୀ ଦିଶୁଛି ଏକ ନୀଳସବୁଜ ମାନଚିତ୍ର ପରି…”

 

–“ଆଉ ?”

 

–“ମାନେ ? ଓଃ...ଦେଖୁଛି ଏକ ପ୍ରକାଣ୍ଡ ମଇଦାନରେ ସହସ୍ରାଧିକ ଜନତାଙ୍କ ସମାବେଶ ଓ ମଇଦାନର କେନ୍ଦ୍ରରେ ଏକ ବିରାଟ ମଞ୍ଚ ଉପରେ ଜଣେ ଚର୍ବି ବହୁଳ ନେତାଙ୍କ ଭାଷଣ…”

 

–“ସେ ଭାଷଣର ମର୍ମ କ’ଣ ବୋଲି ଅନୁଭବ କରୁଛନ୍ତି ?”

–“ନେତା କହୁଛନ୍ତି ଦେଶର କୋଣେ କୋଣେ ଖାଦ୍ୟାଭାବ...ଅଭାବ ଅନାଟନ ଯାହା ଦେଖାଦେଇଛି ଓ ଲକ୍ଷ ଲକ୍ଷ ଜନତା ଯେପରି ଅନାହାରରେ ମରୁଛନ୍ତି ସେଥିପାଇଁ ଦାୟୀ ଏ ଦେଶର ମହଜୁଦ୍‌କାରୀ କଳାବଜାରୀ ବ୍ୟବସାୟୀ ଗୋଷ୍ଠୀ ! ପ୍ରଥମେ ପେଟପାଇଁ ଦାନ ତା’ପରେ ଆଉ ଯାହା କିଛି ! ବର୍ତ୍ତମାନ ଆଉ ବାକ୍ୟର କୌଣସି ମାନେ ନାଇଁ...ଭାଷଣ ଲୋକଙ୍କୁ ଅନାହାର ମୃତ୍ୟୁରୁ ରକ୍ଷା କରିପାରିବନି...ଦେଶର ସମସ୍ତ ଯୋଜନା, ଆଇନ୍‍କାନୁନ୍ ଫେଲ୍ ମାରିଚି ଓ ବେଳ ଆସିଛି ରକ୍ତାକ୍ତ ସଂଗ୍ରାମର ! କର ନଚେତ୍‌ ମର ! ମହଜୁଦକାରୀ କଳାବଜାରୀଙ୍କ ଗୋଦାମ୍ ଲୁଟ କରିବାକୁ ପଡ଼ିବ..ସେମାନଙ୍କୁ ଜେଲ ଭିତରେ ପୁରେଇବାକୁ ପଡ଼ିବ ନଚେତ ରାସ୍ତାର ବତୀ ଖୁଣ୍ଟରେ ସେମାନଙ୍କୁ ଝୁଲେଇବାକୁ ପଡ଼ିବ !”

–“ଆଉ କ’ଣ ଦେଖୁଛ ଓ ଶୁଣୁଛ ମିଃ କଣ୍ଡୁନାଥମ୍ ?”

–“ଆଉ କିଛି ନାଇଁ ତ...”

–ତେବେ ଦୟାକରି ଚଷମାଟିକୁ ଆଉଥରେ ପୋଛି ନିଅନ୍ତୁ…

ସେ ମୋ ନିର୍ଦ୍ଦେଶକ୍ରମେ ଆଖିରୁ ଚଷମାଟିକୁ ବାହାର କରି ପୋଛି ସାରିଲାପରେ ପୁଣି ପିନ୍ଧିଲା !

ମୁଁ କହିଲି–“ବର୍ତ୍ତମାନ ପୃଥିବୀକୁ ଚାହାଁନ୍ତୁ ଓ କ’ଣ ଦେଖୁଛନ୍ତି କହନ୍ତୁ !”

ସେ ବିସ୍ମୟ ନେତ୍ରରେ ପୃଥିବୀକୁ ଲକ୍ଷ୍ୟ କରି କହିଲା–‘‘ଆରେ, ସେ ମଇଦାନରୁ ଜନତାଙ୍କ ମୁଣ୍ଡବାଳ ସବୁ କ୍ରମଶଃ ଅଦୃଶ୍ୟ ହେଲେଣି କିନ୍ତୁ ଭାଷଣ ଦେଉଥିବା ସେଇ ପୃଥୁଳାକାୟ ବ୍ୟାକ୍ତିଙ୍କ ସହ ଆଉ ଜଣେ ଚର୍ବିବହୁଳ ବୃଦ୍ଧ କାର୍‌ରେ ବସି ରାଜରାସ୍ତା ଉପରେ ଯାଉଛନ୍ତି ଏବଂ ସେମାନଙ୍କ ମଧ୍ୟରେ କିଛି କଥାବାର୍ତ୍ତା ଚାଲିଛି...”

–“ସେମାନଙ୍କ କଥାବାର୍ତ୍ତାରୁ ଆପଣ କ’ଣ ଅନୁଭବ କରୁଛନ୍ତି ?”

–“ଭାଷଣ ଦେଉଥିବା ସେଇ ନେତା ଜଣକ ତାଙ୍କ ପାଖରେ ବସିଥିବା ଚର୍ବିବହୁଳ ବୃଦ୍ଧଙ୍କୁ କହୁଛନ୍ତି : ମିଃ ଅଗ୍ରବାଲ, ପଚାଶ ହଜାର ଯଥେଷ୍ଟ ନୁହେଁ...ଆଉ ଦଶ ନିହାତି ଦରକାର ! ଦଶ ମୋର ଆଉ ପଚାଶ ପାର୍ଟିର…”

–ଆଚ୍ଛା କଣ୍ଡୁବାବୁ...ସେ ବୃଦ୍ଧ କ’ଣ ଜବାବ୍ ଦେଉଛି ?”

–‘‘ନେତାଙ୍କ କଥାରେ ରାଜି ହୋଇ ସେଇ ବଣିକଟି ଆଉ ଦଶ ହଜାରର ଚେକ୍‌ଟିଏ ସୁନାପୁଅ ପରି ବଢ଼ାଇ ଦେଲାବେଳେ...ନେତା କହୁଛନ୍ତି–ଚେକ୍ ନୁହେଁ କ୍ୟାସ୍… କ୍ୟାସ୍…”

ମୁଁ ହସିଲି ଓ କହିଲି–“ଆଚ୍ଛା କଣ୍ଡୁନାଥ...ଟଙ୍କା ଲେନାବାଲା ଓ ଦେଲାବାଲା ଦୁଇଟି କିଏ ଜାଣି ପାରୁଛନ୍ତି ତ ?”

କଣ୍ଠୁନାଥମ କିଛି ସମୟ ଗୁମ୍ ମାରି ରହିଲା ପରେ କହିଲା–“ଶଳା, ସିଏ ଆମ ପାର୍ଟିର ଚେୟାର୍‌ମ୍ୟାନ୍‌ ପରି ମନେ ହେଉଚି ଆଉ ଅନ୍ୟ ଲୋକଟି ମହଜୁଦକାରୀ କଳାବଜାରୀ ଅଗ୍ରବାଲ ନିଶ୍ଚୟ…”

 

–“ଆଚ୍ଛା, ମିଃ କଣ୍ଡୁନାଥମ୍ ! ମୁଁ ତେବେ ତୁମ ପାର୍ଟି ଚେୟାରମ୍ୟାନ୍ କମ୍ରେଡ଼ ସତ୍ୟବାଦୀ ଭୌମିକ୍‌ଙ୍କ ବିରୁଦ୍ଧରେ କ’ଣ ମିଛ କଥା ଲେଖିଛି ?”

 

ସେ କେବଳ ଏତିକି ଉତ୍ତର ଦେଲା–“ନା ।”

 

ମୁଁ ଆଦେଶ ଦେଲି : ମିଃ କଣ୍ଡୁନାଥମ । ଆପଣ ବର୍ତ୍ତମାନ ମୋଠୁଁ ବିଦାୟ ନେଇ ଯେଉଁଠି ପୂର୍ବେ ବସିଥିଲେ ସେଠିକି ଚାଲିଯାଆନ୍ତୁ ।

 

ଲାଲ୍‍ ପ୍ଳାକାର୍ଡ଼ ବାଲା କଣ୍ଡୁନାଥମ୍ ଚାଲିଗଲା ପରେ ନୀଳ ପ୍ଲାକାର୍ଡ଼ର ଅଧିକାରୀ ମୋ ସାମ୍ନାକୁ ଆସି ବସିଲେ ଓ କହିଲେ–ମୋ ନାମ ସଚ୍ଚିଦାନନ୍ଦ ଦାସ । ‘ପୃଥିବୀ ସମସ୍ୟା ସମାଧାନ ସମିତି’ର ମୁଁ ସାଧାରଣ ସଂପାଦକ । ମହାଶୟ ! ଆପଣ କେଉଁ ସତ୍ ସାହାସ ନେଇ ଆମ ସମିତି ସଭାପତିଙ୍କୁ ଏକ ଏକ କାମ ରୋଗଗ୍ରସ୍ତ ନପୁଂସକ ରୂପେ ଚିତ୍ରଣ କରି ଆମ ପବିତ୍ର ଅନୁଷ୍ଠାନର ସୁନାମକୁ ନଷ୍ଟଭ୍ରଷ୍ଟ କରିଦେଇଛନ୍ତି, ସେକଥା ମୁଁ ଜାଣିପାରେ କି ?”

 

ଯୁବକ ସାଧୁ ସଚ୍ଚିଦାନନ୍ଦଙ୍କ ଉଦ୍ଦେଶ୍ୟରେ ମୁଁ ଚଷମାଟି ବଢ଼ାଇ ଦେଇ କହିଲି–‘‘ବାବା ସଚ୍ଚିଦାନନ୍ଦ ! ଆପଣ ଏଇ ଚଷମାଟି ପିନ୍ଧନ୍ତୁ । ତା’ପରେ, ମୁଁ ଆପଣଙ୍କୁ ଠିକେ ଠିକେ ସବୁ କିଛି ବୁଝାଇ ଦେବା ପୂର୍ବରୁ ଆପଣ ସବୁକିଛି ବୁଝି ପାରିବେ ।”

 

‘ପୃଥିବୀ ସମସ୍ୟା ସମାଧାନ ସମିତି’ର ସାଧାରଣ ସଂପାଦକ ସଚ୍ଚିବାବୁ ଚଷମାଟିକୁ ପିନ୍ଧିସାରିଲା ପରେ ମୁଁ ତାଙ୍କୁ ପ୍ରଶ୍ନ କଲି–“ଆଚ୍ଛା ଦାସ୍ ବାବୁ ! ଆପଣ ବର୍ତ୍ତମାନ ପୃଥିବୀକୁ ଦୃଷ୍ଟିପାତ କରିବା ହୁଅନ୍ତୁ ଓ କ’ଣ ଦେଖୁଛନ୍ତି ବର୍ଣ୍ଣନା କରିବା ହୁଅନ୍ତୁ…”

 

ସେ ପୃଥିବୀକୁ ଚାହିଁ ଉତ୍ତର ଦେଲେ–‘‘ବେଦ ପାଠ ଓ ଭଜନର ଅପୂର୍ବ ଧ୍ୱନି ସବୁ ପୃଥିବୀ ପୃଷ୍ଠରୁ ଭାସି ଆସୁଛି ଆଉ ଆମ ସମିତିର କୋଠା ଭିତରେ ବହୁ ନରନାରୀଙ୍କ ଅପୂର୍ବ ସମାବେଶ ।

 

ପଚାରିଲି–“ଆଉ ?”

 

ସେ ଉତ୍ତର ଦେଲେ–‘‘ଆମ ସମିତିର ସଭ୍ୟାସଭ୍ୟମାନଙ୍କ ସହ ଭକ୍ତମଣ୍ଡଳୀ ବାବା–ମା ପ୍ରେମରେ ଉଦ୍‌ବୁଦ୍ଧ ହୋଇ ଆଖିବୁଜି ଭଜନ ଚଳେଇଛନ୍ତି ।”

 

–“ଆଉ ? ’’ ମୁଁ ପ୍ରଶ୍ନ କଲି ।

 

–“ସମିତିର ଉପ-ସଭାନେତ୍ରୀ ଶ୍ରୀମତୀ କାମିନୀ ଦେବୀ ଭଜନଗାନ କରୁଛନ୍ତି ଓ ଆମ ସଭାପତି ଶ୍ରୀଯୁକ୍ତ ଚନ୍ଦେଶ୍ଵର ବାବୁ ଖଞ୍ଜଣୀ ମାଡ଼ରେ ମତ୍ତ ।”

 

–ତା’ପରେ ?

 

–“ଆଉ କାହିଁ ସେମିତି କିଛି ବିଶେଷ ଗୁରୁତ୍ୱପୂର୍ଣ୍ଣ ଦୃଶ୍ୟ ମୁଁ ଦେଖି ପାରୁନି ତ !”

 

ମୁଁ ସ୍ମିତ ହସଟିଏ ତାଙ୍କ ଉପରକୁ ଫୋପାଡ଼ି ଦେଇ କହିଲି–‘‘ମିଃ ଦାସ୍ ! ଦୟାକରି ଆପଣ ଏଇ ରୁମାଲଟି ନେଇ ଚଷମାର କାଚ ଦୁଇଟିକୁ ପୋଛି ଦିଅନ୍ତୁ ଓ ଚଷମାଟିକୁ ପିନ୍ଧି ପୃଥିବୀ ପୁନଃ ନିଘା କରନ୍ତୁ ।”

 

ବାବୁ ସଚ୍ଚିଦାନନ୍ଦ ମୋ କଥାର ଗୁରୁତ୍ୱକୁ ଉପଲବ୍‌ଧି କରି ମୋ ନିର୍ଦ୍ଦେଶ ସଂପାଦନ କଲେ ଓ ପିନ୍ଧିଲେ ।

 

ମୁଁ’ ପଚାରିଲି–‘‘କ ଣ ଦେଖୁଛନ୍ତି ?”

 

–“ଆରେ, ଆମ ଅନୁଷ୍ଠାନର ସମସ୍ତ କାର୍ଯ୍ୟକ୍ରମ ସରିଗଲାଣି ଓ ସଭ୍ୟମାନେ ବିଦାୟ ନେଲେଣି । କିନ୍ତୁ ଆଜ୍ଞା, ଦୁଇଜଣଙ୍କ ମଧ୍ୟରେ କିଛି ଗୋଟାଏ ଗୁରୁତ୍ୱପୂର୍ଣ୍ଣ କଥାବାର୍ତ୍ତା ଚାଲିଛି...”

 

ପଚାରିଲି–“କେଉଁଠି ?”

 

ସେ ଉତ୍ତର ଦେଲେ–“ଏକ ଏକମୁହାଁ କୋଠରୀ ଭିତରେ ।”

 

–“କ’ଣ କଥାବାର୍ତ୍ତା ଚଲେଇଛନ୍ତି ସେମାନେ ?”

 

ସେ କିଛି ମୁହୂର୍ତ୍ତଯାଏଁ ଗମ୍ଭୀର ହୋଇ ରହିଲାପରେ କହିଲେ–‘‘ସେମାନେ ଚୁପି ଚୁପି କଥାବାର୍ତ୍ତା ହେଉଥିବା ଯୋଗୁ ସ୍ପଷ୍ଟ ଭାବରେ କିଛି ଶୁଭୁନି ତେବେ ପୁରୁଷ ଜଣକ କହୁଛି...‘ପ୍ରିୟତମା ! ତୁମେ ଆଗେ ବନ୍ଧା ଓ ମୁଁ ନପୁଂସକ ହେଲେ ବି ଆମର ଅନେକ କିଛି କାମନା ଅଛି ! ଆସ ଆଜିର ଏଇ ମାହେନ୍ଦ୍ର ବେଳାଟିକୁ ରାଧାକୃଷ୍ଣ ପ୍ରେମରେ କଟେଇ ଦେବା !”

 

–“ତା’ପରେ ?” ମୁଁ ପଚାରିଲି ।

 

–“ଆଜ୍ଞା, ନାରୀ ଜଣକ କହୁଛି–ତମେ କେଡ଼େ ବଦମାସ୍ ! ଆଚ୍ଛା, ପ୍ରାଣେଶ୍ୱର…ଆମ ଅନୁଷ୍ଠାନକୁ ଆମେରିକାରୁ ଯେଉଁ ଲକ୍ଷେ ଟଙ୍କା ସାହାଯ୍ୟ ମିଳିଥିଲା ସେ ସବୁର ହିସାବ ନିକାଶ ହୋଇ ସାରିଛିତ ? ଆଉ ପୁରୁଷଟି କହୁଛି : ଆଗୋ ପ୍ରାଣେଶ୍ୱରୀ ! ବ୍ୟସ୍ତ ହେବାତ କିଛି ନାଇଁ...ଏ ପୃଥିବୀ ପ୍ରେମ ଆସନ୍ତାକାଲିଠାରୁ ଶେଷ, ଚାଲଯିବା ପ୍ଲେନ୍ ଟାଇମ୍ ହୋଇଗଲାଣି…”

 

ମୁଁ ଗମ୍ଭୀର ହୋଇ ପଚାରିଲି–‘‘ସେ ନାରୀ ଓ ପୁରୁଷ କିଏ ?”

 

ସଚ୍ଚିଦାନନ୍ଦ ନୀରବ । ନିର୍ବାକ । ସ୍ଥାଣୁ ! ତାଙ୍କ ନୀରବତାର ଉଦ୍ଦେଶ୍ୟକୁ ଅନୁମାନ କରି କହିଲି–‘‘ସଚ୍ଚିଦାନନ୍ଦ ନୀରବ କାହିଁକି ? ଜବାବ ଦିଅ !”

 

ସେ ଥର ଥର କଣ୍ଠରେ କହିଲା–‘‘ଚନ୍ଦେଶ୍ୱର ଓ କାମିନୀଦେବୀ ?”

 

ମୁଁ କ୍ରୋଧାନ୍ୱିତ ସ୍ତରରେ ନିର୍ଦ୍ଦେଶ ଦେଲି–“ମୋର ଆପଣକୁ ଆଉ ବିଶେଷ କିଛି ପଚାରିବାର କିମ୍ବା କହିବାର ନାଇଁ...ମିଃ ଦାସ୍ ଆପଣ ଦୟାକରି ନିଜର ପୂର୍ବସ୍ଥାନ ଅଧିକାର କରିବା ହୁଅନ୍ତୁ !’’

 

ବାବୁ ସଚ୍ଚିଦାନନ୍ଦ ଚାଲିଗଲା ପରେ ଦାଢ଼ିରେ ସେଣ୍ଟ୍‌ମରା ବାବୁ ଜଣକ ମୋ ପାଖରେ ଆସି ବସିଲେ ଓ କହିଲେ’’–ମୁଁ ସୁରଭିକାନ୍ତ ମହାପାତ୍ର, ବେତାର କେନ୍ଦ୍ରର ଆନାଉନ୍‌ସର । ମୋର ଅଭିଯୋଗଟା ହେଲା–ଆପଣଙ୍କ ପରି ଜଣେ ପ୍ରତିଭାଶାଳୀ ଯୁବଲେଖକ ନିଜ ଶାଳୀନତା ହରାଇ, ଅଭଦ୍ରଙ୍କ ପରି ମୋ ପତ୍ନୀ ମହାମାୟା ଓ କନ୍ୟା ସୁଚରିତ୍ରାର ଚରିତ୍ରକୁ ଅତି ନଗ୍ନ ଭାବରେ ଚିତ୍ରଣ କରି ଆମ ପରିବାର ମଧ୍ୟରେ ଅଶାନ୍ତିର ଝଡ଼ ସୃଷ୍ଟି କରିଛନ୍ତି କାହିଁକି ?”

 

ମୋର ସମସ୍ତ ଗାମ୍ଭୀର୍ଯ୍ୟକୁ ତାଙ୍କ ଉପରକୁ ଫୋପାଡ଼ିଦେଇ ମୋ ଓଠରେ କିଞ୍ଚିତ୍‌ ସ୍ମିତ ହସର ତରଙ୍ଗ ସୃଷ୍ଟି କଲି ଓ କହିଲି–“ମିଃ ମହାପାତ୍ର ! ଯାହା ସତ୍ୟ ତାହାହିଁ ସାହିତ୍ୟ ! ! ତେବେ ସେଇ ସତ୍ୟକୁ ଆପଣଙ୍କ ନିକଟରେ ମୋତେ ପରିବେଷଣ କରିବାକୁ ପଡ଼ିବ ଏୟାତ ? ଆଚ୍ଛା, ଆପଣ ଏଇ ଚଷମାଟିକୁ ନିଅନ୍ତୁ...ପିନ୍ଧନ୍ତୁ ଓ ପୃଥିବୀକୁ ଦୃଷ୍ଟି ନିକ୍ଷେପ କରନ୍ତୁ ।’’

 

ସୁରଭିକାଂତ ମହାପାତ୍ର ମୋ ନିକଟରୁ ଚଷମାଟିକୁ ନେଇ ପିନ୍ଧି ସାରିଲାପରେ ପୃଥିବୀକୁ ଚାହିଁଲେ ଓ କହିଲେ–‘‘ଦେଖୁଛି ପୃଥିବୀରେ ସଂଗୀତର ମଧୁର ମୂଚ୍ଛନା ସୃଷ୍ଟି ହେଉଛି ଓ ଭାଷଣର ବନ୍ୟା ମାତିଛି ।”

 

ମୁଁ ପ୍ରଶ୍ନ କଲି–“ସଂଗୀତର ମୁର୍ଚ୍ଛନା ଓ ଭାଷଣର ବନ୍ୟା...ମାନେ ?”

 

ସେ କହିଲେ : ଏଇ କିଛି ମିନିଟ୍ ପୂର୍ବେ ଜଣେ ମାନ୍ୟବର ମନ୍ତ୍ରୀ ଏକ ସାଂସ୍କୃତିକ ଉତ୍ସବ ଉଦ୍‌ଘାଟନ କଲାପରେ ନୃତ୍ୟ ଓ ସଂଗୀତର ମଧୁର ମୂର୍ଚ୍ଛନା ସୃଷ୍ଟି କଲା ଦେବଦାସୀରୂପୀ ଏକ ସୁକେଶୀ ତନ୍ୱୀତରୁଣୀ ଏବଂ ନାଚ ବନ୍ଦ ପରେ ଯୌବନ ନଦୀକୁ ଅତିକ୍ରମ କରି ପ୍ରୌଢ଼ତ୍ୱକୁ ହ୍ରଦରେ ସଂତରଣ କରୁଥିବା ଜଣେ ମେଦବହୁଳା ନାରୀ ଭାଷଣ ଦେଉଛନ୍ତି : କଳା ଓ ସାହିତ୍ୟରେ ବର୍ତ୍ତମାନ ମାତିଥିବା ଅଶ୍ଳିଳତା ବିରୁଦ୍ଧରେ…”

 

–“ମିଃ ସୁରଭିକାନ୍ତ ! ଦୟାକରି ଶୁଣାଇପାରିବେକି ସେଇ ମେଦବହୁଳା ନାରୀ ଜଣକ ଭାଷଣ ପ୍ରସଙ୍ଗରେ କ’ଣ କହୁଛନ୍ତି ?”

 

ସେ କହିଲେ–‘‘ଛାତି ଉପରୁ ବାରମ୍ବାର ଖସି ପଡ଼ୁଥିବା ଶାଢ଼ୀକୁ ସଜାଡ଼ି ନାରୀ ଜଣକ କହୁଛନ୍ତି; ବନ୍ଧୁଗଣ ! ଆଜିକାଲି କଳା-ସାହିତ୍ୟ ଓ ସଂସ୍କୃତିରେ ଆନ୍ଦୋଳନ ସୃଷ୍ଟି କରିବା ନାଁରେ କେତେକ ଅର୍ବାଚୀନ ଲେଖକ ଓ ବ୍ୟକ୍ତି ବିଶେଷ ଆମ ସମାଜରେ ଗନେରିଆ ଓ ସିଫିଲ୍‌ସ ରୋଗର ଜୀବାଣୁ ସଂକ୍ରମିତ କରି ସମାଜକୁ ନଷ୍ଟ କରିଦେବାକୁ ବସିଛନ୍ତି ! କେତେକ ଅସାମାଜିକ ଯୁବକ ସାହିତ୍ୟସେବା ନାଁରେ ଗୁଡ଼ାଏ ଅଶ୍ଳୀଳ ଚରିତ୍ର ସୃଷ୍ଟି କରି ଆମର ଯୁବକ ଯୁବତୀମାନଙ୍କୁ ପଥଭ୍ରଷ୍ଟ କରାଇଛନ୍ତି ଓ ସମାଜ ବ୍ୟବସ୍ଥା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରୁଛନ୍ତି ! ବେଳ ଥାଉ ଥାଉ ଆମ୍ଭମାନଙ୍କୁ ୟା’ର ମୁକାବିଲା କରିବାକୁ ପଡ଼ିବ ନହେଲେ ଏ ସମାଜ ରସାତଳଗାମୀ ହୋଇଯିବ-।” ତାପରେ ନାରୀ ଜଣକ ଦୁଇ ବୋତଲ କୋକାକୋଇ ସହ କିଛି ମିଶା ସର୍ବତ ପିଇ ପୁଣି ଭାଷଣ ଆରମ୍ଭ କଲେ–‘‘ବନ୍ଧୁଗଣ ! ଆଜିର ଆହୂତ ଏଇ ସାଂସ୍କୃତିକ ସଭା ଉପସ୍ଥିତ ମାନ୍ୟବର ମଂତ୍ରୀଙ୍କୁ ଅନୁରୋଧ କରୁଛି ଯେ ଏ ଯାବତ୍ ଯେତେ ସବୁ ଅଶ୍ଳୀଳ ଗ୍ରଂଥ ପ୍ରକାଶ ପାଇଛି ସେ ସବୁ ଯଥାଶୀଘ୍ର ବାଜ୍ୟାପ୍ତ କଗଯାଉ ଓ ତଥାକଥିତ ଲେଖକମାନଙ୍କୁ ପ୍ରାଣଦଣ୍ଡ ଦିଆଯାଉ ନଚେତ୍ ଏ ଅସାମାଜିକ ଲେଖକମାନେ ବଂଚିଥିଲେ କେତେବେଳେ ଯେ କ’ଣ ଘଟିବ ସେକଥା କିଏ କହିବ-?”

 

ପ୍ରଶ୍ନ କଲି–“ତା’ପରେ ?”

 

ସେ କହିଲେ : ଆଜ୍ଞା ମାନ୍ୟବର ମଂତ୍ରୀଙ୍କ ସହ ସମବେତ ଶ୍ରୋତାମଣ୍ଡଳୀ ନାରୀନେତ୍ରୀଙ୍କ ଭାଷଣରେ ଭଦ୍‌ବୁଦ୍ଧ ହୋଇ ତାଳିମାଡ଼ରେ ବ୍ୟସ୍ତ ।

 

–“ଆଚ୍ଛା ମି ମହାପାତ୍ର ! ଆପଣ ବର୍ତ୍ତମାନ ଚଷମାର କାଚଦୁଇଟିକୁ ରୁମାଲରେ ପୋଛିନେଇ ପୁଣି ପିନ୍ଧନ୍ତୁ ଓ…”

 

ଏକ ଆଜ୍ଞାଧୀନ ଭୃତ୍ୟପରି ସେ ମୋ ଆଦେଶ ପାଳନ କଲେ ଓ ପୃଥିବୀକୁ ଦୃଷ୍ଟି ବଢ଼ାଇଲେ ।

 

–“କ’ଣ ଦେଖୁଛନ୍ତି ବର୍ତ୍ତମାନ ?” ପ୍ରଶ୍ନ କଲି ।

 

ସେ ଅନ୍ୟମନସ୍କ ହୋଇ କହିଲେ–‘‘ଆଜ୍ଞା ସମସ୍ତ ଶ୍ରୋତାମଣ୍ଡଳୀ ମଂତ୍ରୀଙ୍କୁ ଘେରି କିଛି କହିଲାବେଳେ ମଂତ୍ରୀ ମହୋଦୟ ବିରକ୍ତିର ସହ ମୁହଁକୁ ନେଫେଡ଼େଇ ଗାଡ଼ି ଷ୍ଟାର୍ଟ କରିବାକୁ ଡ୍ରାଇଭରକୁ ନିର୍ଦେଶ ଦେଇଛନ୍ତି ଆଉ ଭାଷଣ ଦେଇଥିବା ସେଇ ପୌଢ଼ା ଓ ନୃତ୍ୟରତା ସେଇ ତରୁଣୀ ଉଭୟଙ୍କ କଖ ସନ୍ଧିରେ ହାତପରେଇ ନିଜ କାର୍ ଭିତରକୁ ଟାଣିନେଇବେଳେ କହୁଛନ୍ତି : ମିସେସ୍ ଆଣ୍ଡ୍ ମିସ୍ ମହାପାତ୍ର ! ସତେରେ ଏ ଦେଶର କଳା-ସାହିତ୍ୟ ଓ ସଂସ୍କୃତି ପାଇଁ ଆପଣମାନଙ୍କ ଉଦ୍ୟମ ଓ ସଂଗ୍ରାମ ପ୍ରଶଂସାହଁ !”

 

–“ଆଉ କଣ ଦେଖୁଛନ୍ତି ମଃ ମହାପାତ୍ର ?”

 

–“ଦେଖୁଛି, ସେଇ ଚଳନ୍ତା ଗାଡ଼ି ଭିତରେ ସେଇ ନୃତ୍ୟପଟ୍ଟୟସୀ ତମ୍ୱୀତରୁଣୀଙ୍କ ସ୍ତନଯୁଗଳରେ ହସ୍ତ ସଂଚାଳନସହ ଚୁମ୍ୱନ ଦାନ ପର୍ବରେ ମଂତ୍ରୀ ମହୋଦୟ ମତ୍ତ ।”

 

–“ଆଉ ?”

 

–“ଦୁଇଟି ଲମ୍ବା କାଗଜ ଉପରେ ଦୁଇଟି ଦସଖତ୍ ମାରିଦେବାକୁ ସେଇ ପ୍ରୌଢ଼ାଜଣକ ମଂତ୍ରୀକୁ ନିବେଦନ କରୁଛନ୍ତି !”

 

–“ସେମାନେ କିଏ ମି ସୁରଭିକାଂତ ?”

 

ସେ ଗମ୍ଭୀର ହୋଇ କହିଲେ–‘‘ଜାଣେନା !”

 

ମୁଁ ଉଚ୍ଚହାସ୍ୟରୋଳ ସୃଷ୍ଟି କରି କହିଲି–“ଗଭୀର ଦୃଷ୍ଟି କୋଣ ଦେଇ ଅନୁଧ୍ୟାନ କରନ୍ତୁ-!”

 

ତଥାପି ସୁରଭିକାନ୍ତ ନୀରବ । ମୁହଁ ତାଙ୍କର ଶେଥା ପଡ଼ିଯାଇଥିଲା ।

 

ସୁରଭିକାନ୍ତ ମହାପାତ୍ରଙ୍କୁ ସମବେଦନା ଜଣାଇବା ଛଇରେ କହିଲି–“ଦୁଃଖ କରିବାର କିଛିନାଇଁ ମିଃ ମହାପାତ୍ର ! ମଣିଷ ଆଜି ବାକ୍ୟବୀରରେ ପରିଣତ ହୋଇଯାଇଛି ଆଉ ସିଏ ଯାହା କହେଁ ତାର ଠିକ୍ ଓଲଟା କରେ...”

 

ସୁରଭିକାଂତ ଲଜ୍ୟାରେ ମୁହଁ ଘୋଡ଼ାଇ ମୋ ନିକଟରୁ ଉଠି ଚାଲିଗଲେ ।

 

ମୋଟା ଲେନ୍‍ସର ଚଷମାଟିକୁ ପର୍ସରେ ପୂରେଇଦେଇ ପଂଜାବୀ ପକେଟରେ ରଖିଲାପରେ ବୃଦ୍ଧ ଲେଖକ ବନ୍ଧୁ ଜଣକ ମୋ ନିକଟରେ ଆସି ବସିଲେ ଓ ଆତ୍ମ ପରିଚୟ ଦେଲେ–‘‘ମୁଁ ମିତ୍ରଦମନ ମିଶ୍ର...ମୋ ରଚିତ ଉପନ୍ୟାସ ଓ ନାଟକ ଇତ୍ୟାଦି ଆପଣ ପଢ଼ିଥିବେ ନିଶ୍ଚୟ...”

 

ଅତି ବିନମ୍ରତାର ସହ କହିଲି–‘‘ଆପଣଙ୍କ ନାଟକ ଓ ଉପନ୍ୟାସର ଚରିତ୍ରମାନଙ୍କ ମୁଖ ଦର୍ଶନ ଓ ସଂଳାପ ଶ୍ରବଣର ଆବଶ୍ୟକତା ମୁଁ କଦାଚନ ଅନୁଭବ ନକରିଥିଲେବି ପ୍ରକାଶନୀ ସଂସ୍ଥା ମାନଙ୍କର ଗ୍ରଂଥସୂଚୀ ମାନଙ୍କରୁ ମୁଁ ବେଶ୍ ଭଲଭାବେ ଜାଣେ ଯେ ଆପଣ ବିଂଶାଧିକ ନାଟକ ଓ ଉପନ୍ୟାସର ଲେଖାଳୀ, ଆଚ୍ଛା ସାର୍ ଶୁଣିପାରେ କି ଆପଣଙ୍କ ଅଭିଯୋଗ କ’ଣ ଓ କାହିଁକି ?”

 

ସେ ନାଟକୀୟ ହସି ହସି କହିଲେ–“ଶ୍ରଦ୍ଧାୟ ସୂର୍ଯ୍ୟକାନ୍ତ...ମୋର ଅବଶ୍ୟ ତୁମଉପରେ ସେମିତି କିଛି ଇର୍ଷା ବା କ୍ରୋଧ ନଥିଲେ ବି ମୋର ଏତିକି ମାତ୍ର ଦୁଃଖ ଓ ଅଭିମାନ–‘‘ତୁମପରି ଏକ ସରଳ, ଉଦ୍ୟମୀ ଯୁବକ ଯେ ମୋର ପରମବନ୍ଧୁ ଓ ସାଥୀ ନୃସିଂହ ଚରଣ ଦାସଂକୁ ଏକ ନକରି ଲେଖକ ଓ କଳାବଜାରୀ ଆଖ୍ୟା ଦେଇପାର !”

 

–“ନୃସିଂହ ଚରଣ ଦାସ ?” ମୁଁ ପ୍ରଶ୍ନ କଲି ।

 

ସେ ହସିହସି କହିଲେ–‘‘ଆରେ, ଏ ରାଜ୍ୟରେ ନୃସିଂହ ଚରଣ ଦାସକୁ ନଜାଣେ କିଏ ? ତୁମେ ତାଙ୍କୁ ଚିହ୍ନିନା ? ହାୟରେ ଶ୍ରୀଯୁକ୍ତ ଦାସଂକ ପରି ଯେଉଁ ମହାନ୍ ପ୍ରତିଭାଂକ ଦୁଇ ଦୁଇଟି ନାଟ୍ୟକୃତି ମହାବିଦ୍ୟାଳୟ ଠାରୁ ବିଶ୍ୱବିଦ୍ୟାଳୟ ଯାଏଁ ପାଠ୍ୟ ପୁସ୍ତକ ରୂପେ ପ୍ରଚଳିତ ତାଙ୍କୁ ତୁମେ ନଜାଣିବା ଏ ଦେଶର ଦୁର୍ଭାଗ୍ୟ ଛଡ଼ା କ’ଣ ଥାଇପାରେ ?”

 

ମୁଁ କହିଲି–“ସାର, କ୍ଷମା କରିବେ...ପାଠ୍ୟ ପୁସ୍ତକ ଲେଖକକୁ ପ୍ରତ୍ୟେକ ପାଠକ ଯେ ମନେରଖିବେ, ସଲାମ ମାରିବେ–ସେମିତି କିଛିମାନେ ନାଇଁ ଓ ପାଠ୍ୟ ପୁସ୍ତକ କମିଟି ଦ୍ୱାରା ନିର୍ବାଚିତ ଗ୍ରଂଥମାନ ଯେ ଏ ଜାତିର ଅମୂଲ୍ୟ ସମ୍ପଦ ସେକଥା ମାନିବାକୁ ବି ମୁଁ ପ୍ରସ୍ତୁତ ନୁହେଁ । କେତେକ ଦୂର ଦୃଷ୍ଟିହୀନ, ଖୁସାମତିଆ ଭଦ୍ରଲୋକଂକ ଶିକ୍ଷାନୀତି ଯୋଗୁଁ ତ ଆଜି ଶିକ୍ଷା ବ୍ୟବସ୍ଥା ବିରୁଦ୍ଧରେ ସ୍ୱର...ଧର୍ମଘଟ ଓ ଅଶାନ୍ତି ।

କ୍ଷୁବ୍‌ଧ ହେଲେ ବି ସେ ବେଶ୍ ଚତୁରତାରସହ କହିଲେ–‘‘ସୂର୍ଯ୍ୟକାନ୍ତ ! ଏକଥା ତୁମେ ବେଶ୍ ଭଲଭାବେ ଜାଣ । ଶ୍ରୀଯୁକ୍ତ ନୃସିଂହ ଚରଣ ଦାସ ଜଣେ ଉଦାର ପରୋପକାରୀ ତଥା ଏ ସମାଜର ଏକ ପ୍ରତିଷ୍ଠିତ : ଜଣେ ସଫଳ ରାଜନୀତିଜ୍ଞ ହିସାବରେ ତାଙ୍କର ବେଶ ସୁନାମ ଅଛି । ତୁମେ ତାଙ୍କ ବିରୁଦ୍ଧରେ ସ୍ୱର‌ ଉତ୍ତୋଳନ କରିବା ଅପେକ୍ଷା ତାଙ୍କ ସହ ବେଶ୍ ବନ୍ଧୁତା ସୃଷ୍ଟି କରି ପାରିଲେ ତୁମର ଅନେକ କିଛି ସ୍ୱାର୍ଥ ସାଧନ ହୋଇପାରନ୍ତା ! ତା’ ଛଡ଼ା...”

ମୁଁ ବି ବେଶ୍ ସତର୍କତାର ସହ କହିଲି–‘‘ପ୍ରତିଷ୍ଠିତ ବ୍ୟକ୍ତିମାନଂକ ସହ ସାଲିସ୍ ସ୍ଥାପନ କଲେ ମୁଁ ବି ଯେ ଗତାଗତ୍ ପ୍ରତିଷ୍ଠିତ ହୋଇଯିବି ସେ ଅଭିଳାଷ ମୋର ନାଇଁ...ତା ଛଡ଼ା ପ୍ରତିଷ୍ଠାବାନ୍, ପ୍ରଭାବଶାଳୀ ହେବା ଅପେକ୍ଷା ଶକ୍ତିଶାଳୀ, ପ୍ରତିଭାଶାଳୀ ହେବାକୁ ମୁଁ ଚାହେଁ ।”

ଏକଥା ଶୁଣିସାରିଲା ପରେ ସେ କହିଲେ–‘‘ସୂର୍ଯ୍ୟକାନ୍ତ ବାବୁ ! ଏକଥା ମୁଁ ବେଶ୍ ଭଲଭାବେ ଜାଣେ, ତୁମେ ପ୍ରଭାବ ଅପେକ୍ଷା ପ୍ରତିଭା ଉପରେ ପ୍ରବଳ ବିଶ୍ୱାସୀ କିନ୍ତୁ ପ୍ରତିଭା ପ୍ରଦର୍ଶନ କରିବାକୁ ଯାଇ ତୁମେ ଯେ ଅନ୍ୟର ବ୍ୟକ୍ତିତ୍ୱକୁ ହତ୍ୟା କରିବ : ଏ କଥା ମୁଁ ମୋଟେ ଆଶା କରେନା...ଏକଥା ତୁମକୁ ମନେରଖିବାକୁ ପଡ଼ିବ ଶ୍ରୀଯୁକ୍ତ ନୃସିଂହ ଚରଣ ଦାସଙ୍କ ପରି ଏକ ବିଶାଳ ବଟବୃକ୍ଷ ତଳେ ମୁଁ ଏକ ସମାନ୍ୟ ବଟଫଳ ମାତ୍ର !”

 

–“କିନ୍ତୁ ଆପଣ ଏକଥା ସ୍ମରଣ କରିବା ଉଚିତ–ସେଇ ବଟଫଳରୁହିଁ ତ ବିଶାଳ ମହାଦ୍ରୁମର ସୃଷ୍ଟି !

 

ମୁଁ ହସି ହସି ପୁଣି କହିଲି–“ଏତେ ସବୁ ଅବାଂତର ଯୁକ୍ତି ତର୍କରୁ କ’ଣ ମିଳିବ ? ଏଇ, ରାତି ମାଡ଼ି ଆସିଲଣି ପୃଥିବୀ ପୃଷ୍ଠରେ...ଆପଣଙ୍କ ପରେ ଆଉରି ଦୁଇଜଣ ଅଛନ୍ତି କୈଫିୟତ ତଲବ କରିବାକୁ...ଆପଣଙ୍କ ଅଭିଯୋଗ କ’ଣ ଦୟାକରି ଜଣାନ୍ତୁ...”

 

ସେ ବୋଧେ ମୋ କଥାରେ ଆଘାତ ପାଇ ନିଜକୁ ଅପମାନିତ ବୋଧକଲେ : ଅତଏବ କ୍ରୋଧରେ କହିଲେ–‘‘କେଉଁ ନୈତିକ ଅଧିକାର ନେଇ ତୁମେ ନୃସିଂହ ଚରଣ ଦାସଙ୍କ ସୃଷ୍ଟିବାନ୍ ବ୍ୟକ୍ତିତ୍ୱ ଉପରେ ଆକ୍ଷେପ କରି ତାଙ୍କୁ ‘ସାହିତ୍ୟରେ ଏକ କଳାବଜାରୀ’ ଆଖ୍ୟା ଦେଇଛ ମୋତେ ପ୍ରମାଣ ଦେଇ ପାରିବ ?”

 

ଅନ୍ତର ଭିତରୁ ମାଡ଼ିଆସୁଥିବା କ୍ରୋଧକୁ ଦମନ କରି ମୁଁ ମୋର ଚଷମାଟି ପୋଛିସାରିଲା ପରେ ତାଙ୍କ ଉଦ୍ଦେଶ୍ୟରେ ବଢ଼େଇଦେଇ କହିଲି–‘‘ୟାକୁ ନେଇ ପିନ୍ଧନ୍ତୁ...ଇଏ ସତ୍ୟ ସନ୍ଧାନର ଦିବ୍ୟ ଚକ୍ଷୁ...ପରେ ଆପଣ ସବୁ କିଛି ଜାଣିପାରିବେ ।”

 

ଅନ୍ତର ଭିତରେ ମାଡ଼ିଆସୁଥିବା କ୍ରୋଧକୁ ଦମନ କରି ମୁଁ ମୋର ଚଷମାଟି ପୋଛି ସାରିଲା ପରେ ତାଙ୍କ ଉଦ୍ଦେଶ୍ୟରେ ବଢ଼େଇଦେଲେ କହିଲି–‘‘ୟାକୁ ନେଇ ପିନ୍ଧନ୍ତୁ...... ଇଏ ସତ୍ୟ ସନ୍ଧାନର ଦିବ୍ୟ ଚକ୍ଷୁ....ପରେ ଆପଣ ସବୁକିଛି ଜାଣିପାରିବେ ।’’

 

ମିତ୍ରଦମନ ମିଶ୍ର ମୋ ହାତରୁ ଚଷମାଟି ନେଇ ପିନ୍ଧିଲା ପରେ କହିଲି–“ସାର୍, ଦୟାକରି ଆପଣଙ୍କ ଦୃଷ୍ଟି ପୃଥିବୀ ଉଦ୍ଦେଶ୍ୟରେ ନିକ୍ଷେପ କରନ୍ତୁ...ଏବଂ ପୃଥ୍ୱୀ ପୃଷ୍ଠରୁ କ’ଣ ସବୁ ବିଶେଷତ୍ୱ ଅନୁଭବ କରୁଛନ୍ତି ବର୍ଣ୍ଣନା କରନ୍ତୁ ! !”

 

ସେ ମୋର ଅନୁରେଧ ରକ୍ଷା କଲେ ଓ ପୃଥିବୀକୁ ଚାହିଁବାକୁ ଲାଗିଲେ ।

 

ମୁଁ ପଚାରିଲି–“କ’ଣ ଦେଖୁଛନ୍ତି ?”

 

ସେ କହିଲେ–“ଦେଖୁଛି, ଏକ ବିରାଟ ପ୍ରାସାଦ ନିକଟରେ ଜଣେ ଯୁବକ ଏପଟେ ସେପଟେ ଟହଲ ମାରୁଛି ଏବଂ ସତେ ଯେପରି ଖୁବ୍ ବ୍ୟଗ୍ରତାର ସହ କାହାକୁ ଅପେକ୍ଷା କରିଛି ।”

 

–“ତା’ପରେ ?”

 

–“ପ୍ରାସାଦ ଭିତରୁ କିଏ ଜଣେ ପରିଚାରିକା ଯୁବକଟିକୁ ପାଛୋଟି ନେଉଛି ଆଉ ଯୁବକଟି ପରିଚାରିକାକୁ ଅନୁସରଣ କରି ଏକ ଡ୍ରଇଁରୁମ୍ ମଧ୍ୟରେ ପ୍ରବେଶ କରୁଛି !”

 

–“ତାପରେ ?”

 

–“ତା’ପରେ, ଯୁବକଟି ଡ୍ରଇଁରୁମ୍ ମଧ୍ୟରେ ପ୍ରବେଶ କରି ବିଷର୍ଣ ମନରେ ଚେୟାରଟି ଉପରେ ବସି ସାରିଲା ପରେ ଜଣେ ପୌଢ଼ ଡ୍ରଇଁରୁମ ମଧ୍ୟରେ ପ୍ରବେଶ କରି ତରୁଣଙ୍କୁ ସ୍ୱାଗତ୍ ଜଣାଉଛନ୍ତି ଓ କୁଶଳ ଜିଜ୍ଞାସା କରୁଛନ୍ତି !”

 

–“ଆଉ କ’ଣ ଦେଖୁଛନ୍ତି ?”

 

–“ଯୁବକଟି ଚେୟାର ଉପରୁ ଉଠି ଓଠରୁ ପୁଳାଏ ମ୍ନାନ ହସ ପ୍ରୌଢ଼ଙ୍କ ଉପରକୁ ଫୋପାଡ଼ି ଦେଇ ନମସ୍କାର କରୁଛି ଓ ନିଜ ଚେୟାର ଦଖଲ କରୁଛି ।”

 

–“ତା’ପରେ ?”

 

–“ପ୍ରୌଢ଼ ପଚାରୁଛନ୍ତି...ଆଉ ସବୁ ଖବର କ’ଣ ସନତ୍ ବାବୁ ! ଲେଖା ଲେଖିରେ କେତେ ଦୂର ଅଗ୍ରସର ହେଲେଣି ? ’’

 

ମିତ୍ରଦମନଙ୍କୁ ମୁଁ ପଚାରିଲି...“ଯୁବକଟି କ’ଣ କହୁଛି ?”

 

ସେ କହିଲେ–“ଯୁବକଟି ହସି ହସି କିଛି କହିବାକୁ ଚେଷ୍ଟା କରୁଛି ଅଥଚ କିଛି ଗୋଟାଏ ବ୍ୟଗ୍ରତା ଓ ବ୍ୟତିବ୍ୟସ୍ତତା ତାକୁ ଗ୍ରାସ କରିଥିବା ଯୋଗୁଁ କିଛି କହିନପାରି କେବଳ ଏତିକି କହୁଛି : ‘ସେମିତି ବିଶେଷ କିଛି ନାଇଁ ସାର୍ ! ମାସେ ହେଲା କଲମ ଧରିନି ।’

 

–“ତା’ପରେ ?”

 

–“ପ୍ରୌଢ଼ଟି ଯୁବକଙ୍କ ଉଦ୍ଦେଶ୍ୟରେ କହୁଛନ୍ତି : ଆଉ ଭଲତ ସନଦ୍‍ ? ତୁମ ଗପ ଓ ଉପନ୍ୟାସମାନ ତ ବର୍ତ୍ତମାନ ମାର୍କେଟରେ ବେଶ୍ ଚହଳ ପକଉଛନ୍ତି… ଲାଗିଯାଅ ସାଧନାରେ...ତୁମର ଉଜ୍ୱଳ ଭବିଷ୍ୟତ ଅଛି...”

 

ଯୁବକଟି ଗମ୍ଭୀର ହୋଇକହୁଛି–‘‘ଏ ଦେଶରେ ମୋ ପରି ଲେଖକମାନେ ଜୀବନର ସବୁକିଛି କର୍ତ୍ତବ୍ୟବୋଧ ଭୁଲି ଏ ସାହିତ୍ୟ ଫାଇତ୍ୟରେ ମାତିବା ଅପେକ୍ଷା ଆତ୍ମହତ୍ୟା କରିବା ଶ୍ରେୟସ୍କର ।”

 

–“ତା’ପରେ ?’’ ପଚାରିଲି....

 

–“ପ୍ରୌଢ଼ କହୁଛନ୍ତି–‘‘ଆରେ,ସନତ୍ ତମେ ଏମିତି ହତୋତ୍ସାହ ହୋଇପଡ଼ିଲେ ଚଳିବ ? ସଂଗ୍ରାମ...ସାଧନା କରିଯାଅ...ଭବିଷ୍ୟତରେ ସୁଫଳ ପାଇବ, ଆଚ୍ଛା ମୁଁ ଟିକେ ବ୍ୟସ୍ତ ଅଛି, ତୁମେ ବର୍ତ୍ତମାନ ଆସିପାର, ପୁଣି ଦେଖା ହେବବାଏ…”

 

ପଚାରିଲି–ଆଉ କିଛି ଦେଖିପାରୁ ନାହାନ୍ତି ? ଶୁଣିପାରୁ ନାହାଂତି ?

 

ସେ କହିଲେ–“ନା, ଯୁବକଟି କହୁଚି ଆପଣଙ୍କ ସହ ମୋର ଏକ ଜରୁରୀ କଥାବାର୍ତ୍ତା ଥିଲ...ଆପଣ ତ ଜାଣନ୍ତି ମୋର ମା’ଟି ଛଡ଼ା ଏ ପୃଥିବୀରେ ଆଉ କେହି ନାଇଁ...ବର୍ତ୍ତମାନ ମା’ ମୋର ରୋଗ ଶଯ୍ୟାରେ ! ମୃତ୍ୟୁ ମୁହଁ ରୁ ମା’କୁ ବଞ୍ଚାଇବାକୁ ଅହରହ ସଂଗ୍ରାମ କରି ଏଇ ଦୁଇମାସରେ ତିନି ହଜାର ଟଙ୍କା ଶେଷ କରିସାରିଲିଣି । ବର୍ତ୍ତମାନ କପର୍ଦକ ଶୂନ୍ୟ...ଆପଣ ଯଦି ମୋତେ କିଛି ସାହାଯ୍ୟ କରିପାରନ୍ତେ ମୁଁ ଚିରଦିନ ପାଇଁ ଆପଣଙ୍କ ନିକଟରେ...ଅବଶ୍ୟ ମୁଁ ପରେ ଆପଣଙ୍କ ଟଙ୍କା ପରିଶୋଧ କରି ଦିଅନ୍ତି !!”

 

ପ୍ରୌଢ଼ ବେଶ୍ ଗମ୍ଭୀର ହୋଇ କହିଲେ–“ଟଙ୍କା ? ଟଙ୍କାତ ସେମିତି କିଛି ମୋ ନିକଟରେ ନାଇଁ...ମୋ ଝିଅ ଚନ୍ଦ୍ରାବତୀ ଆସନ୍ତା ସପ୍ତାହରେ ହାବର୍ଡ଼କୁ ରିସର୍ଚ୍ଚ କରିବାକୁ ଯାଉଚି, ତା’ ପାଇଁ ମୋତେ ଟଙ୍କା ସଂଗ୍ରହ କରିବାକୁ ପଢ଼ୁଚି...ଏ ପରିସ୍ଥିତିରେ ମୁଁ ତୁମକୁ କିପରି ସାହାଯ୍ୟ କରିବି, ବୁଝିପାରୁନି...”

 

ତଥାପି ଯୁବକଟି ନିରାଶ ହେବାର ପାତ୍ର ନୁହେଁ; ସେ ରୋକ୍‌ଠୋକ୍‌ କହିଲା–“ମୁଁ ଆପଣଙ୍କ ପାଦ ଧରୁଛି–ଏପରିକି ମୁଁ ମୋର ଦୁଇଟି ଅପ୍ରକାଶିତ ଉପନ୍ୟାସ ଆପଣଙ୍କୁ ପୂର୍ବପରି ବିକ୍ରି କରିଦେବାକୁ ପ୍ରସ୍ତୁତ ଅଛି...ମୋର ମାତ୍ର ହଜାରେ ଟଙ୍କା ଦର୍କାର । ଆପଣ ଯଦି ମୋତେ ମାତ୍ର ହଜାରଟିଏ ଟଙ୍କା ବର୍ତ୍ତମାନ ସାହାଯ୍ୟ କରିଥିବେ, ଆପଣ ଭବିଷ୍ୟତରେ ଖ୍ୟାତି..ସମ୍ମାନ ସହ ସେଇ ଦୁଇଟି ଉପନ୍ୟାସରୁ ହଜାର ହଜାର ଟଙ୍କା ପାରିତୋଷିକ ପାଇବେ ପ୍ରକାଶକ ନିକଟରୁ...

 

ହଠାତ୍ ସେମାନଙ୍କ ନୀରବତା ଭଙ୍ଗ କରି ବୈଠକଖାନା ଭିତରେ ଏକ କେଶବତୀ ସୁନ୍ଦରୀ ଯୁବତୀ ପ୍ରବେଶ କରି ହସର ଫୁଆର ସୃଷ୍ଟି କରି କହୁଚି : ହାଏ ସନତ୍ ! ଗତକାଲି ମୁଁ ତୁମର ‘ନିଜେହିଁ ନାୟକ’ ଉପନ୍ୟାସଟି ପଢ଼ୁଥିଲି...ବାଃ ବେଶ୍ ଚମତ୍କାର ହୋଇଚି...ମୁଁ ଆମେରିକା ଗଲାପରେ ତାକୁ ନିଜେ ଅନୁବାଦ କରିଦେବି...ଲକ୍ଷ ଲକ୍ଷ ଡଲାର ପାଇବ..ଆରେ,ତମେ ଏମିତି ମନ ମାରି ବସିବ କାହିଁକି ?”

 

ପ୍ରଶ୍ନ କଲି–“ତା’ ପରେ ?”

 

ସେ ଉତ୍ତର ଦେଇ–“ଯୁବକଟି ସେଇ କେଶବତୀ କନ୍ୟା ଚନ୍ଦ୍ରାବତୀକୁ ଚାହିଁ ଆଖି ମୁଦି ପୁଣି କ’ଣ ଚିନ୍ତା କଲାବେଳେ ତରୁଣୀଟି ‘ବାଏ’ କହି ଚାଲିଯାଉଛି ଆଉ ଯୁବକଙ୍କ ଉଦ୍ଦେଶ୍ୟରେ ପ୍ରୌଢ଼ ଜଣକ କହୁଛନ୍ତି : ଆଚ୍ଛା ମୁଁ ତୁମ ସହିତ ଏକମତ କିନ୍ତୁ ଯଥେଷ୍ଟ କିଛି ବର୍ତ୍ତମାନ ଦେଇପାରୁନି...ଏଇ ବର୍ତ୍ତମାନ ଦୁଇଶହ ଟଙ୍କା ନେଇ କାମ ଚଳେଇ ନେଇଆ ଆଉ ଆସନ୍ତା କାଲି ସେଇ ଦୁଇଟି ଉପନ୍ୟାସର ପାଣ୍ଡୁଲିପି ନେଇ ଆସ ମୁଁ ତୁମକୁ ଯାହା କିଛି ଦେବାର ଥିବ ଦେବାକୁ ଚେଷ୍ଟା କରିବି...”

 

–“ତା’ ପରେ ?”

 

ସେ କହିଲେ–‘‘ଯୁବକଟି ମୁହଁରେ କିଛି ସନ୍ତୋଷ ଓ ଆଶାର ରେଖା ଫୁଟାଇ ପ୍ରୌଢ଼ଙ୍କ ନିକଟରୁ ଦୁଇଶହ ଟଙ୍କା ନେଇ ପକେଟରେ ପୂରେଇ ସାରିଲ ପରେ କହୁଛି–‘‘ନିଶ୍ଚେ, ଆସନ୍ତାକାଲି କାହିଁକି ଏଇ ବର୍ତ୍ତମାନ ଆପଣଙ୍କ ଡ୍ରାଇଭର କିମ୍ବା ଚାକରକୁ ପଠାନ୍ତୁ ମୁଁ ତା’ ହାତରେ ସେଇ ପାଣ୍ଡୁଲିପି ଦୁଇଟି ପଠାଇ ଦେବି !”

 

ମୁଁ ପଚାରିଲି–“ଆଚ୍ଛା, କଣ ଦେଖୁଛନ୍ତି ?”

 

ସେ ଗମ୍ଭୀର ହୋଇ କହିଲେ–‘‘ବାଃ ଏ ଚଷମାର କି ଚମତ୍କାର ଗୁଣ !”

 

ମୁଁ ହସିଲି ଓ କହିଲି–‘‘ଏଇ ରୁମାଲଟିକୁ ନିଅନ୍ତୁ ଓ ଚଷମାର କାଚ ଦୁଇଟିକୁ ଦୁଇଥର ପୋଛିଦେଇ ପିନ୍ଧନ୍ତୁ !”

 

ସେ ଚଷମାଟିକୁ ପିନ୍ଧିସାରିଲ ପରେ ମୁଁ ତାଙ୍କୁ କହିଲି–’’ଚଷମା ପୁଣି ତା’ର ଚମତ୍କାର ଗୁଣ ଦେଖାଇବ : ଆଚ୍ଛା ଆଉ କ’ଣ ଆପଣ ଦେଖୁଛନ୍ତି, କହିଲେ ?”

 

ସେ ଗମ୍ଭୀର ହୋଇ କହିଲେ–ଏଇ କିଛି ମିନିଟ୍ ପୂର୍ବେ ଯେଉଁ ପ୍ରାସାଦକୁ ସେଇ ଯୁବକଟି ଆସି ଚାଲି ଯାଇଥିଲେ ସେଇ ପ୍ରାସାଦର ନୀଳରଙ୍ଗ ବଦଳି ଯାଇ ବର୍ତ୍ତମାନ ନାରଙ୍ଗୀ ରଙ୍ଗରେ ପରିବର୍ତ୍ତନ ହେଲାଣି । ଆଉ ପ୍ରାସାଦ ଭିତରକୁ କାରଟିଏ ପ୍ରବେଶ କଲାପରେ ସେଇ ପ୍ରୌଢ଼ଜଣକ କାର୍‍ ଭିତରୁ ଓହ୍ଲାଇ ଆସିଲାବେଳେ ସେଇ ଯୁବକଟି କାର ନିକଟକୁ ଆସି ବିରକ୍ତ ମିଶା ସ୍ଵରରେ କହୁଚି–‘‘ସାର, ଆପଣ ମୋର ପାଣ୍ଡୁଲିପି ଦୁଇଟି ନେବାର ଦୁଇଟି ମାସ ବିତିଗଲାଣି ଅଥଚ ଆପଣ ଦେଇଥିବା ପ୍ରତିଶ୍ରୁତିରୁ କାଣିଚାଏ ବି ମୋତେ ମିଳିଲାନି । ବହୁଦୀର୍ଘ ରାତ୍ରୀ–ମଧ୍ୟାହ୍ନ ବିତେଇ ମୁଁ ଯେଉଁ ଦୁଇଟି ସୃଷ୍ଟିକୁ ଜନମ ଦେଇଥିଲି ସେଇ ଦୁଇଟିକୁ ଆପଣଙ୍କୁ ବିକ୍ରି କରି ବି ନା ମୋ ମା’କୁ ବଞ୍ଚାଇପାରିଲି...ନା ଆପଣଙ୍କୁ ମୁଁ ବକେୟା ପ୍ରାପ୍ୟ ପାଇପାରିଲି : ସାର୍, ଆପଣ ତ ସେଇ ଦୁଇଟି ଉପନ୍ୟାସର ସହସ୍ରାଧିକ ଟଙ୍କା ଲାଭ ଉଠେଇ ସାରିଲେଣି...ଆଉ ମୋ ପ୍ରତି ଆପଣଙ୍କର ଏ ଉଦାସୀନତା କାହିଁକି ?”

ପ୍ରୌଢ଼ ଜଣକ କୌଣସି କୈଫିୟତ୍ ଦେବାକୁ ନାଗଜ୍ । ସେ ଅପମାନ ମିଶ୍ରିତ କ୍ରୋଧରେ ଜର୍ସ ଦରଓ୍ବାନକୁ ଆଦେଶ ଦେଲେ–“ୟହାଁସେ ହଟାଓ ଶାଲାକୋ !”

ମୁଁ ପଚାରିଲି–‘‘ମହାଶୟ ! ଆଉ କ’ଣ ଦେଖୁଛନ୍ତି ?”

ସେ କ୍ରୋଧରେ ଜର୍ଜରିତ ହୋଇ କହିଲେ : ହାୟରେ, ହାୟରେ ଏ ଦେଶରେ ଏମିତି ଭ୍ରଷ୍ଟାଚାର ବି ହୁଏ । ଜଣକ ଶ୍ରମକୁ ଅନ୍ୟ ଜଣେ ଶୋଷଣ କରି ପୁଣି ତା’ ବେକରେ ଛୁରା ମରାଯାଇ ପାରେ...

ମୁଁ ପଚାରିଲି; ଆପଣ ଜାଣନ୍ତି ସେ ଭଦ୍ରଲୋକ କିଏ !

ମିତ୍ରଦମନ ମିଶ୍ର କହିଲେ : ଆରେ, ଏ ଶଳାଟା ତ ନୃସିଂହଚରଣ ଦାସଙ୍କ ଭଳି ମନେ ହେଉଛି !

ମୁଁ ହସି ହସି ପଚାରିଲି : ଆପଣ ପରା କହୁଛନ୍ତି : ନୃସିଂହଚରଣ ଦାସ ଜଣେ ଉଦାର, ବିଶିଷ୍ଟ ଭଦ୍ରବ୍ୟକ୍ତି ବୋଲି ଅଥଚ...

ସେ କ୍ରୋଧରେ କହିଲେ; ‘ମୁଖା’ ହିଁ ଏ ଦେଶର ସମସ୍ତ ଐତିହ୍ୟ ସଂସ୍କୃତି ଓ ପ୍ରତିଭାକୁ ଧ୍ୱଂସ କରି ଦେଇଚି । ହାୟରେ, ମୁଁ ଯେଉଁ ନୃସିଂହବାବୁଙ୍କୁ ମୋର ପରମବନ୍ଧୁ...ଜନସେବୀ ବୋଲି ଭାବୁଥିଲି ସେତ ତାର ଠିକ୍‌ ଓଲ୍‌ଟା...ପ୍ରଭାବ ଏ ଦେଶରେ କ’ଣ ନକରେ ସତେ...

ପଚାରିଲି ସେ ଯୁବକଟିକୁ ଗଳା ଧକ୍‌କା ଦେଇ ଗେଟ୍ ବାହାରକୁ ତଡ଼ି ଦିଆଗଲା ?

ସେ କହିଲେ : ନା...ଗାଡ଼ି ତଳେ ଚାପି ମର୍ଡ଼ର କରି ଦିଆଗଲାଣି...

ମୁଁ କହିଲି : ଆହା...

ସେ ରୁମାଲରେ ଆଖି ପୋଛିଲେ । ମୁଁ କେବଳ ହସୁଥିଲି ।

ବିଂଶାଧିକ ସାମାଜିକ ନାଟକ ଓ ଉପନ୍ୟାସର ସ୍ରଷ୍ଟା ମିତ୍ରଦମନ ମିଶ୍ର ଦୁଇପାପୁଲିରେ ମୁହଁକୁ ଲୁଚାଇ ଚାଲିଗଲା ପରେ ମୋ ନିକଟକୁ ଆସିଲେ ସେଇ ଟୋକା ଓକିଲ ଯିଏ ପୃଥିବୀ ପୃଷ୍ଠରେ ଅର୍ଥାତ୍ ସେଇ ଚୌହୀଦରେ ମୋ ଚିବୁକକୁ ବାଁ ହାତର ଆଙ୍ଗୁଠିମାନଙ୍କରେ ଚିମୁଟି ମୋତେ ଧମକ ଦେଉଥିଲେ :

 

ମୋ ଉପରେ ଦୁଇ ଚାରିଟା କେଶ୍ ନଦିଦେଇ ଜେଲ୍‌ରେ ପୂରେଇ ଦେବାକୁ ! ମୁଁ ପଚାରିଲି ଆପଣଙ୍କ ନାମ ?

 

ସେ ଉତ୍ତର ଦେଇ ଆଜ୍ଞା, ମୋ ନାଁ ଡଃ. ଚନ୍ଦ୍ରଧ୍ୱଜ ମହାଂତି, ଏମ୍. ଏ. (ପି. ଏଚ୍. ଡ଼ି) ଏଲ୍‌. ଏଇ.ବି ଆଉ...(କୋବିଦ) : ବାସ...ବାସ୍...ହଁ, ଆପଣଂକର ଏମିତି ଅନେକ କିଛି ଶିକ୍ଷାଗତ ଯୋଗ୍ୟତା ଓ ଉପାଧି ଅଛି ସେ ସବୁ ଶୁଣିଲାବେଳକୁ ମୋର ଶ୍ରୁତିକଟୁ ଆରମ୍ଭ ହୋଇଯାଇଥିବ ଓ ଆପଣଙ୍କର କଣ୍ଠନଳୀ ଶୁଖି ଯିବାର ଯଥେଷ୍ଟ ସଂଭାବନା ଅଛି । କିନ୍ତୁ ମିଃ–ମହାଂତି କେଉଁ ସବ୍‌ଜେକ୍‌ଟରେ ଗବେଷଣା କରି ଡକ୍‌ଟେରିଏଟ୍ ଡିଗ୍ରୀଟିକୁ କିଣିଛନ୍ତି... ସରି, ହାସଲ୍ କରିଛନ୍ତି ?

 

ସେ ଯଦିଓ ଏଇ ‘କିଣିବା’ ଶବ୍ଦଟିକୁ ଶୁଣି ମୁହୂର୍ତ୍ତେ ମାତ୍ର କ୍ରୁଧ ହେଲା କିଂତୁ ପରମୁହୂର୍ତ୍ତରେ ଶାନ୍ତ ସ୍ଵରରେ କହିଲା : ଜର୍ନାଲିଜିମ୍ ସାବାଦିକତାରେ ।

 

: ଆଚ୍ଛା ମିଃ ଡଃ: ମହାଂତି...ସାମ୍ୱାଦିକତାରେ ଯେତେବେଳେ ଆପଣ ମାଷ୍ଟର ଡିଗ୍ରୀ ପୁଣି ଡକଟେରିଏଟ୍ ହାସଲ କରିଛନ୍ତି; ଏଥିରେ ସଂଦେହର ଅବକାଶ ନାଇଁ ଆପଣ ନିଶ୍ଚେ ଜଣେ ସଫଳ ସାଂବାଦିକ (କିନ୍ତୁ ଦେଶର ସମସ୍ତ ସଫଳ ସିଦ୍ଧିବାନ୍ ସାମ୍ୱାଦିକମାନେ ଯେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି ଓ କରିବାକୁ ବାଧ୍ୟ ସେମିତି କିଛି ମାନେ ନାଇଁ) ହୋଇପାରନ୍ତେ କିଂବା ଯେ କୌଣସି ବିଶ୍ୱବିଦ୍ୟାଳୟରେ ଅଧ୍ୟାପନା କରିପାରଂତେ କିନ୍ତୁ ଆପଣ ଏଇ ସବୁ ଜେଲ୍, ମୋକଦ୍ଦମା ଫାଶି ଇତ୍ୟାଦି ଅଜବ୍ ଧରଣର ଜଘନ୍ୟ ଆଇନ ବ୍ୟବସାୟରେ ଯୋଗଦେଇ ଗୋଟିଏ ବ୍ଲାକକୋଟ୍ ଭିତରେ ନିଜକୁ ଆତ୍ମଗୋପନ କଲେ କାହିଁକି ?

 

ସେ ହସିଲା ଓ କିଛି ସମୟ ଗୁମ୍‌ମାରି ବସିସାରିଲା ପରେ କହିଲା : ନୋ ଭାକାନ୍‍ସି ! କେବଳ ସେଇ ଗୋଟିଏ ସାଇନବୋର୍ଡ଼ ‘ନୋ ଭାକାନ୍‌ସି’ର ବିଦ୍ରୁପ...ପ୍ରତ୍ୟାଖ୍ୟାନର ସ୍ଵର ଶୁଭିଲା ମୁଁ ଯେଉଁଠି ପାଦ ଦେଲି ଚାକିରୀ ଆଶାରେ ସେଠି । ପ୍ରଥମେ ପ୍ରଥମେ ଅର୍ଥାତ୍ ବିଶ୍ୱବିଦ୍ୟାଳୟରୁ ଡିଗ୍ରୀହାସଲ କରି ଫେରିଲା ପରେ ଅଧ୍ୟାପକ ଚାକିରି’ଟିଏ ମିଳିଗଲେ ମା ବୁଢ଼ୀଟିକୁ ଭାଉଜଙ୍କ ଅତ୍ୟାଚାରରୁ ମୁକ୍ତକରି ଆଣି ପାଖରେ ରଖିବି...ସୁନ୍ଦରୀ ଶିକ୍ଷିତା ତରୁଣୀଟିଏକୁ ବିବାହ କରି ତେଲ ନୁଣର ସଂସାର ଆରମ୍ଭ କରିବି ଏଇ ଆଶା ଓ ବିଶ୍ୱାସ ନେଇ ସମସ୍ତ ବିଶ୍ୱବିଦ୍ୟାଳୟର ‘ସାକ୍ଷାତ୍‌କାର’ ଭିତରେ ଘୂରିଛି । କିନ୍ତୁ ସବୁ ରାସ୍ତା ବଂଦ । ‘ନୋ ଭାକାନ୍‌ସି’ । ଅଥଚ ବିଜ୍ଞାପନ ବାହାରେ ଚାକିରୀ ପାଇଁ । ଅଧ୍ୟାପକଟିଏ ହେବାକୁ ହେଲେ ଅନ୍ତତଃ ପକ୍ଷେ ମନ୍ତ୍ରୀଙ୍କ ପୁଅ...ପୁତୁରା ହୋଇଥିବାକୁ ପଡ଼ିବ ମଂତ୍ରୀଂଙ୍କ ଆୟୁଷ୍ମତୀ...ସୌଭାଗ୍ୟବତୀବାଳାଂକ ପ୍ରେମ ପ୍ରାସାଦର ପ୍ରଥମ ବା ଦ୍ଵିତୀୟ ପାହାଚ ତାଲିକାରେ ନିଜର ନଂବର ଲାଗିଥିବାକୁ ପଡ଼ିବ କିଂବା ମଂନ୍ତ୍ରୀଙ୍କ ପର୍ସନାଲ୍ ସେକ୍ରେଟାରୀଙ୍କ ଶାଳକ ହୋଇଥିବାକୁ ପଡ଼ିବ କିନ୍ତୁ ଟଙ୍କା ବା ଯୋଗ୍ୟତାର କୌଣସି ମୂଲ୍ୟ ନାଇଁ ।

 

ମିନିଷ୍ଟରସ୍ ଡିଜାଏର୍ ଚାହିଁ : ଟଙ୍କା ନାଇଁ ।

 

: ତା’ପରେ ? ପଚାରିଲି ।

 

: ତା’ପରେ, ଠିକ୍ କଲି ଯେତେସବୁ ସାର୍ଟିଫିକେଟ୍ ଅଛି ସବୁ ସମୁଦ୍ରରେ ଭସେଇ ଦେବି...ନଂଡ଼ା ହେବି...ପରେ ସ୍ଵର୍ଗଦ୍ୱାର ନିକଟରେ ଭାଙ୍ଗରେ ପଏଜନ୍ ମିଶାଇ ପିଇଦେଇ ଏ ପୃଥିବୀରୁ କ୍ରମଶଃ ବିଦାୟ ନେବି ।

 

: ତା’ପରେ ? ’ ପଚାରିଲି ।

 

ସେ ହସିଲା ଓ କହିଲା: ବିଶ୍ଵାସ କରନ୍ତୁ ମୁଁ ଦିନେ ଆତ୍ମହତ୍ୟା କରିବାକୁ ଚେଷ୍ଟା କରୁଥିଲି କିନ୍ତୁ ସାର୍ଟିଫିକେଟ୍‌ତକ ସମୁଦ୍ରରେ ଫୋପାଡ଼ି ନଥିଲି । କିନ୍ତୁ ମୁଁ ଆତ୍ମହତ୍ୟା କରିପାରିଲିନି । ସେଇ ଚିରାଚରିତ ସର୍ଭିସ ଟିଉସନ ଯାହା ଛାତ୍ର ଜୀବନରେ ଅର୍ଥ ଉପାର୍ଜନର ପନ୍ଥା ଥିଲା...ତା’ ପୁଣି ଆରମ୍ଭ କଲି ଯୋର୍ ସୋର୍ ରେ । ଟିଉସନ୍ ବାବଦରେ ମାସିକ ଅଢ଼େଇଶହ ଟଙ୍କା ମିଳୁଥିଲା । ଜଣେ ବଂଗାଳୁଣୀକୁ ଓଡ଼ିଆ ପଢ଼େଇବା ପାରିଶ୍ରମିକ ସ୍ଵରୂପ ଶହେ ଟଙ୍କା ଓ ଗୋଟିଏ ପରିବାରର କନଭେଣ୍ଟ ପଢ଼ାଳୀ ପୁଅଝିଅକୁ ପଢ଼େଇବା ବାବଦରେ ଦେଢ଼ଶହ ଟଙ୍କା ମିଳୁଥିଲା । ଭାବୁଥିଲି, ହୁଏତ୍ ଫ୍ରେଶ୍ କେଣ୍ଡିଡ଼େଟ ବୋଲି ଚାକିରୀ ସିନା ମିଳିଲାନି ! ଚାକିରୀ ମିଳିବା ଭିତରେ ଅଂତତଃ ଥେସିସ୍ କାମ ସାରି ଦେଇଥିଲେ ଡକଟେରିଏଟ୍‌ଟିଏ ଥୁଆ...ଯା’ ହେଉ ସେଇ ବଙ୍ଗାଳୁଣୀ ଟୋକୀର ପ୍ରେରଣାରେ ଉଦ୍‍ବୁଦ୍ଧ ହୋଇ ଥେସିସ୍ କାମରେ ମାତିଗଲି ।

 

କିନ୍ତୁ ଚାକିରୀ...ଅଧ୍ୟାପନା ଆଶା ବୃଥା...ଶୁନ୍ । କେବଳ ଡକଟେରିଏଟ୍‌ଟା ହିଁ ମୋ ନାମର ଅଗ୍ରଗାମୀ...ସାଂତ୍ଵନାର ସ୍ତମ୍ଭ । ତା’ପରେ ସମ୍ବାଦପତ୍ର ଅଫିସମାନଙ୍କରେ କ୍ୟୁ ମାରିଲି । କିନ୍ତୁ ସେଠି ଶିକ୍ଷାଗତ ଯୋଗ୍ୟତା ଅପେକ୍ଷା ଜାତିଆଣ ଭାବ ଓ ଯୋଗ୍ୟତା ହିଁ ବଡ଼କଥା । ପୁଣି ସଂପାଦକଙ୍କ ମର୍ଜିକୁ ଜଗି ଚାଲିବାକୁ ପଡ଼ିବ । ନଚେତ୍ ଗେଟ୍‌ ଆଉଟ୍ ।

 

: ତାପରେ ? ଜଲ୍‌ଦି ସାରନ୍ତୁ ଆପଣଙ୍କର ଏଇ ଆତ୍ମପ୍ରୌଢ଼ୀ… ଜ୍ଵାଳା ଓ ଯନ୍ତ୍ରଣାର ପରିଚିତି ପର୍ବ । ରାତି ଅନେକ ହେଲାଣି...ତେଣେ ପୃଥିବୀ ପୃଷ୍ଠରେ ଆପଣମାନଙ୍କ ପଦାନୁସରଣକାରୀମାନେ ପ୍ରତୀକ୍ଷା କରି କରି ବିରକ୍ତ ହେବେଣି: ମୁଁ ଟିକେ ବ୍ୟଙ୍ଗ କରି କହିଲି ।

 

: ହଁ, ଠିକେ ଠିକେ କହିଦିଏ…ନା ମୁଁ ଆତ୍ମହତ୍ୟା କରିପାରିଲି ନା ମୋ ଯୋଗ୍ୟତାକୁ ବିନିଯୋଗ କରି ଅର୍ଥାର୍ଜନ କରି ଶାନ୍ତିରେ ଚଳିପାରିଲି । ବେକାରୀ ଭିତରେ ଦୁଇଟି ବର୍ଷ ବିତିଗଲା-। ଟ୍ୟୁସନ ବ୍ୟବସାୟ ମଧ୍ୟରେ ଗୋଟାଏ ପରେ ଗୋଟାଏ ପରିବାର ପରିବର୍ତ୍ତନ ଘଟୁଥିଲେ ବି ମୁଁ ମୋର ସେଇ ଟିଉସନ୍ ସର୍ଭିସ୍ ଚଳାଇଥାଏ । ହଠାତ୍ ଦିନେ ମନେ ପଡ଼ିଲା ଆରେ, ମୋର ତ ହିନ୍ଦି ସାହିତ୍ୟରେ ‘କୋବିଦ’ ଡିଗ୍ରୀ ଅଛି...କିଛି ଘୁସ୍ ଦେଇ ପାରିଲେ ଅନ୍ତତଃ ପକ୍ଷେ ହିନ୍ଦି ମାଷ୍ଟ୍ରଟିଏ ହୋଇପାରିବି... । ଚାକିରୀଟିଏ ବହୁ ଚେଷ୍ଟା । ପରେ ମିଳିଲା ମାତ୍ର ସିଏ ସମୁଦ୍ରକୁ ଶଂଖେ ପାଣି...ଅର୍ଥାତ୍ ଶିକ୍ଷା ବିଭାଗରୁ ନିର୍ଦ୍ଦେଶ ମିଳିଲା ମୁଁ ରହୁଥିବା ସହରଠୁ ପଚାଶ ମାଇଲ ଦୂରବର୍ତ୍ତୀ ଏକ ଅରଣ୍ୟାଂଚଳର ହାଇସ୍କୁଲରେ । ମାସକୁ ଦରମା ଦେଢ଼ଶ ଟଙ୍କା । ସେତେବେଳେ ମୁଁ ପ୍ରାୟତଃ ଏକ ରାଜନୈତିକ ଦଳ ଅର୍ଥାତ୍ ଏକ ସର୍ବହରା ପାର୍ଟିରେ ନାଁ ଲେଖାଇଥିଲି : ଯେହେତୁ ମୁଁ ସର୍ବହରା-। କିନ୍ତୁ ମୁଁ ସର୍ବହରା ହେଲି ବୋଲି ଯେ ସଂଗ୍ରାମୀ ହେବାକୁ ବାଧ୍ୟ ଓ ସହରର ଫ୍ରି ଲାଇଟ, ପକ୍କା ସଡ଼କକୁ ଛାଡ଼ି ଏକ ଗ୍ରାମାଞ୍ଚଳ ଭିତରେ ନିଜ ପ୍ରତିଭାକୁ ମାରିଦେବି ତାହା ଚାହୁଁ ନଥିଲି । ହିନ୍ଦିମାଷ୍ଟ୍ର ଚାକିରୀର ଆଦେଶକୁ ପଦାଘାତ କଲି । ସେଇ ଟ୍ୟୁସନ ବ୍ୟବସାୟ ଭିତରେ ଯା’ ପେଲିଯା ନାଆ ଚଳେଇଲି…

 

ହଠାତ୍ ଦିନେ ଅର୍ଥାତ୍ ତିନିବର୍ଷ ପରେ ଦେଖା ହେଲା ସେଇ ଓଡ଼ିଆ ଭାଷା ପଢ଼ାଳୀ ମୋର ପ୍ରିୟ ଛାତ୍ରୀ (ଯିଏ ମୋଠୁଁ ପାଞ୍ଚବର୍ଷ ବୟସ୍କା ହୋଇପାରେ) ସୋନା ମୁଖାର୍ଜୀ ସହ ।

 

ମୁଁ ତାକୁ ଦେଖି ନ ଦେଖିବାର ଅଭିନୟ କରି ଆତ୍ମଗୋପନ କଲାବେଳେ ସେ ଚିତ୍କାର କଲା : ହାଏ ଚନ୍ଦ୍ରଧ୍ୱଜ ବାବୁ !

 

ହାଏ, ସୋନା

 

ଆପଣ...ବର୍ତ୍ତମାନ…

 

ନୋ ଭାକାନ୍‌ସି...ସେଇ ଟ୍ୟୁସନ୍‌ଗିରି !

 

ଆହା...ହା

 

ମୋ ପ୍ରତି ଯେ ଆପଣଙ୍କର ସମବେଦନା ଓ ସହୃଦୟତା ଭରି ରହିଚି ସେଥିପାଇଁ ମୁଁ ଆପଣଙ୍କ ନିକଟରେ ଗଭୀର କୃତଜ୍ଞ; ଆଉ ଆପଣଙ୍କ ହାଲ୍ ଚାଲ କଣ ?

 

ସେମିତି ବିଶେଷ କିଛି ମନ୍ଦ ନୁହେଁ କି ଭଲ ନୁହେଁ !!

 

ମ୍ୟାରେଜ୍ ପର୍ବ ସରିଲାଣି ବୋଧେ…

 

ୟେସ୍, ଲଭମ୍ୟାରେଜ..ଅବଶ୍ୟ ମୁଁ ଆପଣଙ୍କୁ ନିମନ୍ତ୍ରଣ ପତ୍ର ପଠାଇ ପାରିନି ସେଥିପାଇଁ ଦୁଃଖିତ, ଆପଣଙ୍କ ଠିକଣା ଖୋଜି ଖୋଜି ମୋତେ ମିଳିଲାନି ଯେ...ଆପଣ ନିଶ୍ଚେ ମୋତେ କ୍ଷମା ଦେବେ ।

 

ଆପଣଙ୍କର ସେଇ ସ୍ଵାମୀ ଦେବତାଙ୍କ ନାମଟା ଜାଣିପାରେ କି ?

 

ଚନ୍ଦ୍ରମୋହନ ଚୌଧୁରୀ !

 

ମାନେ ଡଃ ଚନ୍ଦ୍ରମୋହନ ନା ଆଡ଼୍‌ଭୋକେଟ୍ ଚନ୍ଦ୍ର ମୋହନ ?

 

ଆଡ଼୍‌ଭୋକେଟ୍ ଚନ୍ଦ୍ରମୋହନ ଚୌଧୁରୀ…

 

ସେଇ ହିପୋକ୍ରେଟ...ଚରୀତ୍ରହୀନ ବୃଦ୍ଧ ସହ...ମୁଁ ଦୁଃଖିତ ଆପଣଙ୍କ ସାମ୍ନାରେ ଆପଣଙ୍କ ସ୍ୱାମୀ ଦେବତାକୁ...

 

ନା...ନା ଆପଣ ଠିକ୍ କହିଛନ୍ତି ମିଃ ଚନ୍ଦ୍ରଧ୍ଵଜ...କିନ୍ତୁ ମୁଁ ମୋ ରାସ୍ତାରେ ଠିକ୍ ଅଛି !!

 

ଆଉ ସବୁ ଖବର କ’ଣ ?

 

ନା, ଆପଣ ଆପଣଙ୍କ ହାଲ୍ ଚାଲ ସବୁ କହନ୍ତୁନା !

 

ମୁଁ ଏକ ହତଭାଗ୍ୟ, ବେକାର...ମୋ ହାଲ୍ ଚାଲ ଜ୍ଵଳା ଓ ଯନ୍ତ୍ରଣାର...ଶୁଣି କି ସୁଖ ପାଇବେ !

 

ଆଚ୍ଛା, ଆପଣ ତ ଲ’ କମ୍ପ୍ଲିଟ୍ କରିଛନ୍ତି...ଓକିଲତି କରୁ ନାହାନ୍ତି ।

 

ମୋ ପରି ବ୍ୟକ୍ତି ଓକିଲାତି କରିବା ଯାହା : ନିଜ କ୍ଳାଏଣ୍ଟମାନଙ୍କୁ ଜେଲ୍ ଭିତରେ ପୁରେଇବା ସେୟା…

 

ଯେ କୌଣସି ପ୍ରତିଷ୍ଠିତ ଆଇନଜୀବୀ ପାଖରେ ଜୁନିଏର୍ ହୋଇ ରହିଲେ...

 

କିଏ ଅଛି ଏମିତି ଏକ ବିଶାଳ ହୃଦୟବାନ୍, ଆଇନଜୀବୀ ଯିଏ ମୋତେ ପୋଷ୍ୟପୁତ୍ର ଭାବେ ଗ୍ରହଣ କରି...ହାତରୁ ଟଙ୍କା ସାରି ଜୁନିଏର୍ କରି ରଖିବ, ପୁଣି...

 

ମୁଁ ଗୋଟାଏ କଥା କହିବି ?

 

କୁହନ୍ତୁ !

 

କିଛି ଭାବିବେନି ତ !

 

ସେମିତି କିଛି....

 

ଦେଖନ୍ତୁ, ଆପଣ ତ ଜାଣନ୍ତି ମିଃ ଚନ୍ଦ୍ରମୋହନ ଚରିତ୍ରହୀନ...ପୌରୁଷ ବା ବୟସ ନଥାଇ ପଛେ ସବୁବେଳେ ତାଙ୍କର ନୂଆ ନୂଆ ଚିଡ଼ିଆରେ ମନ...ମୁଁ ନାମକୁ ମାତ୍ର ତାଙ୍କର ସ୍ତ୍ରୀ ଓ ସେ ମୋର ସ୍ଵାମୀ ବିଦେଶୀ ଯାତ୍ରୀର ଖଣ୍ଡିଏ ପାସ୍ ପୋର୍ଟ ପରି !

 

ମୁଁ ଆପଣଙ୍କ ପାଇଁ କ’ଣ କରିପାରେ ?

 

ମୋର ଅନ୍ତରଙ୍ଗ ପୁରୁଷ ବନ୍ଧୁଟିଏ ଦରକାର...ମୁଁ ବହୁତ୍ ଖୋଜିଛି ମୋ ମନ ଓ ରୁଚିକୁ ପାଇଲାପରି ପୁରୁଷଟିଏ...କିନ୍ତୁ ପାଇନି ! !

 

ମଣିଷ ଯାହାଚାହେଁ ତାହା ପାଏନା ଆଉ ଯାହା ପାଏ ତାହା ଚାହେଁନା’ ଆପଣ ଏକଥା ବେଶ୍ ଭଲଭାବେ ଜାଣନ୍ତି ମିସେସ୍ ଚୌଧୁରୀ !

 

ଛାଡ଼ନ୍ତୁ...ମୁଁ କିନ୍ତୁ ପାଇଛି...ଆଜି । ଦୀର୍ଘଦିନ ଧରି ଆପଣଙ୍କୁ ବହୁତ୍ ଖୋଜିଛି ଓ ଆଜି ପାଇଚି ।

 

ମାନେ ଆପଣ କ’ଣ ମିଃ ଚୌଧୁରୀଙ୍କୁ ଡାଇଭର୍ସ କରିଦେବେ ନା କ’ଣ ?

 

ନା । ତାଙ୍କ ସହିତ ମୁଁ ଆପଣଙ୍କୁ ଯୋଡ଼ି ଦେବି

 

ମାନେ ?

 

ଆପଣଙ୍କ ହାତରେ ଅଜସ୍ର କେଶ୍ ପଡ଼ିଛି । ଦଶଦଶଟା ଜୁନିଏର...ସେଇ ଦଶ ଭିତରେ ତୁମେ ମିଶି ତୁମେ ସମସ୍ତେ ଏଗାର ହେବ । ଅବଶ୍ୟ ତୁମେ ତୁମପ୍ରଥମ ବସଙ୍କ ପ୍ରିୟ ଜୁନିଏର୍ ହିସାବରେ ପ୍ରଥମ ନମ୍ବର ଅଧିକାର କରିବ ।

 

ତା’ ନିଜ ଅଜାଣତରେ ସେ କେତେବେଳେ ମୋତେ ଆପଣାରୁ ତୁମେ ସମ୍ବୋଧନ କରି ସାରିଲାଣି ସେ କଥା ଚିନ୍ତା କରିବାକୁ ମୋତେ ବେଳ ନଥିଲା କିନ୍ତୁ ମୁଁ ମୋ ଦୁଇ ହାତରେ ସ୍ତର୍ଗଟା ଯେପରି ଖସି ପଡ଼ିଲା ସେ କଥା ଚିନ୍ତା କରି ମୁଁ ଉତ୍‍ଫୁଲ୍ଲ ହୋଇଉଠୁଥିଲି । ସେ ମୋତେ ତା’ ନାରଙ୍ଗୀ ରଙ୍ଗର ‘ମାରୁତି’ରେ ଉଠାଇ ନେଇ ତାଙ୍କର ସେଇ ତିନିତାଲା କୋଠା ଭିତରକୁ ।

 

କୁମାରୀ ସୋନା ମୁଖାର୍ଜୀ ଓରଫ୍ ମିସେସ୍ ସୋନାଲି ଚୌଧୁରୀର ପରାମର୍ଶ ଓ ନିବେଦନ କ୍ରମେ ମୁଁ ହେଲି ପ୍ରଖ୍ୟାତନାମା ଆଇନ ବ୍ୟବସାୟୀ ଚନ୍ଦ୍ର ମୋହନ ଚୌଧୁରୀଙ୍କ ଜୁନିଏର ଏଡଭୋକେଟ୍ ଚନ୍ଦ୍ରଧ୍ୱଜ ମହାନ୍ତି ।

 

ତା’ପରେ ? ମୁଁ ପଚାରିଲି ।

 

ମୋର ପରିଚିତି ପର୍ବଟା ଅବଶ୍ୟ ଟିକେ ଦୀର୍ଘ ହୋଇପଡ଼ିଲା ମାତ୍ର ମୋର ଅନ୍ନଦାତା ଓ ଦାତ୍ରୀଙ୍କ ଯେ ମୁଁ ଗୁଣଗାନ କରିପାରିଛି, ବିଶେଷ କରି ଆପଣଙ୍କ ପରି ଏକ ମହାନ ଶକ୍ତିଶାଳୀ ତରୁଣ ଲେଖକଙ୍କ ପାଖରେ ସେଥିପାଇଁ ମୁଁ ଗର୍ବ ଓ ଗୌରବ ଅନୁଭବ କରୁଛି ।

 

ପରିଚିତି ପର୍ବ...ଗୁଣଗାନ ମଧ୍ୟରେ ତ ଆପଣ ଅନେକ ସମୟ ଖର୍ଚ୍ଚ କଲେଣି ବର୍ତ୍ତମାନ ଆପଣ ଆରମ୍ଭ କରନ୍ତୁ ଅଭିଯୋଗ ପର୍ବ ! !

 

ଆରେ, ହଁ ତ ମୁଁ ସେ ସବୁକଥା ଭୁଲି ଯାଇଥିଲି । ଦେଖନ୍ତୁ...ପୂର୍ବପରି ଆପଣଙ୍କ ପ୍ରତି ମୋର ଆଉ କୌଣସି କ୍ରୋଧ, ଅଭିମାନ କିମ୍ବା ବିରକ୍ତି ନାଇଁ କିନ୍ତୁ ଆପଣ କେଉଁ କାରଣ ନେଇ ମିଃ ଚନ୍ଦ୍ର ମୋହନଙ୍କୁ ଏକ...

 

ମାନେ ? ପଚାରିଲି ।

 

ଅବଶ୍ୟ ମିଃ ଚନ୍ଦ୍ରମୋହନ ଚରୀତ୍ରହୀନ...ମଦ୍ୟପ ହୋଇପାରନ୍ତି ମାତ୍ର ସେ କଦାଚନ ଆଇନ ବ୍ୟବସାୟରେ କଳାବଜାର କରନ୍ତି ନାଇଁ...ଆପଣ ଜାଣନ୍ତି ସେ ଅନେକ ଦେଶୀ-ବିଦେଶୀ ଅନୁଷ୍ଠାନର ସଭାପତି, ସମ୍ପାଦକ, ନିର୍ଦେଶକ ଇତ୍ୟାଦି ଇତ୍ୟାଦି ଭୂମିକାରେ ଅନେକ ଜନସେବା କାର୍ଯ୍ୟରେ ନିଜର ମୂଲ୍ୟବାନ ସମୟକୁ ଖର୍ଚ୍ଚ କରନ୍ତି !

 

ହୁଁ...ତା’ପରେ ?

 

କିନ୍ତୁ, ଆପଣ ମିଃ ଚନ୍ଦ୍ର ମୋହନଙ୍କ ବିରୁଦ୍ଧରେ ଏତେ ସବୁ ଜଘନ୍ୟ କାହାଣୀ ଲେଖି ତାଙ୍କୁ ନିରୁତ୍ସାହିତ ଓ ଭୟଭୀତ କଲେ କାହିଁକି ?

 

କ’ଣ କହିଲେ ? ମୋ ରଚନାମାନ ପଢ଼ି ମିଃ ଚନ୍ଦ୍ରମୋହନଙ୍କ ପରି ନର-ବ୍ୟାଘ ଆଇନଜୀବୀ ଭୟଭୀତ ଓ ଆତଙ୍କିତ ହୋଇପଡ଼ିଲେ ?

 

ୟେସ, ତାଙ୍କ ପଛରେ ସି. ବି. ଆଇ. ଲାଗିଛି !

 

ସତେରେ ?

 

ୟେସ୍, ଯା’ ଫଳରେ ମିଃ ଚନ୍ଦ୍ରମୋହନ ଅନେକ ଅନୁଷ୍ଠାନରୁ ଇସ୍ତଫା ଦେଲେ...ମନସ୍ତାପ ମଧ୍ୟରେ, ଏପରିକି ଆଇନ ବ୍ୟବସାୟରେ ମଧ୍ୟ ସେ ମନ ଦେଲେ ନାଇଁ...ଯା’ ଫଳରେ ଆମ ପରି ଜୁନିଏରମାନଙ୍କ ଅବସ୍ଥା ଯାହାହେବା କଥା ଆପଣ ଜାଣନ୍ତି !

 

ମୁଁ ସେଥିପାଇଁ ଦୁଃଖିତ...କିନ୍ତୁ ମିଃ ମହାନ୍ତି ! ମୋ ଲାଗି ଯେ ଆପଣଙ୍କ ବସ୍‌ଙ୍କ ଏତେ ସବୁ ଦୁର୍ଯୋଗ ଘଟିଲା ସେମିତି କିଛିଟା ପ୍ରମାଣ ଆପଣମାନଙ୍କ ନିକଟରେ ଅଛି ?

 

ଅବଶ୍ୟ ସେମିତି କିଛି ସନ୍ଦେହ ଓ ଆଶଙ୍କା ଆମର ନାଇଁ ମାତ୍ର ଆପଣ ଯେ ଆମ ବସ୍‌ଙ୍କ ବିରୁଦ୍ଧରେ ଅନେକ ଜଘନ୍ୟ କାହାଣୀ ଲେଖିଛନ୍ତି...ଯାହାସବୁ ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ହେଲାପରେ ଅନେକ ଭଦ୍ରଲୋକ ଆମ ବସ୍‌ଙ୍କୁ ଆପଣଙ୍କ ବିରୁଦ୍ଧରେ…

 

ଆପଣ ଓ ଆପଣଙ୍କ ବସ୍‌ କାହିଁକି ଭାବୁଛନ୍ତି ଯେ ମୁଁ ସେ ସବୁ ଉଦ୍ଦେଶ୍ୟ କରି, ଆକ୍ଷେପ କରି ଲେଖିଛି !

 

ଆପଣ ସତ୍ୟବାଦୀ...ଏ ବିଶ୍ଵାସ ମୋର ରହିଛି ।

 

ତେବେ, ବର୍ତ୍ତମାନ କ’ଣ କରିବା ?

 

ଆପଣ ଆମ ବସ୍‌ଙ୍କ ବିରୁଦ୍ଧରେ ଯାହା କିଛି ଲେଖିଛନ୍ତି...ତା’ର ପ୍ରମାଣ ଅନ୍ତତଃ…

 

ମୁଁ ହସିଲି ଓ ରୁମାଲରେ ଚଷମାର କାଚ ଦୁଇଟିକୁ ପୋଛି ସାରିଲା ପରେ କହିଲି ମିଃ ମହାନ୍ତି ! ଏଇ ଚଷମା ନିଅନ୍ତୁ ଓ ଅନ୍ୟମାନଙ୍କ ପରି ଆପଣ ପୃଥିବୀ ପୃଷ୍ଠକୁ ଦୃଷ୍ଟି ଫୋପାଡ଼ନ୍ତୁ ।

 

ସେ ଖପକିନି ମୋ ହାତରୁ ଚଷମାଟିକୁ କ୍ଷେପି ନେଲା ଓ ପିନ୍ଧି ସାରିଲା ପରେ କହିଲା ବାଃ..ଆପଣ ଏ ଚଷମାଟିକୁ କେଉଁଠୁ ସଂଗ୍ରହ କରିଥିଲେ ? ଏ ଚଷମାର ବାଃ କି ଉଚ୍ଚଶକ୍ତି ସମ୍ପନ୍ନ ଶକ୍ତି ଅଛି…

 

ମୁଁ ହସିବା ବଦଳରେ ଗମ୍ଭୀର ହୋଇ କହିଲି ହଁ, ଉଚ୍ଚଶକ୍ତି ସମ୍ପନ୍ନ ଶକ୍ତି...

 

ପୃଥିବୀ ପୃଷ୍ଠରେ କ’ଣ ଦେଖୁଛନ୍ତି ?

 

ଦେଖୁଛି, ସେଇ ବିଚିତ୍ର ବର୍ଣ୍ଣା ଧରିତ୍ରୀ !

 

ଆଉ ?

 

ଏକ ବିରାଟ କ୍ଳବ ।

 

ଆଚ୍ଛା...ଆଚ୍ଛା....ଆଉ କ’ଣ ଦେଖୁଛନ୍ତି ?

 

ସମାଜର ଅନେକ ସଂଭ୍ରାନ୍ତ, ପ୍ରତିଷ୍ଠିତ ଧନାଢ଼୍ୟ ଦମ୍ପତି...ଯୁବକ ଯୁବତୀ ସୁରାପାନ, ନାଚ ଗୀତ...ମଉଜ ମହଲିସରେ ବିଭୋର...

 

ତା’ପରେ ?

 

ଜଣେ ଦୀର୍ଘକାୟ ବ୍ୟକ୍ତି କ୍ଳବର କାଚଦର୍ଜାକୁ ଠେଲି କ୍ଳବ ଭିତରେ ପ୍ରବେଶ କଲାପରେ କେତେକ ଟପଲେସ୍...ସୁନ୍ଦରୀ ତରୁଣୀ ତାଙ୍କୁ ଘେରିଯାଇ ପାଛୋଟି ନେଉଛନ୍ତି କ୍ଳବର ଏକ ଉଚ୍ଚସ୍ଥାନକୁ ଅର୍ଥାତ୍ ମଞ୍ଚ ଉପରକୁ…

 

ଆଉ ?

 

ଆଗଂତୁକ ଅର୍ଥାତ୍ ଦୀର୍ଘକାୟ ଗୌରବର୍ଣ୍ଣ ପ୍ରୌଢ଼ ଆରମ୍ଭ କରୁଛନ୍ତି : ଲେଡ଼ିଜ୍‌ ଆଣ୍ଡ ଜେଣ୍ଟଲ୍ ମ୍ୟାନ୍…

 

ସେ ଆଉ କ’ଣ କହୁଛନ୍ତି ?

 

ଆଉ କିଛି ଶୁଭୁନି କିନ୍ତୁ କ୍ଲବ ଭିତରେ ହୋ’ହଲ୍ଲା ଚାଲିଛି...ଅନେକ କ୍ରୁଧ ଯୁବକ ତାଙ୍କୁ ଘେରିଯାଇ ମଞ୍ଚ ଉପରୁ ଟାଣିଆଣି ଧସ୍ତାଧସ୍ତି କରୁଛନ୍ତି !

 

ଆରେ, ଆରେ ଆଗଂତୁକର କି ଦୁର୍ଭାଗ୍ୟ…

 

ନା ଦୁର୍ଭାଗ୍ୟ ନୁହେଁ– ସେ ସ୍ମିତ ହସ ହସି କହୁଛନ୍ତି : ବନ୍ଧୁଗଣ ! ଆପଣମାନେ ବ୍ୟସ୍ତ ହୁଅନ୍ତୁ ନାଇଁ...ମୁଁ ଆପଣମାନଙ୍କ ନିର୍ଦ୍ଦେଶକ୍ରମେ ଏଇ ବର୍ତ୍ତମାନ୍ ଆମର ଏଇ ଟାଇଗର୍ସକ୍ଲବର ସଭାପତି ପଦରୁ ଇସ୍ତଫା ଦେଇ ଦେଉଛି…

 

ଆଉ କ’ଣ ଦେଖୁଛନ୍ତି ଓ ଶୁଣୁଛନ୍ତି !

 

ସେଇ ଗୌରବର୍ଣ୍ଣ, ଦୀର୍ଘକାୟ ଆଗନ୍ତୁକ ଅର୍ଥାତ୍ ଟାଇଗର୍ସକ୍ଳବର (ବାଘ ଆଖଡ଼ା କୁହାଯାଉ) ସଭାପତି କହୁଛନ୍ତି–ଏତିକି ମାତ୍ର ଦାବୀ ପାଇଁ ଆପଣମାନେ ଏତେ ନବନାଟକ ସୃଷ୍ଟି କରିବାର କ’ଣ ଥିଲା ! ମୁଁ ଯେ କ୍ଲବର ଗାଂଟ୍ ଓ ସଭ୍ୟଗଞ୍ଜାକୁ ଆତ୍ମସାତ କରିଦେଇଚି ସେଥିପାଇଁ ଏତେ ସବୁ ଅପପ୍ରଚାର କରିବାର କି’ ଆବଶ୍ୟକ ଥିଲା ?

 

ତା’ପରେ ? ମୁଁ ପରରିଲି ।

 

ସେ କହିଲା: ବାଘ ଆଖଡ଼ାର ସଭାପତି ମହୋଦୟ ଇସ୍ତଫା ଦେଇ ସାରିଲାପରେ ଲଜ୍ୟା ଓ ଅପମାନରେ କ୍ଳବ ବାହାରକୁ ଆସିଲବେଳକୁ ଗେଟ୍ ସାମ୍ନାରେ ଆଉ ଦଳେ !

 

ଆଉ ଦଳେ ଅର୍ଥାତ୍ ?

 

ଗୁଡ଼ାଏ ସର୍ବହରା...ଗାଉଁଲି ଲୋକ !

 

ସର୍ବହରା ଗାଉଁଲିଲୋକ ମାନେ ?

 

ୟେସ୍, ପ୍ରାୟ ପଚିଶି ତିରିଶି ଜଣ ମଳିମୁଣ୍ଡିଆ ବାଘଆଖଡ଼ା ଅର୍ଥାତ୍ ଟାଇଗର୍ସ କ୍ଳବର ସଭାପତିଙ୍କ ଧଳାରଙ୍ଗର ପ୍ଲାଏମାଉଥକୁ ଘେରିଯାଇ କହୁଛନ୍ତି : ଓକୀଲ ବାବୁ ! ଆମେ ତୁମକୁ ଦି’ଦିନ ହେଲା ଖୋଜୁଛୁ ଅଥଚ ତମର ପତ୍ତା ପାଉନୁ…ହଁ...କୁହନ୍ତୁ ‘ମୁଁ କହିଲି ।

 

ସେଇ ଗାଉଁଲି ଲୋକମାନଙ୍କୁ ଚିହ୍ନିନପାରି ସେ କହୁଛନ୍ତି–ତମେ ସବୁ କିଏ ? ମୋତେ ଦି’ଦିନ ହେଲା କାହିଁକି ଖୋଜୁଛ ? ସେଇ ଗାଉଁଲି ଲୋକମାନେ କହୁଛନ୍ତି; ଆମକୁ ଚିହ୍ନିପାରୁନା ବାବୁ ! ଆମ ନିତିଆ, ନିତିଆ ମ ଯିଏ ମର୍ଡ଼ର କେଶ୍‌ରେ ପଡ଼ିଥିଲା ଆଉ ଆପଣ ତା’ ତରଫରୁ ଲଢ଼ୁଥିଲେ... । ସେ କହୁଛନ୍ତି : ହଁ, କ’ଣ ହେଲା ? ସେ’ତ ବର୍ତ୍ତମାନ ଜେଲ୍‌ରେ ଆଉ ଦୁଇମାସ ଗଲେ ଫାଶି ପାଇବ... । ସେମାନେ ସମସ୍ଵରରେ ଚିତ୍କାର କରୁଛନ୍ତି; ଫାଶି...ଫାଶି ! ! ମୁଁ କହିଲି : ହଁ କୁହନ୍ତୁ ମିଃ ମହାନ୍ତି, ତା’ପରେ କ’ଣ ହେଲା ?

 

ସେଇ ଗାଉଁଲି ଲୋକମାନଙ୍କ ଭିତରୁ ଜଣେ କ୍ଷୀଣକାୟ ଯୁବକ ଆଗକୁ ମାଡ଼ିଆସି କହିଲା : ବାବୁ ! ଜଜ୍ ସାହେବଙ୍କୁ ଓ ସରକାରୀ ଓକିଲଙ୍କୁ ପାଞ୍ଚହଜାର ଟଙ୍କା ଦେଇ ସନ୍ତୁଷ୍ଟ କରିପାରିଲେ ମୋ ବାପା ମୋକଦ୍ଦମା ଓ ଜେଲ୍ ରୁ ମୁକ୍ତି ପାଇଯିବ ବୋଲି ଆଶ୍ୱାସନା ଦେଲେ....ସେଥିପାଇଁ ଆମେ ଘରବାଡ଼ି ହଳବଳଦ ସବୁକିଛି ବିକ୍ରୀ କରି ସର୍ବସ୍ଵାନ୍ତ ହେଲୁ ଓ ସେ ଟଙ୍କା ଆଣି ଆପଣଙ୍କୁ ଦେଲୁ ମୋ ବାପାକୁ ମୁକ୍ତି ଦେବାକୁ ଅଥଚ ମୋ ବାପା...ଆଜି…

 

ହୁଁ, ତା’ପରେ ? ମୁଁ ପଚାରିଲି’

 

ଯୁବକଟି କ୍ରୋଧାନ୍ୱିତ ଯଦିଓ ତଥାପି ଭୋ ଭୋ କାନ୍ଦୁଛି ଆଉ ଧଳାରଙ୍ଗର ପ୍ଲାଏମାଉଥ ସେମାନଙ୍କ କୌଣସି ବାଧା କିମ୍ବା ଜିଜ୍ଞାସାକୁ ଖାତିର୍ ନକରି ଆଗକୁ ମାଡ଼ି ଚାଲିଛି…

 

ମୁଁ ଖୁବ୍ ଜୋର୍‌ରେ ହସିଲି ଓ ପଚାରିଲି : ମିଃ ମହାନ୍ତି ! ଆଉ କ’ଣ ଦେଖୁଛନ୍ତି ଓ ଶୁଣୁଛନ୍ତି ?

 

ସେ ଗମ୍ଭୀର ହୋଇକହିଲା : ପ୍ଲାଏମାଉଥ କ୍ଲବଠୁଁ ଅନେକ ଦୂରକୁ ଚାଲିଗଲଣି ଓ ସେଇ ଗ୍ରାମବାସୀମାନେ ମୁଣ୍ଡରେ ହାତମାରି ବସିଛନ୍ତି…

 

ଆଚ୍ଛା, ମିଃ ମହାନ୍ତି ! ସେଇ ଭଦ୍ରଲୋକଟି କିଏ ଜାଣନ୍ତି ତ ?

 

ଜାଣେ...ସେ ଧୀରକଣ୍ଠରେ କହିଲା ।

 

କିଏ ? ପଚାରିଲି ।

 

ମୋ ବସ...ଅର୍ଥାତ…

 

ମୁଁ କହିଲି; ଆପଣ ନିଜସ୍ଥାନକୁ ବର୍ତ୍ତମାନ ଚାଲିଯାଇ ପାରନ୍ତି..ସମସ୍ତଙ୍କ ଅପେକ୍ଷା ଆପଣଙ୍କ ପାଇଁ ମୋତେ ବହୁତ୍ ସମୟ ନଷ୍ଟ କରିବାକୁ ପଡ଼ିଲା ।

 

ସେ ଲଜ୍ୟା ଓ ଅପମାନରେ ଗମ୍ଭୀର ହେବା ବଦଳରେ ସ୍ମିତହସ ହସି ଚାଲିଗଲା ଯେହେତୁ ସେ ଯେତେ ହେଲେ କଳାକୋଟ୍‌ବାଲା ଆଇନ୍‌ଜୀବୀ ଯିଏ ‘ନ’ କୁ ‘ଉଣେଇଶ୍’ କରିପାରେ: ପୁଣି ‘ଉଣେଇଶ୍’କୁ ‘ଏକାନବେ’ ବୋଲି ଯୁକ୍ତି କରିପାରେ…

 

ଆପଣଙ୍କ ନାମ ?

 

ଡଃ ନିଖିଳାନନ୍ଦ…

 

ଡଃ ନିଖିଳାନନ୍ଦ ? ଦାସ, ମିଶ୍ର, ମହାପାତ୍ର, ନାୟକ..ନ ।

 

ଆଜ୍ଞା ମୋ ନାଁ ଡଃ ନିଖିଳାନନ୍ଦ ମୁଣ୍ଡ

 

ଆପଣ ଡାକ୍ତରୀ ଛାତ୍ର ନା ଡାକ୍ତର ?

 

ହାଉସ୍ ସର୍ଜନ !

 

ଆଚ୍ଛା, ମୁଣ୍ଡ ବାବୁ, ଆପଣଙ୍କ ଅଭିଯୋଗ ?

 

ସେମିତି କିଛି ଗୁରୁତର ଅଭିଯୋଗ ମୋର ନାଇଁ କିନ୍ତୁ ମୋର ଦୁଃଖ ଏହିକି ଯେ ଆପଣ ଆମ ପ୍ରିନିସ୍‌ପାଲ ଡଃ, ମିଶ୍ରଙ୍କ ପରି ଏକ ଉଦାର...ହୃଦୟବାନ୍‌ ଜନସେବୀଙ୍କୁ ଆକ୍ଷେପ କରି ଆପଣଙ୍କ ଅନେକ କାହାଣୀ ମାଧ୍ୟମରେ ପ୍ରମାଣ ବିହୀନ ଚରୀତ୍ର ସଂହାର ଚଳେଇଛନ୍ତି କାହିଁକି-

 

ମୁଁ, ଡଃ ନିଖିଳାନନ୍ଦ ମୁଣ୍ଡଙ୍କ ଅଭିଯୋଗ ଶୁଣିଲାପରେ କିଛି ସମୟ ମୌନବ୍ରତ ପାଳନ କଲି ଓ ପରେ ପଚାରିଲି; ମୁଣ୍ଡ ବାବୁ, ଆପଣ ‘କାହାଣୀ ଓ ଚରିତ୍ର’ ମଧ୍ୟରେ ସଂପର୍କ ଓ ସାମଞ୍ଜସ୍ୟ ଏମିତି କିଛି ଜାଣନ୍ତି କି ?

 

ସେ ମିଛ ହସ ହସି କହିଲେ : ଆଜ୍ଞା ଆମେ ହେଲୁ ଡାକ୍ତରିବାଲା ଅର୍ଥାତ୍ ବିଜ୍ଞାନର ଜନ୍ତୁ...କଳା ଓ ସାହିତ୍ୟ ସହ ସାଇନ୍‌ସର ସମ୍ପର୍କ ଦେଢ଼ଶୁର ଭାଇ ବୋହୂ ପରି…

 

ଏ ବିଜ୍ଞାନ ଯୁଗରେ ପୁଣି ଭାଇବୋହୂ ଓ ଦେଢ଼ଶୁର ସମ୍ପର୍କକୁ ତର୍ଜମା କରୁଛନ୍ତି ? ଛାଡ଼ନ୍ତୁ, ଆପଣ କବିଲୋକ...ଗୋଟାଏ ଶବ୍ଦର ପାଞ୍ଚ ପାଞ୍ଚଟା ଅର୍ଥ ବାହାର କରିବାରେ ଆପଣ ସିଦ୍ଧ...କିନ୍ତୁ ମୋର ଅଭିଯୋଗର କୈଫିୟତ ଦିଅନ୍ତୁ !

 

ହଁ, ମୁଁ ବି ଚାହେଁ–ଜଲ୍‌ଦି ଆମର ଯୁକ୍ତି ତର୍କର ସମାପ୍ତି ହେଉ !

 

ପୂର୍ବୋକ୍ତ ପାଞ୍ଚଜଣଙ୍କ ପରି ସେ ମଧ୍ୟ ମୋ ହାତରୁ ଚଷମାଟିକୁ ନେଲା ପରେ, ମୁଁ କହିଲି : ମିଃ ମୁଣ୍ଡ ! ଆପଣଙ୍କ ପୂର୍ବ ଅଭିଯୋଗକାରୀମାନଙ୍କ ପରି ଆପଣ ବି ଦୟାକରି ଚଷାମାଟି ପିନ୍ଧନ୍ତୁ ଓ ଆପଣଙ୍କ ବିଜ୍ଞାନର ପୃଥିବୀକୁ ନିରୀକ୍ଷଣ କରନ୍ତୁ…

 

ସେ ଚଷମାଟି ନେଇ ପିନ୍ଧି ସାରିଲା ପରେ ପୃଥିବୀବକ୍ଷକୁ ନିଜ ଦୃଷ୍ଟି ଫୋପାଡ଼ିଲେ ଓ କହିଲେ : କାହିଁ, କିଛି ଦିଶୁନାଇଁ ତ…

 

ମୁଁ ବିରକ୍ତିର ସହ ପଚାରିଲି କ’ଣ ହେଲା ? କିଛି ବି ଦେଖିପାରୁ ନାହାନ୍ତି… ଆପଣଙ୍କର ଦୃଷ୍ଟି କଟୁ ଅଛି ନା ୟା’ ଭିତରେ ଆଉ କିଛି ନିଶାଗ୍ରସ୍ତ ଔଷଧ ସେବନ କରିଛନ୍ତି ?

 

ସେ ହସିଲେ; ଆପଣ ଠିକ୍ ଧରିଛନ୍ତି, ଏଇ ତିନିମିନିଟ୍ ତଳେ ଭୀଷଣ ବୋର ଫିଲ୍ କରିବାରୁ ଏଇ ଗୋଟିଏ ମାତ୍ର ମାରିଜୁଏନାର ସିଗାରେଟ୍‌ଟିଏ.ଟାଣି ଦେଇଛି…

 

କ୍ରୋଧ ସମ୍ବରଣ କରିନପାରି କହିଲି, ବାଃ ଆପଣ ବେଶ୍ ଭଲ ରୋଗୀସେବା କରୁଥିବେ...ସୁସ୍ଥରୋଗୀ ବି ଆପଣଙ୍କ ହାତରୁ ଯମ ହାତକୁ ଯିବାକୁ ବୋଧେ ଦଶସେକେଣ୍ଡ୍ ଲାଗି ନପାରେ !

 

ସେ କହିଲେ : ମୁଁ କ’ଣ ଜାଣିଥିଲି ଆଡ଼ଭୋକେଟ୍ ମିଃ ଚନ୍ଦ୍ରଧ୍ଵଜ ମହାନ୍ତି ଏତେ ଜଲଦି ଆପଣଙ୍କ ସହ ଯୁକ୍ତି ତର୍କ ସାରିଦେବେ ଓ ଏତେ ଜଲଦି ମୋ ପାଳି ପଡ଼ିଯିବ ?

 

କ’ଣ ଜାଣିନାହାନ୍ତି ଆପଣ ଯେ ଲାଷ୍ଟ୍ ପରସନ୍ !

 

କ୍ଷମା କରିବେ, ମୁଁ ସେଥିପାଇଁ ଦୁଃଖିତ ଓ ଲଜ୍ଜିତ ! କିନ୍ତୁ କ’ଣ କରିବି ମୁଁ ଯେ କିଛି ଦେଖିପାରୁନି ମାତ୍ର ଶୁଣିପାରୁଛି ପୃଥ୍ୱୀପୃଷ୍ଠରୁ ମଣିଷ ପଶୁପକ୍ଷୀଂକ କଥାବାର୍ଭା...ଚଳଂତା ଗାଡ଼ି ମଟର ଟ୍ରେନ୍‌ର ଶବ୍ଦ, ଧ୍ଵନି-ପ୍ରତିଧ୍ଵନି !

 

ମୁଁ କହିଲି : ତେବେ, ଆପଣ ଗୋଟିଏ କାମ କରନ୍ତୁ

 

ଆଦେଶ ଦିଅନ୍ତୁ !

 

ଅବଶ୍ୟ ମୋର ଏ ଆଦେଶ ଆପଣଙ୍କ ପରି ଶିକ୍ଷିତ, ଡାକ୍ତରଙ୍କ ପକ୍ଷେ ଅପମାନ ଜନକ ହୋଇପାରେ…

 

ତଥାପି ଆଦେଶ ଦିଅନ୍ତୁ…

 

ତେବେ, ଆପଣ ପେଟେଇପଡ଼ି ଏଇ ଚଟାଣରେ ଆପଣଙ୍କ ନାକକୁ ଦଶଥର ଘୋରିନିଅନ୍ତୁ…

 

ନାକର ଚମଡ଼ା ଛିଡ଼ିଯିବ ଯେ…

 

ଅବଶ୍ୟ ନାସିକାର ଚର୍ମ ଓ ଚଟାଣର ଘର୍ଷଣଜନିତ ଯନ୍ତ୍ରଣା ଆପଣଙ୍କ ପକ୍ଷେ ବେଦନାଦାୟକ ହୋଇପାରେ କିନ୍ତୁ ଆପଣ ନିଶାରୁ କିଂଚିତ୍ ମୁକ୍ତି ପାଇଯିବେ ଯେ ନଚେତ୍…

 

ମୋ ନିର୍ଦ୍ଦେଶ ହେଉ ବା ପରାମର୍ଶ ତାଙ୍କ ପକ୍ଷେ ଲଜ୍ୟା ଜନକ ହେଲେ ବି ସେ ତାଙ୍କ କର୍ତ୍ତବ୍ୟ ସମ୍ପାଦନା କଲାପରେ ଚିତ୍କାର କଲେ; ଦିଶୁଚି, ହେଇ ମୋର ସେଇ ପ୍ରିୟ ପୃଥିବୀ କେଡ଼େ ସୁନ୍ଦର ଦିଶୁଚି...ଗୁନ୍ଥା ମଲ୍ଲୀଫୁଲ ପରି ଜଳନ୍ତା ବିଜୁଳୀବତୀ ଖୁଂଟମାନଙ୍କ ଆଲୋକର ପ୍ରଦର୍ଶନୀ…ବାଃ, ବାଃ . ଆପଣ ଏ ଚଷମାଟିକୁ କେଉଁଠୁ କିଣିଥିଲେ ? ନର୍କରୁ...ପରେ ସେ କଥା ପଚାରିବେ, ଦୟାକରି କହି ପାରିବେକି ଆପଣ ବର୍ତ୍ତମାନ ପୃଥିବୀପୃଷ୍ଠରୁ କ’ଣ ଦେଖୁଛନ୍ତି ? ଆମ ମେଡ଼ିକାଲ୍ କ୍ୟାପସ୍‌ଟି ଛଡ଼ା ମୁଁ ବିଶେଷ କିଛି ଦେଖୁନି । ସେ ରୋକ୍‌ଠୋକ୍ ଜବାବ ଦେଲା !

 

ଆଉ କ’ଣ ଦେଖୁଛନ୍ତି ?

 

ଦେଖୁଛି, ଆମର ସେଇ ଜେନେରାଲ୍ ଅପରେସନ୍ ଥିଏଟର ।

 

ଆଉ କ’ଣ ?

 

ଅପରେସନ୍ ଥିଏଟର ବାରଣ୍ଡାରେ ଜଣେ ବୃଦ୍ଧ, ଜଣେ ଯୁବକ ଓ ଏକ ନବ ବିବାହିତ ତରୁଣୀ ବିଷାଦ ଏବଂ ଜିଜ୍ଞାସାର ଦୃଷ୍ଟି ନେଇ କାହାକୁ ଯେପରି ଅପେକ୍ଷା କରିଛନ୍ତି ?

 

ଆଉ ଅପରେସନ୍ ଥିଏଟର ଭିତରେ ?

 

ଦୁଇଜଣ ନର୍ସ ଓ ଜଣେ ବୟସ୍କ ଡାକ୍ତର !

 

ହଁ, ବର୍ଣ୍ଣନା କରିବା ହୁଅନ୍ତୁ…

 

ସେ ବର୍ଣ୍ଣନା ଆରମ୍ଭ କଲେ : ଅପରେନ୍ ଥିଏଟର୍‍ର ଏକ ଲମ୍ୱା ଟେବୁଲ ଉପରେ ଏକ ଯୁବକର ଚିନ୍ତା ଓ ଚୈତନ୍ୟହୀନ ଶରୀରଟିଏ ଗଡ଼ୁଛି ଓ ତା’ର କପାଳଟିର ଅପରେସନ୍ କାମ ସାରି ଡାକ୍ତର ଲାବୋରେଟୋରୀ ଭିତରକୁ ପ୍ରବେଶ କରୁଛନ୍ତି…

 

ଆଉ କ’ଣ ଦେଖୁଛନ୍ତି ମୁଣ୍ଡ ବାବୁ !

 

ଅପରେସନ୍ ଥିଏଟର ବାରଣ୍ଡାରେ ପ୍ରତୀକ୍ଷାରତ ସେଇ ତରୁଣୀ, ବୃଦ୍ଧ ଓ ଯୁବକଙ୍କ ଆଖିରେ ବିଷାଦର ଛାୟା କେନ୍ଦ୍ରୀଭୂତ । ସେମାନେ ତଟସ୍ଥ । ବୃଦ୍ଧ ହୁଏତ ଭାବୁଛି ମୋ ପୁତ୍ରର ଅବସ୍ଥା କ’ଣ ? ଯୁବକଟି ଭାବୁଛି ମୋ ଭିଣୋଇ ବଞ୍ଚିବ କି’ନା ? ଆଉ ନବବିବାହିତା ତରୁଣୀଟି ଆଖିରେ ବିନ୍ଦୁ ବିନ୍ଦୁ ଅଶ୍ରୁ ଓ ମନରେ ଦ୍ଵଂଦ ଓ ସଂଘର୍ଷ ତା’ ହାତର ଶଂଖା ଓ କପାଳର ସିଂଦୁର ବିନ୍ଦୁ ରହିବ ନା ହଜିଯିବ !

 

ଆଉ ?

 

ଆଉ କ’ଣ, ଡଃ ମହାଶୟ ତ ଲାବୋରେଟୋରୀ ଭିତରେ ସେଇ ସୁଂଦରୀ ନର୍ସ ସହ ଚୁମ୍ବନ ପର୍ବରେ ମତ୍ତ ।

 

ଆଉ ? ସେମାନଙ୍କୁ କ’ଣ ଚୁମ୍ବନ ବିନିମୟ ପାଇଁ ଜାଗା ମିଳିଲାନି ?

 

ନର୍ସ କହୁଚି, ସାର୍, ସେମାନଂକୁ ଜଲ୍‌ଦି ଆପଣଙ୍କ ଦାବୀ ଶୁଣେଇ ଦିଅନ୍ତୁ...ନଚେତ୍ ପେସେଣ୍ଟଟା ଶେଷ ହୋଇଯିବ ଯେ...

 

ହଁ, ଚାଲୁ ତା’ପରେ କଣ ଘଟୁଛି ? ମୁଁ କହିଲି’ ।

 

ସେ କହିଲେ : ଡାକ୍ତର ବାହାରକୁ ଆସି ସେଇ ଯୁବକ ଓ ବୃଦ୍ଧଙ୍କୁ ଉଦ୍ଦେଶ୍ୟ କରି କହୁଛନ୍ତି–ଆଇ ଆମ୍ ଭେରୀ ସରି...ଆପଣଙ୍କ ରୋଗୀର ରୋଗ ଭୀଷଣ ଭୟଙ୍କର...ଗୋଟାଏ ଇଂଜେକ୍‍ସନ୍ ଆଣିବାକୁ ପଡ଼ିବ !

 

ରୋଗୀର ଅଭିଭାବକ ମାନେ କ’ଣ କହୁଛନ୍ତି ?

 

ବୃଦ୍ଧ ଓ ଯୁବକ ସମସ୍ୱରରେ କହୁଛନ୍ତି–ସାର୍, ଆପଣ ତ ଏ ପର୍ଯ୍ୟନ୍ତ ତିନିହଜାର ଟଙ୍କା ନେଲେଣି...ଆମ ପାଖରେ ପଇସାଟିଏ ବି ନାଇଁ...ଆପଣ ଯଦି ସେ ଇଂଜେକ୍‌ସନ୍ ଆପଣଙ୍କ ଷ୍ଟୋରରୁ... । ଡାକ୍ତର କହୁଛନ୍ତି–ସେ ଇଂଜେକ୍‍ସନ୍ ଆମ ଷ୍ଟୋରରେ ନାଇଁ–ଅପରେନ୍ ପରେ ଅଧ ଘଣ୍ଟାଏ ବିତି ଗଲାଣି ଅଥଚ ରୋଗୀର ଯେ ସଂବିତ୍ ଫେରିପାଇବନି ଏକଥା...ମୋ ହାତରେ ଆଉ ସମୟ ନାଇଁ...ମୋର ବିରାଟ ଭୁଲ୍‍ ହୋଇଚି ତମର ଏଇ ରୋଗୀର ଦାୟିତ୍ଵ ହାତକୁ ନେଇ…

 

ତା’ପରେ କଥା କ’ଣ ଘଟୁଛି ମୁଣ୍ଡବାବୁ !

 

ସେଇ ତରୁଣୀଟି ପଚାରୁଚି–ସାର୍, କେତେ ଟଙ୍କା ? ଡାକ୍ତର କହୁଛନ୍ତି–ଦେଢ଼ ହଜାର ! ବୃଦ୍ଧ, ଯୁବକ ସ୍ତବ୍‌ଧ । ଏବଂ ତରୁଣୀଟି ତା’ ଗଳାର ସୁନାର ହାର, ଦୁଇ ହାତର ଛ’ପଟ ସୁନା ଚୁଡ଼ି ବାହାର କରି ଡାକ୍ତରଙ୍କ ହାତକୁ ବଢ଼ାଇ ଦେଇଚି ଓ ଅନୁନୟ କରି କହୁଚି–ସାର୍, ଏଇ ନିଅନ୍ତୁ ଓ ମୋ ସ୍ଵାମୀକୁ ବଞ୍ଚାନ୍ତୁ !

 

ତା’ପରେ ?

 

ଡାକ୍ତର ନୁହେଁ, ସେଇ ରୂପବତୀ...ସୁନ୍ଦରୀ ନର୍ସ ତରୁଣୀଟି ତା’ ହାତରୁ ସୁନାର ଅଳଙ୍କାରତକ ଶାଗୁଣାପରି ଝାମ୍ପି ନେଇ ଚାଲିଗଲା ପରେ ଅନ୍ୟ ନର୍ସଟି ଆସି ଖବର ଦେଉଛି : ସାର୍, ପେସେଣ୍ଟ ଅଲ୍‍ ରେଡ଼ି ଗନ୍ ଟୁ…

 

ମୁଣ୍ଡ ବାବୁ ! ଆଉ କ’ଣ ସବୁ ଚିରାଚରିତ ଦୃଶ୍ୟମାନ ଦେଖୁଛନ୍ତି ?

 

ମୁଣ୍ଡ ଆଖିରେ ଅଶ୍ରୁର ଢେଉ ! ମୁଣ୍ଡ ବାବୁ ମୁଣ୍ଡତଳକୁ କରି କହିଲେ : ଆଉ କଣ ଦେଖିବି ? ସେଇ ନବବିବାହିତ ତରୁଣୀ, ବୃଦ୍ଧ ଓ ଯୁବକ ଭୋ ହୋଇ କାନ୍ଦୁଛନ୍ତି ଓ ଡାକ୍ତର ଦର୍ଜା ବନ୍ଦକରି ଥିଏଟରର ଭିତରକୁ ପ୍ରବେଶ କରୁଛନ୍ତି...

 

ଆଚ୍ଛା, ମୁଣ୍ଡ ବାବୁ ! ସେଇ ଡାକ୍ତର ଓ ସେଇ ଦୁଇଟି ନର୍ସ କିଏ ?

 

ଡଃ ମୁଣ୍ଡ ନୀରବ ।

 

ମୁଁ ତାଙ୍କ ହାତରୁ ଚଷମାଟିକୁ ଫେରାଇ ଆଣି ପଚାରିଲି : ନୀରବ କାହିଁକି ମୁଣ୍ଡବାବୁ !

 

ସେ କହିଲେ : ସେଇ ନର୍ସଟି ଯିଏ ତରୁଣୀଟି ହାତରୁ ସୁନାର ଅଳଙ୍କାରତକ ନେଇଥିଲା ମୁଁ ତାକୁ ପ୍ରେମ କରେ ଅର୍ଥାତ୍ ସେ ମୋର ପ୍ରିୟତମା ଆଉ ସେ ଡାକ୍ତର ଆମ…

 

ହଁ...ହଁ କୁହନ୍ତୁ ! ସେ ଡାକ୍ତର କିଏ ?

 

ଆମ ପ୍ରିଂସିପାଲ୍ ।

 

ମୁଁ କ’ଣ ଅବାନ୍ତର, ପ୍ରମାଣବିହୀନ କାହାଣୀ ଲେଖିଥିଲି ଡଃ ମୁଣ୍ଡ ମହାରାଜ ।

 

ସେ ଲଜ୍ଜା, କ୍ରୋଧ ଓ ପ୍ରତିଶୋଧର ନିଆଁରେ ଜଳୁଥିଲା ।

 

ମୁଁ ଏକ ଦୀର୍ଘଶ୍ଵାସ ମାରି ଠିଆହେଲି । ଚଷମାଟିକୁ ପିନ୍ଧି ହାତ ଘଡ଼ିକୁ ଚାହିଁନିଏ ତ ମୁଁ ଅବାକ୍ । ରାତି, ସାଢ଼େ ଦୁଇଟା ବାଜିଗଣି l ଗୁଡ଼ାଏ ଅନାବନା ଚିନ୍ତା ଓ ଦୁଃଶ୍ଚିନ୍ତାକୁ ମନରୁ ଦୂରକରି ସେମାନଙ୍କ ନିକଟକୁ ଯାଇ ଦେଖେ ତ ସେମାନେ ସମସ୍ତେ କାନ୍ଦୁଛନ୍ତି ଦୁଃଖ, ଲଜ୍ଜା ଅପମାନ ଓ କ୍ରୋଧରେ ।

 

ମୁଁ କହିଲି : ଗତସ୍ୟ ଶୋଚନା ନାସ୍ତି । ଅତିତର ସମସ୍ତ ଘନତମିସ୍ରାର ଦୁର୍ଗରୁ ନିଜକୁ ମୁକ୍ତକରି ଅନାଗତ ଭବିଷ୍ୟତର ଆଲୋକିତ ସମ୍ରାଜ୍ୟର ଅନୁସନ୍ଧାନରେ ଆମକୁ ଆଗେଇ ଯିବାକୁ ପଡ଼ିବ !

 

ସେମାନେ ପୁଚ୍ଛିଲେ : ହେ ବନ୍ଧୁ ! ଆମେ ପୃଥିବୀ ପୃଷ୍ଠରେ ଆପଣଙ୍କ ପ୍ରତି ଯେଉଁ ଅବିଚାର, ଅତ୍ୟାଚାର କରିଛୁ ସେଥିପାଇଁ ଆମେ ଅନୁତପ୍ତ...ଆମ୍ଭମାନଙ୍କୁ କ୍ଷମା କରନ୍ତୁ !

 

ମୁଁ ଅଟ୍ଟହାସ୍ୟଭରା କଣ୍ଠରେ କହିଲି : ତୁମେମାନେ ନିଜେ କ’ଣ କରୁଛ ନିଜେ ବି ଜାଣନାଇଁ...ମୁଁ ଏକ ସାଧାରଣ ମଣିଷ ମାତ୍ର, ଦେବତା ନୁହଁ...ସେଇ ସକଳ ଶକ୍ତିର ଅଧାର ଉଦ୍ଦେଶ୍ୟରେ ପ୍ରାର୍ଥନା କରି ସେ ତୁମମାନଙ୍କୁ ଦୟା.କ୍ଷମା ଓ ଆଶୀର୍ବାଦ କରିପାରନ୍ତି ।

 

ସେମାନେ ସମସ୍ୱରରେ କହିଲେ : ଧିକ୍ ଏ ଜୀବନ...ମଣିଷର ମନ ଭିତରେ ଏତେ ସବୁ ହିପୋକ୍ରିସି ଥାଇପାରେ ଏ ବିଶ୍ଵାସ ଆମର ନଥିଲା...କିନ୍ତୁ ଆମେ କ’ଣ କରିବୁ ? ଆମକୁ ଏ ଲଜ୍ଜ୍ୟା ଅପମାନ ଓ ଯନ୍ତ୍ରଣା ଭିତରୁ ରକ୍ଷାକରି ପଥ ଦେଖାନ୍ତୁ !

 

ମୁଁ ପ୍ରଥମରୁ କହିଛି–ମୁଁ ଦେବତା ନୁହଁ ! ମୁଁ ଏକ ସାଧାରଣ ମଣିଷ ମାତ୍ର…ମୁଁ କି ପଥ ଦେଖାଇବି ? କରି କରାଇଥାଏ ସେହି; ତା ବିନୁ ଅନ୍ୟଗତି ନାଇଁ....

 

ସେମାନେ ସମସ୍ଵରରେ କହିଲେ : ମିଃ ରାଇଟର୍‌ ! ଆପଣ ଆମ ନିକଟରେ କନିଷ୍ଠତମ ହେଇ ମଧ୍ୟ ଆପଣଙ୍କ ନିକଟରେ ଏତେ ଧୀଶକ୍ତି ଓ ବିଚାର ବୋଧ ଥାଇପାରେ, ସେ ବିଶ୍ଵାସ ଆମର ନଥିଲା...ବର୍ତ୍ତମାନ ଆମେ ହାତଯୋଡ଼ି ପ୍ରାର୍ଥନା କରୁଛୁ ଆପଣ ପଥ ଦେଖାନ୍ତୁ…

 

ଆମେ ସାତଜଣ ସେଇ ଜହ୍ନର ଚଟାଣ ଉପରେ ଠିଆହୋଇ କଥାବାର୍ତ୍ତା କଲାବେଳେ ସେଇ ଅନିନ୍ଦ୍ୟ ସୁନ୍ଦରୀ ଦେବୀ (ଯିଏ ମୋତେ କୋଳଗ୍ରତ କରି ପୃଥିବୀ ପୃଷ୍ଠରୁ ରକ୍ଷା କରିଥିଲା) ଏକ ବାରହାତି ଖଣ୍ଡା ସହ ଆମ୍ଭମାନଙ୍କ ନିକଟରେ ଠିଆ ହୋଇ ପଚାରିଲା : କ’ଣ ତୁମମାନଂକ ଯୁକ୍ତିତର୍କ ସବୁ ସରିଲାତ ? ଏବଂ ମୋ ଉଦ୍ଦେଶ୍ୟରେ ଆଗେଇ ଆସି ମୋ ମୁଣ୍ଡର ଲମ୍ବବାଳମାନଂକରେ ହସ୍ତ ସଞ୍ଚାଳନ କରୁ କରୁ ପୁଣି କହିଲା : ବର୍ତ୍ତମାନ ତୁମେମାନେ ପରସ୍ପରର ଅନ୍ତରଙ୍ଗ ବନ୍ଧୁ...ବର୍ତ୍ତମାନ ଗତି ପାହି ଆସିଲାଣି... ତୁମେମାନେ ପୃଥିବୀ ପୃଷ୍ଠରୁ ଫେରିଯାଇପାର…

 

ସେମାନେ ସେଇ ଅନିନ୍ଦ୍ୟ ସୁନ୍ଦରୀ ନାରୀ ଉଦ୍ୟଶରେ ପ୍ରାର୍ଥନା ପୂର୍ବକ କହିଲେ :ଭୋ ଦେବୀ ! ଆମମାନଙ୍କ ଅତ୍ୟାଚାର ମୂଳକ କାର୍ଯ୍ୟକଳାପ ପାଇଁ ଆମ୍ଭେମାନେ ଅନୁତପ୍ତ ! ଯୁକ୍ତିତର୍କ ସିନା ସରିଗଲା ଆମେ ବର୍ତ୍ତମାନ ରାଇଟର୍‍, ମହାଶୟଙ୍କ ନିକଟରୁ ପରାମର୍ଶ ପ୍ରତୀରକ୍ଷାରେ ଅଛୁ !

 

ପରାମର୍ଶ ? ଦେବୀ ପଚାରିଲା !

 

ହଁ, ପରାମର୍ଶ..ବଂଚିବାର…ଲଜ୍ୟା ଓ ଅପମାନରୁ ତ୍ରାହି ପାଇବାର…

 

ମୁଁ କହିଲି : ଦେବୀଂକ ନିକଟରୁ ଆପଣମାନେ ପରାମର୍ଶ ଓ ଉପଦେଶ ଗ୍ରହଣ କରିପାରନ୍ତି ।

 

ଦେବୀଟି ହସିଲା ଓ କହିଲା : ତୁମମାନଙ୍କୁ କି ପରମର୍ଶ ଦିଆଯାଇପାରେ ? ସେଇ ଲାଲ୍‌ ପ୍ଲାକାର୍ଡ଼ବାଲା ହିପ୍‌ପୀରୂପୀ ଯୁବକଟି କହିଲା : ମୁଁ ଆମ ପାର୍ଟିର ଫୁଲ୍ ଟାଇମ୍ ୱାର୍କର । ମାସକୁ ଦେଢ଼ଶହ ଟଂକା ପାଏ । ତଥାପି ମୁଁ ପାର୍ଟି ଛାଡ଼ିଦେବାକୁ ପ୍ରସ୍ତୁତ ଯେହେତୁ ଯେଉଁ ପାର୍ଟିରେ ‘ଜନତାର ମୁକ୍ତି’ ପାଇଁ ଶ୍ଳୋଗାନ୍‌ ଦେଇ ସେଇ ଜନତାକୁ ପ୍ରତାରଣା କରାଯାଇପାରେ...ସଂଗ୍ରାମୀ ଜନତାର ପଛପଟୁ ଛୁରିକାଘାତ କରାଯାଏ ସେ ପାର୍ଟି ପାଇଁ ମୁଁ ମୋର ଭବିଷ୍ୟତକୁ ଧ୍ଵଂସ କରିଦେବାକୁ ଚାହେଁନା । କିନ୍ତୁ ! ମୋ ଉପରେ ଯେ ଦଶ ଦଶଟା କ୍ରିମିନାଲ୍ କେଶ୍...ଯଦି ପାର୍ଟି ଛାଡ଼ିଦିଏ ତେବେ ମୋ ପାଇଁ ଲଢ଼ିବ କିଏ ? ମୁଁ ଜେଲ ଗଲେ ମୋତେ ମୁକ୍ତି ଦେବ କିଏ ?

 

ନୀଳ ପ୍ଲାକାର୍ଡ଼ବାଲା ସଚ୍ଚିଦାନନ୍ଦ ଭୋ ଭୋ କାନ୍ଦି ଉଠି କହିଲେ : ଓଃ ମାଇ ଗଡ଼୍ ! ଶଳା ଚନ୍ଦ୍ରଶ୍ୱର ଓ ଶାଳୀ କାମିନୀଟା ବର୍ତ୍ତମାନ ଫେରାର୍ ଫୌଜ୍...ସଂସ୍ଥାର ସମସ୍ତ ଦାୟିତ୍ଵପୂର୍ଣ୍ଣ କାଗଜପତ୍ର ତ ସେମାନଙ୍କ ହାତରେ...ଆଉ ଦୁଇଟା ମାସ ଗଲେ ଅଡ଼ିଟ୍‌ବାଲା ଆସି ପହଞ୍ଚି ଯିବେ-!!

 

ଦାଢ଼ୀରେ ସେଣ୍ଟ୍‌ମରା ପ୍ରୌଢ଼ ମିଃ ମହାପାତ୍ର ନିଜ କ୍ରୋଧ ଓ ଯନ୍ତ୍ରଣାକୁ ସମ୍ବରଣ କରି ପଚାରିଲେ : ମୁଁ ମହାମାୟାଙ୍କ ଲଭ୍ ମ୍ୟାରେଜ୍ କଲାବେଳକୁ ମିସ୍ ସୁଚରୀତ୍ରା ଗର୍ଭରେ ଥିଲା...ଆମର ମ୍ୟାରେଜ୍ ପୂର୍ବରୁ ମୁଁ ମୋର ସମସ୍ତ ସ୍ଥାବର: ଅସ୍ଥାବର ସମ୍ପତ୍ତି ମହାମାୟାଙ୍କ ନାମରେ ରେଜିଷ୍ଟ୍ରି କରିଦେଇଛି : ମୁଁ ଯଦି ଘରେ ପହଞ୍ଚିଲାପରେ ତାଙ୍କୁ କିଛି କୈଫିୟତ୍ ତଲବ୍‌କରେ ତ ସେ ମୋତେ ଡାଇଭର୍ସ କରିଦେଇପାରନ୍ତି ଓ ମୋ ଚାକିରୀଟା... ?

 

ବିଂଶାଧିକ ନାଟକ ଓ ଉପନ୍ୟାସର ପ୍ରଣେତା ଶ୍ରୀଯୁକ୍ତ ମିତ୍ରଦମନ ମିଶ୍ର କହିଲେ ମୁଁ କ’ଣ କରିବି । ଯଦି ମୁଁ କିଛି ଶୋଧଣ ଆରମ୍ଭ କରେ ତ ତାହେଲେ ସେ ମୋର କନ୍ୟା ବିବାହବେଳେ ଯେଉଁ ଦୁଇହଜାର ଟଙ୍କା ଧାର ଦେଇଥିଲେ ସେସବୁ ଜରୁରୀ ଆଦାୟପାଇଁ କୋଟକୁ ମୋତେ ଟାଣି ନେଇପାରନ୍ତି ।

 

ଟୋକା ଓକିଲ ଡଃ ଚନ୍ଦ୍ରଧ୍ଵଜ କହିଲେ : ହେ ଭଗବାନ୍...ଶଳା ଚନ୍ଦ୍ରମୋହନ କିମ୍ବା ତା’ ସ୍ତ୍ରୀକୁ ଯଦି ଏ ସମ୍ପର୍କରେ ପ୍ରଶ୍ନ କରେ ତ ସେମାନେ ମୋତେ ଗଳା ଧକ୍‌କା ଦେଇ ତାଙ୍କ ବାରରୁ ତଡ଼ି ଦେଇପାରନ୍ତି...ପୁଣି ମୁଁ ସେଇ ଟିଉସନ୍‍-ଗିରି କରି ଏ ଘରୁ ସେ ବାରଣ୍ଡା ବୁଲିବି ? ମ୍ୟାଂଡ଼୍ରେକ୍‌ସ୍ ସେବନକାରୀ ସେଇ ହାଉସ୍‌ସର୍ଜନ କହିଲା : ମୁଁ କ’ଣ କରିବି କ’ଣ ନାଇଁ ? ଦାଟ୍ ଇଡ଼ିଅଟ ପ୍ରିଂସିପାଲ୍ ଲଭସ୍ ମିଲଟ୍ ! ଜହ୍ନମଞ୍ଜି ପରି ତୋଫା ତକ୍ ତକ୍ ତାର ଗେହ୍ଲାଝିଅପାଇଁ ପ୍ରଚୁର ଟଙ୍କା ମାଧ୍ୟମରେ ମୋତେ ଜ୍ୱାଇଁ ପୁଅ ରୂପରେ କିଣିବାକୁ ଚାହୁଁଥିଲା ଏବଂ ବିବାହ ପ୍ରସ୍ତାବରେ ମୋ ପିତା-ମାତା ରାଜି ଯେହେତୁ ପ୍ରଚୁର ଅର୍ଥ, ବାଂଲୋ ସହ ମୋତେ ବିନା ବାଧାରେ ଚାକିରୀଟା ପ୍ରିଂସିପାଲ୍ ଦ୍ଵାରା ମିଳିଯାଇପାରେ.. ମୁଁ ଯଦି ପ୍ରିଂସିପାଲ୍ ସହ କିଛି ଯୁକ୍ତ ତର୍କ କରେ ତ ସବୁକିଛି ଓଲଟ ପାଲଟ ହୋଇଯିବ ! !

 

ପ୍ରତ୍ୟେକଙ୍କ ଦୁର୍ବଳତା ଓ ଦୁର୍ଦ୍ଦଶା ଶୁଣିସାରିଲାପରେ ଦେବୀ କହିଲା....ହେ ଅମୃତର ସଂତାନମାନେ ! ତୁମେ ଅଯଥା ଏଇ ନିରୀହ ଆଲୋକ ଦାତାଟିକୁ ଅନ୍ଧପରି ଅତ୍ୟାଚାର କଲ ପୃଥିବୀପୃଷ୍ଠରେ...ଯା ହେଉ ସେ ବର୍ତ୍ତମାନ ତୁମମାନଙ୍କ ଦୁଃଖରେ ସମଦୁଃଖୀ ଓ ତୁମମାନଙ୍କ ପରମବନ୍ଧୁ...ତାକୁ କ୍ଷମାଭିକ୍ଷାକର ଏବଂ ଭବିଷ୍ୟତ କାର୍ଯ୍ୟପନ୍ଥା ସମ୍ପର୍କରେ ଉପଦେଶ ସଂଗ୍ରହ କର…

 

ମୁଁ କହିଲି ଭୋ ଦେବୀ ! ମୋତେ ଅଯଥା ଏକ ଜଞ୍ଜାଳ ମଧ୍ୟରେ ଠେଲି ଦେଉଛ କାହିଁକି ? ମୁଁ ପରମ ପୁରୁଷ କିମ୍ବା ମହାଗୁରୁ ନୁହେଁ । ସେମାନଙ୍କ ପରି ମୋର ବି ଅନେକ ପ୍ରୋବ୍ଲେମ ରହିଚି ମୁଁ ବି ଏକ ସାଧାରଣ ମଣିଷ...କେବଳ ଏତିକି ମାତ୍ର ମୋର ଯୋଗ୍ୟତା-ଜଣେ କଲମ ଚାଳକ (ସିଦ୍ଧିବାନ୍ ହେବାର ବି ଯୋଗ୍ୟତା ମୋର ନାଇଁ)...ସମାଜର ଯେଉଁ ଅଙ୍ଗସବୁ ବିଚିତ୍ରବ୍ୟାଧିରେ କ୍ଷୟମୁଖୀ ସେଇ କ୍ଷତ ଚିହ୍ନମାନଙ୍କୁ ମୋ ସମାଜର ଜନସାଧାରଣଙ୍କୁ ଦୃଷ୍ଟି ଆକର୍ଷଣ କରିବା ମୋର କର୍ତ୍ତବ୍ୟ ମାନ...କିନ୍ତୁ ମୁଁ ସମାଜ ବ୍ୟବସ୍ଥା ସଭାର ବିଚାରକ କିମ୍ବା ଡାକ୍ତର ନୁହେଁ ଯେ କ୍ଷତସ୍ଥାନମାନଙ୍କୁ ଅପରେସନ୍ କରି ସୁସ୍ଥ କରିଦେବା ଦାୟିତ୍ଵ ମୁଁ ନେବି !

 

ଅନେକ ଘଣ୍ଟା ପୂର୍ବେ ପୃଥିବୀ ପୃଷ୍ଠର ସେଇ ଚୌହଦୀରେ ହୋ-ହଲ୍ଲାକାରୀ ସେଇ ଅଶାଂତ ଜନସମୁଦ୍ର ମଧ୍ୟରୁ ପ୍ରତିନିଧିତ୍ଵ କରୁଥିବା ଓ ମୋ ନିକଟରୁ କୈଫିୟତ ତଲବ କରୁଥିବା ସେଇ ଛଅଜଣ : ହିପପୀ ରୂପୀ ବିପ୍ଳବୀ ଯୁବକକଣ୍ଡୁ ନାଥମ ନୀଳପ୍ଲାକାର୍ଡ଼ ବାଲା ସଚ୍ଚିଦାନନ୍ଦ, ଚନ୍ଦାମୁଣ୍ଡିଆ ସୁରଭିକାନ୍ତ, ବିଂଶାଧିକ ନାଟକ ଓ ଉପନ୍ୟାସର ଲେଖକ ମିତ୍ର ଦମନ, ଟୋକା ଓକୀଲ ଚନ୍ଦ୍ରଧ୍ଵଜ, ହାଉସ୍‌ ସର୍ଜନ ନିଖିଳାନନ୍ଦ ମୁଣ୍ଡ ପ୍ରମୁଖ ଦେବୀ ଓ ମୋ ମଧ୍ୟରେ ଚାଲିଥିବା ବାର୍ତ୍ତାଳାପକୁ ଶୁଣିଲାପରେ କହିଲେ : ଏ ପୃଥିବୀ ପ୍ରତାରଣା ଓ ପ୍ରବଞ୍ଚନାର…ପ୍ରୀତି, ମୈତ୍ରୀ, ବିଶ୍ଵାସ ଓ ଆସ୍ଥା ଏଠି ଏକ ଦୁଃସ୍ଵପ୍ନ ଓ ଡିକ୍‍ସିନାରୀର ଗୋଟିଏଗୋଟିଏ ଶବ୍ଦ ମାତ୍ର...ଆମେ ସବୁ ମଣିଷମାନେ ସୃଷ୍ଟିର ଶ୍ରେଷ୍ଠତମପ୍ରାଣୀ ନାମରେ ଅବିହିତ ସିନା, କିନ୍ତୁ ନିର୍ବୋଧ ପଶୁଠାରୁ ମଧ୍ୟ ଆମେ ଆହୁରିନୀଚ... ଜଘନ୍ୟ...ଭୟଙ୍କର...ମାରାତ୍ମକ !!

 

ସେମାନଙ୍କୁ ଉଦ୍ଦେଶ୍ୟ କରି ମୁଁ କହିଲି...ବଂଧୁଗଣ ! ଆପଣମାନେ ବହୁତ ଡେରୀରେ ଏ ବିଚିତ୍ରବର୍ଷା ପୃଥିବୀ ଓ ବିଚିତ୍ର ମଣିଷ ସମାଜଟିକୁ ଚିହ୍ନଲେ କିନ୍ତୁ ଆପଣମାନଙ୍କୁ ମନେରଖିବାକୁ ପଡ଼ିବ ମୁଁ, ଆମ୍ଭେ ଓ ଆମେ ସମସ୍ତେ ଯେ ଏଇ ବିଚିତ୍ର ସମାଜ ଓ ମଣିଷ ଜାତିର ଜଣେ ଜଣେ ବ୍ୟକ୍ତି ବିଶେଷ…

 

ସେମାନେ ସମସ୍ୱରରେ ଗର୍ଜନକଲେ : ଆମେ ଏଇ ହିପୋକ୍ରିସି ଜୀବାଣୁଭରା ପୃଥିବୀକୁ...ସମାଜକୁ ଧ୍ଵଂସ କରିଦେବୁ !

 

ମୁଁ ବି ଗର୍ଜନ କଲି...ରେ ମୁର୍ଖମାନେ ! ଯା’ର ଗଢ଼ି ପାରିବାର ଶକ୍ତି ନାଇଁ ତାର ଭାଙ୍ଗିବାର କୌଣସି ନୈତିକ ଅଧିକାର ନାଇଁ

 

ସେମାନେ ସ୍ଥିର ଚିତ୍ତରେ ପଚାରିଲେ । ତେବେ ଆମକୁ ପଥ ଦେଖାଅ; ଆମେ ପୃଥିବୀକୁ ଫେରିଲାପରେ କେଉଁ କାର୍ଯ୍ୟପନ୍ଥା ଗ୍ରହଣ କରିବୁ !

 

ମୁଁ କେବଳ ଏତିକି କହିଲି । ତୁ ନିଜେଇ ନିଜ ଗୁରୁ । ଉଦ୍ଧବ କେତେ ତୁ ପଚାରୁ !

 

ସେମାନଙ୍କୁ ଓ ମୋତେ ଉଦ୍ଦେଶ୍ୟ କରି ଦେବଟି ପଚାରିଲ । ଦେଖ ବର୍ତ୍ତମାନ ରାତିପାହିବାକୁ ବସିଲାଣି...ଆଉ ତିନି ଚାରି ଘଣ୍ଟାପରେ ପୃଥିବୀ, ଅନ୍ଧାରରୁ ନିଜକୁ ମୁକ୍ତକରି ସୂର୍ଯ୍ୟାଲୋକରେ ସ୍ନାନ କରିବ...ଅଯଥା ଯୁକ୍ତି କରି ନିଜ ନିଜର ମୂଲ୍ୟବାନ ସମୟର ଅପଚୟ କରନାଇଁ….ଚାଲ ପୃଥିବୀ ପୃଷ୍ଠରେ ଛାଡ଼ି ଦେଇଆସିବି !

 

ଆପଣମାନେ ଶୁଣିଲେ ଆଶ୍ଚର୍ଯ୍ୟ ହେବେ–ଦେବୀଟି ଏତିକି ମାତ୍ର ବକ୍ତବ୍ୟ ପେଶ୍ କଲାପରେ ଆମେ ସମସ୍ତେ ଆଶ୍ରୟ ନେଇଥିବା ଜହ୍ନର ଚଟାଣଟା ଓଲଟି ପଡ଼ି ଆକାଶର ସ୍କ୍ରିନ୍ ଆଡ଼କୁ ଅଗ୍ରସର ହେଲ ଓ ଆମେ ସବୁ ଆକାଶୀଛତାର ଆଶାରେ ଝୁଲିଝୁଲି ମହାଶୂନ୍ୟରୁ ଖସୁଥିବା ସୈନିକମାନଙ୍କପରି ଝୁଲିଝୁଲି ଆସି ପୂର୍ବୋକ୍ତ ଆଲୋଚିତ ଚୌହଦୀ ନିକଟରେ ପହଞ୍ଚିଚିଲୁ ।

 

ଦେବୀ ବିଦାୟର ଶେଷ ସ୍ନେହ ଜଣାଇ ଆମ ସମସ୍ତଙ୍କୁ କହିଲା..ଆଚ୍ଛା, ମୁଁ ଆସୁଛି...ତୁମେମାନେ ବର୍ତ୍ତମାନ ନିଜ ନିଜ ଘରକୁ ଚାଲିଯାଇପାର… !

 

ଆମେ ସମସ୍ତେ ଦେବୀଙ୍କୁ ପ୍ରଣିପାତ ଜଣାଇଲୁ । ଆପଣଙ୍କ ଶ୍ରଦ୍ଧା, ସ୍ନେହ ଓ ଆଶୀର୍ବାଦରେ ଆମେ ସମସ୍ତେ ଚିରରୁଣୀ...ଆପଣ ବର୍ତ୍ତମାନ ବିଦାୟ ଦେଇପାରନ୍ତି !

 

ଦେବୀ କ୍ରମଶଃ ଅନ୍ତର୍ଦ୍ଧାନ ହେଲା ।

 

ମୁଁ ସେମାନଙ୍କୁ ଲକ୍ଷ୍ୟ କରି କହିଲି; ଆଚ୍ଛା ବନ୍ଧୁଗଣ ! ମୁଁ ଆସୁଚି...ପୁଣି କେବେ ଦେଖାହେବ ?

 

ସବୁଠୁ ବଡ଼ ଆଶ୍ଚର୍ଯ୍ୟର କଥା ମୁଁ ସେମାନଙ୍କଠାରୁ ବିଦାୟ ନେଇ ଚାଲିଯିବାକୁ ବସିଛି ସେଇ ଛଅହଜାର ସୁପ୍ତ ଜନତା ଜାଗ୍ରତ ହୋଇ ମୋତେ ପୁଣି ଘେରିଗଲେ ଓ ଗର୍ଜନ କଲେ: ରେ ନାରଦ ! କୁଆଡ଼େ ଚାଲିଯିବାକୁ ବସିଛୁ ?

 

ମୁଁ ମଧ୍ୟ କ୍ରୋଧରେ ଗର୍ଜନ କଲି : ରେ ଅନ୍ଧଜନସମୁଦ୍ରର କିଂଭିରମାନେ ! ତୁମର ସେଇ ପ୍ରତିନିଧିମାନଙ୍କ ସହ ମୋର ଆଲୋଚନା ଓ ସମାଧାନ ହୋଇସାରିଛି ଓ ସେମାନଙ୍କ ଅନ୍ଧତ୍ଵକୁ ଦୂରକରି ଆଲୋକର ଦିହୁଡ଼ି ମୁଁ ସେମାନଙ୍କ ହାତରେ ଧରେଇ ଦେଇସାରିଛି...ବର୍ତ୍ତମାନ ତୁମେମାନେ ମୋ ଯାତ୍ରାପଥ ପ୍ରତିରୋଧ ନକରି ତୁମମାନଙ୍କ ସେଇ ପ୍ରତିନିଧିମାନଙ୍କ ସହ ଫେରିଯାଅ ।

 

ବିଚିତ୍ର ଏଇ ମଣିଷର ମନ !

 

ଚନ୍ଦ୍ରର ସେଇ ଗୋଲାକାର ଚଟାଣରେ ମୋ ନିକଟରୁ କୈଫିୟତ ତଲବ୍ କରୁଥିବା ବାରେଟି ଆଖିର ସେଇ ଛଅଟି ମାଲିକ୍ ମୋ ପାଖକୁ ଆଗେଇ ଆସିଲେ ଓ କହିଲେ : ରାଇଟର ବନ୍ଧୁବର ? ତୁମେ କୁଆଡ଼େ ଚାଲିଯିବ !

 

ତୁମେ କ’ଣ ଭାବିଛ ଆମେ ସବୁ ନିର୍ବୋଧ ଓ ନପୁଂସକ ?

 

କ୍ରୋଧାଂଧ ପୁରୁଷଟିଏ ପରି ମୁଁ କହିଲି : ଜହ୍ନର ଚଟାଣରେ ବସି ମୋ ସହିତ ବାର୍ତ୍ତାଳାପ...ଯୁକ୍ତିତର୍କ କଲାବେଳେ ତୁମମାନଙ୍କ ମତି ଗତି ଆଉ ବର୍ତ୍ତମାନର କଥାବାର୍ତ୍ତା ମୋତେ ସନ୍ଦେହରେ ପକାଉଚି ତୁମେମାନେ ଅନୁଭବ କରୁଛ’ତ ?

 

ସେମାନେ ଉଚ୍ଚକଣ୍ଠରେ ବିଳାପ କଲେ : ସମୟ ଯେମିତି ପରିବର୍ତ୍ତନ ଶୀଳ : ମଣିଷର ମନ ବି ଠିକ୍ ସେମିତି... ଏକଥା ତୁମଭଳି ଲେଖକ ଜାଣିଥିବ ନିଶ୍ଚୟ ?

 

ମୁଁ ପଚାରିଲି : ତୁମେମାନେ କ’ଣ ଚାହଁ ?

 

ଲାଲବାଲା ସେଇ ହିପ୍‌ପୀ ତରୁଣଟି କହିଲା : ଶଳା, ଇଏ ଗୋଟାଏ ୟଂଗ ମେଜିସିଏନରେ, ସାଥୀମାନେ । ବାଷ୍ଟାର୍ଡ଼ କୋଉଠିକାର ଆମମାନଙ୍କୁ ଏକ ଯାଦୁଭରା ଚଷମାଟିଏ ପିନ୍ଧାଇଦେଇ ଆମମାନଙ୍କୁ ଭୁଲେଇଦେବାକୁ ବସିଥିଲା ଆଉ ଏ ଶଳାର ସେଇ ରକ୍ଷିତା ଡାହାଣୀଟା ଆମମାନଙ୍କୁ ଉଡ଼େଇ ନେଇଥିଲା ଉପରକୁ ଫାଙ୍କି ଦେବାକୁ…

 

ମୁଁ ନିଜକୁ ଯଥେଷ୍ଟ ଧୈର୍ଯ୍ୟବାନ୍ ଓ ସଂଯତକରି କହିଲି : ରେ ପାପିଷ୍ଟମାନେ ! ତୁମେମାନେ ଯାହା କହୁଛ ଓ କରୁଛ ନିଜେ ବି ଜାଣନା...କିନ୍ତୁ ଭଗବାନ ଯେତେବେଳେ ସଦ୍‍ବୁଦ୍ଧି ଦେବେ ସେତିକିବେଳକୁ ତୁମମାନଙ୍କ ନେଡ଼ି ଗୁଡ଼ କହୁଣିକୁ ବୋହି ଯାଇଥିବ...ଏକଥା ମନେରଖ !

 

ଲାଲପ୍ଲାକାର୍ଡ଼ବାଲା କଣ୍ଡୁନାଥମ୍ କହିଲା : ନା, ଆମ ପାର୍ଟି, ଚେୟାରମ୍ୟାନ୍ ସତ୍ୟବାଦୀ ଭୌମିକ ଏତେଟା ମିନ୍ ନୁହନ୍ତି...ଏକ ପୁଞ୍ଜିପତିର ସନ୍ତାନ ହୋଇ ମଧ୍ୟ ସେ ସର୍ବଦା ସର୍ବହରା...ତୁମେ ତାଙ୍କ ବିରୁଦ୍ଧରେ ଯାହାସବୁ ଲେଖିଛ ସେ ସବୁ ମିଥ୍ୟା... କପୋଳକଳ୍ପିତ ! !

 

ନୀଳ ପ୍ଲାକାର୍ଡ଼ର ବହନକାରୀ ସଚ୍ଚିଦାନନ୍ଦ କହିଲେ : ନା ! ଅସମ୍ଭବ...ଆମ ‘ପୃଥିବୀ ସମସ୍ୟା ସମାଧାନ ସମିତି’ର ସଭାପତି ଓ ଉପସଭାନେତ୍ରୀ କଦାଚନ ଚରିତ୍ରହୀନ ନୁହନ୍ତି...ଆମ ଅନୁଷ୍ଠାନର ବିକାଶ ଓ ସଫଳତା ପାଇଁ ସେମାନଙ୍କ ଦାନ ଅତୁଳନୀୟ..ତୁମେ ସେମାନଙ୍କ ବିକାଶମୂଳକ କାର୍ଯ୍ୟକଳାପରେ ଈର୍ଷାନିତ ହୋଇ ସେମାନଙ୍କ ଚରିତ୍ରସଂହାର କରିଛ !

 

ଦାଢ଼ିରେ ସେଂଟ୍‌ମରା ଚଂଦାମୁଂଡ଼ିଆ ପ୍ରୌଢ଼ ସୁରଭିକାନ୍ତ ଚିତ୍‌କାର କଲେ : ଇଡ଼ିଅଟ୍‌, ମୋ କନ୍ୟା ସୁଚରିତ୍ରାକୁ ପ୍ରେମ କରିବାକୁ ଓ ମୋ ସ୍ତ୍ରୀକୁ ବ୍ଲାକମେଲ୍ କରିବାକୁ ଅପଚେଷ୍ଟା କରି ହତାଶ ହେଲାପରେ ତୁ ଆକ୍ରୋଶମୂଳକ ଭାବରେ ଏତେ ହୀନଚକ୍ରାନ୍ତ କରିଛୁ...ସେଥିପାଇଁ ତୋତେ କ୍ଷମା ଦିଆଯାଇପାରେନା ! ଜରଦ୍‌ଗବ ଲେଖକ ମିତ୍ରଦମନ ମିଶ୍ର ଚୁପି ଚୁପି କହିଲେ : ହ୍ୟାପ୍‌, ତୁ ଆମମାନଙ୍କ ନିକଟରେ ଏକ କନିଷ୍ଠତମ ଲେଖକ ହେଲେ ମଧ୍ୟ କ’ଣ ହେଲା...ତୋ ଚାଲ୍‌ବାଜି କମ ନୁହେଁତ ! ନୃସିଂହଚରଣ ଦାସଙ୍କ ନିକଟରୁ କିଛି ଫାଇଦା ଉଠେଇବାକୁ ଚେଷ୍ଟାକରି ବିଫଳ ହେଲାପରେ ତୁ ତାଙ୍କ ବିରୁଦ୍ଧରେ ଏତେସବୁ କୁତ୍ସା ପ୍ରଚାର କରିପାରିଲୁ ! ଜାଣୁ, ବର୍ତ୍ତମାନ ତୋ ଅବସ୍ଥା କ’ଣ ହେବ ?

 

ଟୋକା ଓକିଲ ଚନ୍ଦ୍ରଧ୍ୱଜ ମହାନ୍ତି ମୋ ସାର୍ଟ କଲରକୁ ଭିଡ଼ି କହିଲା : ଷ୍ଟୁପିଡ଼୍ ! ମୋ ବସ୍ ତୋର କି ଅପରାଧ କରିଥିଲା ? ସେ ଆଇନତେ କଳାବଜାରୀ କରୁ କି ସମାଜସେବା ନାଁରେ ଟାଉଟରୀ କରୁ ସେଥିରେ ତୋର କି ଯାଏ ଆସେ ? ତୋତେ କ’ଣ ସେଥିରୁ ଭାଗ ମିଳିଲାନି ବୋଲିତ ? ରହ ବର୍ତ୍ତମାନ ଉପଯୁକ୍ତ ଫଳ ପାଇବୁ ତୋ କର୍ମ-ଅପକର୍ମର ।

 

ଡାକ୍ତରୀ ଛାତ୍ର ଅର୍ଥାତ୍ ହାଉସ୍‌ସର୍ଜନ ଡଃ ନିଖିଳା ନନ୍ଦ ଚିତ୍‌କାର କଲା : ଆବେ ! ପୂଜରକ୍ତ ମଳମୂତ୍ରରେ ଘାଣ୍ଟିହୋଇ ଡାକ୍ତରମାନେ ରୋଗୀର ସେବା କରିବେ...ଏଇ ନର୍କମୟ ଜୀବିକା ଭିତରେ ସାରାଜୀବନକୁ ବିତାଇଦେଇ ତୋପରି ମଣିଷମାନଙ୍କ ଜୀବନକୁ ବଞ୍ଚାଇବେ ଅଥଚ ତୁ ଶଃ–ସେଇ ସେବକମାନଙ୍କର ଚରିତ୍ର ସଂହାର କରି ଜନତାର ମନରେ ଭ୍ରାନ୍ତ ଧାରଣା ସୃଷ୍ଟି କରିବୁ ?

 

ମୁଁ ଗର୍ଜନ କଲି; ବାସ୍ ବାସ୍ !! ମୁଁ ଅନେକବାର କହିସାରିଛି ତୁମେମାନେ ଯାହା କହୁଛ ଓ କରିବାକୁ ଯାଉଛ ନିଜେବି ଜାଣନାଇଁ...ଭଗବାନ ତୁମମାନଙ୍କୁ କ୍ଷମାକରନ୍ତୁ ।

 

ସେମାନଙ୍କ ସହ ସହସ୍ରାଧିକ ଜନସମୁଦ୍ର ଗର୍ଜନ କଲା; ଶଳା ! ଚଷମାଟା ପିନ୍ଧାଇଦେଇ, ଆମମାନଙ୍କୁ ଯଦୁକାରୀ ଦୃଶ୍ୟ ଦେଖାଇ ଫାଙ୍କିଦେବାକୁ ବସିଥିଲୁ ନା ?

 

ମୁଁ ସେତେବେଳେ ନୀରବତା ପାଳନ କରି ଆସନ୍ନ ମୃତ୍ୟୁ ପଦଧ୍ଵନିକୁ ଶୁଣିବା ଛଡ଼ା ମୁକ୍ତି ପାଇବାର ଅନ୍ୟ କୌଣସି ପଥ ଖୋଜି ପାଉନଥିଲି । ତଥାପି ନିଜ ଭିତରେ ଶକ୍ତି ଓ ସାହାସ ସଂଚୟ କରି କହିଲି...“ମୁଁ ଭୀରୁ ନୁହେଁ ମୁଁ ପୁରୁଷ...ମୁଁ ମଣିଷ...ମୁଁ ହିନ୍ଦୁ...ଆର୍ଯ୍ୟାବର୍ତ୍ତରେ ମୋର ଜନ୍ମ । ମୋତେ ହତ୍ୟାକରି ମଧ୍ୟ ତୁମେମାନେ ମୋତେ ନିଶ୍ଚିହ୍ନ କରି ପାରିବନାଇଁ । ମୁଁ ପୁଣି ଆସିବି...ବାରମ୍ୱାର...ଏଇମତି କେତେଥର ତୁମେମାନେ ମୋତେ ହତ୍ୟା କରିବ ? ପାରିବନି । ମୋଟେ ପାରିବନି ମୋର ସ୍ୱପ୍ନ ଓ ଆଦର୍ଶକୁ…”

 

ସେମାନେ, ସମସ୍ତେ ଏକ୍‌ଜୁଟ୍ ହୋଇ ମୋତେ ଗଳାଧକ୍‌କା ମାରିଲାବେଳକୁ ମୋ ପରି ଏକ କ୍ଷିଣକାୟ ଯୁବକ ଚୈତନ୍ୟହରାଇ ଟଳିପଡ଼ିବା ସ୍ଵାଭାବିକ୍ ।

 

ଯେଉଁ ମାଟିର ମମତା ନେଇ ଯେଉଁ ମାଟିକୁ ମୁଁ ଆସିଥିଲି କୋଡ଼ିଏ ମାଇଲ ପୂର୍ବେ ଅର୍ଥାତ୍ କୋଡ଼ିଏ ବର୍ଷ ତଳେ ପୁଣି ସେଇ ମାଟିରେ ମୁଁ ଲୋଟି ପଡ଼ିଲି ମୋର ସମସ୍ତ ଚିନ୍ତା : ଚୈତନ୍ୟ ତଥା ସାହାସ ଓ ଧୈର୍ଯ୍ୟକୁ ହରାଇ । ସେମାନେ ଅନୁଭବ କଲେ ଯେ ସହସ୍ରାଧିକ ବ୍ୟକ୍ତିଙ୍କ ଗଳାଧକ୍‌କା ଓ ଆକ୍ରମଣ କ୍ରମେ ମୁଁ ମୃତପ୍ରାୟ । ସେମାନେ କାଳ ବିଳମ୍ବ ନକରି ମୋ ଉପରେ ଜଣକ ପରେ ଜଣେ ଅର୍ଥାତ୍ ଅନ୍ୟୁନ ଛଅ ହଜାର ଜନତା ମାଡ଼ି ଚାଲିଗଲେ ।

 

ତା’ପରେ କ’ଣ ହେଇ ଜାଣିବାକୁ ଚାହାନ୍ତି କି ?

 

ଶୁଣନ୍ତୁ ବିଶ୍ୱେ ଅମୃତସ୍ୟ ପୁତ୍ରାଃ ! ସେମାନେ ଅର୍ଥାତ୍ ମୋ ହତ୍ୟାକାରୀମାନେ ଅର୍ଥାତ୍ ମୋ ପ୍ରିୟ ମଣିଷ ଜାତୀୟ ଭ୍ରାତାମାନେ ମୋର ଜୀଅନ୍ତା ଶରୀରଟିକୁ‌ ଏକ ଶବରେ ପରିଣତ କରି କିଛି ଦୂର ଅଗ୍ରସର ହେଲାପରେ ସେମାନଙ୍କ ଭିତରୁ କିଏ ଜଣେ ବିଳାପ କଲା : ଆରେ, ଆମେ ସମସ୍ତେ ତ ତାକୁ ହତ୍ୟା କରିଦେଲେ ! ଓ ତାକୁ ସେଇ ଛକରେ ଛାଡ଼ିଦେଇ ଚାଲି ଆସିଲେ...ସକାଳୁ ଯଦି ସେଇ ଟୋକା ଲେଖକର ଶବଟିକୁ ପୁଲିସ୍ ଆବିଷ୍କାର କରି ତଦନ୍ତ ଚଳାଏ : ତା’ହେଲେ ?

 

ସେମାନଙ୍କ ମଧ୍ୟରୁ କେତେକ କହିଲେ : ଆରେ, ହଁ ତ ! ଆମେ ତାକୁ ହତ୍ୟା ସିନା କରିଦେଲେ କିନ୍ତୁ ତା’ ଶବଟିକୁ ଗାଏବ୍ କରିଦେବାକୁ ପଡ଼ିବ ଯେ...ନଚେତ୍...

 

ଏକମୁଖୀ ଜନସମୁଦ୍ର ମାଡ଼ି ଯାଇଥିବା ରାସ୍ତାରୁ ପୁଣି ମୋଡ଼ ଭାଙ୍ଗି ପଶ୍ଚାତମୁଖୀ ହେଲେ-ମୋ ଶବ ନିକଟକୁ ଅର୍ଥାତ୍ ସେଇ ଚୌହଦୀକୁ...

 

ନିଜ ନିଜର ମୂଲ୍ୟବାନ ସମୟର ବିନିଯୋଗ ଦ୍ୱାରା ହେଉ ବା ଅପଚୟ କରି ଏ କାହାଣୀକୁ ଅଧ୍ୟୟନ କରୁଥିବା ହେ ପ୍ରିୟ ପାଠକେ ! ମୁଁ ଅର୍ଥାତ୍ ଏଇ ଅକିଞ୍ଚନ କଲମ ଚାଳକ ମହାପାତ୍ର ଭାସ୍‌କର ଗନ୍ତାଏତ୍ (ଆଚାର୍ଯ୍ୟ ସୂର୍ଯ୍ୟକାନ୍ତ ନୁହେଁ) ଆପଣମାନଙ୍କୁ ସାଧୁବାଦ ତଥା ଗଭୀର କୃତଜ୍ଞତା ଜ୍ଞାପନ କରୁଛି । ଏବଂ ଆପଣମାନଙ୍କ ସମୟକୁ ନଷ୍ଟ ନକରି କାହାଣୀଟିକୁ ଯଥାଶୀଘ୍ର ଶେଷ କରିବାକୁ ଚେଷ୍ଟା କରୁଛି ।

 

ଏଥୁ ଅନ୍ତେ–ସେଇ ଏକମୁଖୀ ଜନତା ନିଜ ଯାତ୍ରାପଥକୁ ପାଶ୍ଚାତ୍‌ମୁଖୀ କରି ସେଇ ଚୌହଦୀ ନିକଟରେ ପହଞ୍ଚିଲାବେଳକୁ ଆକାଶୀମେଘର ଘୁମନ୍ତ ପର୍ଦା ଉଡ଼ାଇ ପୂର୍ବ ଦିଗନ୍ତରୁ ସକଳ ଶକ୍ତିର ଆଧାର ଅର୍ଥାତ୍‌ ସୂର୍ଯ୍ୟ ନାମକ ସେଇ ଆଲୋକଦାତାଟି ଆବିର୍ଭାବ ହେବାକୁ ଉଦ୍ୟମରତ ଏବଂ ପିଚୁ ଚଟାଣ ଉପରେ ଚିର ନିଦ୍ରାଗତ ସେଇ ଟୋକା ଲେଖକ ଆଶ୍ଚର୍ଯ୍ୟ ସୂର୍ଯ୍ୟକାନ୍ତର ପ୍ରାଣହୀନ ଶରୀର ଉପରେ ପେଟିଂ ହୋଇଯାଇଥିବା ପ୍ରାତଃକାଳୀନ ଶିଶିର ବିନ୍ଦୁ ସହ ରବି ରଶ୍ମିର ପ୍ରତିଫଳନ ଅପୂର୍ବ ରୋମାଞ୍ଚ...ଦୃଶ୍ୟ ସୃଷ୍ଟି କରୁଥିଲା । ବିଚରା ଯଦିଓ ସଂପୂର୍ଣ୍ଣରୂପେ ମୃତ ତଥାପି ତା ଓଠରେ ଚିରହସଂତ ରେଖା...

 

ସେଇ ସହସ୍ରାଧୀକ ଜନତା ଶବଟି ନିକଟରେ ପହଂଚିଲା ପରେ ଅଭିନୟ ଆରମ୍ଭ କରିଦେଲେ : ଆରେ, ବିଚରାଟିକୁ କିଏ ହତ୍ୟାକଲା ? ଇଏ ତ ଆମର ସେଇ ପ୍ରିୟ ଲେଖକ, ଏ ଜାତିର ଉଜ୍ୱଳ ଦୀପଶିଖା ଭବିଷ୍ୟତ ଓ ବର୍ତ୍ତମାନର...ମହାନ୍ ପ୍ରଭାବଶାଳୀ ଦୀପ୍ତିମନ୍ତ ପ୍ରତିଭା ଆଚାର୍ଯ୍ୟ ସୂର୍ଯ୍ୟକାନ୍ତ !

 

ସମସ୍ତେ ଏକ ସ୍ୱରରେ ଚିତ୍ତ୍‌କାର କଲେ, ସୂର୍ଯ୍ୟକାନ୍ତ ବାବୁଙ୍କ ଅମର ଆତ୍ମାପ୍ରତି ସମ୍ମାନ ପ୍ରଦର୍ଶନ କରିବା...ତାଙ୍କ ସ୍ମୃତିରକ୍ଷା ପାଇଁ ଏକ ପାଣ୍ଠି ସଂଗ୍ରହ କରିବା ଆମର ପ୍ରଥମ ଓ ପ୍ରଧାନ କର୍ତ୍ତବ୍ୟ...

 

ଜନଗହଳି ଭିତରୁ ଆଗେଇ ଆସି ମିତ୍ରଦମନ ମିଶ୍ର ଓ ସୁରଭିକାନ୍ତ କହିଲେ : ନିଶ୍ଚୟ । ଆଜି ସନ୍ଧ୍ୟାରେ ରେ ଏଇ ଚୌହଦୀରେ ଏକ ଜନପଥ ଶୋକ ସଭାର ବ୍ୟବସ୍ଥା କରାଯାଉ...

 

ଏଡ଼ଭୋକେଟ୍‌ ଚଂଦ୍ରଧ୍ୱଜ ମହାନ୍ତି ଓ କମ୍ରେଡ଼ କଣ୍ଡ୍ରୁନାଥମ୍ ବାହାସ୍ପୋଟ ମାରି କହିଲେ: ସୂର୍ଯ୍ୟକାନ୍ତ ଆଚାର୍ଯ୍ୟଙ୍କ ହତ୍ୟାକାରୀ...ନରହନ୍ତାକୁ ଆବିଷ୍କାର କଗଯାଇ ପ୍ରାଣଦଣ୍ଡ ଦିଆଯାଉ...

 

ସଚ୍ଚିଦାନନ୍ଦ ଦାସ ଓ ଡଃ ନିଖିଳାନନ୍ଦ କହିଲେ–ନା... ନା ଆପଣମାନେ ଜାଣି, ଜାଣି ସ୍ଵର୍ଗତ ଆଚାର୍ଯ୍ୟଙ୍କ ଅମରଆତ୍ମାକୁ କଷ୍ଟ ଦେଉଛନ୍ତି କାହିଁକି ? ତାଙ୍କ ହତ୍ୟାକାରୀର ଅନୁସନ୍ଧାନ, ତଦନ୍ତ ଆଦି କାର୍ଯ୍ୟକଳାପ ଯଥା–ପୁଲିସ୍ ବିଭାଗ ଗାଡ଼ିର ପେଟ୍ରୋଲ, ଅନୁସନ୍ଧାନକାରୀ ଖାନାପିନା, କୋର୍ଟକଚେରୀ ଇତ୍ୟାଦିରେ ରାଜକୋଷରୁ ଯେତିକି ଟଙ୍କା ଖର୍ଚ୍ଚ ହେବ ସେତିକି ଟଙ୍କା ଅପବ୍ୟୟ ନକରି (ସୂର୍ଯ୍ୟକାନ୍ତ ବାବୁତ ଆଉ ଫେରିବେ ନାଇଁ : ଅଯଥା ହତ୍ୟାକାରୀକୁ ଆବିଷ୍କାର କରିବାପାଇଁ ଏତେଟଙ୍କା ବରବାଦ୍ କରିବାର କି ଦରକାର ?) ସେତିକି ଅର୍ଥକୁ ଯଦି ଖର୍ଚ୍ଚ କରାଯାଆନ୍ତା ତାଙ୍କ ସ୍ମୃତିର ସୁରକ୍ଷାପାଇଁ ତେବେ ସେଇ ଅର୍ଥରେ ପାଞ୍ଚୋଟି ପ୍ରତିମୂର୍ତ୍ତୀ, ଦଶଟି ଗ୍ରନ୍ଥାବଳୀ, ପାଞ୍ଚୋଟି ସ୍ମରଣିକା ଇତ୍ୟାଦି ଇତ୍ୟାଦି ପ୍ରସ୍ତୁତ ହୋଇପାରନ୍ତା !

 

କମ୍ରେଡ଼...କଣ୍ଡୁନାଥମ୍ କହିଲେ ଆଜି, ତେବେ ସମ୍ବାଦପତ୍ରର ପ୍ରତିନିଧିମାନଙ୍କୁ ଆମ୍ଭମାନଙ୍କର ଏଇ ସବୁ ସିଦ୍ଧାନ୍ତ ଓ ଏ ସିଦ୍ଧାନ୍ତକୁ କାର୍ଯ୍ୟକାରୀ କରିବାକୁ, ପଦକ୍ଷେପ ଦେବାକୁ ନିବେଦନ ଓ ଦାବୀ ପ୍ରକାଶନ ପାଇଁ ଷ୍ଟେଟ୍‌ମେଣ୍ଟ୍ ଦିଆଯାଉ !

 

ମିଃ ଚଂଦ୍ରଧ୍ୱଜ ମହାନ୍ତି ଓ ଡଃ ନିଖିଳାନନ୍ଦ କହିଲେ : ଛାଡ଼ନ୍ତୁ ସେ ସବୁତ‌ ଭବିଷ୍ୟତର କାର୍ଯ୍ୟସୂଚୀ, ବର୍ତ୍ତମାନ ପୁଲିସକୁ ଫୋନ୍‌କରି ଡେଡ଼୍‌ବଡ଼ି ସଂପର୍କରେ ଜଣାଇଦିଆଯାଉ ନଚେତ୍ ସଜ ଚମଡ଼ାଟା ପଚିଯିବ ଯେ...ଯଥାଶିଘ୍ର ଡାକ୍ତର ମାଇନା ବା ବ୍ୟବଚ୍ଛେଦ କରଯିବା ରହି ।

 

ସୁରଭିକାନ୍ତବାବୁ ଓ ମିତ୍ରଦମନ ମିଶ୍ର କହିଲେ : ହଁ; ସେ ସବୁତ ଗଲା...ଯଥାଶିଘ୍ର ସୂର୍ଯ୍ୟକାନ୍ତଙ୍କ ଏକ ଫଟୋ ଚିତ୍ରର ବ୍ୟବସ୍ଥା କରାଯାଉ ଓ ସହରର ସମସ୍ତ କବି ଲେଖକମାନଙ୍କୁ ନିମନ୍ତ୍ରଣ ପତ୍ର ପଠାଇବାର ବ୍ୟବସ୍ଥା କରି ଜଣାଇ ଦିଆଯାଉ ଯେ ପ୍ରତ୍ୟେକେ ଯେପରି ଗୋଟିଏ ଗୋଟିଏ ଶ୍ରଦ୍ଧାଞ୍ଜଳୀ କବିତା ସହ ଆଜି ସଂନ୍ଧ୍ୟାରେ ଏଠି ଯୋଗଦାନ କରିବେ…

 

ଏଡଭୋକେଟ୍‌ ଚନ୍ଦ୍ରଧ୍ୱଜ ମହାନ୍ତି କହିଲେ : ସ୍ଵର୍ଗତ ସୂର୍ଯ୍ୟକାନ୍ତଙ୍କ ଫଟପାଇଁ ଆପଣମାନେ ବ୍ୟସ୍ତ ହୁଅନ୍ତୁ ନାଇଁ...ତାଙ୍କର ଏକ ସୁନ୍ଦର ମନୋରମ ରେଖାଚିତ୍ର ମିସେସ୍ ସୋନାଲିଙ୍କ ବେଡ଼ରୁମ୍‌ରେ ଅଛି..ମୁଁ ତାଙ୍କୁ ଦୁଇଘଣ୍ଟା ପାଇଁ ଅନୁରୋଧ କରି ଆଣିବି…

 

ଠିଆ ଠିଆରେ ନବଗଠିତ ସୂର୍ଯ୍ୟକାନ୍ତ ସ୍ମୃତି ସୁରକ୍ଷା ସମିତି’ର ପ୍ରସ୍ତାବକ, ସମର୍ଥକ ଓ ସଂଚାଳକମାନଙ୍କ ବାର୍ତ୍ତାଳାପ ଭିତରେ ପୁଲିସ୍ ଶବଟିକୁ ଉଠେଇ ନେଇ ସାରିଥିଲା ଓ ସେମାନଙ୍କ କାର୍ଯ୍ୟପନ୍ଥା ଶେଷବେଳକୁ ଶତାଧିକ କପ୍ ଚାହା...କଫି, ପାନ ଓ ସିଗାରେଟ୍ ଶେଷ ହୋଇସାରିଥିଲା ଚୌହଦୀ ନିକଟସ୍ଥ କ୍ୟାବିନ୍‌ମାନଙ୍କରୁ ଏବଂ ମୁଣ୍ଡ ଉପରେ ସୂର୍ଯ୍ୟ ଜଳୁଥିଲା ।

 

ଯା’ହେଉ ପରମ ଆନନ୍ଦ ଓ ଗୌରବର କଥା ‘ଏ ଜାତି କଦାଚନ ପୂଜ୍ୟପୂଜାର ବ୍ୟତିକ୍ରମ କରିପାରେନା’ ତାର ପ୍ରମାଣ ସ୍ୱରୂପ ସେଇ ଚୌହଦୀ ନିକଟରେ ‘ସୂର୍ଯ୍ୟକାନ୍ତ ସ୍ମୃତି ସୁରକ୍ଷା ସମିତି’ ଆନୁକୂଲ୍ୟରୁ ଏକ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହେଲା । ସ୍ୱର୍ଗତ ଆଚାର୍ଯ୍ୟ ସୂର୍ଯ୍ୟକାନ୍ତଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରି ବହୁ ବାଳ କବି, ତରୁଣ କବି, ପ୍ରବୀଣ କବି, –ଶ୍ରୀଯୁକ୍ତ ମିତ୍ରଦମନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କବିତା ପାଠୋତ୍ସବରେ ଅଂଶଗ୍ରହଣ କଲାପରେ ସର୍ବଶ୍ରୀ ସୁରଭିକାନ୍ତ ମହାପାତ୍ର, କମ୍ରେଡ଼ କଣ୍ଡୁ ନାଥମ୍‌, ଏଡଭୋକେଟ୍‌ ଡଃ ଚନ୍ଦ୍ରଧ୍ୱଜ ମହାନ୍ତି, ସଚ୍ଚିଦାନନ୍ଦ ଦାସ, ଡଃ ନିଖିଳାନନ୍ଦ ମୁଣ୍ଡ ପ୍ରମୁଖ ଯଥାକ୍ରମେ ସ୍ୱର୍ଗତ ଆଚାର୍ଯ୍ୟଙ୍କ ଚରିତ୍ରବତ୍ତା, ସ୍ପଷ୍ଟବାଦିତା, ନିର୍ଭୀକତା, ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରରେ ତାଙ୍କର ଅତୁଳନୀୟ ଅବଦାନ ଇତ୍ୟାଦି ଇତ୍ୟାଦି ଗୁଣଗାନ କଲେ ।

 

ଆହୂତ ଶ୍ରଦ୍ଧାଞ୍ଜଳୀ ସଂଘର ଅଧ୍ୟକ୍ଷ ଶ୍ରୀଯୁକ୍ତ ମିତ୍ରଦମନ ମିଶ୍ର ସ୍ଵର୍ଗତ ଆଚାର୍ଯ୍ୟଙ୍କ ତୈଳଚିତ୍ର ଉଦ୍ଦେଶ୍ୟରେ ଦୁକ୍‌ପାତ୍‌ ପୂର୍ବକ ଅଶ୍ରୁସମ୍ବରଣ କରୁ କରୁ ଥରଥର କଣ୍ଠରେ ଭାଷଣ ଦେଲାବେଳକୁ ସଭାମଞ୍ଚର ସାମ୍ନାରେ ବସି ଭାଷଣ ଶ୍ରବଣ କରୁଥିବା କଣ୍ଡୁ ନାଥମ୍ ଓ ଚନ୍ଦ୍ରଧ୍ୱଜ ବାବୁ ଆବିଷ୍କାର କଲେ–ତୈଳଚିତ୍ର ପଛପଟେ କିଏ ଜଣେ ନିଜକୁ ଆତ୍ମଗୋପନ କରି ସେମାନଙ୍କୁ ନିରୀକ୍ଷଣ କରୁଛି ଓ ବିଦ୍ରୁପର ହସ ହସୁଛି ।

 

ସେମାନଙ୍କ ଚୁପ୍‌ଚାପ୍‌ କଥାବାର୍ତ୍ତାକୁ ଠଉରେଇ ନେଇ ସୁରଭିକାନ୍ତ ଓ ସଚ୍ଚିଦାନନ୍ଦ କଥାବାର୍ତ୍ତା ହେଲେ; ଆରେ, ହଁ’ ତ ମିଃ ମହାନ୍ତି ଓ କଣ୍ଡୁ ନାଥମ୍ ଯାହା ଆବିଷ୍କାର କରିଛନ୍ତି ତା’ ସତ୍ୟ…

 

ଚାରିହେଁ ଅର୍ଥାତ୍ କମ୍ରେଡ଼ କଣ୍ଡୁନାଥମ୍, ସୁରଭିକାନ୍ତ, ଚନ୍ଦ୍ରଧ୍ୱଜ ଓ ସଚ୍ଚିଦାନନ୍ଦ–ଡଃ ନିଖିଳାନନ୍ଦଙ୍କୁ ହାତଠାରି ପାଖକୁ ଡାକିଲେ ଓ କହିଲେ; ଡଃ ମୁଣ୍ଡ ! ଏଇ ଦେଖିପାରୁଛନ୍ତି ତ ସେଇ ତୈଳଚିତ୍ର ପଛପଟେ କିଏ ?

 

ଡଃ ନିଖିଳାନନ୍ଦ ମଧ୍ୟ ୟା’ମଧ୍ୟରେ ତୈଳଚିତ୍ରଟିକୁ ଗଭୀର ଧ୍ୟାନର ସହ ଦର୍ଶନ କରୁଥିଲେ ଅତଏବ୍ ତାଙ୍କ ବିଭ୍ରାନ୍ତ ଓ ବିକାର ଗ୍ରସ୍ତ ମନର ବିସ୍ଫୋରଣ ଓଠଦେଇ ବାହାରି ପଡ଼ିଲା : ଆରେ, ସେଇ ଷ୍ଟୁପିଡ୍‍ଟା ତ...ତାକୁ ଆମେ ଆଜି ସକାଳେ ଖତମ୍ କରିଥିଲେ...ଅଥଚ ସେ ପୁଣି ଏଠି ?

 

ପଞ୍ଚସଖା ଚିତ୍କାର କଲେ ହେଇ ଶଃ…ଶଃ…ସୂ…ସୂ…ସୂ…

 

ସତେ ଯେପରି ସେମାନଙ୍କ ମନର ଖାଂଡ଼ବ ବନରେ ନିଆଁ ଦୋଳି ଖେଳୁଥିଲା । ତେଣୁ ସେମାନେ ନିଜ ନିଜ ବସିଥିବା ଜାଗାରୁ ଉଠିପଡ଼ି ତୈଳଚିତ୍ର ନିକଟକୁ ଦୌଡ଼ିଗଲେ ଓ ତୈଳଚିତ୍ର ପଶ୍ଚାତ୍‌ରେ ଆତ୍ମଗୋପନ କରି ସେମାନଙ୍କ ଉଦ୍ଦେଶ୍ୟରେ ବିଦ୍ରୁପର ହସ ଫୋପାଡ଼ୁ ଥିବା ଚେହେରାବାନ୍‍ଟିକୁ ଭିଡ଼ିଧରି ଚିତ୍‌କାର କଲେ : ଶଳା, ପୁଣି ବଂଚିଗଲୁ । ଆମ ମୁଖା ଟାଣି ଦେବାକୁ ପୁଣି ଏଠିକି ଚାଲି ଆସିଛୁ ନା ?

 

ସେ ଚିତ୍‌କାର କଲା ମାରନା, ମାରନା ମୋତେ...ମୁଁ ସୂର୍ଯ୍ୟକାନ୍ତ ନୁହେଁ...ଭିକମଗାଟିଏ...ତମମାନଙ୍କ ପରି ଦୟାଳୁ ଲୋକଙ୍କ ମିଟିଂଗି ସରିଲେ ପଇସେ ଅଧଲେ ମାଗିବି ବୋଲି ମୁଁ ଏଠି ଠିଆ ହୋଇଥେଲି...

 

ସେମାନଙ୍କ ନିଦ୍ରାଭଙ୍ଗ ସିନାହେଲା କିନ୍ତୁ କମ୍ରେଡ଼ କଣ୍ଡୁନାଥମ୍ ଦୁଃସ୍ଵପ୍ନ ଦେଖୁଥିଲା । ଡଃ ନିଖିଳାନନ୍ଦ କହିଲେ–ଧ୍ୟାତ୍ ଆମେ କେଡ଼େ ମୁର୍ଖମ.. । କଣ୍ଡୁନାଥମ୍ କହିଲା ହଁ, ଆମେ ମୂର୍ଖ ହୋଇପାରୁ କିନ୍ତୁ ଇଏ ଭିକମଗା ନୁହେଁରେ ମୂର୍ଖଶଳେ !

 

ଚନ୍ଦ୍ରଧ୍ଵଜ ପଚାରିଲା; ତେବେ ଇଏ ? କଣ୍ଡୁ ନାଥମ୍ ଚିତ୍‌କାର କଲା : ତୋ ଭିଣେଇ…ଶଳା, ସ୍ପେଶାଲବ୍ରାଞ୍ଚ କିଂବା ଭିଜିଲାନ୍‌ସ ବାଲଟା ବେ...

 

ସେମାନେ ପ୍ରାଣ ବିକଳରେ ସ୍ଵଗତୋକ୍ତି କଲେ : ପୁଲିସ୍ ?

 

କଣ୍ଡୁ ନାଥମ୍ କହିଲା : ହଁ, ପୁଲିସ୍...ପୁଲିସ୍...

 

ସମସ୍ତେ ଏକା କଣ୍ଠରେ ଗର୍ଜନକଲେ : ପୁଲିସ୍...ପୁଲିସ୍...

 

ସୂର୍ଯ୍ୟକାନ୍ତ ସ୍ମୃତି ସଭାର ଅଧ୍ୟକ୍ଷ ତଥା ବିଂଶାଧିକ ନାଟକ ଓ ଉପନ୍ୟାସର ପ୍ରଣେତା‌ ମିତ୍ରଦମନ ମିଶ୍ର ମାଇକ୍ ଛାଡ଼ି ପ୍ରାଣବିକଳରେ ପାର....

 

ପୁଲିସ୍…ପୁଲିସ୍ ଚିତ୍‌କାର...କଣ୍ଠରୋଳ ମଧ୍ୟରେ ସମସ୍ତ ସମବେତ ଜନତା ଛତ୍ରଭଙ୍ଗ ଦେଲେ... ଦୌଡ଼ିଲେ ଯିଏ ଯୁଆଡ଼େ ବାଟ ପାଇଲେ ! !

 

ଏବଂ କେବଳ ସେଇ ତୈଳଚିତ୍ରଟି ହସୁଥିଲ–ଅପୂର୍ବ ପ୍ରଶାନ୍ତି.... ଦୀପ୍ତି ଓ ପ୍ରୀତିର ନୀରବ ମୂର୍ଚ୍ଛନା ତୋଳି !

 

ରଚନାକାଳ : ୧୯୭୪

 

ଶୁଭାରମ୍ଭ : ଏପ୍ରିଲ୍‌୧୦ ରାଜାବଗିଚା (କଟକ)

 

ଶେଷ : ଜୁଲାଇ ୧୪, ୨ୟ ଛାତ୍ରାବାସ, ଇଞ୍ଜିନିୟରିଂ ସ୍କୁଲ୍ (ବ୍ରହ୍ମପୁର)

Image